Unknown

 

 

 

 

 

 

 

 

 

୧୧୩ତମ ସଂଖ୍ୟା କୋଣାର୍କ୧୯୯୯

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସମ୍ପାଦନା ମଣ୍ତଳୀ :

ଶ୍ରୀ ରବି ସିଂ

ମୁଖ୍ୟ ସମ୍ପାଦକ

 

ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି

ଡକ୍ତର ବିଜୟାନନ୍ଦ ସିଂହ

ସମ୍ପାଦକ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର - ୭୫୧୦୧୪

ଫୋନ୍ / ଫ୍ୟାକ୍ସ : ୪୩୧୮୪୦, ୪୩୩୮୫୩

 

 

ଏକାଡେମୀ କର୍ତ୍ତୃକ ସର୍ବସ୍ଵତ୍ୱାଧିକାର ସଂରକ୍ଷିତ । ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଅନୁମଚି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ଵମତ ।

 

ସମ୍ପାଦକଙ୍କ କଲମରୁ

ବିଷୟ- ସୂଚୀ

୧.

ଆଧୁନିକ ଓଡ଼ିଆ କବିତାରେ ଲୋକ-ଦଉପାଦାନ

ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ

୨.

ମୋଗଲ ତାମସା ସଂପର୍କିତ ଏର୍କ ଭିନ୍ନ ବିଚାର

ଶ୍ରୀ ନୀଳାଦ୍ରି ଭୂଷଣ ହରିଚନ୍ଦନ

୩.

ଅନାବିଷ୍କୃତ କବି ପୁରୁଷୋତ୍ତମ ଦାସ ଓ

“ଦ୍ୱାରିକା ରାହାସ”

ଡକ୍ଟର ଦାଶରଥି ଆଚାର୍ଯ୍ୟ

୪.

ନିର୍ଭୀକ ଚେତନାର ବଳିଷ୍ଠ ସ୍ଵାକ୍ଷର “ଉତ୍କଳ-ପୁତ୍ର

ଡକ୍କର ବିଜୟାନନ୍ଦ ସିଂହ

୫.

ମଧ୍ୟକାଳୀନ ଗୀତିଦର୍ପଣରେ କୃଷ୍ଣସିଂହଙ୍କ

ରାଧାବିରହ ଚଉତିଶା

ଡକ୍ଟର ସୁରେନ୍ଦ୍ର ଜୁମାର ମହାରଣା

୬.

ଅନେକ ଚଉତିଶା ଚଉପଦୀ

ଡକ୍ଟର ତୀର୍ଥ।ନନ୍ଦ ମିଶ୍ର

୭.

ଆଦିବାସୀ ସମାଜ ଓ ସଂସ୍କୃତି

ପ୍ରଫେସର ଜଗନ୍ନାଥ ମହାନ୍ତି

୮.

ଏକାଡେମୀ ସମାଚାର

 

 

ବିଦ୍ରୋହୀ କବି

କାଜୀ ନଜରୁଲ୍ ଇସଲାମ୍

ବିଦ୍ରୋହୀ - ବାଲ୍ମୀକି ନଜରୁଲ୍

 

ବିଦ୍ରୋହୀ କବି କାଜୀ ନଜ୍‍ରୁଲ୍ ଇସ୍‍ଲାମ୍‍ଙ୍କ ଜନ୍ମର ଶହେବର୍ଷ ପୂର୍ଣ୍ଣ ହେଲ। । ସେହି ଜନ୍ମଶତବାର୍ଷିକୀ ପାଳନ ଚାଲିଛି ପଡ଼ୋଶୀ ପଶ୍ଚିମବଙ୍ଗ, ବଙ୍ଗଳାଦେଶ ଏବଂ ଭାରତବର୍ଷର ସବୁ ପ୍ରାନ୍ତୀୟ ସ।ହିତ୍ୟରେ । ଭାରତୀୟ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ପଶ୍ଚିମବଙ୍ଗର ବାଂଲ। ଏକାଡେମୀର ମିଳିତ ଆନୁକୂଲ୍ୟରେ ଗତ ଜୁଲାଇ (୯୯) ମାସର ଦ୍ୱିତୀୟ ସପ୍ତାହରେ କଲିକତ। ଠାରେ ସେଥିପାଇଁ ତିନିଦିନ ବ୍ୟାପୀ ଏକ ସେମିନାର୍ ଆୟୋଜିତ ହୋଇଥିଲ। । ସେଥିରେ ମୁଁ ଅଂଶଗ୍ରହଣ କରିଥିଲି । ଆଉ ୧୧ ଚାରିଖ ଦିନ ସେହି ସେମିନାରରେ ମୁଁ ମୋର ଅଭିଭାଷଣରେ ନଜ୍‍ରୁଲ୍ ସ।ହିତ୍ୟରେ ସାମାଜିକ ଅଙ୍ଗୀକାର, ନଜ୍‍ରୁଲ୍‍ଙ୍କର ସାମ୍ରାଜ୍ୟବାଦ ବିରୋଧୀ ବିଦ୍ରୋହୀ ଭୂମିକା ସମ୍ପର୍କରେ ନାନା ଦିଗରୁ ଆଲୋକପାତ ମଧ୍ୟ କରିଥିଲି । ସେଦିନ ସେଠି ମୁଁ କହିଥିଲି କବି ନଜ୍‍ରୁଲ୍‍ଙ୍କୁ ପଶ୍ଚିମବଙ୍ଗର ଭୌଗୋଳିକ ସୀମା ଭିତରେ ବନ୍ଦୀ କରି ତାଙ୍କୁ ଖଟୁଲୀର ଶାଳଗ୍ରାମ ରୂପେ ଥୋଇବା ଠିକ୍ ନୁହେଁ । ନଜରୁଲ୍ ସମଗ୍ର ମାନବ ଜାତିର ଅମୂଲ୍ୟ ବିପ୍ଲବୀ ସାରସ୍ଵତ ସମ୍ପଦ । ବଙ୍ଗ ଭାଷାରେ କାଜୀଦା ଯଦିଓ ତାଙ୍କର ବିରାଟ ସାରସ୍ଵତ ସୌଧ ନିର୍ମାଣ କରିଯାଇଛନ୍ତି ତଥାପି ସେ ସାରା ଦୁନିଆର ମେହନତୀ ସର୍ବହରା ଶ୍ରେଣୀର ହୃଦୟର କବି । ମୁଁ କବି ନଜ୍‍ରୁଲ୍ ଯେତିକି ଜାଣିଛି, ଦୂରରୁ ଓ ନିକଟରୁ ତାଙ୍କୁ ଯେତିକି ଦେଖୁଛି, ତାଙ୍କ ପରିବାର ସହିତ ଯେତିକି ଏକାତ୍ମ ହୋଇଛି, ତାଙ୍କ ସାହିତ୍ୟକୁ ଯେପରି ମନପ୍ରାଣ ଦେଇ ଆତ୍ମସ୍ଥ କରିଛି ଓଡ଼ିଶାରେ ସେପରି କେହି କରିଥିବାର ମୁଁ ଜାଣେନା । କବି କାଜୀ ନଜ୍‍ରୁଲ୍ ଇସ୍‍ଲାମ୍‍ ଥିଲେ ମୋର ବିପ୍ଲବୀ ନିଃସଙ୍ଗ ପଦାତିକ ଲକ୍ଷ୍ମୀଛଡ଼ା ଜୀବନର ଅଗ୍ରଗତିର ଉପାଦାନ, ତାଙ୍କର ସମଗ୍ର ସାରସ୍ଵତ ସୃଷ୍ଟି ଥିଲା ମୋ ସ।ହିତ୍ୟ ଆଗରେ ଦୃଷ୍ଟାନ୍ତ । ତାଙ୍କ ଛନ୍ଦର ଉତ୍ତାପ ମୋର ଦୁର୍ବାର ଯୌବନକୁ ଉତପ୍ତ କରିଛି । ସେ ଥିଲେ ମୋ ଆଗରେ ବିଦ୍ରୋହୀ ବାଲ୍ମୀକି ।

 

ମୋର ସେ ଦିନର ସେହି ଆବେଗପୂର୍ଣ୍ଣ ଭାଷଣକୁ ଉପସ୍ଥିତ ଥିବା ବହୁ ବଙ୍ଗବିଦ୍ଵାନ, ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି, ଲେଖକଗଣ ଏବଂ ବଙ୍ଗଳାଦେଶରୁ ଆଗତ ବହୁ କବି, ସମାଲୋଚକ, ଅଧ୍ୟାପକମାନେ ବିନା ପ୍ରତିବାଦରେ ଗ୍ରହଣ କରି ନେଇଥିଲେ ।

 

ନଜୁରୁଲ୍ - ଏକ ଲୋହିତ ସାରସ୍ୱତ ଗ୍ରହ

ବିଶ୍ଵକବି ରବୀନ୍ଦ୍ରନାଥ ଯେଉଁ ଭାଷାରେ ତାଙ୍କର ଅମର ସାହିତ୍ୟ ରଚନା କରିଥିଲେ ସେହି ଭାଷାରେ କବି କାଜୀ ନଜୁରୁଲ୍ ଇସଲାମ୍ ତାଙ୍କର ବିଶାଳ ସାହିତ୍ୟ ସୌଧ ନିର୍ମାଣ କରିଯାଇଛନ୍ତି । ସେ ସୌଧ ଯେତିକି ବିରାଟ, ସେତିକି ଗଗନଚୁମ୍ବୀ, ସେତିକି ଉନ୍ନତଶିର, ସେତିକି ଉଦ୍ଧତ, ସେତିକି ଲୌହଦୃଢ଼, ସେତିକି ନମ୍ର ଆଉ କୋମଳ । ତାହା ମାନବପ୍ରେମ, ମାନବବିଜୟ-ବୈଜୟନ୍ତୀ ଏବଂ ଅକ୍ଷୟସ୍ମାରକୀ । ତାଙ୍କର ସାହିତ୍ୟ ଅସାମ୍ୟ, ଅକଲ୍ୟାଣ, ଶୋଷଣ, କଷଣ, ଅନ୍ୟାୟ, ଅତ୍ୟାଚାର ପୁଞ୍ଜିବାଦ, ସାମ୍ରାଜ୍ୟବାଦ, ଧର୍ମୀୟ ମୌଳବାଦ, କୁସଂସ୍କାର, ସାମ୍ପ୍ରଦାୟିକତାବାଦ ଆଦି ବିରୋଧରେ ଏକ ଜ୍ଵଳନ୍ତ ଲାଭାସ୍ରେ।ତ । ତାଙ୍କର ଜୀବନ ଯେତିକି ବିତିତ୍ର ତାଙ୍କ ସାହିତ୍ୟ ମଧ୍ୟ ତତୋଧିକ ବିଚିତ୍ର ଆଉ ବିସ୍ମୟକର । ମହାଜୀବନର ଛନ୍ଦ କେତେ ଦୁର୍ବାର ଏବଂ କେତେ ମନୋରମ, କେତେ ନୂପୁର-ନିକ୍କୋଣିତ, କେତେ ଝଡ଼ଗୁମ୍ଫିତ, ଶ୍ରେଣୀ ବିଭକ୍ତ ବିଶ୍ୱବ୍ୟବସ୍ଥାରେ କେତେ ବେସାଲିସୀ ଆଉ ବିପ୍ଳବୀ, କେତେ ଅବିଜିତ ଏବଂ ଅଗ୍ରଗାମୀ ତା’ର ଜାନ୍ତବ ପ୍ରମାଣ ହେଉଛି ନଜୁରୁଲ୍‍ଙ୍କ ସାହିତ୍ୟ । ନଜ୍‍ରୁଲ୍ ସାହିତ୍ୟର ସାମାଜିକ ଅଙ୍ଗୀକାର ସୁତୀକ୍ଷ୍ମ ଆଉ କ୍ଷୁରଧାର, ମାନବବାଦର, ମାନବ ବିଜୟର ଦୁର୍ଦ୍ଧର୍ଷ ଅଗ୍ରବାହିନୀ, ଇଂରେଜ ଭପନିବେଶବାଦର ଘନଘୋର ଚିକିଟା ଅନ୍ଧକାର ଭିତରେ ମାତ୍ର ବାଇଶି ବର୍ଷ ବୟସରେ କବି ନଜ୍‍ରୁଲ୍ କଲମ ଧରିଥିଲେ, ଜଳି ଉଠିଥିଲେ ମଶାଲ ଭଳି, ଆଣିଥିଲେ ଝଡ଼, ସୃଷ୍ଟି କରିଥିଲେ ତୋଫାନ୍, ମେଲିଥିଲେ ମଙ୍ଗଳମୟ-ଅମଙ୍ଗଳ ଧୂମକେତୁର କରାଳ ପୁଚ୍ଛ । ଦାରିଦ୍ର୍ୟ, ରାଜରୋଷ, କାରାଦଣ୍ଡ, ବିପଦଆପଦ, ବାଧା ଅବରୋଧ, ମୃତ୍ୟୁଭୟର ଅନେକଉର୍ଦ୍ଧ୍ୱକୁ ଉଠିଥିଲା ତାଙ୍କ ଚେତନାର ବିମାନ । ମଣିଷକୁ ଛାଡ଼ି ତାଙ୍କର ସାହିତ୍ୟ ନାହିଁ ନା ସାହିତ୍ୟକୁ ଛାଡ଼ି ମଣିଷ ମଧ୍ୟ ନାହାନ୍ତି ଓ ନଥିଲେ । ସେ ମୁସଲମାନ ସମ୍ପ୍ରଦାୟରେ ଜନ୍ମିଥିଲେ ମଧ୍ୟ ମୁସଲମାନ୍ ଧର୍ମ ଭିତରେ ଥିବା ଧାର୍ମିକ ମୌଳବାଦ, ଧର୍ମୀୟ ଭଣ୍ଡାମୀ ଏବଂ ପୁରୋହିତତନ୍ତ୍ରକୁ ଲଗାତର ଭାବରେ କଷାଘାତ କରିଥିଲେ । ସେଥିପାଇଁ ସେତେବେଳର ମୁସଲମାନ୍ ସମାଜ ତାଙ୍କୁ ‘କାଫେର୍’ ବା ଧର୍ମଦ୍ରୋହୀ ବୋଲି 'କହିଥିଲା ‘ଦାଓ ପାଜିଟାର୍ ଜାତ୍‍ମେରେ’ । ନଜ୍‍ରୁଲ୍‍ଙ୍କ ‘ଅପରାଧ’ ଥିଲା ସେ ତାଙ୍କ କାବ୍ୟ କବିତାରେ ହିନ୍ଦୁ ଦେବଦେବୀ, ଶିବ, ହିନ୍ଦୁ ପୌରାଣିକ ଉପାଖ୍ୟାନ ସହ ଆଲ୍ଲାଙ୍କ ବଦଳରେ ଭଗବାନ କଥା ଲେଖୁଥିଲେ । ସେ ତାଙ୍କ ସମୟର କୁସଂସ୍କାରଗ୍ରସ୍ତ ସମାଜରେ ମୁସଲମାନ ହୋଇ ମଧ୍ୟ ବିବାହ କରିଥିଲେ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଗିରିବାଳା ସେନ୍‍ଗୁପ୍ତାଙ୍କ କନ୍ୟା ପ୍ରମିଳା ଦେବୀଙ୍କୁ । ପ୍ରମିଳା ଦେବୀ ଆଉ ନଜ୍‍ରୁଲ୍ ପ୍ରେମର ତୁଳନା ନାହିଁ । ପ୍ରମିଳା ଦେବୀଙ୍କ ଦେହର ରଙ୍ଗ ଥିଲା ଚମ୍ପାଫୁଲର ରଙ୍ଗ ପରି । ସେଥିପାଇଁ ନଜ୍‍ରୁଲ୍ ତାଙ୍କ ଗୋଟିଏ କବିତ। ବହିର ନାଆଁ ଦେଇଥିଲେ ‘ଦୋଲନ୍ ଚାଂପା’ । ସେହି ପୁସ୍ତକରେ ଥିବା ଗୋଟିଏ କବିତାର ପ୍ରଥମ ଛାତ୍ର ଆରବୀ ‘ମୋତାକାରିବ୍’ ଛନ୍ଦରେ ଲିଖିତ ଯଥା :

 

“ଦୋଦୁଲ୍ ଦୁଲ୍

ଖୋଁପାର୍ ଫୁଲ୍

ପ୍ରିୟାର ମୋର

କୋଥାଏ ତୁଲ୍

ଦୋଦୁଲ୍ ଦୁଲ୍

ବେନୀର ବାଁଧ୍‍

ଆଲଗ୍ ଛାଁଦ୍

କାବୁଲି ହିଙ୍ଗ୍

ଚାବିର ରିଙ୍ଗ୍

ପ୍ରିୟାର ମୋର୍

କୋଥାଏ ତୁଲ୍

ଦୋଦୁଲ୍ ଦୁଲ୍

ଦୋଦୁଲ୍ ଦୁଲ୍ “

 

ସେ ଯାହାହେଉ ତଥାପି ମୌଳବାଦୀ ମୁସଲମାନ ମାତବ୍‍ବରମାନେ ଆଶା କରିଥିଲେ ନଜ୍‍ରୁଲ୍ ଜଣେ 'ନୈଷ୍ଠିକ ମୁସଲମାନ୍’ ହୋଇ ମସ୍‍ଜିଦ୍‍କୁ ଫେରି ଆସିବେ । ଦେହରେ ଥିବ ଲୁଙ୍ଗୀ ସହିତ ଲକ୍ଷ୍ନୌ ପଞ୍ଜାବୀ, ମୁହଁରେ ଥିବ ଦାଢ଼ୀ, ମୁଣ୍ତରେ ଥିବ ଟୋପୀ, ଅଣ୍ଟ।ରେ ଥିବ ଚାକୁ । ନଜ୍‍ରୁଲ୍ କିନ୍ତୁ ଫେରିନଥିଲେ । ତାଙ୍କର ‘ଖାଲେଦ୍’ ନାମକ ଗୋଟିଏ କବିତାରେ ପଢ଼ିଥିଲି ଭାରତୀୟ ମୁସଲମାନମାନଙ୍କର ବାହ୍ୟ ପରିଚୟ । ସେ ସେଥିରେ ଲେଖିଥିଲେ - ଭାରତବର୍ଷରେ ମୁସଲମାନ ବୋଲି ଯେଉଁ ଗଛଟି ଅଛି ସେ ଗଛକୁ ହଲାଇଲେ କେବଳ ଲୁଙ୍ଗୀ, ଦାଢ଼ୀ, ଟୋପୀ ଆଉ ତାକୁ ଛଡ଼ା ଆଉ କିଛି ଝଡ଼ିବ ନାହିଁ ।

 

ଅସମ୍ଭବକୁ ସମ୍ଭବ କରିବା ପଥର ଯିଏ ଦୁର୍ବାର ପଥଯାତ୍ରୀ ତା ପାଖରେ ସମ୍ମୁଖରେ ଆହ୍ଵାନ ହିଁ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ।

 

କଳା ପାଇଁ କଳା ନୁହେଁ ଜୀବନ ପାଇଁ କଳା

ଚଟୁ ଆଇଁଷ - ବେଣ୍ଟ ନିରାମିଷ ଅର୍ଥାତ୍ ଦ୍ୱିଧା-ବିଭକ୍ତ ବ୍ୟକ୍ତିତ୍ୱର ବାହକ ବା ଧାରକ ନଥିଲେ କବି ନଜ୍‍ରୁଲ୍ । ତାଙ୍କର ଜୀବନ ଥିଲା ଏକ ସାମଗ୍ରିକ ଯୋଗର ମଞ୍ଚ । ସେ “କଳାପାଇଁ କଳା” ବା Art for Art sakeର କୁହୁଡ଼ିଆ ଚାଲ୍ ଠାରୁ ଦୂରରେ ରହି ଜୀବନ ପାଇଁ, ମଣିଷ ପାଇଁ ସାମ୍ୟ ଆଉ ସମତା ପାଇଁ ଥିଲେ ରୁଦ୍ରସାଧନାରତ । ଜନାରଣ୍ୟର ଅଭ୍ୟନ୍ତରରୁ ସାମ୍ରାଜ୍ୟବାଦ ବିରୋଧୀ ମୁକ୍ତିସଂଗ୍ରାମର ଅଗ୍ନିଦାହ ଭିତରୁ ସେ ତାଙ୍କର ଶିଳ୍ପର ରସଦ୍ ସଂଗ୍ରହ କରିଥିଲେ । ବୋଧହୁଏ ବିଶ୍ଵକବି ରବୀନ୍ଦ୍ରନାଥଙ୍କୁ ଲକ୍ଷ୍ୟ କରି ସେ ତାଙ୍କର ଗୋଟିଏ କବିତାର ଧାଡ଼ିରେ କହିଥିଲେ “ଅମରକାବ୍ୟ ଲେଖ ତୁମେ ସବୁ ବନ୍ଧୁ ହେ ଯିଏ ଅଛ ମୁଖେ । ”

 

କବି ଲେଖକ ଯଦି...

କବି, ଲେଖକ, ଶିଳ୍ପୀ ଏବଂ କଳାକାର ଯଦି ବିଶ୍ୱପ୍ରେମୀ, ଆନ୍ତର୍ଜାତିକତାବାଦୀ ହୋଇ ବିପନ୍ନ ମାନବତାର ହୃଦୟର ପାଖାପାଖି ଠିଆ ନହୋଇ, ମଣିଷର ସଂଗ୍ରାମ ଓ ସଂଘାତ୍‍ର ଅଂଶୀଦାର ନହୁଏ ତା’ହେଲେ ସେ ଯେତେ ପଣ୍ଠିତ ପ୍ରାଜ୍ଞ, ଜ୍ଞାନୀ, ଗୁଣୀ ହେଉନା କାହିଁକି ତା’ର କଡ଼ାକର ମୂଲ୍ୟ ବି ରୁହେ ନାହିଁ । ସେମାନେ ଜ୍ଞାନପାପୀ ହୋଇ ହିଁ ରହିଯାଆନ୍ତି । ଏଇଟା ନିଶ୍ଚିତ କଥା ଦାରିଦ୍ର୍ୟ, ଅଭାବ, ରାଜରୋଷ ଆଦି ସମସ୍ତ ପ୍ରତିକୂଳତା ତୁମଆମକୁ ନିଃଶେଷ କରିଦିଏ, କିନ୍ତୁ ପ୍ରତିଭାର ଲୌହପିଣ୍ଡକୁ ସେ ଶାଣିତ ଇସ୍ପାତରେ ପରିଣତ କରେ । ସ୍ୱର୍ଗତ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏଇ ସୂତ୍ରଟିର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଭାରତରେ ବିଦ୍ରୋହୀ କବି କାଜୀ ନଜ୍‍ରୁଲ୍ ଇସ୍ଲାମ୍ । ଶ୍ୟାମଘନ ମେଘମାଳାକୁ ସାଙ୍ଗରେ ଧରି କାଳବୈଶାଖୀ ଝଡ଼ର ଆଗମନୀ କବି ନଜ୍‍ରୁଲ୍ ଦେଇଥିଲା ଧୂର୍ଜଟୀର ଉଦ୍ଦାମ ଜଟାଚାଞ୍ଚଲ୍ୟ, ସାମ୍ରାଜ୍ୟବାଦୀ ଇଂରେଜର କାରାଅର୍ଗଳର ଲୁହାର କବାଟକୁ ଭାଙ୍ଗି ଲୁଟି କରି ନେଇ ପଳାଇବାର ପ୍ରେରଣା । ଭୟଙ୍କରର ଆଗମନରେ ସେ କରି ଉଠିଥିଲେ ଜୟଧ୍ୱନୀ । ଧ୍ୱଂସ ଭିତରୁ, ବିଦ୍ରୋହ ଭିତରୁ ସେ ପାଇଥିଲେ ତାଙ୍କ ଅଘଟନ-ଘଟନ- ପଟ୍ଟିୟସୀ କଳାତ୍ମକ ସୃଜନ ପାଇଁ ପ୍ରଚୋଦନା । ଜୀବନ ତମାମ୍ ନଜ୍‍ରୁଲ୍ ହରାଇବାର ଦୀକ୍ଷାରେ ଥିଲେ ଦୀକ୍ଷିତ । ସେ କେବେହେଲେ ନିଜ କଥା, ପରିବାର କଥା, ନିଜ ସୁଖ ସ୍ୱାଚ୍ଛନ୍ଦ୍ୟର କଥା ଭାବି ନଥିଲେ । ବିବାହ ପରେ ବାସର ରଜନୀ ବା ଚତୁର୍ଥୀ ରାତି ବରକନ୍ୟାଙ୍କର କଟିଥିଲା ଅନାହାରରେ । ପ୍ରଥମ ସନ୍ତାନ ଆଦରଣୀୟ ‘ବୁଲ୍‍ବୁଲ୍‍’ ଭୟଙ୍କର ମହାମାରୀରେ ମୃତ୍ୟୁ ଲଭିଥିଲା । ଆଜିର ବଙ୍ଗଳାଦେଶର ମୈମନ୍ ସିଂରୁ ସେ କଲିକତାର ଜଣେ ବନ୍ଧୁଙ୍କ ନିକଟକୁ ପାଞ୍ଚଟି ଟଙ୍କା ପଠାଇବା ପାଇଁ ଚିଠି ଲେଖିଥିଲେ ବାଟଖର୍ଚ୍ଚ ପାଇଁ । ହୋଟେଲ୍‍ରେ ଖାଉଥିଲେ ଏବଂ ମସଜିଦ୍‍ରେ ଶୋଉଥିଲେ । ଶହ ଶହ ଯୁବକଙ୍କୁ ସାଙ୍ଗରେ ନେଇ ବୁଲୁଥିଲେ ଗ୍ରାମ ଗହନରେ ମଣିଷକୁ ବିଦେଶୀ ଦାସତ୍ଵ ବନ୍ଧନରୁ ମୁକ୍ତ କରିବା ଲାଗି ବିପ୍ଲବୀ ସଙ୍ଗୀତ ଗାଇଗାଇ । ସେ ସେତେବେଳ ଗଭୀର ଆସ୍ଥା ପ୍ରକଟ କରିଥିଲେ ତାଙ୍କ ସମୟର ତରୁଣମାନଙ୍କ ଉପରେ । ବାଲ୍ୟଜୀବନରୁ ଅନାଥ ଅବସ୍ଥାରେ ଅନାଦର କୈଶୋର ବିତାଇ ଯୌବନରେ ଭୂମିକମ୍ପମୟ ପରିସ୍ଥିତି, ଜୀବନର ପ୍ରଚଣ୍ଡ ଉତ୍ଥାନ ପତନର ଆବହ ତାଙ୍କୁ ବିଦ୍ରୋହର ସିଂହାସନ ଆରୋହଣ କରିବା ପାଇଁ ବାଧ୍ୟ କରିଥିଲା । ନିଷ୍ଠୁର ମହାକାଳକୁ ବୃଦ୍ଧାଙ୍ଗୁଷ୍ଠି ପ୍ରଦର୍ଶନ କରି ତୀବ୍ର ଜୀବନ ସଂଗ୍ରାମ ଭିତରେ ଏଇ ‘ମହାବିଦ୍ରୋହୀ ବୀର’ ମହାକବି ନଜ୍‍ରୁଲ୍ କେବଳ ନିଚ୍ଛକ କାବ୍ୟ କବିତା ଓ ସାହିତ୍ୟ ରଚନାର କାଳ୍ପନିକ ଜାଲ ନବୁଣି ବଂଶୀଧ୍ୱନୀ ସହିତ ବଜ୍ରର ନିର୍ଘୋଷ ନିନାଦିତ କରିଥିଲେ । ଦେଶ ମାତୃକାକୁ ଉପନିବେଶିକ ଦାସତ୍ୱ କବଳରୁ ମୁକ୍ତ କରିବା ପାଇଁ କାନ୍ଧରେ ଗୁଳିଭରା ଗର୍ଭବାନ ରାଇଫଲ୍‍କୁ ଥୋଇ ସେ ସାମିଲ୍ ହୋଇଥିଲେ ବେଙ୍ଗଲ୍ ରେଜିମେଣ୍ଡଂ ସେନାବାହିନୀରେ, ସୈନିକର ଧୂସର କଡ଼ାପୋଷାକ ପିନ୍ଧି ସେ ଯାଇଥିଲେ କରାଚୀ । ସେଠାର ସେନା ନିବାସରେ ତାଙ୍କର ଘଟିଥିଲା କବିତ୍ଵର ଅଧିକ ଉନ୍ମେଷ ଏବଂ ଉତ୍ତରଣ । ରଣାଙ୍ଗନର ଟ୍ରେଞ୍ଚ ଭିତରେ ବସି ସେ କାନପାରି ଶୁଣିଥିଲେ ଋଷିଆର ମହାନ୍ ଅକ୍ଟୋବର ସମାଜବାଦୀ ମହାବିପ୍ଳବର କମାଣ ଗର୍ଜ୍ଜନ ସହିତ ସେହି ମହାବିପ୍ଳବର ମହାନାୟକ ମହାନ୍ ଲେନିନ୍‍ଙ୍କର ଲୋହିତ ଉଦ୍‍ଘୋଷଣା, ଶୁଣିଥିଲେ ଅତ୍ୟାଚାରୀ ଜାର୍ ଶାସନର ପତନର ହାହାକାର ଆଉ ଆର୍ତ୍ତ ଆବାଜ୍ ।

 

ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଇଂରେଜ ସାମ୍ରାଜ୍ୟବାଦ ବିରୋଧୀ ବୁର୍ଜୁୟା ଜାତୀୟ ଆନ୍ଦୋଳନର ଭତ୍ତାଳ ଢେଉ ତମାମ୍ ଭାରତବର୍ଷରେ ଆଉ ସେଥିପାଇଁ ଦମନ ନିପୀଡ଼ନ, ହତ୍ୟାଲୀଳା, ପ୍ରାଣଦଣ୍ଡ, ଜେଲ୍, ଜୋରିମାନା, ସନ୍ତ୍ରାସ ନଜ୍‍ରୁଲ୍‍ଙ୍କ କବି ଚିତ୍ତକୁ କେବଳ ବ୍ୟଥିତ କରିନଥିଲା, କରିଥିଲା ଅଧିକରୁ ଅଧିକ ବିଦ୍ରୋହୀ । ତାଙ୍କର କବିତ୍ୱ, ତାଙ୍କର ବିବେକ ଆଉ ସତ୍ତା ହୋଇ ଉଠିଥିଲା ପ୍ରତିଶୋଧ ପରାୟଣ । ସେଥିପାଇଁ ସେ ‘ଚରଖାର ଗାନ୍’ ଛାଡ଼ି ଗାଇଥିଲେ ‘ଦୁଃଶାସନର ରକ୍ତ ଚାହି’ । ଭପନିବେଶିକ ଆଗ୍ରାସନ ଆଉ ତା'ର ବୁଭୁକ୍ଷାର ସାମ୍ନା ସାମ୍ନି ଠିଆ ହୋଇଥିଲା ତାଙ୍କ ଜୀବନ, ଯୌବନ, କବିତ୍ୱ ଆଉ ସତ୍ତା । ସେତେବେଳର ଯୁବ ସମ୍ପ୍ରଦାୟକୁ ସେ ଡାକ ଦେଇ କହିଥିଲେ -

 

“ଦୋହଲୁଛି ନାଆ, ଫୁଲୁଅଛି ପାଣି

ନାଉରୀ ଭୁଲିଛି ପଥ,

କେ ଅଛ ଜୁଆନ, ହୁଅ ଆଗୁଆନ

ଡାକୁଛି ଭବିଷ୍ୟତ ।

ଏଇ ଗଙ୍ଗାରେ, ବୁଡ଼ିଅଛି ହାଏ

ଭାରତର ଦିବାକର,

ଭଦିବ ସେ ରବି, ଆମରି ରକ୍ତ

ରଙ୍ଗେ ପୁନର୍ବାର ।“

 

ଧର୍ମାନ୍ଧତା ବିରୋଧରେ

୧୯୨୬ ମସିହାରେ ଭୟାନକ ହିନ୍ଦୁ-ମୁସଲମାନ ଦଙ୍ଗାକୁ ଦେଖି ଧର୍ମୀୟ ମୌଳବାଦ ବିରେ।ଧରେ ଆପଣାର ଅସି ଆଉ ମସୀ ଦୁହିଁଙ୍କୁ ଉତ୍ତୋଳିତ କରିଥିଲେ ।

 

ମସଜିଦ୍‍ରେ ମୁଲ୍ଲା ବା ପୁରୋହିତର ଲୋଭ ଅଉ ସଂକୀର୍ଣ୍ଣତାକୁ ଅନୁଭବ କରି ଲେଖିଥିଲେ –

 

“ପୂଜୁଛି ଗ୍ରନ୍ଥ ଭଣ୍ତର ଦଳ

ମୂର୍ଖମାନେ ରେ ଶୁଣ,

ମଣିଷ ଆଣିଛି ଗ୍ରନ୍ଥ

ଗ୍ରନ୍ଥ ଆଣିନି

ମଣିଷକୁ କେଉଁ ଦିନ ।”

 

ମୁସଲମାନ ଧର୍ମର ପ୍ରଚାରକ ବା ପ୍ରଫେଟ୍ ହଜରତ୍ ମହମ୍ମଦଙ୍କୁ ଗଭୀର ସମ୍ମାନ ଦେଇ ନଜ୍‍ରୁଲ୍ ମୁସଲ୍‍ମାନମାନେ କିପରି ପଥଚ୍ୟୁତ ହୋଇଛନ୍ତି ତାହା ସୂଚାଇଥିଲେ । ସେ ଲେଖିଥିଲେ –

 

“ତୁମରି ବାଣୀକୁ କରିନୁ ଗ୍ରହଣ

କ୍ଷମାକର ହଜ୍‍ରତ୍‍

ଭୁଲିତ ଯାଇଛୁ ତବ ଆଦର୍ଶ

ତମ ଦେଖାଇବା ପଥ ।

 

ବିଳାସ, ବ୍ୟସନ ଦଳିଅଛ ପାଦେ

ଧୂଳି ସମ ତୁମେ ପ୍ରଭୁ

ଚାହିଁ ତ ନଥିଲ ଆମେ ହେଉ କେବେ

ବାଦ୍‍ଶା, ନବାବ୍ ସବୁ ।

 

ଏଇ ଧରଣୀର ଧନ-ସମ୍ଭାର

ସବୁରିର ସେଥେ ସମ ଅଧିକାର ।

ତମେ କହିଥିଲ ଧରଣୀରେ ସବୁ

ସମାନ ପୁତ୍ରବତ୍

କ୍ଷମା କର ହଜରତ୍ ।

 

ତମେ ଚାହିଁ ନାହଁ ଧର୍ମ ନାମରେ

ଗ୍ଳାନିକର ହଣାହଣି

ତଲ୍‍ୱାର୍ ତମେ ଦେଇନାହଁ ହାତେ

ଦେଇଛ ଅମରବାଣୀ ।

 

ଆମେ ଭୁଲିଯାଇ ତମ ଉଦାରତା

ସାର କରିଅଛୁ ଧର୍ମାନ୍ଧତା

ସେ ପାଇଁ ଝରେନା ବେହେଶ୍ ତୁଁ ଆଉ

ତମରିତ ରହମତ୍

କ୍ଷମାକର ହଜ୍‍ରତ୍ ।”

 

ଲେଖି ବସିଲେ ନଜ୍‍ରୁଲ୍‍ଙ୍କ ସମ୍ପର୍କରେ ହଜାର ହଜାର ପୃଷ୍ଠାର ଗ୍ରନ୍ଥ ଲେଖିବାକୁ ହେବ । ୫୨ ବର୍ଷର ସ୍ୱାଧୀନତା ଭିତରେ ଦେଶ ଆଜି ଉଚ୍ଛନ୍ନ । ଭାରତରେ ଆଜି ଇଂରେକ ସାମ୍ରାଜ୍ୟବାଦ ନାହିଁ କିନ୍ତୁ ଇଂରେଜ ସ°ସ୍କୃତି ଆମର ପ୍ରତିଟି ରକ୍ତକଣାରେ ସଞ୍ଚରିତ ହୋଇଛି । ତାଙ୍କରି ଭାଷାରେ ଆଜିବି ଭାରତବର୍ଷରେ ‘ଯେ ଯେତେ ଭଣ୍ତ ଧଡ଼ିବାଜ ଆଜି ସେଇ ସେତେ ବଳବାନ୍ ।” ଦେଶ ଅଛି, ଦେଶପ୍ରେମ ନାହିଁ, ମଣିଷ ଅଛନ୍ତି, ମଣିଷତ୍ୱ ଶୋଇଛି । ଜନମୁକ୍ତି ଆଜି ପୁରାଣର ରୂପକଥା । ତମାମ୍ ଭାରତବର୍ଷରେ ପୁନଶ୍ଚ ସ୍ୱାଧୀନତା ସଂଗ୍ରାମ ନୁହେଁ ମୁକ୍ତି ସଂଗ୍ରାମ ଆଜି ଏକାନ୍ତ ଆବଶ୍ୟକ-। ସେହି ସଂଗ୍ରାମର ଅବିନାଶୀ ଇନ୍ଧନ ହେଉଛି ନଜ୍‍ରୁଲ୍‍ଙ୍କ ସାହିତ୍ୟ ।

 

ଗୋଟିଏ ସ୍ମୃତି

ବହୁବର୍ଷ ତଳେ ମୋର ଜ୍ୟେଷ୍ଠା ଭଗ୍ନୀପ୍ରତିମ ସ୍ୱର୍ଗତ କବି ନଳିନୀ ଦେବୀ ରାଉତରାୟଙ୍କ ସହ ଯାଇଥିଲି କବି ନଜ୍‍ରୁଲ୍‍ଙ୍କ ପାଖକୁ । ସେଦିନ ତାଙ୍କର ପଦଧୂଳି ନେବାର ସୌଭାଗ୍ୟ ମୋ ଜୀବନରେ ଘଟିଥିଲା । କଲିକତାର ‘ମହାଜାତି ସଦନ’ରେ ସେଦିନ ନଜ୍‍ରୁଲ୍ ଜୟନ୍ତୀ ସମାରୋହ । ସେତେବେଳେ କବି ଜୀବିତ ଥିଲେ ମଧ୍ୟ ସେ ଏକ ମୃତ ଆଗ୍ନେୟଗିରି । ତାଙ୍କର ଏ ପରିସ୍ଥିତି ୧୯୪୨ ସାଲରୁ । ସେ ସ୍ତବ୍ଧ ଏବଂ ଜୀବୋନ୍ମୃତ । ‘ବିଦ୍ରୋହୀ’ କବିତା ଭଳି କବିତା ଯେଉଁ କବି ରଚନା କରେ ତାଙ୍କର ଏ ସ୍ତବ୍ଧତା ରାତ୍ରିର ଅନ୍ଧକାର ପରି ଅବଧାରିତ । ସେଦିନ କବିଙ୍କ ପୁତ୍ର କାଜୀ ସବ୍ୟସାଚୀ ଓ କବିପତ୍ନୀ ପ୍ରମିଳା ନଜ୍‍ରୁଲ୍‍ଙ୍କ ସହିତ ମୋତେ ଅନେକ ସମୟ ଅତିବାହିତ କରିବାକୁ ପଡ଼ିଥିଲା । ଆଉ ଥରେ ୧୯୬୮ ମସିହାରେ ମୁଁ ସୋଭିଏତ୍ ଦେଶ ନେହେରୁ ପୁରସ୍କାର ଗ୍ରହଣ କରିବା ପାଇଁ କଲିକତା ଯାଇଥିଲା ବେଳେ ସି.ଆଇ.ଟି. ବିଲ୍ଡ଼ିଂରେ ପହଞ୍ଚିଥିଲି ମୋର ପୂଜ୍ୟ କବି ନଜ୍‍ରୁଲ୍‍ଙ୍କ ପାଖରେ । ତାଙ୍କ ହାତର ନଖଗୁଡ଼ିକ ବଢ଼ି ଯାଇଥିଲା, ମୁହଁରେ ଖୁଣ୍ଟା ଖୁଣ୍ଟା ଦାଢ଼ି, ଲୁଙ୍ଗି ଉପରେ ଗଞ୍ଜି ପିନ୍ଧି ସେ ଖଟ ଉପରେ ବସିଥିଲେ । ମୋ ସହିତ ଥିଲେ ‘ଯୁଗାନ୍ତର’ ପତ୍ରିକାର ଫଟୋଗ୍ରାଫର୍ ଏବଂ ସେତେବେଳେ ‘ ସୋଭିଏତ୍ ଦେଶ’ ପତ୍ରିକାରେ କାର୍ଯ୍ୟରତ ବନ୍ଧୁ ବୈଷ୍ଣବ ଚରଣ ପରିଡ଼ା । ନଜ୍‍ରୁଲ୍‍ଙ୍କ ସମଗ୍ର ଜୀବନ, ତାଙ୍କର ସଂଗ୍ରାମ, ତାଙ୍କର କାବ୍ୟ ଓ ସାହିତ୍ୟ ସେତେବେଳେ ତାଙ୍କର ସ୍ତବ୍ଧ ଅବସ୍ଥା ଦେଖି ମୋ ଆଖିରୁ ଧାର ଧାର ଲୁହ ବୋହି ମୋ ଛାତିକୁ ପ୍ଲାବିତ କରିଥିଲା । ମୋର ସେତେବେଳେ ପ୍ରକାଶିତ କାବ୍ୟଗ୍ରନ୍ଥ ‘କ୍ଷତ’ ସହିତ ତାଜା ରଜନୀଗନ୍ଧାର ଏକ ସ୍ତବକ ତାଙ୍କ ହାତକୁ ଦେବାବେଳେ ସେ ସ୍ତବକଟିକୁ ଅଳ୍ପ ସମୟ ଚାହିଁ ପାଖରେ ଥୋଇ ମୋର ସେ କବିତା ବହିଟିର ପ୍ରତିଟି ପୃଷ୍ଠାକୁ ଭଲ ମଣିଷ ପରି ଲେଉଟାଇ ତାକୁ ପାଖରେ ଥିବା ରେକ୍ ଉପରେ ଥୋଇ ଦେଇଥିଲେ । ନଜ୍‍ରୁଲ୍‍ଙ୍କ ସହିତ ମୋର ସେ ସାକ୍ଷାତର ରିପୋର୍ଟ ଏବଂ ଆଲୋକଚିତ୍ର ବଙ୍ଗଳାର ଦୈନିକ ଖବରକାଗଜମାନଙ୍କରେ ତା’ ପରଦିନ ପ୍ରକାଶିତ ହୋଇଥିଲା । କବି ନଜ୍‍ରୁଲ୍‍ଙ୍କ ‘ଦୋଲନ୍ ଚାଂପା' ସହଧର୍ମିଣୀ ପ୍ରମିଳା ଦେବୀ ପକ୍ଷାଘାତରେ ପଡ଼ି ପଡ଼ି ତାଙ୍କ ସ୍ୱାମୀଙ୍କ ପୂର୍ବରୁ ଜୀବନ ପାଖରୁ ବିଦାୟ ନେଇଛନ୍ତି । କବିଙ୍କ ମରଦେହ ଆଜି ବଙ୍ଗଳାଦେଶର ଢାକା ବିଶ୍ଵବିଦ୍ୟାଳୟର ପ୍ରାଙ୍ଗଣରେ କବର ଭିତରେ ଚିରନିଦ୍ରାରେ ଶାୟିତ । ବନ୍ଧୁ କବିପୁତ୍ର କାଜୀ ସବ୍ୟସାଚୀ ଓ କାଜୀ ଅନିରୁଦ୍ଧ ଏମାନେ କେହି ନାହାନ୍ତି । ଭାରତୀୟ ଉପମହାଦେଶରେ ଆଜି ଧର୍ମାନ୍ଧମାନଙ୍କ ରାଜୁତି ।

 

ହେଲେ ବି ଅରି ମରିନାହି ଯୁଦ୍ଧ ସରିନାହିଁ ।

 

ତିନୋଟି ଅସ୍ତ-ତାରକାଙ୍କ ସ୍ମୃତିରେ...

ଏଥି ଭିତରେ ଓଡ଼ିଆ ସାହିତ୍ୟ ସରଣୀରୁ ତିନି ଜଣ ପଥୁକୀ ଅଦୃଶ୍ୟ ହୋଇଛନ୍ତି । ସେଥିମଧ୍ୟରୁ ଓଡ଼ିଆ ଅନୁବାଦକ ଓ ଗାଳ୍ପିକ ଶ୍ରୀ ଉମେଶଚନ୍ଦ୍ର ପାଣିଗ୍ରାହୀ, ସୁପରିଚିତ କବି କମଳାକାନ୍ତ ଲେଙ୍କା ଏବଂ ଜେନାମଣି ନରେନ୍ଦ୍ର କୁମାର ।

 

ହଠାତ୍ ବଜ୍ରାଘାତ ପରି ଦୂରଦର୍ଶନର ଆଞ୍ଚଳିକ ସମ୍ବାଦରୁ ଜାଣିବାକୁ ମିଳିଲା ଶ୍ରୀଯୁକ୍ତ ଉମେଶଚନ୍ଦ୍ର ପାଣିଗ୍ରାହୀ ଆଉ ଇହଧାମରେ ନାହାନ୍ତି । ଉମେଶବାବୁ ଓଡ଼ିଆ ସାହିତ୍ୟର ବହୁ ପୁରୁଣା ଲୋକ । ସେ ଏକାଧାରରେ ଗାଳ୍ପିକ, ପରିବ୍ରାଜକ ଏବଂ ଅନୁବାଦକ । ତାଙ୍କ ବହୁଗ୍ରନ୍ଥ ଅତୀତରେ ପ୍ରକାଶିତ ହୋଇଛି । ଓଡ଼ିଆ ସାହିତ୍ୟକୁ ବହୁଭାବରେ ଋଦ୍ଧିମନ୍ତ କରିଛି । ସେ ତାଙ୍କର ‘କୃଷ୍ଣସାର’ ସାଇକେଲ୍ ଉପରେ ଦେହର ସମସ୍ତ ଭାରକୁ ଲଦିଦେଇ ବହୁ ଝଡ଼ ବର୍ଣ୍ଣିତ ଦିନରେ ରୌଦ୍ରତାପ, ମଧ୍ୟାହ୍ନ, ସନ୍ଧ୍ୟା, ଅନ୍ଧକାର ରାତି ଭିତରେ ବାଟୋଇର ବାଟଚଲା ନିଶା ନେଇ ବୁଲିଛନ୍ତି-। ଆସିଛନ୍ତି ବଙ୍ଗଳାର ପ୍ରତିଷ୍ଠ ପର୍ଯ୍ୟଟକ ରାମନାଥ ବିଶ୍ଵାସଙ୍କ ସାନ୍ନିଧ୍ୟରେ । ରାମନାଥ ବିଶ୍ୱାସଙ୍କ ବହୁ ଭ୍ରମଣ ବୃତ୍ତାନ୍ତକୁ ସିଏ ଅନୁବାଦ କରି ପ୍ରକାଶିତ କରିଛନ୍ତି । ତାଙ୍କର ଅସଂଖ୍ୟ କ୍ଷୁଦ୍ରଗଳ୍ପ ଅତୀତରେ ଓଡ଼ିଶାର ପତ୍ରପତ୍ରିକା ପୃଷ୍ଠାରେ ପ୍ରକାଶିତ ହୋଇ ପରେ ଗ୍ରନ୍ଥ ରୂପରେ ଆତ୍ମ ପ୍ରକାଶ କରିଛି । ସେସବୁ ବୋଧହୁଏ ଆଜି ଦୁଷ୍ପ୍ରାପ୍ୟ । ଉମେଶବାବୁଙ୍କର ଜୀବନ ବହୁ ଘୂର୍ଣ୍ଣିଝଡ଼ରେ ଭରା । ଆନନ୍ଦ, ଆଶାଭଙ୍ଗ, ନୈରାଶ୍ୟ, ପ୍ରତାରଣା ଆଦିର ବିଚିତ୍ର ଅନୁଭୂତି ନେଇ ସେ ବାଟ ଚାଲି ଚାଲି ଏକ କ୍ଳାନ୍ତ ପଥିକ ହୋଇ ଦୀର୍ଘକାଳ ହେବ ଅସୁସ୍ଥ ଅବସ୍ଥାରେ ପୁରୀଠାରେ ଅବସ୍ଥାନ କରୁଥିଲେ । ତାଙ୍କର ଅନ୍ୟ ନାମଥିଲା ‘ଆଚାର୍ଯ୍ୟ ଶୀଳଭଦ୍ର’ ।

 

ଆଜି ଉମେଶବାବୁ ତାଙ୍କର ନିଜ ଗାଁ ମୟୂରଭଞ୍ଜ ଜିଲ୍ଲାର ରରୁଆଁକୁ ଫେରିଯାଇ ସେଇଠି ଜୀବନ ପାଖରୁ ଚିରକାଳ ପାଇଁ ବିଦାୟ ନେଇଛନ୍ତି । ବ୍ୟକ୍ତିଗତ ଭାବରେ ଆମ ସହିତ ତାଙ୍କର ବହୁ ଅମ୍ଳ-ମଧୁର ସ୍ମୃତି ବିଜଡ଼ିତ । ଆମେ ତାଙ୍କର ବିଦାୟ ଲଗ୍ନରେ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ନିଜ ତରଫରୁ ଏବଂ ଓଡ଼ିଶା ସୀହିତ୍ୟ ଏକାଡେମୀ ତରଫରୁ ତାଙ୍କର ଶୋକସନ୍ତପ୍ତ ପରିବାର ବିଶେଷକରି ତାଙ୍କର କନ୍ୟା କବି ସୁଜାତା ପ୍ରିୟମ୍ବଦାଙ୍କ ସମେତ ସମସ୍ତଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛୁ ।

 

କବି କମଳାକାନ୍ତଙ୍କ ଅନେକ କାବ୍ୟକୃତି ମଧ୍ୟରୁ ‘ସୁନାର ଫସଲ’, ‘ପ୍ରୀତି ଓ ପ୍ରତୀତ’ ‘ଉତ୍ତରଣ’, ‘ଗୀତ ଗା’ନାରେ ପକ୍ଷୀ’, ‘ସ୍ରୋତର ନାମ ଋତ’, ‘ଖସିବାର ବେଳ’, ଅନ୍ତତଃ ନିଶ୍ଚୁପ’ ଇତ୍ୟାଦି ଅନ୍ୟତମ । ଏହି ଯଶସ୍ଵୀ କବି ବିଗତ ଚାରିଦଶକ ଧରି ଓଡ଼ିଆ କବିତା ରାଜ୍ୟକୁ ସମୃଦ୍ଧ କରିଆସିଛନ୍ତି । ଆଧୁନିକ କବି ହୋଇଥିଲେ ସୁଦ୍ଧା ତାଙ୍କ କବିତାରେ ନଗରର ଦୃଶ୍ୟ ଅପେକ୍ଷା ପଲ୍ଲୀଜୀବନର ଚିତ୍ର, ଦୁଃଖିନୀ ମା’ର ଅନ୍ତଃସ୍ଵର ତଥା ସାଧାରଣ ମଣିଷର ବେଦନା ବୋଧ ବେଶ୍ ପ୍ରସ୍ଫୁଟିତ ହୋଇଛି । ଜୀବନରେ କବିତାକୁ ସିଏ ସମସ୍ତ ପ୍ରେମାପ୍ଲୁତ ଆବେଗ ଦେଇ ଭଲ ପାଇଛନ୍ତି-। ଏଭଳି ଜଣେ ଦରଦୀ ମାନବବାଦୀ କବି ନିଜ ଫୁତ୍କାରରେ ନିଜ ଜୀବନ ଦ୍ଵୀପକୁ ଲିଭେଇ ଦେବା ଭଳି ଦୁଃଖାବହ ଘଟଣା ଆଉ କ’ଣ ଥାଇପାରେ । କୋଡ଼ିଏରୁ ଊର୍ଦ୍ଧ୍ୱ କବିତା-ଗ୍ରନ୍ଥର ରଚୟିତା କବି କମଳାକାନ୍ତ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ ସୃଜନଶୀଳ ଦୀପ୍ତି ନେଇ ଯେଉଁ କବିତା ପଙ୍‍କ୍ତି କେତୋଟି ଆଜି ଆମ ଆଗରେ ଝଲ୍‍ମଲ୍ କରୁଛି ତାହା ପାଠକପାଠିକାଙ୍କ ସ୍ଵଗତୋକ୍ତି ପାଇଁ ଏଠି କିଛିଟା ଉଦ୍ଧୃତ କରୁଛି ।

 

“ମୁଁ କହିବି ହେ ମାନ୍ୟଗଣ୍ୟ ପଣ୍ଡିତମନ୍ୟ, ସୁନା ପଗଡ଼ି ପିନ୍ଧା

ରାଜ ରାଜୁଡ଼ାଗଣ, ତୁମମାନଙ୍କର ଜୟ ହେଉ !

ତୁମମାନଙ୍କ ଛତ୍ର ଭ୍ରୂଲତାର ଚେତନାକୁ, ତୁମ ଶୁଦ୍ଧ ଶ୍ଵାସ ପ୍ରଶ୍ଵାସର

ଅକାତକାତ ପାଣିର ଭଉଁରୀକୁ । ହେ ଖୋଦାବସ୍ ,

ହେ ଅଦୃଶ୍ୟ ଜୀବନକାର ସାଲୁବାଲୁ କୀଟର ମହାରାଜା

ତମ ଅନୁପସ୍ଥିତିରେ ଭୂଇଁର ଦୁଇପାଦ ଇଲାକା

ଧସି ଯାଉଛି କେଉଁଠାକୁ? ”

 

ଏହିପରି ବହୁ ରସସ୍ରାବୀ ଧାଡ଼ିରେ କମଳାକାନ୍ତଙ୍କ କାବ୍ୟସୌଧ ମହିମାମଣ୍ଡିତ । ଆମେ ତାଙ୍କର ସାରସ୍ଵତ ସତ୍ତାକୁ ଚିରକାଳ ଲାଗି ହୃଦୟର ଅଭ୍ୟନ୍ତରରେ ସାଇତି ରଖିବା ଛଡ଼ା ଅନ୍ୟ କିଛି ନାହିଁ ।

 

ଆହୁରି ଏକ ଗଭୀର ଦୁଃଖର କଥା ଏହି ଯେ ଆଧୁନିକ ଓଡ଼ିଆ ସାହିତ୍ୟର ସ୍ୱନାମଧନ୍ୟ କବି, ଗଳ୍ପକାର, ପ୍ରାବନ୍ଧିକ ଜେନାମଣି ନରେନ୍ଦ୍ରକୁମାର ଆମଠାରୁ ଚିରକାଳ ଲାଗି ବିଦାୟ ନେଇଛନ୍ତି । ଜେନାମଣି ବାବୁଙ୍କର ସାରସ୍ଵତ ଅବଦାନ ଓଡ଼ିଆ ସାହିତ୍ୟକୁ ବହୁଭାବରେ ଋଦ୍ଧିମନ୍ତ କରିଛି । ସେ ଜୀବିକାରେ ଥିଲେ ଚିକିତ୍ସକ, କିନ୍ତୁ ତାଙ୍କ ଜୀବନ ଥିଲା ସାହିତ୍ୟ । ତାଙ୍କ ସହିତ ଆମର ବହୁ ଆତ୍ମିକ ତଥା ସାରସ୍ଵତ ସ୍ମୃତି ବିଜଡ଼ିତ । ତାଙ୍କର ବିୟୋଗ ଓଡ଼ିଆ ସାହିତ୍ୟର ଏକ ଅନ୍ୟତମ ଶୂନ୍ୟତା । ଆମେ ତାଙ୍କର ଅମର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ତାଙ୍କର ଶୋକସନ୍ତପ୍ତ ପୁତ୍ରକନ୍ୟା ଏବଂ ସହଧର୍ମିଣୀଙ୍କୁ ସମବେଦନା ଜ୍ଞାପନ କରୁଛୁ ।

 

***

 

ଆଧୁନିକ ଓଡ଼ିଆ କବିତାରେ ଲୋକ ଉପାଦାନ

ଡକ୍ତର ଶରତ ଚନ୍ଦ୍ର ପ୍ରଧାନ

 

‘ଲୋକ’ ଶବ୍ଦର ସାଧାରଣ ଅର୍ଥ ହେଲା ସମୂହ ମଣିଷ । ଏଣୁ ଲୋକ ଭାବନାଟି ଏକ ମୌଳଚିନ୍ତନ ବା ଆର୍କିଟାଇପ । ଏହା ଏକ ଅନିମା ମୂର୍ତ୍ତି । ୟୁଙ୍ଗଙ୍କ ଭାଷାରେ ଏହାକୁ ଅବଚେତନର ଏକ ନାରୀ ରୂପ କୁହାଯାଇପାରେ ।

 

ଜଗତରେ ଆମେ ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ ଭେଟୁ । ଜନ୍ମ, ପ୍ରଜନନ ଓ ମୃତ୍ୟୁ । କବି ଏଲିୟଟଙ୍କ ଭାଷାରେ - “ଜନ୍ମ, ପ୍ରଜନନ ଓ ମୃତ୍ୟୁ/ତାହାହିଁ ସବୁ, ତାହାହିଁ ସବୁ, ତାହାହିଁ ସବୁ” । ଲୋକ ଜୀବନରେ ଏ ତିନୋଟି ପର୍ଯ୍ୟାୟ ଆସିଥାଏ । ତେବେ ଲୋକ କବିଟିଏ ବହୁ ସମୟରେ ଶୃଙ୍ଗାରୀ । ରଜଦୋଳି ଗୀତ ହେଉ, ରଥଗୀତ ହେଉ, ଡାଲ୍‍ଖାଇ ହେଉ, ରସରକେଲି ହେଉ କିଂବା କର୍ମ ବିନୋଦନଗୀତ ହେଉ, ସବୁଠି ଯୌନାବେଗ ପ୍ରକାଶ ପାଏ । ଆଧୁନିକ କବିଟି ବି ତା' କବିତାରେ ଏହି ତିନୋଟି କାରକକୁ କମ୍ ଗୁରୁତ୍ୱ ଦିଏନା । ସେ ଜନ୍ମମୃତ୍ୟୁର କଥା କହୁ କହୁ ପ୍ରଜନନର କଥା କହି ପକାଏ । ଯେପରି ସଚ୍ଚି ରାଉତରା ବିଚିତ୍ର କହିଛନ୍ତି-

 

“ନାରୀ ଆଉ ସାପ ଆଉ ଭଗବାନେ ସ୍ମରେ

ନାରୀ ଆଉ ସାପ ଆଉ ରାତ୍ରିର ହାୱାରେ ।”

 

ଏଠି ନାରୀ, ସାପ ଓ ରାତ୍ରି ଯୌନାବେଗକୁ ପ୍ରଚୋଦିତ କରନ୍ତି । ଏଣୁ ଜଗତ ସୃଷ୍ଟିମୂଳରେ ପ୍ରଜନନ ସତ୍ତାର ଗୁରୁତ୍ୱ କମ୍ ନୁହେଁ ।

 

ଭାରତୀୟ ଧର୍ମ ଧାରଣାରେ ଲିଙ୍ଗ ଉପାସନା ରହିଛି । ଶିବ ଓ ଶିବାସନ ଯଥାକ୍ରମେ ଶିଷ୍ନ ଓ ଯୋନିର ପ୍ରତୀକ । ଆସାମ ଓ ବଙ୍ଗଳାର କୁମାରୀ ଉପାସନା କିଂବା ତନ୍ତ୍ରର ଲୀଳା ସଙ୍ଗିନୀ ପରିକଳ୍ପନାରେ ସେହି ଯୌନାଚାରର ସଙ୍କେତ ରହିଛି । ଷ୍ଟୋଇକ ଗୋଷ୍ଠୀ ବି ଯୋନି ଉପାସନା ଉପରେ ଗୁରୁତ୍ୱ ଦେଇଥାନ୍ତି । ଧର୍ମ, ଲୋକାଚାର, ଲୋକ ବ୍ୟବହାର ଓ ଲୋକ ଜୀବନର ଚଳାଚଳ ଇଲାକାରେ ଯୌନାବେଗ ବିଦ୍ୟମାନ । ମନସ୍ତତ୍ତ୍ଵ କହେ- ଆମ ଚେତନାରେ ତିନୋଟି ସ୍ତର । ପ୍ରଥମ ହେଲା ନୈର୍ବ୍ୟସ୍ତିକ ସ୍ତର; ଏହି ପ୍ରଥମ ସ୍ତରରେ କବି ମଣିଷ - କବିତା - ବହିର୍ବିଶ୍ଵ । ବହିର୍ବିଶ୍ଵର ନାୟକ ମଣିଷ । କବିତା ତା'ର ଲୀଳାରୂପ । ଦ୍ୱିତୀୟ ସ୍ତର ହେଲା ସ୍ମୃତି । ଏ ସ୍ତରରେ କବିତାର ଚିତ୍ର ପ୍ରତିମାଟିଏ ଥାଏ । ତାହା ସଞ୍ଚୟନ ସଂରକ୍ଷଣ, ବିସ୍ମରଣ ଓ ପୁନଃ ଆବାହନ ମଧ୍ୟରେ ଆବର୍ତ୍ତିତ ହେଭଥାଏ । ତେବେ ସ୍ମୃତିକୁ ବିସ୍ମରଣ କରି ପୁନଃ ଆବାହନ କରିବା ଏକ ଜଟିଳ ବ୍ୟାପାର ।

 

ତୃତୀୟ ସ୍ତର ହେଲା ମୌଳ ଅନୁଭବର ସ୍ତର । ଏହା ସ୍ଵପ୍ନ ପରି ଆସେ, ଭସାମେଘ ପରି ଖେଳେ । ପର୍ଯ୍ୟାୟକ୍ରମେ ତାହା ଶୃଙ୍ଖଳା ଵନିଯାଏ । ତାକୁ ଆମେ କହୁଁ ମୌଳ ସଂରଚନା । ତାକୁ ବି କୁହାଯାଇପାରେ ଲୋକ ପ୍ରବୃତ୍ତି; ଲୋକ ଭାବନା । ଏଥିରେ ବ୍ୟକ୍ତି ମଣିଷ ନଥାଏ । ସାମୂହିକ ମଣିଷ ହିଁ କ୍ରୀଡ଼ା କରେ ।

 

ଲୋକ ଭପାଦାନ ହେଉଛି ସାମୂହିକ ମଣିଷର କ୍ରିୟା ପ୍ରତିକ୍ରିୟା । କବିଟିଏ ସାମୂହିକ ମଣିଷର ଅବଚେତନକୁ ରୂପଦିଏ । କବି ସେତେବେଳେ ବ୍ୟକ୍ତିମଣିଷ ନ ହୋଇ ସମୂହ ମଣିଷ ହୋଇଯାଏ । ସେତେବେଳେ କଳାକର୍ମ ହୋଇଯାଏ ଏକ ସ୍ଵପ୍ନ ପରି । A great work of art is like a dream. ଏହାକୁ ବ୍ୟାଖ୍ୟା କରାଯାଇ ପାରେନା । ବ୍ୟାଖ୍ୟା କଲେ ବହୁକଥା ତଥାପି ଅକୁହା ରହିଯାଏ ।

 

ଏଣୁ ଆଧୁନିକ ଓଡ଼ିଆ କବିତାରେ ଲୋକ ଉପାଦାନଗୁଡ଼ିକୁ କଳିବା ସହଜ ହୁଏନା । ଏମାନେ ଗୋଟିଏ ହୃଦୟରେ କୋଟିଏ ସଖୀ ପରି ଡାକ ଛାଡ଼ନ୍ତି । କବି ମଣିଷଟି କାହା ପାଖକୁ ବା ଯିବ । ମାନସିଂହଙ୍କର ଏ ଅନୁଭବଟି ପ୍ରତି କବିର ମନକୁ ଛୁଇଁଯାଏ । ଅନ୍ୟ କଥାରେ କହିଲେ ମନରେ ଯୁଗପତ ଭାବରେ ଲୋକ ଉପାଦାନ ସବୁ ଆସିବେ । ଲୋକ ଉପାଦାନର ବିଚିତ୍ର ସାମ୍ପୋଂନି ବାଜିବ । ଏତେବେଳେ କବି ଗୋଲୋକ ଧନ୍ଦାରେ ପଡ଼ିଯିବା ସାରହୁଏ ।

 

ଆଧୁନିକ କବିତା ବିଚିତ୍ର ରୂପା । ତାହା ନବଗୁଞ୍ଜର ପରି । ତାହାକୁ ସହଜେ ବୁଝି ହୁଏନା-। କିଛି ବୁଝି କିଛି ଅବୁଝା ରହିବା ଭଲ କବିତାର ପ୍ରକୃତି । ଜର୍ଜ ଚ୍ୟାପ୍‍ମ୍ୟାନ ଏଲିୟାଡ଼ର ମୁଖବନ୍ଧ ଲେଖିଲାବେଳେ ବିହ୍ଵଳ ହୋଇ କହିଥିଲେ- କବିତା ହେଉଛି ସୂର୍ଯ୍ୟର ଫୁଲ; ତାହା କାଣ୍ଡେଲର ଆଖି ଖୋଲିବାକୁ ଘୃଣା କରେ । ଅନ୍ୟ କଥାରେ କହିଲେ ସୂର୍ଯ୍ୟପ୍ରଭାରେ କବିତା ଫୁଲ ଫୁଟେ । କବିଟିଏ ସୂର୍ଯ୍ୟପରି ଅମିତ ଶକ୍ତିର ଉତ୍ସ । ଆମେ ପାଠକେ କାଣ୍ଡେଲ ଆଖିରେ ଫୁଲକୁ ଦେଖୁ । ସୂର୍ଯ୍ୟକୁ ବେଳ ଅବେଳରେ ଚାହୁଁସିନା, ହୋମରଙ୍କ ପରି ସମର୍ଥ କବିଙ୍କ କୃତିପାଇଁ ଏ ବାଣୀର ଯୁକ୍ତିଯୁକ୍ତତ। ଅବଶ୍ୟ ରହିଛି ।

 

ଆଧୁନିକ. କବିତା କିନ୍ତୁ ଦୁର୍ବୋଧ୍ୟତାର ଲାଞ୍ଛନା ନେଇ ଉଭା ! ଏହା ଜୀବନର କ୍ଲାନ୍ତି, ନିର୍ବେଦତା, ଅନିକେତବୋଧ ଓ ଅସ୍ତିତ୍ଵ ସଙ୍କଟ ଘେରରେ । ବହୁ ସମୟରେ ଏଥିରେ କବିର ଆତ୍ମମ୍ଭରିତା ଯେ ଦେଖା ନ ଦେଇଛି, ତାହା ନୁହେଁ, ତେବେ ଆଧୁନିକ କବିତା ହେଭଛି ସହରର କବିତା; ଏଥିରେ ଆତ୍ମବ୍ୟଙ୍ଗ ରହିଛି । ଏଥିରେ ଲୋକ ଉପାଦାନର ବର୍ଣ୍ଣାଢ଼୍ୟ ଆଭା ଫୁଟେନା । ଶରତର ଭସାମେଘ ପରି ବେଳେବେଳେ ଲୋକ ଉପାଦାନ କବିତ। ଆକାଶରେ କେବଳ ସଞ୍ଚରି ଯାଏ ।

 

ଆଧୁନିକ କାଳ ଓ ଆଧୁନିକ କବିବା ସଂପର୍କରେ ନାନା ବାଦ ବିସମ୍ବାଦ ଉଠେ । ବିଶ୍ଵ ସାହିତ୍ୟର ସମୀକ୍ଷକେ ବୋଦଲାୟାରଙ୍କୁ ଆଧୁନିକ କବିତାର ଅଗ୍ରଦୂତ ବୋଲି ଅଭିହିତ କରନ୍ତି । ଜୀବନ ପ୍ରତି ଜଟିଳ ମାନସିକତା ହିଁ ଆଧୁନିକତାର ଲକ୍ଷଣ । ଆଧୁନିକତାକୁ ସମୟ ସୀମାରେ ବାନ୍ଧି ହୁଏନା । ଆଧୁନିକ ଚେତନା ଯେଉଁ କବିତାରେ ଝଲ୍‍ମଲ୍‍ ହୁଏ, ନୂତନ ଜ୍ଞାନବିଜ୍ଞାନ ଓ ଜୀବନଦୃଷ୍ଟି ଯେଉଁଠି ପ୍ରସରିଯାଏ; ତାହାତ ଆଧୁନିକ କବିତା । ଏଣୁ ଆଧୁନିକତା ଏକ ବିଶେଷ ଭଙ୍ଗୀ, ବିଶେଷ ମାନସିକତାର କଥା । ଏ ଦୃଷ୍ଟିରୁ ବିଚାର କଲେ ରାଧାନାଥଙ୍କୁ ମଧ୍ୟଯୁଗୀୟ କବି ବୋଲି କହିହୁଏ ନାହିଁ । ବଳଦେବ ରଥଙ୍କ ଚମ୍ପୂରେ ଆଧୁନିକତାର ଚୋରାମଳୟକୁ ଅନୁଭବ କରିହୁଏ । କାବ୍ୟ କବିତାର ପ୍ରରୂପବିଧାନରେ ମଧୁସୂଦନ ରାଓ ଆଧୁନିକତାର ପଥପ୍ରଦର୍ଶକ ହୋଇ ଉଠନ୍ତି । ଏଣୁ ଆଧୁନିକ କବିତାରେ ଲୋକ ଉପାଦାନର ଉତ୍ସ ଖୋଜିଲାବେଳେ ଶଂସିତ କବିକୁଳ ସ୍ମରଣକୁ ଆସିବା ସ୍ଵାଭାବିକ ।

ପ୍ରଥମେ କହିରଖେ - ଆଧୁନିକ କବିତା ସମ୍ଭ୍ରାନ୍ତମନର କବିତା । ଆଧୁନିକ କବିମାନଙ୍କର ରହଣିସ୍ଥଳ ସହର । ବାଲ୍ୟ ହୁଏତ କଟିଛି ଗାଁରେ, କବିତା ଲେଖା ହୋଇଛି ସହରରେ । ଏଣୁ ଆଧୁନିକ କବିତାରେ ଲୋକ ଉପାଦାନ ଖୋଜିବା ବିଡ଼ମ୍ବନା ମାତ୍ର ବୋଲି ଯୁକ୍ତି ବି କରାଯାଇପାରେ-

 

ଓଡ଼ିଆରେ ଆଧୁନିକ କବିତାର ପ୍ରଥମ ପିଢ଼ିଟି ଆରମ୍ଭ ହୋଇଛି ଊନବିଂଶ ଶତକର ଶେଷ ପର୍ଯ୍ୟାୟରେ । ଆଲୋଚ୍ୟ କାଳର ପ୍ରମୁଖ କବି ହେଲେ ରାଧାନାଥ, ମଧୁସୂଦନ ଓ ଫକିରମୋହନ । ଏମାନଙ୍କର କବିତା ଲେଖା ହୋଇଛି କଟକ ବା ବାଲେଶ୍ୱରରେ । କିନ୍ତୁ ଏମାନେ ସମସ୍ତେ ଥିଲେ ଗ୍ରାମ୍ୟମାଳିନୀ ସହରର ମଣିଷ । ସେମାନଙ୍କ ସ୍ମୃତିରେ, ସେମାନଙ୍କ ଚେତନାରେ ଗାଁର ଦୃଶ୍ୟପଟ୍ଟ ନାଚି ଉଠୁଥିଲା । ଋଷିକବି ମଧୁସୂଦନ କହୁଥିଲେ-

 

ଛାଡ଼ି ନଗର ଚହଳ

ଚାଲ ଯିବା ଯେଉଁ ସ୍ଥାନେ ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସର୍ବଦା ଉଜ୍ଜ୍ଵଳ”- ଶରତ୍ ପ୍ରଭାତ ।

 

ଗାଁର ସ୍ମୃତି, ଗାଁ ମଣିଷର ଜୀବନଚର୍ଯ୍ୟା ବି ଆକର୍ଷଣ କରିଛି । ରାଧାନାଥ ବି ଅତୀତ ଅନୁଚିନ୍ତନ ଓ ସ୍ମୃତିଚାରଣ କବି । ସେ ମଧ୍ୟ କହନ୍ତି -

 

“ସ୍ମୃତିତ କଦାପି ନୁହେଁ ଫିଙ୍ଗିବାର

ପାରିଲେ ଫିଙ୍କି ସେ ଲଭନ୍ତା ନିସ୍ତାର ।”

- ନନ୍ଦିକେଶ୍ୱରୀ

 

ସ୍ମୃତିକୁ ଫିଙ୍ଗି ହୁଏନା । ତାହା ବାରମ୍ବାର ମନକୁ ଆବୋରି ବସେ । ବସ୍ତୁଟିଏ ହରେଇ ତା'ର ସ୍ମୃତିଚାରଣ କରିବାରେ ହିଁ ଜୀବନର ଐଶ୍ୱର୍ଯ୍ୟ ଫୁଟେ ।

 

“ହଜି ନାହିଁ ଯା’ର କେଭେ କିଛି ହିଁ ରତନ

ଏ ମର୍ତ୍ତ୍ୟ ସଂସାରେ ସେହି ଦୀନ ଅକିଞ୍ଚନ ।

+ + + + + +

ସେ ପୁଣି ଦରିଦ୍ରତମ କୃପାପାତ୍ର ଅତି

ହରାଇ ପାସୋରିବାକୁ ବଳେ ଯା'ର ମତି ।”

- ବିଚ୍ଛେଦ (ମଧୁସୂଦନ)

 

ଅତୀତର ସ୍ମୃତିଚାରଣ ବିନା ବ୍ୟକ୍ତିର ଅନ୍ୟଗତି ନାହିଁ । ମଧୁସୂଦନଙ୍କ ପରି ମହା ଜାଗତିକ ସତ୍ତାରେ ବିଶ୍ୱାସ କରୁଥିବା କବିଠାରୁ ଫକିରମୋହନଙ୍କ ପରି ସଂସ୍କାରବାଦୀ କବିମାନେ ଅତୀତର ସ୍ମୃତିଚାରଣରେ ବିଭୋର ହେଉଥିଲେ । ଏଣୁ ପ୍ରଥମ ପିଢ଼ିର ଆଧୁନିକ କବିମାନେ ସହରର ଜୀବନତୀର୍ଥରେ ବୁଡ଼ ପକାଉ ଥିଲେ ହେଁ ଲୋକ ଉପାଦାନକୁ ଛାଡ଼ିବା ସହଜ ନୁହେଁ ।

 

ଲୋକ ପରମ୍ପରା, ଲୋକ ବିଶ୍ୱାସ, ଲୋକଦୃଷ୍ଟି ପ୍ରବହମାନ ନଦୀପରି । ଅବିରଳ ବହି ଚାଲିବା ତା'ର ଧର୍ମ । ମୁଖରୁ ମୁଖକୁ ତା'ର ସଂଚାର । ଲୋକ କବିତା ଚିର ତରୁଣ । ଏହା ବ୍ୟକ୍ତିମନର ଅଭିବ୍ୟକ୍ତି ନୁହେଁ । ସମୂହ ଜୀବନର ଝଙ୍କାର ତହିଁରେ ଶୁଭେ । ଗୋଷ୍ଠୀହିଁ ତା'ର ବୈତାଳିକ । ଏହାକୁ ସମସାମୟିକ ସଂସ୍କୃତି କିଂବା ବିଦଗ୍ଧ ସମାଜ କବଳିତ କରିପାରେ ନାହିଁ । ବୃହତ ଜନଗୋଷ୍ଠୀ ବା ଲୋକମାନସହିଁ ତା'ର ଧାରକ ଓ ପାଳକ ।

 

ଲୋକ କବିତା କେବେ ମରେନା । କାଳ ଭେଦରେ ବାରମାସୀ ଚଢ଼େଇ ପରି କେବଳ ରଙ୍ଗ ବଦଳାଇ ଥାଏ । ଏଣୁ ଆଧୁନିକ କବିତାରେ ଲୋକ ଉପାଦାନ ଖୋଜିବା ଅହେତୁକ ନୁହେଁ । ଆଧୁନିକ କବିର ବିଦଗ୍ଧମାନସିକତା ଭିତରେ ଲୋକବାଣୀ, ଲୋକଦୃଷ୍ଟି, ଲୋକବିଶ୍ୱାସ ପ୍ରଥା ଓ ଲୋକଧର୍ମ କିପରି ଭରି ରହିଛି, ତାହା ଦେଖିବାକୁ ହେବ ।

 

‘ମାଟିର ମଣିଷ’ରେ ଅଶିଣ ଜହ୍ନର ସ୍ଥିତି ଭିତରେ ହାରାବୋଉ ଓ ବରଜୁର ସ୍ଥିତିକୁ କଳନା କରିବାକୁ ଯାଇ କୁହାଯାଇଥିଲା- ‘ଅଶିଣ ମାସର କାଚକେନ୍ଦୁ ପରି ନେଳିଆ ପାଣିରେ କୁଆଁର ପୁନିଅଁ ଯେମିତି ହସେ- ଚାନ୍ଦ ବିଚାରେ, ସେ ଅଛି ପାଣିରେ, ପାଣିଭାବେ ସେ ଅଛି ଚାନ୍ଦ ଭିତରେ”- ଠିକ୍ ଏଇପରି ଆଧୁନିକ କବିତା ଓ ଲୋକ ଉପାଦାନର ଚରିତ୍ର ଓ ସ୍ଥିତି ।

 

ରାଧାନାଥ ରାୟ ଆଧୁନିକ ଓଡ଼ିଆ କବିତାର ପଥୀକୃତ କବି । ସେ ବିଦେଶ ଭୂଇଁର ବହୁକାହାଣୀକୁ ଓଡ଼ିଶା ମାଟିରେ ଆରୋପ କରିବାରେ ସଫଳକାମୀ ହୋଇଛନ୍ତି । ତାଙ୍କର ଲୋକମାନସପ୍ରବଣ ହୃଦୟର ପରିଚୟ ପାଇଁ ‘ଉଷା’ କାବ୍ୟକୁ ଆଲୋଚନାର ସରହଦ ଭିତରକୁ ଅଣାଯାଉ ।

 

କବି ଉଇଲିୟମ ମରିସ୍‍ଙ୍କ ‘ମିଲାନିୟନ୍ ଓ ଆଣ୍ଟଲାଣ୍ଟା’ କାହାଣୀକୁ ‘ଜୟନ୍ତ ଓ ଉଷା’ କଥାରେ ସମୀଭୂତ କରି ଯାଇଛନ୍ତି । ଏଥିପାଇଁ ଲୋକବିଶ୍ୱ।ସ ଓ ଲୋକ ଉପାଦାନକୁ କବି ଆଦରି ନେଇ କାବ୍ୟସୌଧ ନିର୍ମାଣ କରିଛନ୍ତି । ମୟୂରଭଞ୍ଜ ଅଞ୍ଚଳର ରାଜକୁମାର ଜୟନ୍ତ ଶିକାରୀ ବେଶରେ ବାଲେଶ୍ଵର ଅଞ୍ଚଳର ରାଜକୁମାରୀ ଭଷାଙ୍କ ସହ ଭେଟ । ବାଣାସୁର ରାଜାଙ୍କ ନାମରୁ ବାଲେଶ୍ଵର ନାମର ଉତ୍ପତ୍ତି ପରି ଲୋକ ବିଶ୍ୱାସ ରହିଛି । ଉଷା-ଅନିରୁଦ୍ଧ ପରି ପୁରାଣ ବର୍ଣ୍ଣିତ ଆଖ୍ୟାୟିକା ବାଲେଶ୍ଵରରେ ସଂଘଟିତ ତୁଲ୍ୟ ଘଟଣାର ଅବତାରଣା ବି କରାଯାଇଛି । ବାଲେଶ୍ଵର ଅଞ୍ଚଳର ବିଭିନ୍ନ ସ୍ଥାନକୁ ମଧ୍ୟ କାବ୍ୟରେ ସ୍ଥାନିତ କରାଯାଇଛି । ଭଷାମେଢ଼ (ଉଷାମଣ୍ଡପ); ଶୋଣିତପୁର ( ସୁନହଟ); ପଢ଼ୁଆଁପଦା (ପ୍ରଥମପଦ); ମାଣିକଖମ୍ୱ (ମାଣିକ ଖମା) ।

 

ପୁଣି ମୟୂରଭଞ୍ଜ ନାମର ସାର୍ଥକତା ପ୍ରତିପାଦନ ପାଇଁ କାର୍ତ୍ତିକେୟଙ୍କ ଆବିର୍ଭାବ; ନରପତିଙ୍କର “ମୟୂରଧ୍ୱଜ” ଭପାଧି । ମହେନ୍ଦ୍ରଗିରିକୁ ପରଶୁରାମଙ୍କ ଅବସ୍ଥିତି ସ୍ଥଳରୂପେ ପରିକଳ୍ପନା କରାଯାଇଛି । ତାଙ୍କୁ ଭେଟିବା ପାଇଁ କାର୍ତ୍ତିକେୟ ଯିବାବାଟରେ ମୟୂରକୁ ଚରିବାକୁ ଛାଡ଼ି ଦିଆଯାଏ । ବ୍ୟାଧ ହାତରୁ ଦିବ୍ୟମୟୂରକୁ ରକ୍ଷାକଲାରୁ ଜୟନ୍ତ ପ୍ରତି କାର୍ଭିକେୟଙ୍କର ବର ଦେବାର ପ୍ରସ୍ତାବ; ମୟୂରଧ୍ୱଜ, ମୟୂରଚନ୍ଦ୍ରିକା ଗ୍ରହଣ ଆଦି ନାନା ଲୋକ କାହାଣୀ ଉପାଦାନ ଏଥିରେ ଉପସ୍ଥାପନ କରାଯାଇଛି ।

 

ଉଷା ଜୟନ୍ତର ବିୟୋଗାତ୍ମକ ପରିଣତି ପାଇଁ କାଳୀ ଅଭିଶପ୍ତା ଚିତ୍ରରଥ ଓ ତିଳୋତ୍ତମା କାହାଣୀର ମଧ୍ୟ ଅବତାରଣା କରାଯାଇଛି । ଦ୍ଵାପର ଯୁଗର ଦୁର୍ବାସା ଅଭିଶାପଗ୍ରସ୍ତ ତିଳୋତ୍ତମା ହେଉଛନ୍ତି ବାଣାସୁର ନନ୍ଦିନୀ ଉଷା । ସେହିପରି ଅନୁରୂପ କାହାଣୀର ପରିକଳ୍ପନା ରାଧାନାଥଙ୍କ ଉଷା କାହାଣୀରେ ରହିଛି-

 

“ହସ୍ତ ଧରାଧରି ହୋଇ ବେନି ହେଲେ ଶାପରେ ଯୁକ୍ତ

ହସ୍ତ ସ୍ପର୍ଶମାତ୍ରେ ମର୍ତ୍ତ୍ୟେ ବେନି ହେଲେ ଶାପରୁ ମୁକ୍ତ ।”

 

ସବୁଠି ସେହି ଲୋକକଥା ସୁଲଭ ଦୃଷ୍ଟି । ଲୋକକଥା, ଲୋକସଙ୍ଗୀତ, ଲୋକଆଖ୍ୟାନର ସ୍ରଷ୍ଟା କିଏ ଜଣାଯାଏନା । ତାହା ଜନମାନସରେ ହିଁ ସଞ୍ଚରୁଥାଏ । ତାକୁ କଥକମାନେ ବିସ୍ମୃତିଗର୍ଭରୁ ଉଦ୍ଧାର କରି ବୟାନ କରି ବସନ୍ତି । ରାଧାନାଥ ମଧ୍ୟ ଏ କୌଶଳଟି ନେଇ କହିଛନ୍ତି-

 

‘କେଉଁ କେଉଁ ଦେଶ ସେ କଥା କାହାରି ନାହିଁତ ଜଣା

ବିସ୍ମୃତି ଗରଭୁ ଭଦ୍ଧାରି ଆଣୁ ତା କବି କଳ୍ପନା ।‘

 

ଏହି କୌଶଳକୁ ନେଇ ଜନମାନସରେ ପ୍ରତୀତି ଆଣିଦେବାକୁ କାବ୍ୟରେ ‘ଲୋକ’ ଶବ୍ଦକୁ କିପରି ସ୍ମରଣ କରାଯାଇଛି, ଦେଖାଯାଉ-

 

(୧)      ତେ ମୁହାଣୀ ନାମେ ଏହିସ୍ଥାନ ଏବେ ବିଦିତ ଲୋକେ

ଚଣ୍ଡୀ କୁଞ୍ଜେ ଜାୟା- ସଙ୍ଗେ ରଙ୍ଗ ଯହିଁ କ୍ରୀଡ଼ନ୍ତି କୋକେ ।

 

(୨)      ଭାବୁଥିଲେ ଲୋକେ ଦେଖି ସେ ଯୁବାର ବିଗ୍ରହ ପ୍ରଭା

ମୂର୍ତ୍ତି ପରିଗ୍ରହ ମର୍ତ୍ତ୍ୟେ ଧନୁର୍ବେଦ ଭ୍ରମଇ ଅବା ।

 

ଏଠାରେ “ଲୋକ ଶବ୍ଦ ଜନସମବାୟ ବା ଜନସାଧାରଣ ଅର୍ଥରେ ପ୍ରଯୁକ୍ତ । ଲୋକ ମାନସ ଗଙ୍ଗାହାର, ଶୋଣ ଓ ବଳାଙ୍ଗୀର ମିଳନ ସ୍ଥଳକୁ ‘ଚେମୁହାଣୀ’ ବୋଲି ନାମିତ କରିବା ଏବଂ ଦ୍ୱିତୀୟ ଉଦ୍ଧୃତିରେ ଜୟନ୍ତକୁ ଧନୁର୍ବେଦର ମୂର୍ତ୍ତିପରିଗ୍ରହ ବୋଲି ଲୋକମାନସ ବିଶ୍ଵାସ କରିବା କଥା କୁହାଯାଇଛି ।

 

ପୁଣି ଉଷାଜନନୀଙ୍କର ସ୍ଵପ୍ନଦର୍ଶନରେ ସେହି ଲୋକଚେତନାସୁଲଭ ଉପାଦାନ ରହିଛି :-

 

“ଦିନେ ନିଶି ଯୋଗେ ଦେଖିଲେ ମହିଷୀ ସ୍ଵପ୍ନ ଅଦ୍ଭୁତ

ଉଲ୍‍କା କାରେ ଉଡ଼ି ଆସିଲା ଆକାଶୁ ଜ୍ୟୋତି ବହୁତ ।

ଏକ ଜ୍ୟୋତିଗଲା ମନୋରଥ ଗତି ବାୟବ୍ୟ ଦିକେ

ଅନ୍ୟ ଜ୍ୟୋତି ସମଗତିରେ ଆସିଲା ରାଣୀ ଅନ୍ତିକେ ।

ତହିଁ ଖର୍ବକାର ଦିବ୍ୟ ନାରୀରୂପ/ଦେଖିଲେ ରାଣୀ

ମର୍ତ୍ତ୍ୟେ କି ସମ୍ଭବେ କେବେ ସେ/ଅଦ୍ଭୁତ ଲାବଣ୍ୟ-ଠାଣିଂ

 

ଏହା ରାଣୀଙ୍କର ଗର୍ଭାଧାନ ଉପାଖ୍ୟାନ । ଦଶମାସ ଅନ୍ତେ କନ୍ୟାପ୍ରସବର କଥା ଏଠି ସୂଚିତ । ଏଥିରେ ମଧ୍ୟ ସେହି ଲୋକ କାହାଣୀ, ଲୋକ ବିଶ୍ୱାସର ଜଗତକୁ ଦେଖି ହୁଏ ।

 

ଏହିପରି ରାଧାନାଥଙ୍କ କାବ୍ୟ ସମ୍ଭାରରେ ବହୁ ଲୋକ ବିଶ୍ୱାସର ଅବତାରଣା କରାଯାଇଛି । ଯେପରିକି ‘କେଦାର ଗୌରୀ’ ରେ ରଥାଙ୍ଗ ମିଥୁନର ବିଚ୍ଛେଦ କଥା -

 

“ବିନ୍ଦୁ ସରୋବରେ ସିନ୍ଦୂର ଲହରୀ ଖେଳାଇ ମନ୍ଦ ସମୀରେ

ରଥାଙ୍ଗ ମିଥୁନ ଦୀପ ଦଣ୍ଡ ଛାଡ଼ି ଗଲେ ବିପରୀତ ତୀରେ ।”

 

ଏଠାରେ ‘କବି ସମୟ’ ସୁଲଭ ରଥାଙ୍ଗ ମିଥିର ପରିକଳ୍ପନା । ‘ଚନ୍ଦ୍ରଭାଗା’ରେ ସୁମନ୍ୟୁ ଅଭିଶାପରେ କୋଣାର୍କ ମନ୍ଦିର ଭାଙ୍ଗିବା ଉପାଖ୍ୟାନ ଲୋକଚେତନାକୁ ସ୍ମରଣ କରାଇ ଦେଇଥାଏ -

 

‘‘ଧ୍ୟାନ ଯୋଗେ ଜାଣି ସୁମନ୍ୟୁ ସୂର୍ଯ୍ୟ କାର୍ଯ୍ୟକଳାପ

କୋପାନଳେ ଜଳି ତପସ୍ଵୀ ଦେଲେ ଦାରୁଣ ଶାପ ।”

 

‘ପାର୍ବତୀ’ରେ କୌଶଲ୍ୟା ସଚ୍ଛିଦ୍ର ସୁବର୍ଣ୍ଣ କଳସ ବୋହି ପରିକ୍ରମା କରିବା ଭିତରେ ଲୋକ ବିଶ୍ୱାସର ସ୍ଵରୂପ ଧରାପଡ଼େ ।

 

ତହିଁ ବାରିପୂର୍ଣ୍ଣ ସଚ୍ଛିଦ୍ର ସୁବର୍ଣ୍ଣ/କଳସ ମୋ କକ୍ଷେ ଦେଇ

ନିଶାରେ ସୈନିକେ କାନନେ ଭ୍ରମିଲେ / ଶିଶୁ ସଙ୍ଗେ ମୋତେ ନେଇ ।

ବାମ୍ଫି ଖୋଳା ହେବ ସେଯାଏଁ, ଯେ ଯାଏ/କଳସୁ ପଡ଼ିବ ନୀର

କରିଥିଲେ ରାଜା ମୋହୋ ପାଇଁ ଏହି/ପ୍ରାୟଶ୍ଚିତ୍ତ ବିଧିସ୍ଥିର”

 

ଏପରିକି ପ୍ରକୃତିଭିତ୍ତିକ ଖଣ୍ଡକାବ୍ୟ ଚିଲିକାରେ ଜଳଦେବୀଙ୍କ ଅନ୍ଧାରୁଆ ଗୁହାର ପରିକଳ୍ପନା- “ବନତଟେ ଯାର ରାଜେ ଅନ୍ଧାରୁଆ/ଜଳଦେବୀଙ୍କର କେଳି ଯୋଗ୍ୟ ଗୁହା” । ଅଥବା “ବସି ତହିଁ ହ୍ରଦବାସିନୀ ଅମରୀ/ସ୍ଵଚ୍ଛ ମୁକ୍ତାଫଳେ ବାନ୍ଧନ୍ତି କବରୀ”। ପରି ବର୍ଣ୍ଣନାରେ “ଲୋକମାନସର ଭିତ୍ତିଭୂମି, ଲୋକ ବିଶ୍ୱାସକୁ ଖୋଜାଯାଇ ପାରେ । ରାଧାନାଥ ଥିଲେ ବିପ୍ଲବୀ ଆଧୁନିକ କବିଟିଏ । ଗଡ଼ନାୟକ ବି ତାଙ୍କୁ ଯଥାର୍ଥରେ “ପ୍ରିୟ କବିତାରେ କହିଅଛ କବି- ଅପ୍ରିୟ ସତ୍ୟ କଥା”ର କବି ବୋଲି ଅଭିହିତ କରି କବିତାର ନାମ ରଖଛନ୍ତି ବିପ୍ଲବୀ ରାଧାନାଥ” ।

 

ଆଧୁନିକ କାବ୍ୟଧାରାର ପଦଦ୍ରଷ୍ଟା କବିଙ୍କଠାରୁହିଁ ଲୋକଚେତନାର ତିଳତଣ୍ଡୁଳିତ ଉପାଦାନ ମିଳେ । ଫକିରମୋହନ ସେ ସମୟରେ ଥିଲେ ଓଡ଼ିଶୀ ଚେତନାର ପ୍ରବୁଦ୍ଧଗାୟକ । ସେ ‘ମୁଁ ହାଟ ବାହୁଡ଼ା’ କବିତାରେ ଲେଖିଥିଲେ-

 

“ଦେଖି ଲାଗିଲାଣି ତଟଙ୍ଗା ମୋତେ

ଦେଶୀ ବିଲାତୀରେ ପ୍ରଭେଦ ଏତେ”

 

ଦେଶୀ କହିଲେ ସେ ବୁଝୁଥିଲେ ଓଡ଼ିଆ ଜାତିର ଚଳଣି ଓ ମାନସିକତାକୁ । ସେ ’ଡାହାଣୀ ଆଲୁଅ’ ଭିତରେ ଲୋକ ବିଶ୍ୱାସର କଥା କହୁ କହୁ ତା’ର ବୈଜ୍ଞାନିକ ଭିତ୍ତିଭୂମିକୁ ଖୋଜନ୍ତି । ପଚାସଢ଼ା ବସ୍ତୁର ଉଦ୍‍ଗତ ବାଷ୍ପ କିପରି ଦିକ୍ ଦିକ୍ ଜଳେ ତାକୁ ଆବିଷ୍କାର କଲେହେଁ ତହିଁରେ କବିଙ୍କ ବାଲ୍ୟସ୍ମୃତି ଉଦ୍ରେକ ହୁଏ ।-

 

‘ଧପ୍ କରି ଜଳି ଉଠେ, ପୁଣି ନିଭିଯାଏ

ଏଣେ ତେଣେ ବୁଲି ବୁଲେ ବାଟ ବଣାପ୍ରାୟ ।’

 

‘ଚନ୍ଦ୍ରପ୍ରଭାର ନିର୍ଜଳା ଏକାଦଶୀ’ରେ ଏ ଦେଶର ଅନ୍ଧବିଶ୍ୱାସ, ତଥା କଥିତ ଲୋକଚଳଣିକୁ କୁଠାରାଘାତ କରିଛନ୍ତି । ‘ବୁଢ଼ାପଲାଶ’ ଭିତରେ କବି ଦେଖନ୍ତି ନିଜର ଅସହାୟତାକୁ । ଏଇଠି ପୁଣି ହିନ୍ଦୁଧର୍ମର ଧର୍ମଧାରଣା ଓ ଲୋକବିଶ୍ୱାସକୁ ଉଦ୍‍ଜୀବିତ କରନ୍ତି । ଲୋକ ପୁରାଣ କହେ- ଶିବ ମାତୃହରଣ ପାପହେତୁ ପଲାଶ ଗଛ ହୋଇଥିଲେ । ତେଣୁ ଏ ଗଛର ଫୁଲର ମହକ ନାହିଁ । ବାଲୁକା ଶିବ ପୂଜା ବି ଆମ ପରମ୍ପରାରେ ରହିଛି । ମାଲୁଣୀର ପାଣି ଦେବା ଦ୍ୱାରା ବୁଢ଼ା ପଲାଶ ଗଜାଏ, ଫୁଲ ଫୁଟେ; କିନ୍ତୁ ତହିଁରେ ମହକ ନଥାଏ ।

 

ପୁଣି ସାହାଡ଼ା ଗଛର କ୍ରନ୍ଦନ ଭିତରେ କବି ନିଜର ଜୀବନର ଇତିହାସ କହି ବସନ୍ତି । ‘ସାହାଡ଼ା ଗଛ’ ଓଡ଼ିଶୀ ଚଳଣିରେ ଏକ ପ୍ରମୁଖ ଭୂମିକା ନେଇଛି । ତାକୁ ବର ରୂପେ କଳ୍ପନା କରି ଉଆଁସୀ କନ୍ୟାକୁ ସେହି ଗଛକୁ ପ୍ରଦାନ କରିବା ଧାରାଟି ସାରଳାଦାସଙ୍କର ନା ଓଡ଼ିଆ ସମାଜର ? ବୋଧହୁଏ ସାରଳାଦାସ ଓଡ଼ିଆ ଚଳଣିକୁ କାବ୍ୟାୟିତ କରିଛନ୍ତି ମାତ୍ର । ଏଠି କବି ଫକିରମୋହନ ନିଜକୁ ସାହାଡ଼ା ଗଛ କହି ସେହି ଲୋକ ଐତିହ୍ୟକୁ ହିଁ ସ୍ମରଣ କରାଇ ଦିଅନ୍ତି । ‘ଯମ ରାଜାର ଦରବାର’ ରେ ପାପୀଏ କିପରି ଦଣ୍ଡ ପାଆନ୍ତି, ତା'ର ଆଲେଖ୍ୟ ପ୍ରଦତ୍ତ । ତାଙ୍କ ଚେତନାରେ ଅଶ୍ଳୀଳ କବିତା ଲେଖିଥିବା କବି କିପରି ଅଧିକ ପାପଭାଗୀ ତା'ର ରୂପଚିତ୍ର ଦେଇଛନ୍ତି ।

 

ଲୋକ ବିଶ୍ୱାସରେ ପାପୀମାନେ ଯମ ଦରବାରରେ ଦଣ୍ଡିତ ହୁଅନ୍ତି । କବି କଳ୍ପନାରେ ଯମ ଦରବାରର ଚିତ୍ରଟି ବଡ଼ ଚାକ୍ଷୁଷ-

 

“ଯମରାଜା ବସିଛନ୍ତି ରତ୍ନସିଂହାସନେ

ଚିତ୍ରଗୁପ୍ତ ପାଞ୍ଜି ଧରି ଡାକେ ପାପୀଗଣେ ।

ବିକଟାଳ ରୂପ ଯମରାଜା ଦୂତମାନ

ତାଳ ଗଛ ପରି ଉଚ୍ଚ କୁଲାପରି କାନ ।

ଥାଳି ପରି ଆଖି ମୂଳା ପରି ଦାନ୍ତ

ଲହ ଲହ ଜିଭ ତାଙ୍କ ଲମ୍ବ ଦେଢ଼ ହାତ ।”

 

ଏଥିରେ କବି ଲୋକମାନସ ଆଧାରିତ ଏକ ଯମଦରବାରର ଚିତ୍ର ଆଙ୍କିଛନ୍ତି ।

ଫକିରମୋହନ ଲୋକ ବିଶ୍ୱାସକୁ ବହୁ ସ୍ଥଳରେ ବ୍ୟଙ୍ଗ କରିଛନ୍ତି । ତେବେ ଲୋକ-ଜୀବନବୃତ୍ତି ଅଧ୍ୟୟନରେ ସେ ଥିଲେ କୁଶଳୀ ଶିଳ୍ପୀ । ତାଙ୍କର ଲୋକଦୃଷ୍ଟି ବ୍ୟଙ୍ଗଶାଣିତ । ସେ ସଂସ୍କାରପ୍ରବଣ ମନ ନେଇ ଲୋକ ଜୀବନକୁ ଦେଖୁଥିଲେ । ‘ଉପେନ୍ଦ୍ର ଭଞ୍ଜଙ୍କ ସ୍ଵପ୍ନଦର୍ଶନ’ ଭିତରେ ଫକିରମୋହନଙ୍କ ପ୍ରାଣବାଣୀ ଧ୍ୱନିତ ।

 

“ଚାହିଁ ଦେଖ କି ହୋଇଛି ତୋର ମାତୃଭାଷା

କେବଳ କରିଛି ପୁତ୍ର ତୋତେ ମୁହିଁ ଆଶା।”

 

ତାଙ୍କର ଲୋକମାନସ ମନ୍ଥନ ଗଳ୍ପ ଉପନ୍ୟାସରେ ଅଧିକ ଫଳପ୍ରଦ ହୋଇଛି । ତଥାପି ସେ କବିତା କନ୍ୟାଙ୍କ ଭିତରେ ନିଜକୁ ବଞ୍ଚାଇ ରଖିବାର କାମନା କରି କହିଥିଲେ-

 

“ରଚିତ କବିତାଗୁଡ଼ି କନ୍ୟା ସ୍ୱରୂପିଣୀ

ଅନୁସରିଥାନ୍ତି ପଛେ ଚିତ୍ତ ବିନୋଦିନୀ ।

ଭତ୍କଳ ଜଗତେ ମୁହିଁ ତେଜିବି ଜୀବନ

କରିବେ ଏ କନ୍ୟାଗୁଡ଼ି ପିତୃ ତରପଣ।”

 

ଫକିରମୋହନଙ୍କ କବିତା କନ୍ୟାଏ କିପରି ଲୋକ ଉପାଦାନ ନେଇ ପିତୃତର୍ପଣ କଲେ; ତାହା ଅବଶ୍ୟ ଦର୍ଶାଇ ଦିଆଗଲା ।

 

ଶଂସିତ କାଳରେ ମଧୁସୂଦନ ରାଓ ତ ଶିକ୍ଷକ କବିଟିଏ । ତାଙ୍କ କବିତାରେ ଋଷିକବିର ଦୃଷ୍ଟିସିଦ୍ଧ ଜଗତ ଦିଶେ । ତାଙ୍କର ଶିଶୁ କବିତା ଓ ବର୍ଣ୍ଣବୋଧରେ ନାନା ଅର୍ଥହୀନ ପଂକ୍ତି ରହିଛି; ତାହା ଲୋକସୁଲଭ ଅନୁଭବ ନିଶ୍ଚୟ ।

 

(୧)       ଯେମିତି – ‘ସପୁରି ପାଚଇ / ମୟୂର ନାଚଇ’

‘ଅରଣା ମହିଁଷି ରହିଛି ଅନେଇ/ ମହିଁଷିର ପାଖ ନ ଯାଅ ଦନେଇ’ କିଂବା

 

(୨) ପ୍ରକୃତିର ଆଲେଖ୍ୟଟିଏ ଅଙ୍କନ କଲାବେଳେ କବି ଶିଶୁ ଜନସୁଲଭ ମାନସିକତା ଫୁଟାଇ ଦିଅନ୍ତି । ତାହା ଶିଶୁ କଥନିକା ହୋଇଉଠେ । ଯେମିତି - କଟକ ସହର/ଧବଳ ଟଗର । ଆକାଶ ଦିଶେ କି ସୁନ୍ଦର/ତାହାକୁ ରଚିଲେ ଈଶ୍ୱର । ପୁଣି ‘ହରିଣ ନଦିଏ ଧରା/ ଦଉଡ଼ନା ବଡ଼ ଖରା’ ପରି ଅର୍ଥହୀନ ଅଥଚ ହୃଦୟଗ୍ରାହୀ ଶବ୍ଦ ବସାଣ ଶିଶୁକୁ ମୁଗ୍ଧ କରେ । ଏଣୁ ଆଜିବି ବର୍ଣ୍ଣବୋଧ ହୋଇଯାଇଛି ବାଲ୍ୟଜୀବନର ଏକ ଦର୍ପଣ; ଏକ ଶିକ୍ଷାଲାଭର ମିଥ୍‍- ବର୍ଣ୍ଣବୋଧ ନ ପଢ଼ିଲେ ଓଡ଼ିଆଜାତିର ବାଲ୍ୟଶିକ୍ଷା ଏବେ ସରେନା ପରି ମନେହୁଏ । ‘ଆରେ ଜହ୍ନମାମୁଁ ଶରଦ ଶଶୀ/ମୋ କାହ୍ନୁ ହାତରେ ପଡ଼ରେ ଖସି’ ଆମ ଲୋକ ପରମ୍ପରାର କଥାକୁ ବି ସୂଚେଇ ଦିଏ ।

 

ଏ ରୂପେ ବିଚାର କଲେ ଆଧୁନିକ କାଳର ଆଦି ପର୍ଯ୍ୟାୟର କବିତ୍ରୟ କିପରି ଲୋକ ଉପାଦାନକୁ ବଡ଼ ସନ୍ତର୍ପଣ ସହକାରେ କାବ୍ୟାକାଶରେ ବିଦ୍ୟୁତ୍ ସ୍ଫୁରଣ ପରି କେବେ କେମିତି ପ୍ରକାଶ କରି ଯାଇଛନ୍ତି । ଏଥିରେ ଲୋକ ଉପାଦାନର ସ୍ଵତଃସ୍ଫୂର୍ତ୍ତତା ନାହିଁ, ଅଛି କୁଣ୍ଠିତ ପରିପ୍ରକାଶ-। ଲୋକ ଉପାଦାନ ତ ଆମ ଚେତନାରେ ଦ୍ରୌପଦୀର ଶାଢ଼ୀ ପରି ଲକ୍ଷ ପରସ୍ତ ହେଇ ବେଢ଼ି ରହିଛି । ତେବେ ଉତ୍ତର କାଳର କବିମାନଙ୍କ ମଧ୍ୟରେ ନନ୍ଦକିଶୋର ବଳହିଁ ଲୋକ ଉପାଦାନକୁ ବଡ଼ ଚାକ୍ଷୁଷଭାବେ ପ୍ରୟୋଗ କରିଯାଇଛନ୍ତି ।

 

ନନ୍ଦକିଶୋରଙ୍କ ସମସାମୟିକ କବି ଗଙ୍ଗାଧର ମୁଖ୍ୟତଃ କାବ୍ୟଶିଳ୍ପୀ । ତାଙ୍କ କାବ୍ୟରେ ସ୍ଥଳବିଶେଷରେ ଲୋକ ଉପାଦାନର ପ୍ରୟୋଗ ଲକ୍ଷିତ ହୁଏ । ଏ ଦୃଷ୍ଟିରୁ ମେହର କବିଙ୍କ ‘ଉତ୍କଳ ଲକ୍ଷ୍ମୀ’ରେ ହିଁ ଲୋକ ଉପାଦାନର ପ୍ରୟୋଗକୁ ବିଚାରକୁ ନିଆଯାଇପାରେ ।

 

ଗଙ୍ଗାଧର ମେହେର ରାଧାନାଥଙ୍କ ପରି କାବ୍ୟଶିଳ୍ପୀ । ତାଙ୍କର ‘ଉତ୍କଳ ଲକ୍ଷ୍ମୀ’ କାବ୍ୟଟିରେ ସ୍ଥଳବିଶେଷରେ ଲୋକ ଉପାଦାନର ନମୁନା ରହିଛି । ସେ ପ୍ରଧାନପାଟର ବର୍ଣ୍ଣନା ପ୍ରସଙ୍ଗରେ କହନ୍ତି-

 

‘ପ୍ରଧାନ ପାଟରେ ସମ୍ପାଦି ଥୋଇଛି

ଉଜ୍ଜ୍ଵଳ ରତ୍ଜ ସୀମନ୍ତ

ଲୋକ ମୁଖେ ଯା'ର ସୁନ୍ଦରିମା କଥା

ବ୍ୟାପିଛି ଦିଗ ଦିଗନ୍ତ ।’

 

ଏଠାରେ ‘ଲୋକମୁଖେ’ ଶବ୍ଦ ମାଧ୍ୟମରେ ‘ଜନ ସମବାୟ’ର କଥାକୁହିଁ ସ୍କରଣ କରାଯାଇଛି । ପୁଣି ମହାନଦୀକୁ ଗଙ୍ଗାନଦୀ ସହ ସମୀଭୂତ କରିବା କଥାକୁ ରୂପଦେଇ କହନ୍ତି-

 

“ସେ ବିଶ୍ୱପାବନ             ବିଶ୍ଵନାଥଙ୍କର

ଗମନକୁ ଅନୁସରି

ଜାହ୍ନବୀ ଆସିଲେ              କଇତବ ବେଶେ

ଚିତ୍ରୋତ୍ପଳା ନାମଧରି ।

ପଥେ ଦେଖି ତାଙ୍କୁ        ସମଲାଇ ଦେବୀ

ଭାବେ ଆଲିଙ୍ଗନ କଲେ

ସମଲାଇ କର             ଲାଗି ହୃଦ ହାର

ଛିଡ଼ି ପଡ଼ିଗଲା ତଳେ ।

×       ×       ×

ଏବେ ହୀରାକୁଦ             ନାମେ ଅଭିହିତ

ହୋଇଅଛି ସେହିସ୍ଥାନ

କେତେ ହୀରା ତହୁଁ       ପାଇ ତୋ କୁମରେ

ହୋଇଛନ୍ତି ଧନବାନ ।

 

ଏଠାରେ ହୀରାକୁଦ ନାମକରଣର ଲୋକ ବିଶ୍ୱାସର ସ୍ୱରୂପକୂ ଖୋଜାଯାଇପାରେ ।

 

‘ବଳରାମ ଦେବ’ ପରି କ୍ଷୁଦ୍ର କବିତାରେ ଲୋକ ଭାବନା ଓ ବିଶ୍ୱାସ କିପରି ରୂପ ପାଇଛି, ଦେଖାଯାଉ-

 

“ଏ କାଳେ ପାଟଣା        ରାଜ ସିଂହାସନେ

ଥିଲେ ନାହିଁ ନରପତି

ଆଠ ଜଣ ପ୍ରଜା              ଦିନେ ଦିନେ ବସି

ରାଜ କାର୍ଯ୍ୟ ବିଚାରନ୍ତି ।

ଲେମ୍ବୁଟିଏ ମାତ୍ର             ଅଧିଷ୍ଠିତ ଥାଏ

ରାଜ ସିଂହାସନ ପରେ

ଯାହା ପାଳିପଡ଼େ              ରାଜପଣ କରେ

ଲେମ୍ୱୁଟିଏ ଧରି କରେ ।

ସେହି ଅଷ୍ଟଜଣ              ମଲ୍ଲିକ ନାମରେ

ହେଉଥିଲେ ଅଭିହିତ

ଆଠ ମଲ୍ଲିକରେ             ଲେମ୍ୱୁରାଜା ବୋଲି

ଅଦ୍ୟାପି ହୁଏ କଥିତ ।

ସିଂହାସନେ ବସି              ଲେମ୍ବୁ ଧରିଥିଲେ

କିବା ବଡ଼ କିବା ସାନ

ଯାହାକୁ ଯେମନ୍ତ             ଆଜ୍ଞା ଦିଅନ୍ତି ତା

କଦାପି ନ ହୁଏ ଆନ ।”

 

‘‘ବଳରାମ ଦେବ” କବିତାର ଲେମ୍ମୁରାଜ କଥାଟି ଲୋକମାନସ ପ୍ରସୂତ । ଲୋକମାନସ ବହୁ ସମୟରେ ଏକ ବିଶ୍ୱାସ, ଏକ ରୀତିସିଦ୍ଧ ପରମ୍ପରାକୁ ନେଇ ପରିଚାଳିତ ହୋଇଥାଏ । ତା’ର ଦୃଷ୍ଟାନ୍ତ ଏ କବିତାରେ ରହିଛି ।

 

‘ତପସ୍ୱିନୀ’ ପରି ବିଦଗ୍ଧ କାବ୍ୟରେ ସ୍ଥଳ ବିଶେଷରେ ପ୍ରଥାସିଦ୍ଧ ଲୋକଦୃଷ୍ଟିକୁ ସ୍ଥାନିତ କରାଯାଇଛି-

 

‘ଜାଣି ସଖୀ ପଚାରିଲେ କହ ତୁ ସୁଶୀଳେ

କିପାଁ ଚକ୍ରବାକ ରାବେ ରଜନୀ ଆସିଲେ ।

 

କବି ପରମ୍ପରାର ଚକ୍ରବାକ୍ ଲୋକମିଥିଟି ଏଠାରେ ସ୍ଥାନିତ ହୋଇଛି । ରାମଚନ୍ଦ୍ରଙ୍କ ଦ୍ଵାରା ଅଭିଶପ୍ତ ଚକ୍ରବାକ ଦମ୍ପତିର ବିଚ୍ଛେଦ କାହାଣୀ ଏହାର ପ୍ରାଣପିଣ୍ଡ ।

 

‘କୀଚକବଧ’ ଆଉ ଏକ କାବ୍ୟ । ଏଥିରେ ‘ଜୁଆର’ ଶବ୍ଦର ବ୍ୟୁତ୍ପତ୍ତିରେ ଲୋକମାନସର ପ୍ରତିଫଳନକୁ ଦେଖିହୁଏ –

 

‘‘ଚନ୍ଦ୍ରିକାଲିଙ୍ଗନ-ସୁଖେ ପ୍ରଫୁଲ୍ଲିତ

ହୃଦୟ ସରିତ ପତି

ସରିତଙ୍କ ପ୍ରତି ଅନାଦର କରି

ଠେଲି ଦେଲେ ପଛକତି ।

ମୁହଁ ଫୁଲାଇଲେ ନଦୀଏ, ସାଗର

ରୀତିକି ଲୋକେ ଜୁହାର

ବୋଲିବାରୁ ତା’ର ଅପଭ୍ରଂଶ ଏବେ

ବୋଲନ୍ତି ତାକୁ ଜୁଆର ।”

 

‘ଜୁହାର’ ଅପଭ୍ରଂଶ ହୋଇ ଭାଷାତତ୍ତ୍ଵ ଅନୁମୋଦନ କରୁ ବା ନ କରୁ, କିନ୍ତୁ ଲୋକ ଚେତନାରେ ଜୁହାର “ଜୁଆର” ହୋଇଯାଏ ।

 

ସେହିପରି ‘କୃଷକ ସଙ୍ଗୀତ’ରେ ଲଙ୍କାମରିଚ ଶାଳୀ ଗାଳି ପରି ଆଦରର ଧନ ହୋଇଯାଏ । 'ଶାଳୀ-ଗାଳି ପରାଏ ଆଦର ତାହାର/ଘରେ ଘରେ ବ୍ୟଞ୍ଜନେ ବ୍ୟଞ୍ଜନେ ସର୍ବଦା ବ୍ୟବହାର ହେ’- ଏ ପଂକ୍ତିଟିରେ ଜନମାନସର ଶାଳୀଗାଳି ଲଙ୍କାମରିଚର ଧର୍ମକୁ ସୂଚେଇବାରେ ବ୍ୟବହୃତ ।

 

ମେହେର ରାଧାନାଥଙ୍କ ପରି ବିଦଗ୍ଧ ରୀତିରେ ଲୋକ ଉପାଦାନର ବ୍ୟବହାରକୁ ଶ୍ରେୟ ମଣିଛନ୍ତି । ଆଲୋଚ୍ୟ କାଳରେ ନନ୍ଦକିଶୋର ହିଁ ଓଡ଼ିଆ କବିତାରେ ଆଧୁନିକ ପର୍ଯ୍ୟାୟରେ ଲୋକ ଉପାଦାନର ବହୁଳ ପ୍ରୟୋଗ କରି କୃତିତ୍ୱ ପ୍ରଦର୍ଶନ କରିଯାଇଛନ୍ତି ।

 

ନନ୍ଦକିଶୋର ଲୋକଗୀତକୁ ‘ଏପିଗ୍ରାଫ୍’ ରୂପେ ଗ୍ରହଣ କରି କବିତା ଲେଖା ଆରମ୍ଭ କରିଛନ୍ତି । ତା’ର କେତୋଟି ଦୃଷ୍ଟାନ୍ତ ନିଆଯ।ଇପାରେ-

 

(କ)      ଡାମରା କାଉରେ ଡାମରା କାଉ

ଉଚ୍ଚ ପରବତେ ବୋବାଉଥାଉ ।

ଉଚ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

+ + + + +

କାଇଁଚି କାକୁଡ଼ି ମୁଣ୍ଡରେ ପିତା

ଛଅ ବୋହୂଙ୍କର ଛଅ ଦୁହିତା

କାଳେ ଛଅକନ୍ୟା ଯୁବତୀ ହେଲେ

ଛଅ ବର ଆସି ତାହାଙ୍କୁ ନେଲେ ।

କାନ୍ଦନ୍ତି ବିକଳେ କହିଣ ମାତା

ନିଷ୍ଠୁର ଅଟଇ ତୋ ବିଧି ଧାତା ।

 

ପଂକ୍ତିଗୁଡ଼ିକ ଖାପଛଡ଼ା ମନେ ହେଉଥିଲେହେଁ ଅର୍ଥପୂର୍ଣ୍ଣ । ମାଆ ମନର ସ୍ନେହ ଓ ସାମାଜିକ ଚଳଣି ତହିଁରେ ପ୍ରତିଫଳିତ ।

 

(ଖ)       “ଡାହାଣିଆ ଖରା ପଡ଼ିଛି ବେଳ ଯାଉଛି ବୁଡ଼ି

କି ସୁନ୍ଦର ପାରା ଯୋଡ଼ିଏ ଯାଉଅଛନ୍ତି ଉଡ଼ି ।

ଆସ ଆସ ପାରାଯୋଡ଼ିକ ମୋର ପିଣ୍ଡାରେ ବସ

ଖାଇବାକୁ ଦେବି ତୁମ୍ଭଙ୍କୁ ମୁହିଁ ନଡ଼ିଆ ରସ ।

ପିଇବାକୁ ଦେବି ତୁମକୁ ପଦ୍ମ-ପୋଖରୀ ପାଣି

ଶୋଇବାକୁ ଦେବି ଖଟୁଲି ମାଳିଘରୁ ଆଣି ।

ମାଳିଘର ଖଟୁଲିରେ ବାଉଁଶର ପାତିଆ

ମାଆଝୁଅଙ୍କର ଗୋଡ଼ରେ ରତନର ଝୁଣ୍ଟିଆ ।

ଶାରୀ ପଚାରିଲା ଶୁଆରେ କେଉଁ ଦାଣ୍ଡରେ ଯିବା

ଶୁଆ ବୋଲେ ଶାରୀ ଚାଲ ବଡ଼ ଦାଣ୍ଡରେ ଯିବା ।

ବଡ଼ ଦାଣ୍ଡେ ଦାଣ୍ଡେ ଯାଆନ୍ତେ ପାଉଁ ଗୋବର ଲଣ୍ଡି

ଲିପି ପୋଛି ଦେଇ ଯାଆ ମା’ ପୂଜି ମଙ୍ଗଳା ଚଣ୍ଡୀ ।” ଡାହାଣିଆଁ ଖରା-

 

ଲୋକ ରୀତିରେ ବର୍ଣ୍ଣନା ପସରା ମେଲି ଦେଉ ଦେଉ ଓଡ଼ିଶାର ଐତିହ୍ୟ, ପୁରୀ ଜଗନ୍ନାଥ ଦର୍ଶନକୁ ଯାଉଥିବା ମଣିଷମାନେ କ୍ଷେତ୍ରଦେବତୀ ମଙ୍ଗଳାଚଣ୍ଡୀ ପୂଜାଅର୍ଚ୍ଚନା କରିବା କଥା ଏଠାରେ ବର୍ଣ୍ଣିତ ।

 

(ଗ)      “ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲା ପଖି

ଜେମା ଦେଇ କାନ୍ଦୁଛନ୍ତି ବୁଢ଼ାବର ଦେଖି ।

ବାପା ବୋଇଲେ ଝିଅ ମୋର ବାର ବରଷର

ମା’ ବୋଇଲେ ଝିଅ ମୋର କୋଠାକୁ ସୁନ୍ଦର ।

ଭାଇ ବୋଇଲେ ଭଉଣୀ ମୋର ନିତି ପାଶେ ଥାଉ

ହିଂସିକୀ ଭାଉଜ କହେ ଦୂର ଦେଶେ ଯାଉ ।” -- ଜେମାଦେଈ

 

ଏଥି ବାଳୁତ କନ୍ୟା ଓ ବୁଢ଼ାବର ବିବାହର ଦୁଃଖଦ ଚିତ୍ରର ପ୍ରଦତ୍ତ । ନାରୀର ମନସ୍ତତ୍ତ୍ଵ ଓ ଘରର ପରିସ୍ଥିତି ବେଶ୍ ଭଜ୍ୱଳ ।

 

(ଘ)       “ଚମ୍ପାଫୁଲଟିଏ ପାଇଲି ବନ ହଳଦି ପ୍ରାୟେ

ଶିବ ଉପାସନା କରିବି କାନ୍ତ ଆସିବାଯାଏ ।

ଚମ୍ପାବତୀ ରାଜକୁମାରୀ ସେ ଯେ ନବ ତରୁଣୀ

ଗୀତଗାଏ ନିଜ ନବରେ ନିଜ ମନରେ ଗୁଣି ।

+ + + + + +

କିଏ ସେ କି ନାମ ତାଙ୍କର କେଉଁ ଦେଶରେ ଘର

ଜାଣେ ନାହିଁ ସବୁ ବୃତ୍ତାନ୍ତ ଲୋଡ଼େ ଅନ୍ତର ।

 

ଏଠାରେ ସାଥି ଖୋଜିବାର, ମନ ମଣିଷକୁ ଲୋଡ଼ିବାର ସ୍ୱପ୍ନାୟିତ ଭାବଟି ପ୍ରକାଶିତ ।

 

ସେହିପରି ନାନାବାୟା ଗୀତରେ ଶିଶୁ ମନୋରଞ୍ଜନ ପାଇଁ ଲୋକଗୀତମାନଙ୍କର ପ୍ରୟୋଗ ଦେଖିବାକୁ ମିଳେ । କେତୋଟି ଦୃଷ୍ଟାନ୍ତ ନିଅଯାଉ-

 

(୧)       “ବାୟା ଚଢ଼େଇରେ ବାୟା ଚଢ଼େଇ ତୁ

କୃଷ୍ଣ ଦୁଆରକୁ ଆ,

କୃଷ୍ଣ ସଙ୍ଗତରେ ଖେଳି ବୁଲିସାରି

ଦୁଧ ପିଇ ଦେଇ ଯାଆ ।”

 

(୨)       “ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଭରଣକ ଖାଉଥା ବସି

ତୁ’ ଥା ମୁଁ ଯାଉଛି ରୁଷି ।” ଚୁଟିଆ ମୂଷା

 

(୩)      “ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେ

ନଈ ସମୁଦର ଭସାଇ ଦେ ।

ଇନ୍ଦ୍ର ରଜାଙ୍କର ବେଙ୍ଗୁଲୀରାଣୀ

ବୋବେଇ ଦେଲେ ସେ ବରଷେ ପାଣି ।” ବେଙ୍ଗୁଲୀରାଣୀ

 

(୪)       “ଖରା କରୁଅଛି ମେଘ କରୁଛି

ବିଲୁଆ ପୁଅର ବାହା ହେଉଛି ।

ବିଲୁଆ ନନାରେ ବିଲୁଆ ନନା

ଘର ପୋଡ଼ିଗଲା ପଛକୁ ଅନା ।”

 

(୫)       “ଭୋଦୁଅ ମାସରେ ମାଣ୍ଡିଆ ପାଚଇ

ହୋରେ ବାଇଆ ହୋଓ

ଯେଉଁ କିଆରିରେ ଗହଳ ମାଣ୍ଡିଆ

ସେଇ କିଆରିରେ ଶୋଓ ।”

 

 

ବସ୍ତୁତଃ ଆଧୁନିକ କବି ଲୋକଗୀତ ବା ଲୋକବାଣୀ ଜରିଆରେ ଶିଶୁମନକୁ ଛୁଇଁଯାଏ । ସେ ଶିଶୁ ମନୋରଞ୍ଜକ କଥା କହୁ କହୁଁ ଅମ ଲୋକଜୀବନର ଅସୁମାରି କଥା କହିପକାଏ । ବେଙ୍ଗ ବେଙ୍ଗୁଲୀ ବିବାହ କରାଗଲେ ବର୍ଷାହୁଏ । ଏହା ଏକ ଲୋକ ବିଶ୍ଵାସ । ଏଣୁ ଲୋକ କଳ୍ପନାରେ ବେଙ୍ଗୁଲୀ ହୋଇଯାଏ ରାଣୀ ଇନ୍ଦ୍ର ରାଜାଙ୍କର । ପୁଣି ମେଘ ଆଢ଼ୁଆଳର ଖରା ଲୋକ ଦୃଷ୍ଟିରେ ବିଲୁଆ ପୁଅର ବାହା ବେଳର ରୋଷଣି । ପିଲାକୁ ଖୁଆଇବାକୁ ମା’ ବାୟାଚଢ଼େଇ ଗୀତଗାଏ । ପୁଣି ପିଲାଙ୍କୁ ଶୁଆଇବାକୁ ମା’କୁ ହୋଓରେ ବାଇଆ ହୋଓ ଗୀତ ଗାଇବାକୁ ପଡ଼େ ।

 

ଆଧୁନିକ ଓଡ଼ିଆ କବିତାର ଆଦି ପର୍ଯ୍ୟାୟର କାବ୍ୟ କବିତାରେ ଲୋକ ଉପାଦାନକୁ ପ୍ରମୁଖ ସ୍ଥାନ ଦେବାରେ ନନ୍ଦକିଶୋରଙ୍କୁ ସ୍ମରଣ କରାଯାଇଥାଏ । ତେବେ ଆଧୁନିକ କାଳର ଉତ୍ତର ପର୍ଯ୍ୟାୟରେ କବିମାନେ ଲୋକ ଉପାଦାନକୁ ଅଧିକ ଫଳପ୍ରଦ ଭାବେ ବ୍ୟବହାର କରିଛନ୍ତି । ଏହାକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ । (କ) ବିଷୟ ଆଧାରିତ ବ୍ୟବହାର; (ଖ) ପ୍ରତୀକାତ୍ମକ ବ୍ୟବହାର ।

 

(କ) ବିଷୟ ଆଧାରିତ ବ୍ୟବହାର-- ଏ କ୍ଷେତ୍ରରେ ମାୟାଧର ମାନସିଂହଙ୍କ ସାଧବଝିଅ; ଜ୍ଞାନୀନ୍ଦ୍ର ବର୍ମାଙ୍କ ବୋଲେ ହୁଁଟି, କଲରେଇ ଫୁଲ; ବିନୋଦ ଚନ୍ଦ୍ର ନାୟକଙ୍କ ରୂପାଥାଳି ଓ ସୁନାଗିନା; ବେଣୁଧର ରାଉତଙ୍କ କାଠଘୋଡ଼ା ପାଣି ପି, ସୁନା ସିଂହର ସ୍ଵପ୍ନ; ରମାକାନ୍ତ ରଥଙ୍କ ନବଗୁଞ୍ଜର: ସୌଭାଗ୍ୟ ମିଶ୍ରଙ୍କ ଶଶୀଦେଈ କାନ୍ଦ ଓ ପ୍ରତିଭା ଶତପଥୀଙ୍କ ସାହାଡ଼ା ସୁନ୍ଦରୀ ପରି କବିତାମାନଙ୍କର ନାମୋଲ୍ଲେଖ କରାଯାଇପାରେ । ଏଗୁଡ଼ିକ କେତେବେଳେ କାବ୍ୟାନୁଷଙ୍ଗ ଭାବେ ଗୃହୀତ ତ କେତେବେଳେ ବା କେବଳ ଉଲ୍ଲେଖ ଭିତରେ ସୀମିତ । ଯେମିତି ସାଧବଝିଅ, କଲରେଇ ଫୁଲ, ସାହାଡ଼ା ସୁନ୍ଦରୀ ଓ ରୂପାଥାଳି ଓ ସୁନାଗିନା କବିତାରେ କାବ୍ୟର ବିଷୟବସ୍ତୁ ହେଉଛି ଲୋକକଥା ।

 

ଆଉ କେତେକ କବିତାରେ ଏହି ବିଷୟବସ୍ତୁ ସୂଚନାତ୍ମକ ଭାବେ ପ୍ରଦତ୍ତ ହୋଇଥାଏ । ଏ ଦୃଷ୍ଟିରୁ ବିଚାର କଲେ ସଚ୍ଚି ରାଉତରାୟଙ୍କ ‘ପଦ୍ମନାଭ’ ଓ ଗୁରୁପ୍ରସାଦ ମହାନ୍ତିଙ୍କ ‘ଚମ୍ପାଫୁଲ’ କବିତାକୁ ନମୁନା ରୂପେ ଗ୍ରହଣ କରାଯାଇପାରେ ।

 

(୧)      ‘କିପରି ପୋତନ୍ତି ଛତା ମୁଁ ଅର୍ଖିତ ଭଣ୍ଡାରି ପରିକା

ପ୍ରଚଳିତ ମୂଲ୍ୟ ପାଇଁ ? ତାହାଠାରୁ ବରଂ ଏହା ଭଲ

ସର୍କସର ହତାଭାଙ୍ଗି ବାଡ଼ ଭାଙ୍ଗି କରିବା ଦଖଲ

ମୟଦାନଟାକୁ’ -ପଦ୍ମନାଭ ।

 

(୨)      ‘ଚମ୍ପାଫୁଲ ହାତେ ଧରି ମନାସିଲା ଯାଦୁକରୀ ମାୟା ।

ପଥର ପାଲଟି ହେଲା ରଜାପୁଅ, ହାଡ଼ସବୁ ହେଲା ମୁକ୍ତାଫଳ

ରଜାଝିଅ ବେଣୀଫୁଲ ଗଲା ସୁଏ ସୁଏ ଭାସି

ଗୋଟାଏ ଫୁଲରେ ହେଲା କୋଟି ମଣିଷର ମୂଲ” ।

 

ଏଠାରେ ବିଷୟ ବା ଅନୁଷଙ୍ଗ ସୂଚନାତ୍ମକଭାବେ ବ୍ୟବହୃତ । ଏତାଦୃଶ ଦୃଷ୍ଟାନ୍ତ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ “ଝିଅ ପାଇଁ ଗୋଟିଏ କବିତା”ରେ ମଧ୍ୟ ରହିଛି ।

 

(ଖ) ଲୋକ କଥାର ପ୍ରତୀକାତ୍ମକ ବ୍ୟବହାର କ୍ଷେତ୍ରରେ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ‘ମଣିଷ ଦେଖା’ କବିତାକୁ ଗ୍ରହଣ କରାଯାଇପାରେ । ଏଠାରେ ‘ଅନ୍ଧର ହାତୀ ଦେଖା’ କଥାକୁ ପ୍ରତୀକ ରୂପେ ବ୍ୟବହାର କରାଯାଇଛି ।

 

ଅନ୍ଧ ମଣିଷଟିଏ ମଣିଷଟାକୁ ଅଣ୍ଡାଳୁଚି / କ'ଣଟାଏ ଚିହ୍ନିବା ପାଇଁ ।

କେଶ ଧରୁଚି, କହୁଚି : ଜାଲ

ଆଖି ଧରୁଚି, କହୁଚି : ଅନ୍ଧକୂପ

ଭୁଜ ଧରୁଚି, କହୁଚି : ଭୁଜଙ୍ଗ

ହୃଦପିଣ୍ଡ ଧରୁଚି, କହୁତି : ଅକର୍ମଶିଳା

ନାଭି ମଣ୍ଡଳ ଛୁଉଁତି, କହୁଚି : କୁମ୍ଭୀପାକ

ଚେତନା ଛୁଉଁଚି, କହୁଚି : ସ୍ୱାର୍ଥଦ୍ଵେଷ ବିଶ୍ୱାସଘାତକ

ଆଶ୍ଚର୍ଯ୍ୟ

ମଣିଷଟିଏ ମଣିଷଟିକୁ ଚିହ୍ନିପାରୁଚି ।

ଅଥଚ ଠିକ୍ ଚିହ୍ନିଚି ।

 

ଏହି ‘ଅନ୍ଧର ହାତୀ ଦେଖା’ ପ୍ରତୀକ ମାଧ୍ୟମରେ ମଣିଷ ଜୀବନର ଆଭିମୁଖ୍ୟକୁ ଖୋଜିବାକୁ ଚେଷ୍ଟା କରାଯାଇଛି । ଏହି ମଣିଷ ଖୋଜା ନିଶାର ଶେଷ ହୁଏନା । କବି (W.B. Yeats) ଙ୍କ ପରି ଆଜି ବି ମଣିଷର ସେଇ ଅନନ୍ୟ ସତ୍ତାକୁ ଖୋଜାଚାଲିଛି । ସଂପ୍ରତି ଅଣଆତ୍ମୀୟତାର ଘେର ଭିତରେ “ଅସ୍ତିତ୍ୱ ନାହିଁ ଯେଉଁ ମଣିଷର/ଯେଉଁ ମଣିଷ ତଥାପି ଏକ ସ୍ଵପ୍ନ-। “ସେହିପରି ଅନନ୍ୟ ସତ୍ତାର ସଂଧାନ ନେବାରେ ଲୋକ ଉପାଦାନ କମ୍ ସହାୟକ ହୋଇନାହିଁ ।’’

 

ଏ ରୂପେ ବିଚାର କଲେ ଲୋକ ଉପାଦାନ ସମକାଳର କବିତାର ଭାବପିଣ୍ତ ଓ ସ୍ଥାପତ୍ୟକୁ ନିୟନ୍ତ୍ରଣ କରିବାରେ ଆଧୁନିକ କବିରୂପୀ ଅର୍ଜୁନଙ୍କର ସାରଥୀ ହୋଇ ପାରିଛି ଲୋକ ଭପାଦାନ । ଲୋକ ଉପାଦାନ କୃଷ୍ଣଙ୍କ ପରି ଆଧୁନିକ କବିର ରଥକୁ ନିୟନ୍ତ୍ରଣ କରୁଛି ବୋଲି କୁହାଯାଇପାରେ ।

 

 

ଯୋବ୍ରା, ମଝିସାହି,

କଟକ-୩

 

***

 

ମୋଗଲ ତାମସା ସଂପର୍କିତ ଏକ ଭିନ୍ନ ବିଚାର

ଶ୍ରୀ ନୀଳାଦ୍ରି ଭୂଷଣ ହରିଚନ୍ଦନ

 

ଓଡ଼ିଆ ଲୋକନାଟ୍ୟର ଆଲୋଚକମାନେ ମୋଗଲ ତାମସାର କେତେକ ବୈଶିଷ୍ଟ୍ୟ ପ୍ରଦର୍ଶନ କରି ଏହାକୁ ଓଡ଼ିଶାର ଏକ ଗୁରୁତ୍ଵପୂର୍ଣ୍ଣ ଲୋକନାଟକ ଭାବେ ପ୍ରତିଷ୍ଠାପିତ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଭିନୀତ ହେଉଥିବାରୁ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଜନସମୁଦାୟ ମଧ୍ୟରେ ଏହା ସଂପର୍କରେ କୌଣସି ପ୍ରତ୍ୟକ୍ଷ ଧାରଣା ସୃଷ୍ଟି ହୋଇ ପାରିନାହିଁ; ଆଲୋଚକମାନଙ୍କ ବର୍ଣ୍ଣନାରୁ ଯତ୍‍କିଞ୍ଚିତ୍ ସ୍ଵରୂପ ଉପଲବ୍ଧି ଘଟିଛି ମାତ୍ର । ଆଶ୍ଚର୍ଯ୍ୟର କଥା ଯେ ଅନେକେ ମୋଗଲ ତାମସା ନ ଦେଖି ମଧ୍ୟ ତା’ର ଉଚ୍ଛସିତ ପ୍ରଶଂସା କରିଛନ୍ତି । ଏପରିକି ସେମାନେ ଡକ୍ଟର କୃଷ୍ଣଚରଣ ବେହେରାଙ୍କ ଦ୍ଵାରା ସଂପାଦିତ ‘ମୋଗଲ ତାମସା’ ପୁସ୍ତକଟି ଦେଖିଥିଲା ପରି ମଧ୍ୟ ମନେ ହେଉନାହିଁ । କେହି କେହି ଏହାକୁ ଓଡ଼ିଆ ସଂସ୍କୃତିର ଗୌରବମୟ ନିଦର୍ଶନ ଏବଂ ହିନ୍ଦୁ- ମୁସଲମାନ ମୈତ୍ରୀର ପ୍ରତୀକ ରୂପେ ବର୍ଣ୍ଣନା କରିଛନ୍ତି । କିଛି ବର୍ଷ ତଳେ ମୋଗଲ ତାମସାର ଏକ ବିବର୍ତ୍ତିତ ରୂପ ଦେଖି ଏବଂ ଡକ୍ଟର ବେହେରାଙ୍କ ସମ୍ପାଦିତ ପୁସ୍ତକ ପଢ଼ି ମୋର ଅନୁରୂପ ଧାରଣା ନ ହେବାରୁ ଏବଂ ଓଡ଼ିଆ ଲୋକନାଟ୍ୟ ଭାବେ ଏହାର ଯୋଗ୍ୟତା ସଂପର୍କରେ ସନ୍ଦେହ ଜନ୍ମିବାରୁ ମୋର ନିଜସ୍ୱ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରିବା ଲାଗି ପ୍ରୟାସୀ ହେଲି ।

 

ମୋଗଲ ତାମସାର ମୁଖ୍ୟ ଭାଷା ପାର୍ସୀ ହୋଇଥିଲେ ମଧ୍ୟ ଏଥିରେ ଓଡ଼ିଆ ସମେତ ପ୍ରାୟ ସାତଟି ଭାଷା ସନ୍ନିବିଷ୍ଟ । ସେହି ଦୃଷ୍ଟିରୁ ଅବଶ୍ୟ ଓଡ଼ିଆ ଲୋକନାଟକ କ୍ଷେତ୍ରରେ ଏହାର ଅନନ୍ୟତା ସ୍ଵୀକୃତ । ଜାତୀୟ ସ୍ତରରେ ମଧ୍ୟ ଏହାର ସ୍ୱାତନ୍ତ୍ର୍ୟକୁ ଅସ୍ଵୀକାର କରି ହେବନାହିଁ । ତେବେ ବିଚାର କରିବାକୁ ହେବ, ଏଇ ଅନନ୍ୟତା ଏହାକୁ ଏକ ପ୍ରଧାନ ଓଡ଼ିଆ ଲୋକନାଟକ ରୂପେ ମର୍ଯ୍ୟାଦା ପ୍ରଦାନ କରିବାକୁ ସକ୍ଷମ ହୋଇଛି କି ? ସାଧାରଣତଃ ଓଡ଼ିଶାର ଲୋକନାଟକଗୁଡ଼ିକର ଭାଷା ଓଡ଼ିଆ । ଓଡ଼ିଆ ଭାଷାରେ ଲିଖିତ ନ ହୋଇଥିବା ଲୋକନାଟ୍ୟକୁ ଆମେ ଓଡ଼ିଆ ଲୋକନାଟ୍ୟର ପର୍ଯ୍ୟାୟଭୁକ୍ତ କରିପାରିବା କି ? ଗୋଟିଏ ପାର୍ସୀ-ଉର୍ଦୁ ଭାଷାର ନାଟକର କିଛି ଅଂଶରେ ଓଡ଼ିଆ ଭାଷା ଯୋଡ଼ିଦେଲେ ତାହାକୁ ଓଡ଼ିଆ ନାଟକ ବୋଲି କୁହାଯାଇ ନ ପାରେ ।

 

ସାଧାରଣ ଭାବେ ଲୋକନାଟ୍ୟଗୁଡ଼ିକ ଆଞ୍ଚଳିକ ଭାଷାରେ ରଚିତ ହୋଇଥାଏ । କିନ୍ତୁ ମୋଗଲ ତାମସା ଭଦ୍ରକ ପରି ଏକ ଗ୍ରାମୀଣ ସହରରେ ଏବଂ ତା’ର ପାର୍ଶ୍ଵବତ୍ତୀ କେତେକ ଗ୍ରାମରେ ଅଭିନୀତ ହେଉଥିଲେ ମଧ୍ୟ ଏହାର ଭାଷା ମୂଳତଃ ଓଡ଼ିଆ ନୁହେଁ । ଏହି ସହରରେ ଏବଂ ନିକଟସ୍ଥ ଗ୍ରାମାଞ୍ଚଳରେ ମୁସଲମାନମାନଙ୍କର ସଂଖ୍ୟା ହିନ୍ଦୁମାନଙ୍କ ସଂଖ୍ୟାଠାରୁ ବେଶି ନୁହେଁ । ଏହା ମୁଖ୍ୟତଃ ଏକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ । ମୁସଲମାନମାନଙ୍କ ଭିତରୁ ଅନେକ ଲୋକ ନିଜ ଗୋଷ୍ଠୀ ଭିତରେ ଉର୍ଦ୍ଦୁରେ କଥାବାର୍ତ୍ତା କରୁଥିଲେ ମଧ୍ୟ ବାହାରେ ସମସ୍ତେ ଓଡ଼ିଆ ଭାଷା କହନ୍ତି । ଅଧିକାଂଶ ମୁସଲମାନ ବାଳକ ବାଳିକା ସ୍କୁଲ କଲେଜରେ ମାତୃଭାଷାପତ୍ର ଭାବେ ଓଡ଼ିଆ ନେଇଥାନ୍ତି । ଅନ୍ୟ ପକ୍ଷରେ ହିନ୍ଦୁ ଲୋକେ ଉର୍ଦ୍ଦୁ, ପାର୍ସୀ ଓ ଆରବୀ ଭାଷା ସଂପର୍କରେ ପ୍ରାୟତଃ ଅଜ୍ଞ । ମୋଗଲ ତାମସାର ଲେଖକ ବଂଶୀବଲ୍ଲଭ ଗୋସ୍ଵାମୀ (୧୭୨୮)ଙ୍କ ସମୟରେ ଅର୍ଥାତ୍ ଅଷ୍ଟାଦଶ ଶତାବ୍ଦୀରେ ପାର୍ସୀ ଆରବୀ କୋର୍ଟ କଚେରୀର ଭାଷା ରୂପେ ପ୍ରଚଳିତ ଥିଲା । ସେହି ଦୃଷ୍ଟିରୁ ମୁଷ୍ଟିମେୟ ଶିକ୍ଷିତ ଲୋକ ଏହି ଭାଷା ସହିତ କିଞ୍ଚିତ୍ ପରିଚିତ ଲାଭ କରିଥିଲେ । ଏହା କୌଣସିମତେ ଲୋକ କଥିତ ଭାଷା ନଥିଲା କିମ୍ବା ଏ ଭାଷା ସହିତ ସାଧାରଣ ଗୋଷ୍ଠୀର ପରିଚୟ ନ ଥିଲା । ଏପରି ସ୍ଥଳେ ଏକ ବୈଦେଶିକ ଭାଷାରେ ଲୋକନାଟ୍ୟ ରଚନା ବାସ୍ତବିକ ବିସ୍ମୟକର । ବଂଶୀବଲ୍ଲଭ ନିଜର ପାର୍ସୀଜ୍ଞାନ ପ୍ରଦର୍ଶନ ଲାଗି କିମ୍ବା କୌଣସି ସ୍ଥାନୀୟ ମୁସଲମାନ ଜମିଦାରଙ୍କ ଦ୍ଵାରା ଅନୁରୁଦ୍ଧ ହୋଇ ଏ ନାଟକ ଲେଖଛନ୍ତି, ଅନୁମାନ କରିବା ସହଜ ନୁହେଁ ।

 

ମୋଗଲ ତାମସା ଏକ ଓଡ଼ିଆ ଭାଷାର ନାଟକ ବୋଲି ସାଧାରଣରେ ଏକ ଭ୍ରାନ୍ତ ଧାରଣା ରହିଆସିଛି । ନାଟକଟିରେ କିନ୍ତୁ ଓଡ଼ିଆ ଭାଷାର ସ୍ଥାନ ଅତ୍ୟନ୍ତ ଗୌଣ । ଏହା ମୂଳତଃ ପାର୍ସୀ-ଆରବୀ ଭାଷାରେ ରଚିତ । ଏହି ଭାଷା ସହିତ ସ୍ଥଳ ବିଶେଷରେ ଉର୍ଦ୍ଦୁ ସମନ୍ଵିତ । ପୁଣି ଏହାର ବହୁ ସ୍ଥାନରେ ବ୍ୟବହୃତ ପାର୍ସୀ ଭାଷା ମଧ୍ୟ ଦୁର୍ବୋଧ୍ୟ । ଏତଦ୍‍ବ୍ୟତୀତ କେତେକ ସ୍ଥଳରେ ବଙ୍ଗଳା, ହିନ୍ଦୀ ଓ ମୈଥିଳୀ ଭାଷାର ପ୍ରୟୋଗ ରହିଛି । ଡକ୍ଟର କୃଷ୍ଣଚରଣ ବେହେରାଙ୍କ ସମ୍ପାଦିତ ୪୮ ପୃଷ୍ଠା ବିଶିଷ୍ଟ ମୋଗଲ ତାମସା ପୁସ୍ତକକୁ ଅନୁଧ୍ୟାନ କଲେ ସ୍ୱଷ୍ଟ ହୁଏ ଯେ ଏହାର ଏକ ଚତୁର୍ଥାଂଶ ମାତ୍ର ଓଡ଼ିଆ । ବଡ଼ ଆଶ୍ଚର୍ଯ୍ୟର କଥା ଯେ ଏକ ଦୁର୍ବୋଧ୍ୟ ପାର୍ସୀ ଭାଷାର ନାଟକ ହେଲେ ମଧ୍ୟ ଏହା ଓଡ଼ିଆମାନଙ୍କ ଦ୍ଵାରା ଅଭିନୀତ ଓ ଉପଭୁକ୍ତ ହୋଇ ଆସିଛି । ଏହାର ଜନପ୍ରିୟତାର ଏକ କାରଣ ବୋଧହୁଏ ଭାଷା- ବୈଚିତ୍ର୍ୟ । ଏଥିରେ ପାର୍ସୀ, ଉର୍ଦ୍ଦୁ ଓ ହିନ୍ଦୀ ଭାଷାର ବହୁ ଗୀତ ଥିଲେ ମଧ୍ୟ ବଙ୍ଗଳା ଭାଷାର ଗୀତ ପ୍ରାଧାନ୍ୟ ଲାଭ କରିଛି । ମୈଥିଳୀ ଗୀତ କେତୋଟି ମଧ୍ୟ ରହିଛି । ନାଟକର ଶେଷ ଅଂଶରେ ପ୍ରାୟ ୧୨/୧୩ ପୃଷ୍ଠା ଓଡ଼ିଆ ଗୀତ ଓ ଗଦ୍ୟ ସଂଳାପ ରହିଛି । ନୃତ୍ୟ, ବାଦ୍ୟ ଓ ଗୀତ ସହ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ମଧ୍ୟ ଦେଇ ନାଟକ ଅଭିନୀତ ହେଉଥିବାରୁ ଏହା ଜନମାନସକୁ ଆକୃଷ୍ଟ କରିବାକୁ ସମର୍ଥ ହୋଇଛି ।

 

ଲୋକନାଟ୍ୟ ସାଧାରଣତଃ ସଙ୍ଗୀତ ପ୍ରଧାନ । ଏହା ଏକ ମୋଗଲ ସମ୍ପର୍କିତ ତାମସା ହୋଇଥିବାରୁ ଏଥିରେ ପାର୍ସୀ ଓ ଉର୍ଦ୍ଦୁଗୀତ ସର୍ବାଧିକ ଅର୍ଥାତ ୩୯ (ପାର୍ସୀ ୧୦ + ଉର୍ଦ୍ଦୁ ୨୯) ହୋଇଥିବା ସ୍ୱାଭାବିକ । ଏହାପରେ ବଙ୍ଗଳା ଗୀତର ସ୍ଥାନ, ଯାହାର ସଂଖ୍ୟା ୧୮ । ହିନ୍ଦୀ ଗୀତ ୩ଟି ଓ ମୈଥିଳୀ ଭାଷାର ମହାଦେବ ବନ୍ଦନା ଗୀତ ୮ଟି । ଓଡ଼ିଆ ଗୀତ କେବଳ ଗଉଡ଼ୁଣୀ ଚରିତ୍ର ମୁଖରେ ଦିଆଯାଇଛି ଏବଂ ଏଗୁଡ଼ିକ ନାଟକର ଶେଷ ଅଂଶରେ ସନ୍ନିବିଷ୍ଟ । ଓଡ଼ିଆ ଗୀତ ସଂଖ୍ୟା ୧୫ । ଏକ ସଙ୍ଗୀତ ବହୁଳ ଲୋକନାଟକରେ ବହୁ ଭାଷା ସହିତ ଓଡ଼ିଆ ଭାଷାର ସ୍ଥାନ କିପରି ଗୁରୁତ୍ଵହୀନ, ତାହା ସହଜରେ ଅନୁମେୟ ।

 

ସମୟକାଳ ଦୃଷ୍ଟିରୁ ମୋଗଲ ତାମସାର ରଚନା ପ୍ରାଚୀନ ନୁହେଁ । ବଂଶୀବଲ୍ଲଭଙ୍କ ଦ୍ଵାରା ରଚିତ ଏହି ନାଟକ ବର୍ତ୍ତମାନ ସାମାନ୍ୟ ପରିବର୍ତ୍ତିତ । ଅବଶ୍ୟ ପରମ୍ପରା ସୃଷ୍ଟ ପ୍ରାଚୀନ ଲୋକନାଟକ ସହ ଏହା ତୁଳନୀୟ ନୁହେଁ । ଲୋକନାଟକର ଅନ୍ୟାନ୍ୟ ବିଭାଗ ପରି ଲୋକନାଟକର ସମସ୍ତ ରୂପ କଥ୍ୟ ନୁହେଁ, ଅଧିକାଂଶ ଲେଖ୍ୟ । ଦୀର୍ଘ ସମୟ ଅଭିନୟୋପଯୋଗୀ ଏକ ବିଧିବଦ୍ଧ ନାଟକର ବହୁ ସଂଖ୍ୟକ ଗୀତ ଏବଂ ପଦ୍ୟ ବଚନିକା ଓ ଗଦ୍ୟ ବଚନିକାକୁ ଧାରାନୁକ୍ରମେ ମନେ ରଖିବା ସମ୍ଭବ ହେଉ ନ ଥିବାରୁ ଲେଖ୍ୟ ରୂପର ଆବଶ୍ୟକତା ପଡ଼େ । କିନ୍ତୁ ବହୁ କ୍ଷେତ୍ରରେ ଦେଖାଯାଏ ଯେ ଏହି ପାରମ୍ପରିକ ନାଟକ ଗୁଡ଼ିକର ଲେଖକମାନେ ଅଜ୍ଞାତ ରହି ଯାଇଛନ୍ତି । ଗ୍ରାମ୍ୟ ଲେଖକର ନାମ ପ୍ରଚାରରେ କୁଣ୍ଠା, ଲେଖକର ନାମ ସଂପର୍କରେ ଦର୍ଶକର ଅନାଗ୍ରହ ଏବଂ ଏକ ନାଟକରେ ଏକାଧିକ ଲେଖକ ନାମର ସଂଯୋଜକ ଯୋଗୁଁ ଏପରି ଘଟିଥିବା ସ୍ୱାଭାବିକ । ପୁରୁଷ ପୁରୁଷ ଧରି ଗ୍ରାମାଞ୍ଚଳରେ ଅଭିନୀତ ହୋଇ ଆସୁଥିବା ବହୁ ଲୋକ ନାଟକର ରଚନା ସମୟ କଳନା କରିବା ଦୁରୂହ ବ୍ୟପାର । ରଚନା କାଳର ସୂଚନା ନ ଥାଇ ଏଗୁଡ଼ିକ କେଉଁ ସ୍ଥଳରେ ବାରମ୍ବାର ପରିବର୍ଦ୍ଧିତ ଓ କେଉଁଠାରେ ସଂକ୍ଷିପ୍ତ ଓ ପରିବର୍ତ୍ତିତ । ଲୋକ କବିମାନଙ୍କ ଦ୍ଵାରା ନୂଆ ନୂଆ ଗୀତ ଓ ବଚନିକା ସଂଯୁକ୍ତ ହୋଇ ଏହା ପ୍ରସାରିତ ହୋଇ ଆସିଛି ।

 

ମୂଳରୁ ପ୍ରାଚୀନତର ଲୋକନାଟକ ଗୁଡ଼ିକ ଓଡ଼ିଶାର ସମସ୍ତ ପ୍ରାନ୍ତରେ ଏବଂ ଓଡ଼ିଶା ବାହାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକରେ ବିସ୍ତୃତି ଲାଭ କରିଥିଲା । କିନ୍ତୁ ସଂପ୍ରତି ଦୂରଦର୍ଶନ, ସିନେମା, ଥିଏଟର ଓ ଆଧୁନିକ ଯାତ୍ରାର ବ୍ୟାପକ ପ୍ରଭାବରେ ଏହାର ପ୍ରସାର ବହୁ ପରିମାଣରେ ସଙ୍କୁଚିତ ହୋଇ ଯାଇଛି । ତଥାପି ସହର ସଭ୍ୟତାଠାରୁ ଦୂରବର୍ତ୍ତୀ କେତେକ ଅଞ୍ଚଳରେ ଏପରିକି ସହରର ସାହି ବସ୍ତିରେ ଓଡ଼ିଶାର ଏହି ସାଂସ୍କୃତିକ ପରମ୍ପରାର ପ୍ରତୀକ ବଞ୍ଚି ରହିବା ଲାଗି ଆପ୍ରାଣ ଉଦ୍ୟମ କରି ଚାଲିଛି । ଯଥାର୍ଥ ଲୋକନାଟକ ସମୟ ପ୍ରଭାବରୁ ଅତିକ୍ରମ କରି ଏକ ବିସ୍ତୃତ ପଟ୍ଟଭୂମିରେ ନାନା ରଙ୍ଗବୈଚିତ୍ର୍ୟ ମଧ୍ୟ ଦେଇ ଗତି କରି ଚାଲିଥାଏ । କୌଣସି ପ୍ରତିବନ୍ଧକ ଏହାକୁ ନିଶ୍ଚିହ୍ନ କରି ପାରେନାହିଁ ।

 

ଉପରୋକ୍ତ ପରିପ୍ରେକ୍ଷୀରେ ବିଚାର କଲେ ମୋଗଲ ତାମସା ଅନ୍ୟାନ୍ୟ ଲୋକନାଟକର ସମପର୍ଯ୍ୟାୟଭୁକ୍ତ ନୁହେଁ । ଏହାର ଅଭିନୟ କ୍ଷେତ୍ର ଓ ସମୟ ବିସ୍ତାର ଯଥେଷ୍ଟ ସଙ୍କୁଚିତ । ଲୋକନାଟକର ପ୍ରାଚୀନତା, ବ୍ୟାପକତା ଓ ସ୍ଥିତିସ୍ଥାପକତା ମୋଗଲ ତାମସାରେ ଅନୁପସ୍ଥିତ । ଏହା ଏକ ବିଧିବଦ୍ଧ ନାଟ୍ୟରଚନା ହୋଇଥିଲେ ମଧ୍ୟ ଲୋକାୟତ ସ୍ତରର ବ୍ୟକ୍ତିମାନଙ୍କ ଦ୍ଵାରା ଗ୍ରାମ୍ୟ ପରିବେଶରେ ପରିବେଷିତ ହେଉଥିବାରୁ ଏବଂ ଲୋକନାଟକର କେତେକ ସାଧାରଣ ଧର୍ମ ବହନ କରି ଥିବାରୁ ଲୋକନାଟକ ଭାବେ ଗୃହୀତ ।

 

ସୁଆଙ୍ଗ, ଦଣ୍ତନାଟ, ରାମଲୀଳା, କୃଷ୍ଣଲୀଳା ପରି କେତେକ ଜନପ୍ରିୟ ଲୋକ ନାଟକ ଓଡ଼ିଶାର ସମସ୍ତ ଅଞ୍ଚଳରେ ପରିବ୍ୟାପ୍ତ । ଭାରତଲୀଳା, ଦଣ୍ତନାଟ, ଦେଶୀୟ ନାଟ, ଦଧିନାଟ ପରି ଲୋକନାଟକ ଗୁଡ଼ିକର ବିସ୍ତାର କେତେକ ଜିଲାରେ ସୀମାବଦ୍ଧ । କିନ୍ତୁ ମୋଗଲ ତାମସାର ଅଭିନୟ କ୍ଷେତ୍ର ଭଦ୍ରକ ପରି ଏକ ନିର୍ଦ୍ଦିଷ୍ଟ ସହର । ଯେଉଁ ଲୋକନାଟ୍ୟ ବୃହତ୍ତର ଲୋକ ସମାଜ ମଧ୍ୟରେ ପରିଚିତ ନୁହେଁ, ତାହା ଯଥାର୍ଥ ଲୋକନାଟକର ସମ୍ମାନରୁ ବଞ୍ଚିତ ହେବା କଥା ।

 

ଓଡ଼ିଆ ଲୋକନାଟକ ମୂଳତଃ ଧର୍ମଭିତ୍ତିକ । ଧର୍ମମୂଳକ କଥାବସ୍ତୁ ପ୍ରାୟ ପ୍ରତ୍ୟେକ ପୌରାଣିକ ଲୋକନାଟକର ଭପଜୀବ୍ୟ । ହିନ୍ଦୁଧର୍ମର ପୌରାଣିକ ଦେବଦେବୀ, ଶିବପାର୍ବତୀ, ରାମସୀତା, ରାଧାକୃଷ୍ଣଙ୍କର ବିଭିନ୍ନ କାହାଣୀ ଓ ଉପକାହାଣୀମାନ ଦଣ୍ତନାଟ, ରାମଲୀଳା, କୃଷ୍ଣଲୀଳା ପ୍ରଭୃତି ନାଟକର ଉପଜୀବ୍ୟ ହୋଇଥାଏ । ଧର୍ମଭାବର ଉଦ୍‍ବୋଧନ ସଙ୍ଗେ ସଙ୍ଗେ ଦଣ୍ଡନାଟ, ସୁଆଙ୍ଗ ପ୍ରଭୃତି କେତେକ ନାଟକରେ ସାଧାରଣ ଜୀବନର ଦୁଃଖସୁଖର ଚିତ୍ର ରହିଥାଏ । ଅଧିକାଂଶ ନାଟକରେ ସଂଯୋଜିତ ଅଲୌକିକ ଦୈବୀ କାର୍ଯ୍ୟକଳାପର ଅଭିନୟ ଦର୍ଶକମାନଙ୍କୁ ଗଭୀର ଭାବେ ଅଭିଭୂତ କରିଥାଏ । ଏ ସମସ୍ତ ଗ୍ରାମୀଣ ଜନତାର ରସତୃଷ୍ଣାର ପରିତୃପ୍ତି ଲାଗି ଉଦ୍ଦିଷ୍ଟ । ଚମତ୍କାରିତା ସୃଷ୍ଟି ନାଟକର ଗୋଟିଏ ବଡ଼ ଗୁଣ । ଏହା ହିଁ ଦର୍ଶକକୁ ଧର୍ମ ନିର୍ବିଶେଷରେ ଆକୃଷ୍ଟ କରିଥାଏ । ଉପରୋକ୍ତ ଲୋକନାଟକ ଯେ କେବଳ ହିନ୍ଦୁ ଦର୍ଶକମାନଙ୍କୁ ଆନନ୍ଦ ଦିଏ, ତା’ ନୁହେଁ, ଅଣହିନ୍ଦୁମାନଙ୍କ ମନୋରଞ୍ଜନର ମଧ୍ୟ ସହାୟକ ହୋଇଥାଏ । ମୋଗଲ ତାମସା ହିନ୍ଦୁ ଓ ମୁସଲମାନ ଭଭୟ ଶ୍ରେଣୀର ଦର୍ଶକମାନଙ୍କ ଲାଗି ଭଦ୍ଦିଷ୍ଟ । ଏହା ଏକ ଧର୍ମଭାବ ନିରପେକ୍ଷ ନାଟକ । ଏହାର ପ୍ରେରଣା ମଧ୍ୟ କୌଣସି ଧର୍ମାଚାର ସହିତ ଜଡ଼ିତ ନୁହେଁ । କୌଣସି ଧର୍ମୀୟ ସମ୍ପର୍କ ନ ଥାଇ ଏହା କେବଳ ଶିବମନ୍ଦିର ସମ୍ମୁଖରେ ଅଭିନୀତ ହୁଏ ଏବଂ ଏଥିରେ କେତୋଟି ଶିବସ୍ତୁତି ଗାନ କରାଯାଏ । ଏଥିରେ ହିନ୍ଦୁ ବା ମୁସଲମାନ ଧର୍ମର କୌଣସି ଆଚାର ବିଚାର ବା କାହାଣୀ ଗୃହୀତ ହୋଇନାହିଁ ।

 

ଶିଳ୍ପ ଦୃଷ୍ଟିରୁ ମୋଗଲ ତାମସା ଅନାଟକୀୟ ଓ ଚମତ୍କାରିତାହୀନ । ଅନ୍ୟାନ୍ୟ ଲୋକନାଟକ ପରି ଏହା ଦୀର୍ଘ କାହାଣୀ ସମ୍ବଳିତ ନୁହେଁ; ସଂକ୍ଷିପ୍ତ । କାହାଣୀ ନିର୍ମାଣରେ ନାଟ୍ୟିକ ଉତ୍କଣ୍ଠା ଉପରେ ଗୁରୁତ୍ଵ ଦିଆଯାଇନାହିଁ । ଆଞ୍ଚଳିକ ମୋଗଲ ଶାସକ ମିର୍ଜା ସାହେବଙ୍କ ଆଗମନ ଓ ଚୋପଦାରମାନଙ୍କ ଗହଣରେ ଦରକାର, ଚୋପଦାରର ଆହ୍ୱାନକ୍ରମେ ଭେସ୍ତି, ଆସରୱାଲା, ପରଧର, ହୁକୋୱାଲା, ପଂଖାୱାଲା, ଭାଟ, ଦପ୍ତରାନ, ଚଟନିୱାଲା, ମେତି ପ୍ରଭୃତିଙ୍କର ସେବାଲାଗି ପ୍ରସ୍ତୁତି, ପାର୍ଶ୍ୱଚରମାନଙ୍କ ଗହଣରେ ଓଡ଼ିଆ ଜମିଦାରଙ୍କ ଆଗମନ ଏବଂ ତାଙ୍କୁ ବକରୀ, ଛୋକରୀ, ରୂପରଖଟ ମଶାରୀ ଏବଂ ଭୋଜନ ପାଇଁ ଛଅ ମହଣ ଅଟା, ତିନି ମହଣ ଘିଅ, ଏକ ମହଣ ଡାଲିର ବ୍ୟବସ୍ଥା କରିବାକୁ ମିର୍ଜାଙ୍କର ଆଦେଶ । ଦହିବାଲୀର ପ୍ରବେଶ ଓ ତାକୁ ମିର୍ଜାଙ୍କର ପ୍ରେମ ନିବେଦନ- ଏତିକି ମାତ୍ର ଘଟଣାକୁ ନେଇ ନାଟକର ପରିକଳ୍ପନା । ସ୍ଥୂଳତଃ ଜଣେ ଆଞ୍ଚଳିକ ମୁସଲମାନ ଶାସକର ବିଳାସମୟ ଜୀବନ ଓ ସ୍ଵେଚ୍ଛାଚାରର ଚିତ୍ର ପ୍ରଦର୍ଶନ ନାଟକଟିର ଉଦ୍ଦେଶ୍ୟ । ଦର୍ଶକ ମନକୁ ଆଲୋଡ଼ିତ କଲା ପରି କୌଣସି ନାଟ୍ୟିକ ଘଟଣା ବା ଉପାଦାନ ଏଥିରେ ଅନୁପସ୍ଥିତ-। ଦୃଶ୍ୟ ଭାବେ ମୋଗଲ ଦରବାରର ଚିତ୍ରଟିଏ ମାତ୍ର ଉପସ୍ଥାପିତ । ଚରିତ୍ର ଗୁଡ଼ିକ ଗୋଟିକ ପରେ ଗୋଟିଏ ମଞ୍ଚ ପ୍ରବେଶ କରନ୍ତି, ଏକା ଭଳି ସଂଳାପ ଉଚ୍ଚାରଣ କରି ପୁରସ୍କାର ନେଇ ବିଦାୟ ନିଅନ୍ତି-। କୌଣସି ନାଟକୀୟ ଘଟଣା ପ୍ରବାହ ନାହିଁ । ନାଟକୀୟତା ସୃଷ୍ଟି ଲାଗି ଏଥିରେ ସମର୍ଥ ନାଟକୀୟ କାହାଣୀ, ଚରିତ୍ର, ସଂଳାପ, ଦ୍ଵନ୍ଦ ଓ ଉତ୍କଣ୍ଠାର ଉପଯୋଗ ନାହିଁ । ତେଣୁ ନାଟକଟି ପ୍ରଥମତଃ ଦର୍ଶକର ରସାନୁଭୂତି ଜାଗ୍ରତ କରିବାରେ ଅସମର୍ଥ । କିନ୍ତୁ ଉଜ୍ଜ୍ୱଳ ବେଶ ପୋଷାକ, ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା, ନୃତ୍ୟଗୀତର ଆତିଶଯ୍ୟ କେବଳ ଦର୍ଶକର ମନକୁ ଧରି ରଖେ ।

 

ମୋଗଲ ତାମସାରେ ଲୋକନାଟ୍ୟ-ପ୍ରତିଫଳିତ ଲୋକଶିକ୍ଷାର ଅଭାବ ପରିଲକ୍ଷିତ ହୁଏ । ପ୍ରାୟ ଅଧିକାଂଶ ଲୋକନାଟକର ଗୋଟିଏ ବଡ଼ ଶିକ୍ଷଣୀୟ ଦିଗ ହେଉଛି ସତ୍ୟର ପ୍ରତିଷ୍ଠା । ଏହି ଦୃଷ୍ଟିରୁ ସମାଜ ଉପରେ ମୋଗଲ ତାମସାର ସେପରି ପ୍ରଭାବ ନାହିଁ । ତେବେ ଉଭୟ ହିନ୍ଦୁ ଓ ମୁସଲମାନ ଲୋକେ ଏହାର ଅଭିନେତା ଓ ଦର୍ଶକ । ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ୱୟ ପ୍ରତିଷ୍ଠା ଲାଗି ନାଟକ ମଧ୍ୟରେ କୌଣସି ଉପାଦାନ ନ ଥିଲେ ମଧ୍ୟ ଅଭିନୟ ଯୋଗୁଁ ଉଭୟ ଗୋଷ୍ଠୀ ପରସ୍ପରର ନିକଟବର୍ତ୍ତୀ ହୁଅନ୍ତି । ଏଥିରେ ଓଡ଼ିଆ ସଂସ୍କୃତିର କୌଣସି ପ୍ରତିଫଳନ ନାହିଁ ।

 

ମୋଗଲ ତାମସାର କେନ୍ଦ୍ରୀୟ ଚରିତ୍ର ମିର୍ଜା ମୂଳ ଆକର୍ଷଣକାରୀ ଶକ୍ତି । ଏହି ଚରିତ୍ର ପରି ସଂଯୋଜକ ଚରିତ୍ର ଚୋପଦାରର ମଧ୍ୟ ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି । ସେ ମିର୍ଜା ସହିତ ମୂଳରୂ ଶେଷ ପର୍ଯ୍ୟନ୍ତ ମଞ୍ଚରେ ଉପସ୍ଥିତ ରହେ ଏବଂ ବିଭିନ୍ନ ଚରିତ୍ର ସହିତ ମିର୍ଜାର ଓ ଦର୍ଶକମାନଙ୍କର ଯୋଗସୂତ୍ର ରୂପେ କାର୍ଯ୍ୟକରେ । ଚୋପଦାର ଚରିତ୍ର ମୁଖରେ ପାର୍ସୀ ସହିତ ଉର୍ଦ୍ଦୁ ସଂଳାପ ଦିଆଯାଇଥିବାରୁ ତା'ର ବକ୍ତବ୍ୟ ବୁଝିବାରେ ବିଶେଷ ଅସୁବିଧା ହୁଏନାହିଁ । କିନ୍ତୁ କେତେକ ସ୍ଥଳରେ ତାଂର ସଂଳାପ ଅତ୍ୟନ୍ତ ଦୁର୍ବୋଧ୍ୟ । ଉଦାହରଣ ସ୍ୱରୂପ- “କାଲା ମୁକଲଦା ଖୋଦା ଏକି ବୋଦା । ପଲୁ ଲଉଡ଼ି ମଲ ଆଦଭର ମୁର୍ଦ୍ଦା । ମଗଜ ବନ୍ଦା, ବନ୍ଦୀକେ ବନ୍ଧା, ଖୋସ୍ ଅହି ନାଖନ୍ଦା, ତିଲକ ଚଟୁ, ନିପଟ ନିପଠୁ । କଉଡ଼ି କେ କିଡ଼ଲ ନିପଟ ନିପଠୁ, ପସମୁଲି ନିୟାନ ସୁଲି । ବେ ଗୟରତ ତୁଲି, ହିଞ୍ଜାଲା ହିରସା, ତାହୁକେ ତରସା । କମର ହିମ୍ମତ ଭୁଣ୍ତି ନା ପୁରୁଷା ॥ ବିଚେ ବାଜ କୁଲିକ ବାଜ । ବମ୍ ସନ୍ଦସେର ଯବନ ଦେରାଦ । ଠିକିରି ଚୁନି ଚୁଆ ଭୁନି ମନାକା ମୁଲ୍‍ବା ମେ ହାଣ୍ଡୁକା ଚୁନା । ପୁତ୍‍କା ଚରସା ଅନ୍ଦରବାଜଜାନ ମୁରଦ ଜାଲିମ ବଦମାସ, ବେବୁନିଆଦି, ବଦ୍ ଏକୋଦି, ଅଖାସୁକି, ନିବାଦି, ନାହୁରୁ ମେ ଉଜାଡ଼େ ବେଗ୍ ଉଜବ ମିର୍ଜା ଠରସବ ଓ୍ୱେ ମିର୍ଜା ସାହେବ ମେହେରବନ କି ସଲାମ ।” ଏହିପରି ଦୁର୍ବୋଧ୍ୟ ସଂଳାପ ରହିଥିବା ସତ୍ତ୍ୱେ ବହୁ ସ୍ଥଳରେ ବୋଧଗମ୍ୟ ଉର୍ଦ୍ଦୁ ସଂଳାପ ନାଟ୍ୟମଞ୍ଚ ସହିତ ଦର୍ଶକ ସମାଜର ସଂଯୋଗ ସ୍ଥାପନ କରିବାକୁ ସମର୍ଥ ହୋଇଛି । ଚୋପଦାର ବହୁ ସମୟରେ ମିର୍ଜାଙ୍କ ପାର୍ସୀ ଭାଷାର ତର୍ଜମାକୁ ଉର୍ଦ୍ଦୁଭାଷାରେ ଉପସ୍ଥାପନ କରୁଛି । ପାଠକଙ୍କ କୌତୁହଳମୋଚନ ଲାଗି ନିମ୍ନରେ ଗୋଟିଏ ଭଦାହରଣ ଦିଆଯାଉଛି । ମିର୍ଜା - ଓଡ଼ିଶା ମୁଲକ୍ ନାହିନ୍ ଯାର ଖାଦାନେ ଓସ୍ତଖାନ୍ ହାଁଜାର ଲଙ୍ଗୋଟବନ୍ଦ ମର୍ଦ୍ଦ ବିସିଆର, କଲମ୍ ମେ ଆଏନଖୋର୍, କାଗଜ ବରଖତାର, ଦରଦସ୍ତ ପଞ୍ଚାନ୍ ଗିରଫତାନ ବଏଲରାନ ବାଡ଼ି ବାଡ଼ି ମେ ଗୋଏନ । ଚ୍ୟା କଗୋ ମାରା ପୁରସନ ଏକମ ବକ୍ତି ନାହିକ ଜାର ବାଉଲ ଚାନ୍ଦ ସୁଲତାନ ମୁରାମେ ଗୋଏନ୍ । ପିଞ୍ଚା ହାଜାରୋ ସୱାର ଲାଖୋ ବରକନ୍ଦାଜାର, ବୈମୁଲକ ଦଖିନ୍ ତାଇଁ ଆନନ୍ଦ ମୁଦ୍ ।

 

ଚୋପଦାର- ଦେଖୋ ହାମାରା ମିର୍ଜା ସାହେବ କହତେ ହେଁ ତୁମାର ଓଡ଼େଶା ମୁଲକ ମେଁ ଖାଜାନାଖାନା ନେଇଁ, ଅଓର ଲିଖନେ କେ ଲିୟେ କାଗଜ ନେଇଁ କଲମ ନେଇଁ ଅଓର ସ୍ୟାଇ ନେଇଁ । ମରଦ ଲୋକସବ ଶିରମେ ପଗଡ଼ି ନେଇ ଦେତେ ହେଁ । ଔରତ୍ ସବ କଛୁଟି ମାରକେ କପଡ଼ା ନେଇଁ ପୈରତେ ହେଁ । ଏତନା ସବ ଛୋଟାଛୋଟା ବାତ ଦେଖତେ ହେଁ । ଅଉର ହମାର ମିର୍ଜା ସାହେବ ଆନେ ଘଡ଼ି ରାସ୍ତା ମେ ଦେକା ଯେ ଏକଠୋ ଲଙ୍ଗଲିଆ ଦୋଠୋ ବଏଲ ଯୋଟକେ ଇଡ଼ି ଇଡ଼ି କରକେ ଲଙ୍ଗଲ କରତେ ହେଁ । ବଏଲ ନେଇ ଯାନେ ସେ ଉସକା ଚୁଡ଼େ ମେ ଏକଠୋ ପାଞ୍ଚନ ମେ ଦୋ ଚାର ଭୁସି ଲଗାତେ ହେଁ । ଏସେ ଏସେ ବହୁତ ଛୋଟା ଛୋଟା ବାତ ତୋମାରା ଓଡ଼ିଶା ମୁଲକ ମେ ଦେଖା ହୈ ।’’

 

ଏପରି ସଂଳାପ ନାଟକକୁ ବୁଝିବାରେ ସହାୟତା କରୁଥିବା ଦୃଷ୍ଟିରୁ ଦର୍ଶକର ବିରକ୍ତିଭାବ ହୁଏନାହିଁ । କିନ୍ତୁ ଏହାଦ୍ଵାରା ନାଟକର ସ୍ୱାଭାବିକ ଗତି ବ୍ୟାହତ ହୁଏ । ନାଟକର ଏକ ମୌଳିକ ଉପାଦାନ ନାଟ୍ୟୋତ୍କଣ୍ଠା ସୃଷ୍ଟିର ଅବକାଶ ଆସେ ନାହିଁ । ମୂଳ ଚରିତ୍ରର ବକ୍ତବ୍ୟ ଦର୍ଶକମାନଙ୍କ ନିକଟରେ ସହଜବୋଧ୍ୟ ନ ହେଲେ ନାଟକ ଗତିହୀନ ହୋଇ ପଡ଼ିବା ସ୍ୱାଭାବିକ । ପୁଣି ଚରିତ୍ରର ବିକାଶ ସହିତ ନାଟକର ବିକାଶ ଜଡ଼ିତ ହୋଇଥିବା କାରଣରୁ ଏଠାରେ ଏକ ସ୍ଥିର ଚରିତ୍ର ଦ୍ଵାରା ନାଟକୀୟ ବିକାଶ ସମ୍ଭବ ହେଉନାହିଁ । ଦର୍ଶକମାନେ ଏହି ନାଟକରେ ଉପସ୍ଥାପିତ ବହୁଭାଷାର ବିଚିତ୍ର ସମନ୍ଵୟକୁ କୌତୂହଳ ସହିତ ଉପଭୋଗ କରନ୍ତି ମାତ୍ର, ଏହାର ନାଟକୀୟତାକୁ ନୁହେଁ ।

 

ଭେସ୍ତି, ଝାଡ଼ୁୱାଲା, ଫରରାସ ପ୍ରଭୃତି ଗୌଣ ଚରିତ୍ରଗୁଡ଼ିକ ବଙ୍ଗଳା କିମ୍ବା ଉର୍ଦ୍ଦୁଭାଷାର ଗୀତ ଗାଇ ନୃତ୍ୟ ସହିତ ମଞ୍ଚ ପ୍ରବେଶ କରନ୍ତି । ମଞ୍ଚରେ ବଙ୍ଗଳା ଗୀତ ଓ ଭର୍ଦ୍ଦୁଭାଷାର ଗଦ୍ୟ ବଚନିକାରେ ନିଜର ଅଧଃପତିତ ଜୀବନର ବର୍ଣ୍ଣନା ଦିଅନ୍ତି । ଶେଷରେ ସେବାର ନିର୍ଦ୍ଦେଶ ପାଇ ଓ ବକ୍ସିସ୍ ନେଇ ଚାଲି ଯାଆନ୍ତି । ଏହି ଗୌଣ ଚରିତ୍ରଗୁଡ଼ିକର ମଧ୍ୟ କୌଣସି ପ୍ରକାରେ ବିକାଶ ଘଟେ ନାହିଁ । ନାଟକର ଶେଷ ଅଂଶରେ ମଞ୍ଚ ପ୍ରବେଶ କରନ୍ତି ଓଡ଼ିଆ ଚରିତ୍ରଗଣ । ଏଠାରେ ନାଟକୀୟ କଥାବସ୍ତୁ ପ୍ରଥମ ଅଂଶର ବିରକ୍ତିକର ଏକାଭଳି ଘଟଣାଗୁଡ଼ିକୁ ଛାଡ଼ି ଦେଇ ଏକ ନୂତନ ଘଟଣାର ଉପସ୍ଥାପନ କରିଥାଏ । ବୈଷ୍ଣବବେଶୀ ଜପାମାଳଧାରୀ ଜମିଦାର ସଙ୍ଗରେ ଗୁମାସ୍ତା, ବାରିକ, ପିଆଦା ପ୍ରଭୃତିକୁ ଧରି ମଞ୍ଚପ୍ରବେଶ କରନ୍ତି । ବାରିକ ମିର୍ଜାଙ୍କୁ ଖିଅର କରିବା ପାଇଁ ଦର୍ପଣ ରୂପେ ଚାଲୁଣି, ଖୁର ରୂପେ ପନିକି, ନହୁରୁଣୀ ରୂପେ ପିଠା ଖଡ଼ିକା ଓ ବ୍ରସ୍ ରୂପେ ଛାଞ୍ଚୁଣୀ ଆଣିଥାଏ । ଏହା ଦେଖି ଚୋପଦାର ଖିଅର କରିବାକୁ ମନାକରେ । ବାରିକ ଚରିତ୍ରଟିର ଉଦ୍ଭଟ ଆଚରଣ କେବଳ ଶୁଦ୍ଧ ହାସ୍ୟରସ ସୃଷ୍ଟି ଲାଗି ଉଦ୍ଦିଷ୍ଟ । ଜମିଦାର ପ୍ରଥମେ ଗୁମାସ୍ତାଙ୍କଠାରୁ ଖଜଣା ଆଦାୟ-ଅନାଦାୟର ହିସାବ ମାଗିଛନ୍ତି । ଏଠାରେ ପିଆଦା ଦ୍ଵାରା ଗୁମାସ୍ତାର ଲାଞ୍ଚଖୋର ସ୍ୱଭାବ ଧରାପଡ଼େ । ତା’ପରେ ଚୋପଦାର ମିର୍ଜାଙ୍କ ପକ୍ଷରୁ ଜମିଦାରଙ୍କୁ ଛୋକରୀ, ବକିରୀ, ଛପର ଖଟ ମଶାରୀ, ଚିରାୱାନ ବେପରସନ ଆଦି ମାଗିଛନ୍ତି । ଜମିଦାର ସବୁ ରସଦ୍ ଆଣିଦେବା ପାଇଁ ଆଦେଶ ଦେଇଛନ୍ତି । ସମସ୍ତ ରସଦ ମିଳିବା ପରେ ମିର୍ଜା ଜମିଦାରଙ୍କୁ ଗାଳି ଦେଇ କହନ୍ତି-

 

ବଦ୍‍ଜାତ ଓଡ଼ିଆ ଚଷା କୈଳାୱଁ ମାନଧାତା

ଖାଏ ଆମାନି ଭାତ୍ ନସିବ ମେ ମାରେ ହାତ୍

ପଡ଼ିଆ ଗୋହିରୀ ଚଷ୍‍କେ ହୁଆହେ ବଡ଼ ମଗରି ।

 

ଏଥିରେ ଭୟଭୀତ ହୋଇ ଜମିଦାର ନିଜ ଲୋକମାନଙ୍କୁ ନେଇ ପ୍ରସ୍ଥାନ କରନ୍ତି । ଏହା ପରେ ଗଉଡ଼ୁଣୀ ଦହି ନେଇ ଆସେ । ଦହିର ଗୁଣ ବର୍ଣ୍ଣନ ସହିତ ନିଜର ଗୁଣ ବର୍ଣ୍ଣନ କରେ । ପୁଣି ଆତ୍ମପରିଚୟ ଦେବା ସଙ୍ଗେ ସଙ୍ଗେ ନିଜର ପାରିବାରିକ ଓ ସାମାଜିକ ଅବସ୍ଥାର ସୂଚନା ଦିଏ । ତାପରେ ମିର୍ଜାଙ୍କ ପ୍ରେମ ନିବେଦନକୁ ପ୍ରଥମେ ପ୍ରତ୍ୟାଖ୍ୟାନ କରି ଶେଷରେ ଗ୍ରହଣ କରେ । ଗଉଡ଼ୁଣୀର ପ୍ରସ୍ଥାନରେ ନାଟକ ଶେଷ ହୁଏ ।

 

ଓଡ଼ିଆ ନାଟ୍ୟାଂଶର ପ୍ରଥମ ଭାଗରେ ଯେଉଁ ଚିତ୍ର ଦିଆଯାଇଛି, ସେଥିରେ ମୋଗଲ ଶାସକମାନଙ୍କ ଦ୍ଵାରା ହିନ୍ଦୁ ଜମିଦାରମାନଙ୍କ ଶୋଷଣ, ସେମାନଙ୍କ ପ୍ରତି ତୁଚ୍ଛତାତୁଲ୍ୟ ଭାବ ପ୍ରଦର୍ଶନ ଆଂଶିକ ଭାବେ ପ୍ରତିଫଳିତ । ଓଡ଼ିଆ ଜମିଦାର ଚରିତ୍ରଟିକୁ ବଡ଼ ଭୟାଳୁ ଓ ହାସ୍ୟାସ୍ପଦ ଭାବେ ଉପସ୍ଥାପିତ କରାଯାଇଛି । ଏହା ଯଥାର୍ଥରେ ଓଡ଼ିଆ ସମାଜକୁ ନିୟନ୍ତ୍ରଣ କରୁଥିବା ଜମିଦାରମାନଙ୍କ ଚିତ୍ର ନୁହେଁ । ଜମିଦାରଙ୍କ ପ୍ରତି ଉଦ୍ଦିଷ୍ଟ ଅପମାନଜନକ ଗାଳି ‘ବଦ୍‍ଜାତ ଓଡ଼ିଆ ଚଷା’ରେ ଓଡ଼ିଆ ଜାତିର ଗୌଣତ୍ୱ ସୂଚିତ । ଭୀତ, ସଙ୍କୁଚିତ ଜମିଦାରଙ୍କ ଅଗୌରବମୂଳକ ପଳାୟନ ଚିତ୍ର ଓଡ଼ିଆ ଜାତି ପ୍ରତି ଏକ ପ୍ରଚଣ୍ଡ ବିଦ୍ରୁପ । ପୂର୍ବରୁ ମିର୍ଜାର ସଂଳାପରେ ଓଡ଼ିଶା ପ୍ରତି ଏକ ହେୟ ମନୋଭାବ ପ୍ରକଟିତ । ଓଡ଼ିଶାର ସଙ୍କୁଚିତ ଭୌଗୋଳିକ ପରିସୀମା ଏବଂ ଓଡ଼ିଆ ଲୋକଙ୍କ ସାମାଜିକ ଆଚାର ବ୍ୟବହାର ପ୍ରତି ମିର୍ଜାଙ୍କ ସଂକୀର୍ଣ୍ଣ ମନୋଭାବ ଏଥରେ ସ୍ୱଷ୍ଟ । ଏକ ଦୀର୍ଘ ସଂଳାପରେ ଏହା ପ୍ରକଟିତ । ସଂଳାପର ଶେଷାଂଶଟି ଏହିପରି- “ବହୁତ ଛୋଟା ଛୋଟା ବାତ ତୋମାରା ଓଡ଼ିଶା ମୁଲକ ମେ ଦେଖାହେ ।” ପୁଣି ନାଟକର ଶେଷ ଅଂଶରେ ଓଡ଼ିଆ ଗଉଡ଼ୁଣୀ ଚରିତ୍ରକୁ ଏକ ଶସ୍ତା ଇତର ନାରୀ ଭାବରେ ଚିତ୍ରଣ କରାଯାଇଛି । ଗଉଡ଼ୁଣୀ ଚରିତ୍ରର ଦୁର୍ବଳ ମାନସିକତା ଏଥିରେ ପ୍ରତିଫଳିତ । ମିର୍ଜାର ପ୍ରସ୍ତାବକୁ ପ୍ରଥମେ ଦୃଢ଼ଭାବେ ପ୍ରତ୍ୟାଖ୍ୟାନ କରି ଗଉଡ଼ୁଣୀ କହିଛି-

 

ଦେଖ ଦେଖରେ ଯବନ ମୋତେ ମାଗୁଅଛି ରତିରେ

ଦରିଦ୍ର ଲୋଡ଼ଇ ଯେହ୍ନେ ବାସବ ସଂପତ୍ତିରେ ॥

× × ×

ପଶ୍ଚିମେ ଯଦି ସେ ଭାନୁ ଉଇଁବ ।

ପର୍ବତ ଶିଖେ କୁମୁଦ ଫୁଟିବ ।

ପାଣିରେ ପ୍ରଦୀପ ଯେବେ ଜଳିବ ।

ତେବେ ସେ ଯବନ ମୋତେ ଛୁଇଁବ ॥

× × ×

 

ଯବନ ହୋଇ କାନି ପାତିଲେରେ ସଜନୀ ଶରଦ ଶଶୀ କି ପାଇରେ । ଏହି ଦୃଢ଼ ପ୍ରତ୍ୟାଖ୍ୟାନ କିନ୍ତୁ ପରବର୍ତ୍ତୀ ସମୟରେ କ୍ରମଶଃ କୋମଳ ସହାନୁଭୂତିପୂର୍ଣ୍ଣ ସମ୍ମତିରେ ପରିଣତ ହୋଇଛି ।

 

ସୁଲା ଶାଗ ମୋଟି ମୋଟି ବୋଲୁ ଥାଇ ସୁଲା ଶାଗ ମୋଟି

ମୋଟି ମୁଗଲ ସାଙ୍ଗରେ କାନି ପୀରତିରେ ଜୀବନ, ଖାଇବି ଗହମ ରୋଟି ।

ଗୁଆ ଭଙ୍ଗା ଖିଲିକାତି ବୋଲୁଥାଇ ଗୁଆଭଙ୍ଗା ଖିଲିକାତି

କୋଡ଼ରେ ବସାଇ ପାନ ଖୁଆନ୍ତିରେ ଯବନ, ନୋହିଲୁ ଆପଣା ଜାତି ।

× × ×

ଯାଉ ଜାତିପତି ଯାଉ ସତୀପଣ, ନୋହିବ ପଛକେ ନୋହିବ

ଆଶା କଲାଟାକୁ ନିରାଶ କଲେ ସେ ଜୀବନ, ଦଇବ କେମନ୍ତେ ସହିବ ।

 

ଡକ୍ଟର କୃଷ୍ଣଚରଣ ବେହେରା ପୁସ୍ତକର ମୁଖବନ୍ଧରେ କହିଛନ୍ତି- ସେ କାଳର ହାଟୁଆ ଘରର ଝିଅବହୂଙ୍କ ମାନ ଇଜ୍ଜତ କିପରି ଥିଲା, ତାହା ଏଇଥିରୁ ଜଣାପଡ଼େ । କିନ୍ତୁ ଏହି ଉକ୍ତିଟି ଉପରୋକ୍ତ ଗୀତାଂଶ ପ୍ରତିଫଳିତ ବକ୍ତବ୍ୟର ବିରୋଧାଭାସ ନୁହେଁ କି ? ମୁଖବନ୍ଧର ଶେଷ ଅଂଶସ୍ଥିତ ବେହେରାଙ୍କ ଉକ୍ତି, ‘ଶାସକମାନଙ୍କ ଛୋକ୍ରୀବକ୍ରି ମନୋବୃତ୍ତି ଉପରେ କଟୁ ଓ ତୀବ୍ର ଆକ୍ଷେପ କରାଯାଇଛି’ କିନ୍ତୁ ନାଟକର କୌଣସିଠାରେ ପ୍ରତିପାଦିତ ହୋଇପାରି ନାହିଁ । ପୁଣି କବି ଶେଖର ଚିନ୍ତାମଣି ମହାନ୍ତି ‘ସାକଳୀ’ କାବ୍ୟରେ ମୋଗଲ ତାମସାର ବିଷୟବସ୍ତୁ ସଂପର୍କରେ ଯାହା କହିଛନ୍ତି,

 

(ମୋଗଲ ରାଜାଙ୍କ ଅତି ବିଳାସିତା

ତଥା ଆତ୍ୟାଚାର ଅଦୂରଦର୍ଶିତା ।

ତନ୍ନ ତନ୍ନ କରି ଆଙ୍କିଛନ୍ତି କବି

ଆବର ଶାସନ ବିଶୃଙ୍ଖଳ ଛବି ।)

 

ତା’ର ସ୍ଵରୂପ ମଧ୍ୟ ନାଟକରେ ପ୍ରତିଫଳିତ ହୋଇନାହିଁ ।

 

‘ଶୁଭାଶିଷ’ ଅଂଶରେ କବିଚନ୍ଦ୍ର କାଳୀଚରଣ “ମୋଗଲ ତାମସା”ର ଲେଖକଙ୍କ ସଂପର୍କରେ କହିଛନ୍ତି- ହିନ୍ଦୁ ମୁସଲମାନ ମମତା ବନ୍ଧନର ଏକ ଅପୂର୍ବ ବେଦୀ ଗଢ଼ି ଯାଇଛନ୍ତି ସେ-।” ନାଟକରେ ହିନ୍ଦୁ ମୁସଲମାନ ମୈତ୍ରୀ ସଂପର୍କିତ କୌଣସି ଉପାଦାନ ନାହିଁ । ନାଟ୍ୟାଭିନୟ ଓ ନାଟ୍ୟୋପଭୋଗରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକ ଅଂଶ ଗ୍ରହଣ କରୁଥୁବା ହେତୁ ଯାହା କିଛି ସାଂପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠିତ ହୋଇଥାଏ । କିନ୍ତୁ ଡକ୍ଟର ବେହେରାଙ୍କ ଗୋଟିଏ ଉକ୍ତି ସଂପର୍କରେ ସଂଶୟ ଜନ୍ମେ । ସେ ଲେଖଛନ୍ତି- “ସର୍ବୋପରି ଶିବ ମନ୍ଦିର ସମ୍ମୁଖରେ ତାମସା - ଅଭିନୟ ରୀତି, ହିନ୍ଦୁ-ମୁସଲମାନ ମୈତ୍ରୀ ଓ ସଂହତିର ସୂଚନା ଦିଏ ।” ଶିବ ମନ୍ଦିର ଆଗରେ ଶିବାରାଧନାମୂଳକ ଓ ଶିବମହିମାସୂଚକ ଦଣ୍ତନାଟ ଅଭିନୀତ ହେବା ଏକ ସ୍ୱାଭାବିକ ବ୍ୟାପାର । କିନ୍ତୁ ମୋଗଲ ଗୌରବ ସୂଚକ ତାମସା ଅଭିନୟର କୌଣସି ଯୁକ୍ତିଯୁକ୍ତତା ଖୋଜି ପାଇ ହୁଏନାହିଁ । ନାଟକଟିରେ ମୋଗଲ ଚରିତ୍ରଗୁଡ଼ିକର ଆଡ଼ମ୍ବର ଓ ଦାମ୍ଭିକତା ପ୍ରଦର୍ଶିତ ହେଲାବେଳେ ମୁଷ୍ଟିମେୟ ହିନ୍ଦୁ ଚରିତ୍ରର ଭୀତ ସଙ୍କୁଳିତ ଭାବ ପ୍ରଦର୍ଶିତ ହୋଇଛି । ମୋଗଲ ତାମସା ଏକ ଧର୍ମ ନିରପେକ୍ଷ ନାଟକ ହୋଇଥିଲେ ମଧ୍ୟ ନାଟ୍ୟାଭିନୟ ଆରମ୍ଭ ପୂର୍ବରୁ ଗାୟକ ଓ ବାଦକମାନଙ୍କ ଦ୍ଵାରା ଏକ ମୈଥିଳୀ ଭାଷାର ଶିବବନ୍ଦନା ଗାନ କରାଯାଇଛି । ମଧ୍ୟଭାଗରେ ଶିବଙ୍କ ସଂପର୍କରେ ଛଅଟି ବର୍ଣ୍ଣନାତ୍ମକ ଓ ସ୍ତୁତିମୂଳକ ସଙ୍ଗୀତ ରହିଛି । ଶିବ ମନ୍ଦିର ସମ୍ମୁଖରେ ଅଭିନୀତ ନାଟକରେ ମୈଥିଳୀ ଭାଷାର ଆଠଟି ଶିବ ବନ୍ଦନା ରହିବା ସଙ୍ଗତ । କାରଣ ବୈଷ୍ଣବ ଧର୍ମର ପ୍ରାଧାନ୍ୟ କାଳରେ ପୂର୍ବ ଭାରତୀୟ ଭକ୍ତି ସାହିତ୍ୟରେ ମୈଥିଳୀ ଭାଷା ଏକ ସାର୍ବଜନୀନ ଭାଷା ରୂପେ ଗୃହୀତ ହୋଇଥିଲା-। ଭାଟ ମୁଖରେ ପ୍ରଦତ୍ତ ଶେଷ ସ୍ତୁତିମୂଳକ ଗୀତଟି କାଳୀଭବାନୀଙ୍କ ସଂପର୍କିତ । ଭେସ୍ତ, ଝାଡ଼ୁୱାଲା ଓ ମିର୍ଜା ଚରିତ୍ରଙ୍କ ମୁଖରେ ଶିବ ବର୍ଣ୍ଣନାତ୍ମକ ଗୀତ ଦିଆଯାଇଥିବା ସ୍ଥଳେ ଫରରାସ, ହୁକାୱାଲା, ପଙ୍ଖାୱାଲା ଓ ଦପ୍ତର ୱାଲାଙ୍କ ମୁଖରେ ସ୍ତୁତିମୂଳକ ସଙ୍ଗୀତ ଦିଆଯାଇଛି । ମିର୍ଜା ପ୍ରଥମେ ମୌଜାର ବର୍ଣ୍ଣନା ଦେବାପରେ ଗ୍ରାମାଧିଷ୍ଠିତ ଦେବତା ଶିବଙ୍କର ବର୍ଣ୍ଣନା କରିଛି । କାରଣ ମହାଦେବଙ୍କୁ ଛାଡ଼ିଦେଲେ ଗ୍ରାମର ବର୍ଣ୍ଣନା ଅସଂପୂର୍ଣ୍ତ । ମିର୍ଜାର ମହାଦେବ ତାରିଫ ଗୀତଟି ମୈଥିଳୀ- ବ୍ରଜବୋଲି ଭାଷାରେ ରଚିତ । ଏଥିରେ କିନ୍ତୁ ମହାଦେବଙ୍କ ପ୍ରତି କୌଣସି ସମ୍ମାନବୋଧ ପ୍ରକଟିତ ହୋଇନାହିଁ । ପାଠକମାନଙ୍କ କୌତୂହଳ ନିବୃତ୍ତି ଲାଗି ନିମ୍ନରେ ଗୀତଟି ଉଦ୍ଧୃତ କରାଯାଉଛି-

 

ଜଟାଜୁଟ୍ ମକୁଟ ଶିରେ ଗଂଗ ଶୋହେ

ଅର୍ଦ୍ଧ ଚନ୍ଦ୍ ବିରାଜିତ ଶିର ଉପର

ଆଁଶ ରଂଗ କି ଭଂଗ ସେ ଚଂଗ ଚଢ଼େ

ବମ୍ ବମ୍ ଭୋଳା ସଦାଶିବ ଶଙ୍କର ।

କର୍ଣ୍ଣମୁଦ୍ରାକି କୋଚ୍‍ ଜଗତ୍‍ ଭାୱେଁ

ଯୋ ହାତ ଶୋହେ ଶୋହେ ଡମ୍ବରୁ ପର ।

ସାହାପୁର ମୌଳେ ଗଡ଼ ନ୍ୟାରୋଁ

ଦେଖା ବମ୍ ବମ୍ ଭୋଲା ସଦାଶିବ ଶଙ୍କର ।

 

ଶିବ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହେଉଥିବା ଲୋକନାଟ୍ୟର ମୁଖ୍ୟ ଚରିତ୍ର ମୁଖରେ ସ୍ଵାଭାବିକ ଭାବେ ଶିବବନ୍ଦନା ରହିବା କଥା । କିନ୍ତୁ ଏଠାରେ ଏହାର ଘଟିଛି । ମୁଖ୍ୟ ଚରିତ୍ରଟି ମୋଗଲ ହୋଇଥିବାରୁ ସେ ହିନ୍ଦୁ ଆରାଧ୍ୟ ଦେବତାଙ୍କ ପ୍ରତି ଭକ୍ତି ନିବେଦନ କରିନାହିଁ । କିନ୍ତୁ କୌଣସି ଓଡ଼ିଆ ଲୋକ ନାଟ୍ୟରେ ଏ ପରି ଘଟଣା ପରିଲକ୍ଷିତ ହୁଏ ନାହିଁ । ଯେଉଁ ନାଟକରେ ହିନ୍ଦୁ ଦେବତା ପ୍ରତି ମୁସଲମାନ ଚରିତ୍ରଗୁଡ଼ିକର ସଂଭ୍ରମ ଓ ସମ୍ମାନ ପ୍ରଦର୍ଶିତ ହୋଇନାହିଁ, ତାହା ହିନ୍ଦୁ ମୁସଲମାନ ମୈତ୍ରୀର ସୂଚନା ଦେଉଛି ବୋଲି କହିବା ଯୁକ୍ତିଯୁକ୍ତ ନୁହେଁ । ବରଂ ସତ୍ୟପୀରଙ୍କୁ ମୁସଲମାନ ଓ ହିନ୍ଦୁ ଉଭୟ ସଂପ୍ରଦାୟ ଭକ୍ତି ପ୍ରଦର୍ଶନ କରିବା ପରି ଏଠାରେ ନଟରାଜ ଶିବଙ୍କୁ ଉଭୟ ସଂପ୍ରଦାୟ ଭକ୍ତି ପ୍ରଦର୍ଶନ କରିଥିଲେ ମୈତ୍ରୀ ଓ ସମନ୍ଵୟର କଥା ବିଚାର କରାଯାଇ ପାରିଥାଆନ୍ତା ।

 

ନାଟକଟିରେ ହିନ୍ଦୁ ପ୍ରଜାମାନଙ୍କ ପ୍ରତି ମୋଗଲ ଶାସକର ଯଥେଚ୍ଛା ବ୍ୟବହାର ଓ ହେୟଭାବ ପ୍ରକଟିତ ହୋଇଛି । ଏଥରୁ ହିନ୍ଦୁମାନଙ୍କର ସର୍ବଶକ୍ତିମାନ ଦେବତା ଶିବ ମଧ୍ୟ ବାଦ୍ ଯାଇନାହାନ୍ତି । କଥାବସ୍ତୁ ଓ ଉପସ୍ଥାପନାରୁ ମନେହୁଏ ମୋଗଲ ଶାସକର ବିଳାସ, ଆଡ଼ମ୍ବର, ଗୌରବ ପ୍ରଦର୍ଶନ ସହିତ ହିନ୍ଦୁ ଜମିଦାର ଓ ପ୍ରଜାମାନଙ୍କର ଗୌଣତ୍ଵ ପ୍ରଦର୍ଶନ ଏ ନାଟକର ଉଦ୍ଦେଶ୍ୟ । ତତ୍କାଳୀନ ସମାଜର ଏପରି ଏକ ଚିତ୍ର ବଂଶୀବଲ୍ଳଭଙ୍କୁ ଏହି ନାଟକ ଲେଖିବାରେ ପ୍ରଭାବିତ କରିଥିବ ବୋଲି ଅନୁମାନ କରାଯିବା ସ୍ୱାଭାବିକ । ଏକ ମୋଗଲ-ମରାଠା ଶାସନାଧୀନ, ଅଧଃପତିତ, ଆମଗୌରବହୀନ ଜାତିର ମନ ଏହି ନାଟକ ଦେଖି ଅଧିକ ସଙ୍କୁଚିତ ହୋଇଥିବ ସିନା, ପ୍ରସାରିତ ହୋଇ ନଥିବ । ସେ ସମୟରେ ଅବଶ୍ୟ ଜାତୀୟ ଗୌରବର ଉଦ୍‍ବୋଧନ ବା ଆଶାବାଦର ସଂଚାର ପରି ଉଦ୍ଦେଶ୍ୟ ନାଟକ ଭିତରକୁ ଆସି ନଥିଲା । ନାଟକର ଉଦ୍ଦେଶ୍ୟ ଥିଲା ଆନନ୍ଦଦାନ ଓ ହିତସାଧନ । ସେଇ ଉଦ୍ଦେଶ୍ୟରେ ନାଟକରେ ପୌରାଣିକ କାହାଣୀ ଉପସ୍ଥାପନ ଦ୍ଵାରା ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇ ରୁଗ୍‍ଣ ମାନସିକତା ଓ ଗ୍ଲାନି ବୋଧକୁ ଦୂରୀଭୂତ କରାଯାଉଥିଲା । ବଂଶୀବଲ୍ଲଭ ଲୋକନାଟକରେ ଏହି ସାମାଜିକ କର୍ତ୍ତବ୍ୟବୋଧଟିକୁ ବିସ୍ତୃତ ହୋଇ ଯାଇଛନ୍ତି ।

 

ସ୍ଵଳ୍ପ ଓଡ଼ିଆ ଭାଷା ଓ ସ୍ୱଳ୍ପ ଓଡ଼ିଆ ଚରିତ୍ର ସମ୍ବଳିତ ସଂପୂର୍ଣ୍ଣ ଆଞ୍ଚଳିକ ଏକ କଳାବୈଚିତ୍ର୍ୟହୀନ ପାର୍ସୀ-ଉର୍ଦ୍ଦୁଭାଷା ପ୍ରଧାନ ଲୋକନାଟକକୁ ଓଡ଼ିଆ ସଂସ୍କୃତିର ବାହକ ଭାବେ ପ୍ରତିପାଦିତ କରିବା ଏକ ବ୍ୟର୍ଥ ପ୍ରୟାସ । ଶିବ ମନ୍ଦିର ସମ୍ମୁଖରେ ମୋଗଲ ଶାସକର ପ୍ରାଧାନ୍ୟ ଓ ଅହମିକା ପ୍ରଦର୍ଶନ ସହିତ ହିନ୍ଦୁ ପ୍ରଜାର ଦୈନ୍ୟ ପ୍ରଦର୍ଶନ ଏକ ଉଦ୍ଭଟ ବ୍ୟାପାର । ଏହା କୌଣସି ଧର୍ମରେ ବା ଆଧ୍ୟାତ୍ମିକ ଭାବନା ଜାଗ୍ରତ କରାଏ ନାହିଁ । ଓଡ଼ିଆ ଚରିତ୍ରଗୁଡ଼ିକୁ ଯେପରି ଭାବେ ଚିତ୍ରଣ କରାଯାଇଛି, ସେଥିରୁ କେବଳ ସୂଚିତ ହୁଏ ଓଡ଼ିଆ ଜାତି ପ୍ରତି ବ୍ୟଙ୍ଗ ଓ ବିଦ୍ରୂପ । ଏଥିରେ ହିନ୍ଦୁଧର୍ମ ପ୍ରଭାବିତ ଓଡ଼ିଆ ସଂସ୍କୃତିର ଚିହ୍ନବର୍ଣ୍ଣ ନାହିଁ । ଯାହା କିଛି ଅଛି, ତାହା କେବଳ ମୋଗଲ ସଂସ୍କୃତିର । ପ୍ରାଥମିକ ସ୍ତରର ଆଲୋଚନାରେ ଯେଉଁ ଭାବପ୍ରବଣତା ଦେଖାଦେଇଛି, ତାହା ନାଟ୍ୟସୃଷ୍ଟିର ପୃଷ୍ଠଭୂମି, ପରିମଣ୍ଡଳ, ଭାଷା, ନାଟ୍ୟ-ଉପାଦାନ ଓ ନାଟକୀୟ ଉଦ୍ଦେଶ୍ୟ ସମ୍ପର୍କିତ ବିଶଦ ଆଲୋଚନା ଫଳରେ ଯଥୋଚିତ ଦୂରୀଭୂତ ହୋଇ ପାରିବ ବୋଲି ଆଶା ।

 

ପ୍ରକାଶ ଥାଉକି ବିଶିଷ୍ଟ ସମାଲୋଚକ କୃଷ୍ଣଚରଣ ବେହେରା ମୋଗଲ ତାମସାର ସମ୍ପାଦନା, ଆଲୋଚନା ଓ ପ୍ରକାଶନ ଦ୍ଵାରା ସମସ୍ତଙ୍କର କୃତଜ୍ଞତାର ପାତ୍ର ହୋଇଛନ୍ତି । ଏହି ସମାଲୋଚନା ପ୍ରବନ୍ଧ ତାଙ୍କ ସମ୍ପାଦିତ ପୁସ୍ତକ ଉପରେ ଆଧାରିତ ।

 

 

୨୫, ଆଣ୍ଡୃଜପଲ୍ଲୀ,

ଶାନ୍ତିନିକେତନ--୭୩୧ ୨୩୫,

(ପଶ୍ଚିମବଙ୍ଗ)

 

***

 

Unknown

ଅନାବିଷ୍କୃତ କବି ପୁରୁଷୋତ୍ତମ ଦାସ ଓ ‘ଦ୍ଵାରିକା ରାହାସ’

ଡକ୍ଟର ଦାଶରଥି ଆଚାର୍ଯ୍ୟ

 

ପୁରୁଷୋତ୍ତମ ଦାସ ଏକ ଅନାବିଷ୍କୃତ କବି । ‘ଦ୍ଵାରିକା ରାହାସ’ ତାଙ୍କର କୃଷ୍ଣଲୀଳା ବିଷୟକ ଏକ କାବ୍ୟ । ଏଥିରେ ସେ, ଦ୍ୱାରିକାରେ ଅଷ୍ଟପାଟ ବଂଶୀଙ୍କ ଆଗରେ ଗୋପୀପ୍ରେମର ଶ୍ରେଷ୍ଠତା ପ୍ରକାଶ କରିବା ପାଇଁ ଶ୍ରୀକୃଷ୍ଣ ଉଦ୍ଧବଙ୍କ ଦ୍ୱାରା ଗୋପରୁ ଶ୍ରୀରାଧାଙ୍କ ସମେତ ଗୋପୀମାନଙ୍କୁ ଡକାଇ ଆଣି ରାସକ୍ରୀଡ଼ା କରିବା ଓ ପରିଶେଷରେ ସମସ୍ତଙ୍କୁ ନିଜନିକ ସ୍ଥଳରେ ପହଞ୍ଚାଇ ଦେବା ଭଳି, ଏକ ନୂତନ କଥାବସ୍ତୁକୁ ନେଇ କାବ୍ୟ ରଚନା କରିଛନ୍ତି । ମୋଟ ୧୨ଟି ଛାନ୍ଦ ବିଶିଷ୍ଟ ଏହି କାବ୍ୟ ପ୍ରାକ୍ ଉପେନ୍ଦ୍ର ଓଡ଼ିଆ ରୀତି କାବ୍ୟଧାରାର ଏକ ଅମଳିନ କୀର୍ତ୍ତି ।

 

କବି ଖୋର୍ଦ୍ଧା ଭୋଇବଂଶୀୟ ଗଜପତି ରାମଚନ୍ଦ୍ର ଦେବ ୧ମଙ୍କ ପୁତ୍ର ଗଜପତି ପୁରୁଷୋତ୍ତମ ଦେବଙ୍କ, ଅର୍ଥାତ୍ ଖ୍ରୀ:ଅ: ୧୬୦୭-୧୬୨୨ ଖ୍ରୀ:ଅ: ସମକାଳୀନ ସ୍ୱକାବ୍ୟର ଉପସଂହାରରେ ନିଜ ପରିଚୟ ଉଲ୍ଲେଖ କରି ସେ ଏକଥା ପ୍ରକାଶ କରିଛନ୍ତି । ଉଲ୍ଲିଖିତ ଗଜପତିଙ୍କ କରଣ ବଳଭଦ୍ର ମହାନ୍ତି ତାଙ୍କର ପିତା । ଜ୍ଞାନମାର୍ଗୀ ଉତ୍କଳୀୟ ଓ ପ୍ରେମମାର୍ଗୀ ଗୌଡ଼ୀୟ ବୈଷ୍ଣବ ଧର୍ମ ଆନ୍ଦୋଳନ ବେଳେ ୧୬ଶ ଶତକର ଶେଷ ଦଶନ୍ଧିରୁ ୧୭ଶ ଶତକର ପ୍ରଥମାର୍ଦ୍ଧ ସମୟସୀମା ଭିତରେ ସେ ଆବିର୍ଭୂତ ହୋଇ ଉକ୍ତ ଉଭୟ ବୈଷ୍ଣବୀୟ ଧାରାର ସମନ୍ୱୟବାଦୀ ଭାବରେ କାବ୍ୟରେ ନିଜ ଦୃଷ୍ଟିଭଙ୍ଗୀକୁ ଉପସ୍ଥାପିତ କରିଛନ୍ତି ।

 

କାଞ୍ଚିକାବେରୀ ଓ ଗଙ୍ଗାମାହାତ୍ମ୍ୟ ଆଦି ଯେଉଁ ଯେଉଁ ପୁରୁଷୋତ୍ତମ ଦାସଙ୍କ ନାମରେ ମିଳୁଛି, ଏ ବ୍ୟକ୍ତି ସେ ନୁହନ୍ତି । କାବ୍ୟରେ ନିଜ ପରିଚୟ ଦେଇ ସେ ଏକଥା ସୃଷ୍ଟ କରିଦେଇଛନ୍ତି । ମୋଟରେ ଓଡ଼ିଆ ସାହିତ୍ୟରେ ଆମେ ତିନିଜଣ ଭିନ୍ନ ଭିନ୍ନ ସମୟର ପୁରୁଷୋତ୍ତମ ଦାସଙ୍କୁ ଦେଖିବାକୁ ପାଉ ।

 

ଦ୍ଵାରିକା ରାହାସରେ ସେ କିଞ୍ଚିତ୍ ପୂର୍ବବର୍ତ୍ତୀ କବି ଚାନ୍ଦ ଦାସଙ୍କ ଗୋପୀଚନ୍ଦନକୁ ହିଁ ବିଷୟ ଦୃଷ୍ଟିରୁ ଅନୁକରଣ କରିଛନ୍ତି । ଅନୁକରଣରେ ମୌଳିକତା ପ୍ରଦର୍ଶନ ତାଙ୍କର ଶ୍ରେଷ୍ଠ କବି ଗୌରବ ରୂପେ ଉଦ୍‌ଭାସିତ ହୋଇଛି । ସେ ରହସ୍ୟମଞ୍ଜରୀ ଓ ଜଗନ୍ନାଥଙ୍କ ଭାଗବତ ୧୦ମ ସ୍କନ୍ଧ ଦ୍ଵାରା ମଧ୍ୟ ପ୍ରଭାବିତ ।

 

କାବ୍ୟାଦର୍ଶ ଦୃଷ୍ଟିରୁ ୧୬ଶ/୧୭ଶ ଶତାବ୍ଦୀର ଓଡ଼ିଆ ପ୍ରାକ୍‌ଭଞ୍ଜୀୟ ରୀତି କାବ୍ୟ ଚେତନାର ସମସ୍ତ ବିଶେଷତ୍ୱର ନିଷ୍ଠାପର ଉପସ୍ଥାପନ, ଦ୍ଵାରିକା ରାହାସକୁ ମର୍ଯ୍ୟାଦାବନ୍ତ କରିଛି । ସେ ଏ ଦୃଷ୍ଟିରୁ ପରବର୍ତ୍ତୀ ରୀତି ଚେତନାର ଅଧିକ ନିକଟବର୍ତ୍ତୀ ଠିକ୍ କାର୍ତ୍ତିକ ଦାସ ଓ ବିଷ୍ଣୁ ଦାସ ପ୍ରମୁଖଙ୍କ ପରି । ପ୍ରକୃତି ଚିତ୍ରଣରେ ସମଗ୍ର ମଧ୍ୟକାଳୀନ ଓଡ଼ିଆ କାବ୍ୟରେ ସେ ନୂତନ ଦିଗନ୍ତର ତୋରଣ ଉଦ୍‌ଘାଟନ କରିଛନ୍ତି । ବସ୍ତୁତଃ, ଐତିହାସିକତା, ସାମାଜିକତା, ଦାର୍ଶନିକତା, ଆଧ୍ୟାତ୍ମିକତା ତଥା ଯୁଗାଦର୍ଶର ଜଣେ ସଫଳ ରୂପକାର ଭାବେ ସେ ଓଡ଼ିଆ ସାହିତ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ ଏହା ନିଃସନ୍ଦେହ ।

 

ଦୁଃଖର କଥା, ଆଜିଯାଏ ଏ କବି ଲୋକଲୋଚନର ଅନ୍ତରାଳରେ ରହିଯାଇଛନ୍ତି । ତେଣୁ ଏପର୍ଯ୍ୟନ୍ତ ଓଡ଼ିଆ ଗବେଷକମାନେ ପୁରୁଷୋତ୍ତମ ଦାସ ଓ ତାଙ୍କ ଦ୍ଵାରିକା ରାହାସ ସମ୍ପର୍କରେ ଅଜ୍ଞାତ ଅଛନ୍ତି ।

 

ପ୍ରାଗ୍‍ଭାଷ : ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ଓଡ଼ିଆ ଜାତିର ଜୀବନ-ଧାରାରେ ଏକ ଗୌରବମୟ ଅଧ୍ୟାୟ । ଏହି ସମୟର ଏକ ପୂର୍ଣ୍ଣାଙ୍ଗ ସାଂସ୍କୃତିକ ଇତିହାସ ପ୍ରଣୟନ ନିମନ୍ତେ ତତ୍କାଳୀନ ସମସ୍ତ କବି ଓ ଲେଖକଙ୍କର ପାଣ୍ଡୁଲିପି ସଂଗ୍ରହ ଓ ସମ୍ପାଦନାର ପ୍ରମୁଖ ଆବଶ୍ୟକତା ରହିଛି । ମାତ୍ର, ଏପର୍ଯ୍ୟନ୍ତ ଓଡ଼ିଆ ସମାଲୋଚନା ସାହିତ୍ୟ ସେସବୁର ପୂର୍ଣ୍ଣ ଆବିଷ୍କାର ଓ ସମ୍ପାଦନା କରିପାରି ନାହିଁ । ଏ କ୍ଷେତ୍ରରେ ବହୁ କବି ଆବିଷ୍କୃତ ହୋଇ ଅନାଲୋଚିତ ଥିବାବେଳେ ଅନ୍ୟ କେତେଜଣ ଅନାବିଷ୍କୃତ ତଥା ଅନାଲୋଚିତ ରହିଛନ୍ତି । ଏହିପରି ଏକ ଅନାବିଷ୍କୃତ ତଥା ଅନାଲୋଚିତ କବି ହେଉଛନ୍ତି “ଦ୍ଵାରିକା ରାହାସ” କାବ୍ୟର ପ୍ରଣେତା ପୁରୁଷୋତ୍ତମ ଦାସ ।

 

ଷୋଡ଼ଶ ଶତାବ୍ଦୀର ଆଦ୍ୟପାଦରେ ଶ୍ରୀଚୈତନ୍ୟଙ୍କ ଉତ୍କଳାଗମନ ପରେ ଏ ଦେଶର ସାଂସ୍କୃତିକ ଜଳବାୟୁରେ ବିପୁଳ ପରିବର୍ତ୍ତନର ସୂତ୍ରପାତ ହେଲା । ପୂର୍ବରୁ ଜୟଦେବ ଗୋସ୍ଵାମୀ, ରାୟ ରାମାନନ୍ଦ ପ୍ରଭୃତିଙ୍କ ଦ୍ଵାରା ପ୍ରବର୍ତ୍ତିତ ଏବଂ ସେତେବେଳେ ଶ୍ରୀଚୈତନ୍ୟଙ୍କ ଦ୍ଵାରା ପ୍ରଚାରିତ ପ୍ରେମଭକ୍ତି ଧର୍ମଧାରାର ପ୍ରଭାବ, ପରବର୍ତ୍ତୀ ଓଡ଼ିଆ ସାହିତ୍ୟକୁ ବିପୁଳ ପରିମାଣରେ ପ୍ରଭାବିତ କରିଥିଲା । ଫଳତଃ ୧୬ଶ/୧୭ଶ ଶତାବ୍ଦୀରୁ ୧୯ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ କାବ୍ୟଧାରାରେ ପ୍ରେମଭକ୍ତି ତତ୍ତ୍ଵ ସମ୍ବଳିତ ଗୌଡ଼ୀୟ ବୈଷ୍ଣବ ଧର୍ମ ଚେତନାର ଏକ ବିକଶିତ ରୂପ ଦେଖିବାକୁ ମିଳିଲା । ଅଷ୍ଟପାଟବଂଶୀଙ୍କ ଆଗରେ ଗୋପୀପ୍ରେମର ମହତ୍ତ୍ଵ ପ୍ରତିପାଦନ ନିମନ୍ତେ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଦ୍ଵାରକାକୁ ଅଣାଇ ରାସକ୍ରୀଡ଼ା ଅନୁଷ୍ଠାନ କରିବା ପ୍ରସଙ୍ଗକୁ ଆଧାର କରି ରଚିତ, ‘ଦ୍ଵାରିକା ରାହାସ’ କାବ୍ୟ କେବଳ ବୈଷ୍ଣବୀୟ ପରମ୍ପରା କ୍ଷେତ୍ରରେ ନୁହେଁ, ସମଗ୍ର ପ୍ରାକ୍‍ଭଞ୍ଜୀୟ ରୀତିକାବ୍ୟ ଧାରାରେ ଏକ ଅମଳିନ କୀର୍ତ୍ତି । ଏଭଳି ଏକ ନୂତନ କଥାବସ୍ତୁକୁ କାବ୍ୟରୂପ ଦେବାରେ ‘ଗୋପୀ ଚନ୍ଦନ’ ପ୍ରଣେତା ଚାନ୍ଦଦାସ ହେଉଛନ୍ତି ପ୍ରଥମ । ତାଙ୍କପରେ ଆଲୋଚ୍ୟ ‘ଦ୍ୱାରିକା ରାହାସ’ର କବି ପୁରୁଷୋତ୍ତମ ଦାସଙ୍କ ବ୍ୟତୀତ ଅନ୍ୟ କେହି ଏ କ୍ଷେତ୍ରରେ ଦ୍ୱିତୀୟ କବି ନାହାନ୍ତି । ଅତ୍ୟନ୍ତ ପରିତାପର ବିଷୟ ଏହି ଯେ, ଉଭୟ ବୈଷ୍ଣବ ତତ୍ତ୍ୱ ଓ କାବ୍ୟାଦର୍ଶ ପରିବେଷଣରେ ଏଭଳି ପ୍ରତିଭାଧର ବଳିଷ୍ଠ କବି ଏଯାବତ୍ ଲୋକଲୋଚନ ଅନ୍ତରାଳରେ ରହି ଓଡ଼ିଆ ସାହିତ୍ୟର ଇତିହାସ ପରିସରଭୁକ୍ତ ହୋଇପାରି ନାହାନ୍ତି ।

 

ପୋଥି ଆବିଷ୍କାର : ୧୯୮୧ ମସିହାରେ ବନ୍ୟା ଯୋଗୁଁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଚିକଟ ବ୍ରାହ୍ମଣ ଶାସନ ବିଧ୍ୱସ୍ତ ହୋଇଯିବାବେଳେ, ସେଠାରେ ଥିବା ଆତ୍ମୀୟଙ୍କୁ ଦେଖିଯିବା ଅବକାଶରେ; କଳାହାଣ୍ଡି ଇଚ୍ଛାପୁର ବ୍ରାହ୍ମଣ ଶାସନର ଶ୍ରୀ କୁଞ୍ଜବିହାରୀ ଆଚାର୍ଯ୍ୟ ଓ ଶ୍ରୀ ନୀଳକଣ୍ଠ ମିଶ୍ର କେତେକ ତାଳପତ୍ର ପୋଥି ବୋହି ଆଣିଥିଲେ । ୧୯୮୫ ମସିହାରେ ମୁଁ ସେମାନଙ୍କ ଠାରୁ ଭକ୍ତ ଦ୍ଵାରିକା ରାହାସ ଆବିଷ୍କାର କରି ତା’ର ପାଠୋଦ୍ଧାର କରିଥିଲି । ଏହା ମୋଟ ୧୨ ଛାନ୍ଦ ବିଶିଷ୍ଟ କୃଷ୍ଣଲୀଳା ବିଷୟକ ଏକ କାବ୍ୟ ! ଗ୍ରନ୍ଥଟି ସମ୍ପୂର୍ଣ୍ଣ । ପୋଥିର ୨ ଗୋଟି ପୃଷ୍ଠା ନଷ୍ଟ ହୋଇଛି-। ସ୍ଥଳ ବିଶେଷରେ କୀଟଦଷ୍ଟ ଓ ହସ୍ତାକ୍ଷର ଅସୁନ୍ଦର ତଥା ସାମାନ୍ୟ ଅସ୍ପଷ୍ଟ ହୋଇଛି ।

 

କବି ପରିଚୟ : ଏହାର ପ୍ରତ୍ୟେକ ଛାନ୍ଦର ଭଣିତା ପଦରୁ କବିଙ୍କ ନାମ ପୁରୁଷୋତ୍ତମ ଦାସ ବୋଲି ଜଣାପଡ଼େ । ଯଥା –

 

(କ)

ନମଇଁ ପୁରୁଷୋତ୍ତମ ଅଖିଳ ମଙ୍ଗଳେ ହେ । (୧ମ ଛାନ୍ଦ)

(ଖ)

ପୁରୁଷୋତ୍ତମ ଦାସ ମନଚୁମ୍ବି ହୋଇବ ଭ୍ରମର । (୭ମ ଛାନ୍ଦ)

 

ପୁନଶ୍ଚ ଗ୍ରନ୍ଥ ଶେଷରେ ଆପଣାର ସଂକ୍ଷିପ୍ତ ପରିଚୟ ପ୍ରଦାନ କରି କବି ତାଙ୍କର ସମୟ, ପିତାଙ୍କ ନାମ, ପୃଷ୍ଠପୋଷକ ଓ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ସମ୍ପର୍କରେ ସ୍ପଷ୍ଟ କରିଦେଇଛନ୍ତି । ଯଥା :

 

“ଜମ୍ବୁ ଦୀପେ ଭ୍ରଥଖଣ୍ତ ଓଡ଼ିଶା ଦେଶ

ତଥିର ରାଜନ ରାମଚନ୍ଦ୍ର ପ୍ରକାଶ ।୫୨।

ଦୁତୀଅ ଇନ୍ଦ୍ରଦୁମନ ବୋଲନ୍ତି ଜନେ

ଶ୍ରୀଗୁଣ୍ଡିଚା ଯାତ୍ରା ଯହୁଁ କଲେ ବିଧାନେ ।୫୩।

ତାହାଙ୍କର କୂଳଚନ୍ଦ୍ର ଏକ ତନଏ

ପୁରୂଷୋତ୍ତମ ନୃପତି ଜଗତେ ହୋଏ ।୫୪।

ଧାର୍ମିକ ବିବେକ ସାଧୁ ବୈଷ୍ଣବ ପଣ

ନିରତେ ଶ୍ରୀଜଗନ୍ନାଥ ଚରଣେ ଧ୍ୟାନ ।୫୫।

ତାହାଙ୍କ କରଣ କୁଳେ ମାହାନ୍ତି ନାମ

ଭଳଭଦ୍ରଙ୍କ ନନ୍ଦନ ପୁରୁଷୋତ୍ତମ ।୫୬।”

(୧୨ଶ ଛାନ୍ଦ)

 

ଏଥିରୁ ଜଣାଯାଏ ଯେ, ଶ୍ରୀଜଗନ୍ନାଥଙ୍କର ଶ୍ରୀଗୁଣ୍ଡିଚା ଯାତ୍ରାକୁ ବିଧାନାନୁଯାୟୀ ଅନୁଷ୍ଠିତ କରିଥିବାରୁ ଜନସାଧାରଣଙ୍କ ଦ୍ଵାରା “ଦୁତୀଅ ଇନ୍ଦ୍ରଦୁମନ” ଉପାଧିଧାରୀ ଓଡ଼ିଶାର ରାଜା ରାମଚନ୍ଦ୍ରଙ୍କ ପୁତ୍ର ପୁରୁଷୋତ୍ତମଙ୍କ ଅମଳରେ, ତାଙ୍କର କରଣ କୁଳୋଦ୍ଭବ ବଳଭଦ୍ର ମହାନ୍ତିଙ୍କ ପୁତ୍ର ହେଉଛନ୍ତି କବି ପୁରୁଷୋତ୍ତମ ଦାସ । ତେଣୁ ସେ ଜାତିରେ କରଣ ଓ ତାଙ୍କର କୌଳିକ ଉପନାମ ମହାନ୍ତି । ପରେ ସେ ବୈଷ୍ଣବ ଧର୍ମ ଗ୍ରହଣ କଲାପରେ ତଥା କବି ପରମ୍ପରା ଅନୁସାରେ ଦାସ ଉପନାମ ଗ୍ରହଣ କରିଛନ୍ତି ।

 

ଓଡ଼ିଶା ଇତିହାସରେ ଏକାଧିକ ରାମଚନ୍ଦ୍ର ଓ ପୁରୁଷୋତ୍ତମ ନାମଧାରୀ ରାଜା ରାଜତ୍ୱ କରିଯାଇଛନ୍ତି । ତେବେ, କବି ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ଉପାଧିଧାରୀ ରାମଚନ୍ଦ୍ରଙ୍କ କଥା କହିଥିବାରୁ, ସେ ଓଡ଼ିଶାରେ ଭୋଇ ରାଜବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ ୧ମ ଏକଥା ସ୍ପଷ୍ଟ ହୋଇପାରିଛି । କାରଣ, ୧୫୬୮ ଖ୍ରୀଷ୍ଟାବ୍ଦରେ ମୁକୁନ୍ଦ ଦେବଙ୍କ ମୃତ୍ୟୁପରେ ବଙ୍ଗ ସୁଲତାନଙ୍କ ସେନାପତି କଳାପାହାଡ଼ଙ୍କ ଦ୍ଵାରା ଶ୍ରୀମନ୍ଦିର ଆକ୍ରମଣ ଓ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ଧ୍ୱଂସ କରାଯାଇଥିଲା। ରାମଚନ୍ଦ୍ର ଦେବ ସ୍ୱରାଜତ୍ୱର ପ୍ରାରମ୍ଭରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ମୂର୍ତ୍ତି ତ୍ରୟର ପୁନଃପ୍ରତିଷ୍ଠା ଓ ମହାପ୍ରସାଦର ପୁନଃ ପ୍ରଚଳନ କରାଇଥିଲେ । ପୁଣି ପୂର୍ବରୁ ଦୀର୍ଘ ଆଠ ବର୍ଷ ଧରି ବନ୍ଦ ହୋଇଥିବା ଶ୍ରୀଗୁଣ୍ଡିଚା ଯାତ୍ରାକୁ ସେ ପୁନର୍ବାର ଆରମ୍ଭ କରାଇଥିଲେ । ତେଣୁ ଲୋକସାଧାରଣଙ୍କ ମୁଖରେ ସେ “ଦୁତୀଅ ଇନ୍ଦ୍ରଦୁମନ’, ‘ଅଭିନବ ଇନ୍ଦ୍ରଦ୍ୟୁମ୍ବ’ ଓ ‘ନବ ଇନ୍ଦ୍ରଦ୍ୟୁମ୍ନ’ ବୋଲି ସମ୍ମାନିତ ହୋଇଥିଲେ ॥ ୧॥ ଏତିହାସିକମାନଙ୍କ ଅନୁସାରେ ସେ ଖ୍ରୀ:ଅ: ୧୫୬୮ରୁ ଖ୍ରୀ:ଅ: ୧୬୦୭ ପର୍ଯ୍ୟନ୍ତ ଓଡ଼ିଶାରେ ରାଜତ୍ୱ କରିଥିଲେ ॥୨॥ ।

 

ଗଜପତି ରାମଚନ୍ଦ୍ର ଦେବଙ୍କ ଏ ଉପାଧି ସମ୍ପର୍କରେ ପୁରୁଷୋତ୍ତମ ଦାସଙ୍କ ଦ୍ଵାରିକା ରାହାସ ବ୍ୟତୀତ, ୧୬ଶ ଶତକର ଆଉ ଏକ ଓଡ଼ିଆ କବି ଚାନ୍ଦ ଦାସଙ୍କ କେତେକ କବିତା ॥୩॥ ମାଦଳାପାଞ୍ଜି ଓ ସମକାଳୀନ କେତେକ ସଂସ୍କୃତ ଗ୍ରନ୍ଥରୁ ପ୍ରମାଣ ମିଳେ । ସଂସ୍କୃତରେ ରଚିତ ଗଜପତି ରାମଚନ୍ଦ୍ର ଦେବଙ୍କ ‘ଶ୍ରୀକୃଷ୍ଣ ଭକ୍ତି ବାତ୍ସଲ୍ୟ ଚରିତମ୍' ଓ କିଞ୍ଚିତ୍ ପରବର୍ତ୍ତୀ ପଣ୍ଡିତ ହଳଧର ମିଶ୍ରଙ୍କ ‘ବସନ୍ତୋତ୍ସବ ମହାକାବ୍ୟମ୍’ରେ ଏ ଘଟଣାର ଉଲ୍ଲେଖ ଅଛି ॥୪॥ ପଣ୍ଡିତ ହଳଧର ମିଶ୍ର ସ୍ଵକୃତ ମହାକାବ୍ୟରେ ଗଜପତି ରାମଚନ୍ଦ୍ର ଦେବଙ୍କୁ ‘ନବ ଇନ୍ଦ୍ରଦ୍ୟୁମ୍ନ‘ ବୋଲି ବର୍ଣ୍ଣନା କରିଛନ୍ତି । ପରବର୍ତ୍ତୀ ରଚନା ହେଲେ ହେଁ, ଚଇନିଙ୍କ ଚକଡ଼ା ପୋଥିରେ ମଧ୍ୟ ରାମଚନ୍ଦ୍ର ଦେବଙ୍କ ‘ନବୀନ ଇନ୍ଦ୍ରଦ୍ୟୁମ୍ନ‘ ପଦବୀ ସହିତ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପୁନଃ ପ୍ରତିଷ୍ଠା ସମ୍ବନ୍ଧୀୟ ପ୍ରମାଣ ମିଳେ-॥୫॥

 

କବିଙ୍କ ବର୍ଣ୍ଣିତ ରାମଚନ୍ଦ୍ରଙ୍କ ଏକମାତ୍ର କୁଳଚନ୍ଦ୍ର ପୁତ୍ର ପୁରୁଷୋତ୍ତମ ନୃପତି ହେଉଛନ୍ତି, ଗଜପତି ରାମଚନ୍ଦ୍ର ଦେବ ୧ମଙ୍କ ପୁତ୍ର ଗଜପତି ପୁରୁଷୋତ୍ତମ ଦେବ । ତାଙ୍କର ରାଜତ୍ୱ କାଳ ସମ୍ପର୍କରେ ଐତିହାସିକମାନଙ୍କର ଭିନ୍ନ ଭିନ୍ନ ମତ ରହିଛି । ତେବେ ସେ ପ୍ରାୟ ୧୬୦୭ ଖ୍ରୀ:ଅ:ରୁ ୧୬୨୨ ଖ୍ରୀ:ଅ: ପର୍ଯ୍ୟନ୍ତ ଖୋର୍ଦ୍ଧା ରାଜସିଂହାସନ ଅଳଙ୍କୃତ କରିଥିବା ଜଣାଯାଏ ॥୬॥ ସେ ହେଉଛନ୍ତି ଭୋଇ ରାଜବଂଶର ୨ୟ ରାଜା । ତାଙ୍କ ରାଜତ୍ୱ କାଳରେ ଓଡ଼ିଶା ବାରମ୍ବାର ମୋଗଲ ଆକ୍ରମଣର ସମ୍ମୁଖୀନ ହୋଇଥିବାରୁ, ଅନେକାଂଶରେ ରାଜ୍ୟର ଶାନ୍ତି, ଶୃଙ୍ଖଳା ଓ ସମୃଦ୍ଧି ବାଧାପ୍ରାପ୍ତ ହୋଇଥିଲା । କବି ପୁରୁଷୋତ୍ତମ ତାଙ୍କୁ ଜଣେ ପରମଧାର୍ମିକ ବୈଷ୍ଣବ, ବିବେକୀ, ସାଧୁ ଓ ଶ୍ରୀଜଗନ୍ନାଥଙ୍କର ଭକ୍ତ ଭାବରେ ବର୍ଣ୍ଣନା କରିଛନ୍ତି ॥୭॥ କବିଙ୍କ ଅନୁସାରେ ତାଙ୍କ ପିତା ବଳଭଦ୍ର ମହାନ୍ତି ପୁରୁଷୋତ୍ତମ ଦେବଙ୍କ କରଣ ଥିଲେ । ଓଡ଼ିଶା ଇତିହାସରୁ ବଳଭଦ୍ର ମହାନ୍ତି ଓ ତଦୀୟ ପୁତ୍ର ପୁରୁଷୋତ୍ତମ ଦାସଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ସୁଲଭ୍ୟ ହେଉନାହିଁ । ଦ୍ଵାରିକା ରାହାସ କାବ୍ୟ ହିଁ ସେମାନଙ୍କ ଐତିହାସିକତାର ଏକମାତ୍ର ପ୍ରମାଣ ।

 

ଅତଏବ କବି ପୁରୁଷୋତ୍ତମ ଦେବଙ୍କ ସମକାଳୀନ ଥିଲେ ଓ ତାଙ୍କର ରାଜତ୍ଵର ସମୟସୀମା ମଧ୍ୟରେ ହିଁ ‘ଦ୍ଵାରିକା ରାହାସ’ ରଚନା କରିଥିଲେ । ସେ ସ୍ଵପରିଚୟ ପ୍ରଦାନ ପ୍ରସଙ୍ଗରେ ଲେଖଛନ୍ତି –

 

“ବୋଳୁତ ବାଳକ ମୋର ଦୋଷ ନଧର । ୧୨/୫୦

+ + +

ସ୍ୱଭାବେ ବାଳୁତ ମୋର ତୁଚ୍ଛ ବୟସ । ୧୨/୫୮

+ + +

ଶିଶୁମତି ପୁରୁ             ଷୋତ୍ତମ କହଇ

ଗୋପୀ ଦ୍ଵାରିକା ପ୍ରବେଶ । ୬/ ୨୫”

 

ଏଥିରୁ ଜଣାପଡ଼ୁଛି ଯେ, କାବ୍ୟ ରଚନା କଲାବେଳକୁ ତାଙ୍କୁ ବିଶେଷ ବୟସ ହୋଇନଥିଲା । ‘ବାଳୁତ’, ‘ବାଳକ’, ‘ତୁଚ୍ଛ ବୟସ’, 'ଶିଶୁମତି' ଲେଖିଥିବାରୁ ଗ୍ରନ୍ଥରଚନା ବେଳକୁ ତାଙ୍କୁ ଅତି ବେଶୀରେ ୧୮ରୁ ୨୦ ବର୍ଷ ଭିତରେ ବୟସ ହୋଇଥିବା ଅନୁମାନ କରାଯାଇପାରେ । ଏହା କବିଙ୍କ ସାଧୁଜନ ସୁଲଭ ଦୟିନୀ ହୋଇଥିଲେ ମଧ୍ୟ ସତ୍ୟ ମନେହୁଏ । ପୁଣି, ସେ ପୁରୁଷୋତ୍ତମଙ୍କ ରାଜତ୍ଵର କୋଉ ପର୍ଯ୍ୟାୟରେ କାବ୍ୟ ରଚନା କରିଥିଲେ ତା'ର କୌଣସି ସୂଚନା ଦେଇନାହାନ୍ତି । ତେଣୁ ସେ ୨୦ ବର୍ଷ ବୟସ ବେଳକୁ ପୁରୁଷୋତ୍ତମ ଦେବଙ୍କ ରାଜତ୍ଵ ସମୟରେ (୧୬୦୭-୧୬୨୨) କାବ୍ୟ ରଚନା କରିଥିବା ସ୍ଵୀକାର କରାଗଲେ, ୧୬ଶ ଶତାବ୍ଦୀର ଶେଷ ଦଶକରୁ ୧୭ଶ ଶତାବ୍ଦୀର ପ୍ରଥମ ଦଶକ ମଧ୍ୟରେ ହିଁ ତାଙ୍କର ଜନ୍ମ ସମୟ ନିରୂପଣ କରାଯାଇପାରେ । ମୋଟ କଥାରେ କହିବାକୁ ଗଲେ, ୧୭ଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ବେଳକୁ କବିଙ୍କର ଆବିର୍ଭାବ ଓ କାବ୍ୟରଚନା ଶେଷ ହୋଇଥିଲା ।

 

ଜନ୍ମସ୍ଥାନ : କବି କେଉଁଠାରେ ଜନ୍ମଗ୍ରହଣ କରିଥିଲେ ଓ କେତେ କାଳ ବଞ୍ଚିଥିଲେ ସେ ସମ୍ବନ୍ଧରେ କୌଣସି ପ୍ରମାଣ ମିଳିନାହିଁ । କାବ୍ୟର ପ୍ରଥମ ଛାନ୍ଦରେ ସେ ନୀଳାଦ୍ରିପତି ଜଗନ୍ନାଥଙ୍କର ବିଶଦ ବର୍ଣ୍ଣନା ବିଶେଷତଃ ଶ୍ରୀଗୁଣ୍ଡିଚା ଯାତ୍ରାର ବର୍ଣ୍ଣନା ଓ ଅନ୍ୟାନ୍ୟ ଛାନ୍ଦର ଉପସଂହାରରେ ମଧ୍ୟ ଶ୍ରୀଜଗନ୍ନାଥଙ୍କର ବିବିଧ ନୀତି ତଥା ଶ୍ରୀଗୁଣ୍ଡିତା ଯାତ୍ରାର ବର୍ଣ୍ଣନା ପ୍ରଦାନ କରିଥିବାରୁ ସେ ଯେ ଏ ସମସ୍ତର ପ୍ରତ୍ୟକ୍ଷ ଦ୍ରଷ୍ଟା ଥିଲେ ଏହା ନିଃସନ୍ଦେହ । ଯଥା –

 

“ଆଷାଢ଼ ଦୁତୀଆ ଦିନ

ଗୁଣ୍ଡିଚା ଯାତ୍ରା ବିଧାନ

ରହୁବରେ ନନ୍ଦିଘୋଷ

ଚଢ଼ି ହରଷ ଏ । ୪୬ ।

ଲକ୍ଷ୍ମୀଙ୍କି ବିଚ୍ଛେଦ କରି

ବିଜେ ଗୁଣ୍ଡିଚା ନଗରୀ

ଦେଖିଣ ପୁରୁଷୋତ୍ତମ

କରେ ପ୍ରଣାମ ଏ ”

(ଦ୍ଵା:ରା: ୧୦ମ ସ୍ଥାନ)

 

ତେଣୁ ତାଙ୍କୁ ଶ୍ରୀକ୍ଷେତ୍ରର ଅଧିବାସୀ ବୋଲି ଅନୁମାନ କରାଯାଇପାରେ । କିନ୍ତୁ ପ୍ରାକ୍ ଉପେନ୍ଦ୍ର ଓଡ଼ିଆ ରୀତିକାବ୍ୟ ପରମ୍ପରାରେ ଶ୍ରୀଜଗନ୍ନାଥଙ୍କ ଅସାମାନ୍ୟ ପ୍ରତିଷ୍ଠା ଓ ମଙ୍ଗଳାଚରଣଗୁଡ଼ିକରେ ତାଙ୍କର ବନ୍ଦନା ଓ ଲୀଳା ପ୍ରକଟନ ଏକ କବି ପରମ୍ପରା ଭାବରେ ଦେଖା ଦେଇଥିଲା । କବି ଯେକୌଣସି ଅଞ୍ଚଳର ଅଧିବାସୀ ହୁଅନ୍ତୁ ନା କାହିଁକି, କାବ୍ୟାରମ୍ଭ ତଥା ଅନ୍ୟାନ୍ୟ ସ୍ଥଳରେ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଖ୍ୟାପନକୁ ପ୍ରାୟତଃ ବାଦ୍ ଦେଉନଥିଲେ । ତେଣୁ କବି ପୁରୁଷୋତ୍ତମ ଦାସ ଶ୍ରୀକ୍ଷେତ୍ର ନିବାସୀ ଥିବାର ଦୃଢ଼ୋକ୍ତି ପ୍ରକାଶ କରିହେଉ ନାହିଁ । ପୁନଶ୍ଚ ସେ ’ଦ୍ଵାରିକା ରାହାସ’ କାବ୍ୟର ୩ୟ ଛାନ୍ଦରେ ଶ୍ରୀଜଗନ୍ନାଥଙ୍କ ଅବକାଶ ବର୍ଣ୍ଣନା ପରେ ଭଣିତା ପଦରେ ‘ପୁରୁଷୋତ୍ତମ ଇଚ୍ଛଇ ନୀଳାଦ୍ରିବାସ’ (୩/୨୫) ଉଲ୍ଲେଖ କରିଥିବାରୁ, ଏହାହିଁ ଅନୁମିତ ହୁଏ ଯେ, କବିଙ୍କ ନିଜସ୍ଵ ବାସସ୍ଥାନ ଶ୍ରୀକ୍ଷେତ୍ର ନଥିଲା । ନଚେତ୍, ସେ ଏଭଳି ଉଲ୍ଲେଖ କରିନଥାନ୍ତେ । ତେବେ ଏକଥା ହୁଏତ କୁହାଯାଇପାରେ ଯେ, ସେ ଶ୍ରୀଜଗନ୍ନାଥଙ୍କ ପ୍ରତି ଅଚଳା ଭକ୍ତିଭାବ ପୋଷଣ କରି କିଛି କାଳ ଶ୍ରୀକ୍ଷେତ୍ରରେ ରହିଥିଲେ ଓ ସେତେବେଳେ ହିଁ ସେ ଭକ୍ତ କାବ୍ୟ ରଚନା କରିଥିଲେ । ସେତେବେଳେ ପୁରୁଷୋତ୍ତମ ଦେବଙ୍କ ରାଜଧାନୀ ଖୋର୍ଦ୍ଧା ହୋଇଥିବାରୁ ଓ କବିଙ୍କ ପିତା ତାଙ୍କର କରଣ ହୋଇଥିବାରୁ ସେ ଖୋର୍ଦ୍ଧା କିମ୍ବା ତତ୍ ସନ୍ନିକଟବର୍ତ୍ତୀ କୌଣସି ଏକ ଗ୍ରାମର ହୋଇଥିବାର ମଧ୍ୟ ଅନୁମାନ କରାଯାଇପାରେ । ଏହା ଅଧିକ ଗବେଷଣା ସାପେକ୍ଷ ।

 

ଧର୍ମ ଓ ଦର୍ଶନ : ଭତ୍କଳୀୟ ଓ ଗୌଡ଼ୀୟ ବୈଷ୍ଣବ ପରମ୍ପରାରେ ଜଣେ ସମନ୍ଵୟବାଦୀ ବୈଷ୍ଣବ ଭାବରେ କବି ପୁରୁଷୋତ୍ତମ ଦାସ ପ୍ରତିଭାତ ହୁଅନ୍ତି । ଏକ ପକ୍ଷରେ ଉତ୍କଳୀୟ ଜ୍ଞାନମାର୍ଗୀ ବୈଷ୍ଣବ ସୁଲଭ ରୀତିରେ, ସେ ଯେପରି ଶ୍ରୀଜଗନ୍ନାଥଙ୍କର ନୈଷ୍ଠିକ ଭକ୍ତ ଥିବାର ପ୍ରମାଣ ପ୍ରଦାନ କରିଛନ୍ତି, ସେହିପରି ଅଷ୍ଟପାଟବଂଶୀଙ୍କ ଆଗରେ ଗୋପୀପ୍ରେମର ପରାକାଷ୍ଠା ପ୍ରଦାନ କରାଇ ପ୍ରେମମାର୍ଗୀ ଗୌଡ଼ିୟ ବୈଷ୍ଣବତ୍ଵର ପରିଚୟ ଦେଇଛନ୍ତି । ପୁଣି ପ୍ରଥମ ଛାନ୍ଦରେ ଦେବୀ ସୁଭଦ୍ରାଙ୍କୁ ନିତ୍ୟ ସ୍ଥଳର ଶ୍ରୀରାଧା ବୋଲି କହି (୧/୧୭) ନିଜର ଏହି ଦୃଷ୍ଟିଭଙ୍ଗୀକୁ ଅଧିକ ଦୃଢ଼ କରିଛନ୍ତି ।

 

ଶ୍ରୀଚୈତନ୍ୟଙ୍କ ଉତ୍କଳାଗମନ ଓ ପ୍ରେମଭକ୍ତି ଧର୍ମ ପ୍ରଚାରର ଏକଶତାବ୍ଦୀ ପରେ ସେ କାବ୍ୟ ରଚନା କରିଥିଲେ । ସେତେବେଳକୁ ଶୁଦ୍ଧା ଭକ୍ତି ଭାବଧାରା କ୍ରମଶଃ ଓଡ଼ିଆ ସାହିତ୍ୟକୁ ପ୍ରଭାବିତ କରି ଆସୁଥିଲେ ହେଁ, ତା’ର ଅସମ୍ପନ୍ନ ପ୍ରତିଷ୍ଠା ୧୭ଶ ଶତାବ୍ଦୀ ପରେ ହିଁ ସମ୍ଭବ ହୋଇଥିଲା । ସେଥିପାଇଁ କବି ସମ୍ପୂର୍ଣ୍ଣ ପ୍ରଥମ ଛାନ୍ଦ ସମେତ ଅନ୍ୟାନ୍ୟ ଛାନ୍ଦଗୁଡ଼ିକରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦକ ବନ୍ଦନା ଗାନ କରି, ଜଗନ୍ନାଥଙ୍କୁ ହିଁ ଅବତାରୀ ଓ ଅନାଦି ପୁରୁଷ ବୋଲି ଗ୍ରହଣ କରିଛନ୍ତି । (ଛା୧/୬-୨୫) ତାଙ୍କ ମତରେ -

 

“ଅନାଦି ପୁରୁଷ ଆଦି ଅନ୍ତ ମଧ୍ୟ ନାହିଁ

ଅନନ୍ତ କୋଟି ବ୍ରହ୍ମାଣ୍ଡ ଆଦି ପୁଣି ସେହି । (୧/୨୬)

+ + +

ଏହୁ ଜଗନ୍ନାଥ ଜୀବ କୃତାର୍ଥ ନିମନ୍ତେ

ବିଜେ କରିଛନ୍ତି ନୀଳ ମଳୟର ଥାଶେ ହେ ।“ (୧/୨୮)

 

(ଦ୍ଵାରିକା ରାହାସ / ପୁରୁଷୋତ୍ତମ ଦାସ) ପୁଣି ସେ ଗ୍ରନ୍ଥାରମ୍ଭରେ ସୁଜନମାନଙ୍କୁ ‘ଜଗନ୍ନାଥ ରସ’ ଶ୍ରବଣ କରିବା ପାଇଁ ଅନୁରୋଧ କରିଛନ୍ତି । ଏସବୁ ବର୍ଣ୍ଣନାରୁ ଶ୍ରୀଜଗନ୍ନାଥଙ୍କର ସାର୍ବଭୌମତ୍ଵ ହିଁ ପ୍ରମାଣିତ ହେଉଛି ।

 

ଏ ସମସ୍ତ ସତ୍ତ୍ଵେ ପ୍ରେମଭକ୍ତି ତତ୍ତ୍ୱର ଶ୍ରେଷ୍ଠତା ପ୍ରତିପାଦନ ହିଁ ସମଗ୍ର କାବ୍ୟର ଅନ୍ତଃସ୍ଵର-। ତେଣୁ ବସ୍ତୁତଃ ଏହାହିଁ କୁହାଯାଇପାରେ ଯେ, ଶ୍ରୀଜଗନ୍ନାଥ କୈନ୍ଦ୍ରିକ ଜ୍ଞାନମାର୍ଗୀ ଗାଁ ଉତ୍କଳୀୟ ବୈଷ୍ଣବ ପରମ୍ପରାର ପ୍ରାବଲ୍ୟ କାଳରେ କ୍ରମଶଃ ଶ୍ରୀରାଧାକୃଷ୍ଣ ବା ଗୋପୀକୃଷ୍ଣ କୈନ୍ଦ୍ରିକ ପ୍ରେମମାର୍ଗୀ ଗୌଡ଼ୀୟ ବୈଷ୍ଣବ ଚେତନା ମାଡ଼ି ଆସୁଥିବାବେଳେ, ଉକ୍ତ ଦ୍ୱିତୀୟ ଶାଖାର ସମର୍ଥକ ଓ ପ୍ରଚାରକ ଭାବରେ କବି ପୁରୁଷୋତ୍ତମ ଦାସ ଲେଖନୀ ଧାରଣ କରିଥିବାରୁ, ତାଙ୍କ ରଚନାରେ ଏ ଉଭୟ ଧାରାର ଏକ ସମନ୍ଵୟ ରୂପ ଦେଖିବାକୁ ମିଳେ ।

 

‘ଦ୍ଵାରିକା ରାହାସ’ ବ୍ୟତୀତ ତାଙ୍କର ଅନ୍ୟ କୌଣସି କୃତିର ସନ୍ଧାନ ଏ ପର୍ଯ୍ୟନ୍ତ ମିଳିନାହିଁ-। ତେବେ ଉକ୍ତ କାବ୍ୟରେ ପ୍ରକାଶିତ ରସୋତ୍ତୀର୍ଣ୍ଣ କବିତ୍ଵରୁ ମନେହୁଏ ଯେ, ସେ ନିଶ୍ଚିତ ରୂପେ ଅନ୍ୟାନ୍ୟ କାବ୍ୟ-କବିତାର ସ୍ରଷ୍ଟା ହୋଇଥାଇ ପାରନ୍ତି । କାରଣ, ଏପରି ଏକ ସ୍ୱୟଂସମ୍ପୂର୍ଣ୍ଣ ଓ ସର୍ବାଙ୍ଗସୁନ୍ଦର କାବ୍ୟ ପ୍ରଣୟନ ନିମନ୍ତେ ପୂର୍ବରୁ ସେ ସଚେଷ୍ଟ ଥିବେ । ପୁଣି ଦ୍ଵାରିକା ରାହାସ ରଚନା ପରେ ଯେ, ନୀରବ ରହିଯାଇଛନ୍ତି - ଏ କଥା ମଧ୍ୟ କୁହାଯାଇ ପାରୁନାହିଁ । କାରଣ, ଅଳ୍ପ ବୟସରେ ଦ୍ଵାରିକା ରାହାସ ରଚନା କରିଥିବା ସେ ସ୍ୱୟଂ ସ୍ୱୀକାର କରିଥିବାରୁ ପରବର୍ତ୍ତୀ ଜୀବନର ଅନେକ ସମୟ ତାଙ୍କୁ କାବ୍ୟ ଚର୍ତ୍ତା ଓ କାବ୍ୟ ପ୍ରଣୟନ ପାଇଁ ସୁଯୋଗ ଦେଇଥିବା ଏହା ଅଧିକ ଗବେଷଣାର ଅପେକ୍ଷା ରଖେ ।

 

ଏଠାରେ ଏ କଥା ଅବଶ୍ୟ କହି ରଖିବା ସମୀଚୀନ ଯେ, ପୁରୁଷୋତ୍ତମ ଦାସଙ୍କ ନାମରେ ଭଣିତା ଥିବା ଅନେକ କୃତି ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଦେଖାଯାଏ । କିନ୍ତୁ ସେ ସମସ୍ତର ସ୍ରଷ୍ଟା ‘ଦ୍ଵାରିକା ରାହାସ’ର କବି ପୁରୁଷୋତ୍ତମ ଦାସ ନୁହନ୍ତି । ତେଣୁ ଏହି ସମୟରେ ଆବିର୍ଭୂତ ପୁରୁଷୋତ୍ତମ ଦାସ ନାମଧାରୀ କବିମାନେ ଏକ ନୁହନ୍ତି – ଏକାଧିକ । ମଧ୍ୟଯୁଗୀୟ ଓଡ଼ିଆ ସ।ହିତ୍ୟରେ ଏପରି ତିନିଜଣ ପୁରୁଷୋତ୍ତମ ଦାସଙ୍କୁ ଚିହ୍ନଟ କରାଯାଇପାରେ । ଯଥା –

 

(କ)

ପୁରୁଷୋତ୍ତମ ଦାସ : ୧ମ - ଏ ହେଉଛନ୍ତି ୧୬ଶ ଶତାବ୍ଦୀର ଉତ୍ତରାର୍ଦ୍ଧର କବି । ଖୋର୍ଦ୍ଧା ଭୋଇ ରାଜବଂଶର ପ୍ରଥମ ନରପତି ରାମଚନ୍ଦ୍ର ଦେବ ୧ମଙ୍କ ସମକାଳୀନ ॥୮॥ ସେ ଜାତିରେ ଗୋପାଳ ଥିଲେ । ତାଙ୍କ ପିତାମହଙ୍କ ନାମ ବରୁଣ ଦାସ ଓ ପିତାଙ୍କ ନାମ ଭାଗୀରଥି ଥିବାର, ସେ ସ୍ୱରଚିତ ‘କାଞ୍ଚିକାବେରୀ’ କାବ୍ୟରେ ଉଲ୍ଲେଖ କରିଛନ୍ତି ॥୯॥ ଏହା ହିଁ ତାଙ୍କର ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ଏକମାତ୍ର କୃତି ।

 

(ଖ)

ପୁରୁଷୋତ୍ତମ ଦାସ : ୨ୟ - ଏ ହେଉଛନ୍ତି ୧୭ଶ ଶତାବ୍ଦୀର ପ୍ରଥମାର୍ଦ୍ଧର କବି । ଖୋର୍ଦ୍ଧା ଭୋଇ ରାଜବଂଶର ଦ୍ୱିତୀୟ ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ସମକାଳୀନ ଓ ତାଙ୍କର କରଣ କୁଳୋଦ୍ଭବ ବଳଭଦ୍ର ମହାନ୍ତିଙ୍କ ପୁତ୍ର । ‘ଦ୍ୱାରିକା ରାହାସ’ ହିଁ ତାଙ୍କର ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ଏକମାତ୍ର କାବ୍ୟ ।

 

(ଗ)

ପୁରୁଷୋତ୍ତମ ଦାସ ୩ୟ : ଏହାଙ୍କର ସମୟ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି କହିହେଉ ନାହିଁ । ଡକ୍ଟର ବଂଶୀଧର ମହାନ୍ତିଙ୍କ ଅନୁସାରେ, ସେ ହେଉଛନ୍ତି ୧୩ ଶତକର କବି ।।୧୦॥ ‘ଗଙ୍ଗାମାହାତ୍ମ୍ୟ’ ଗ୍ରନ୍ଥରେ ସେ ଆପଣାର ପରିଚୟ ଉଲ୍ଲେଖ କରିଛନ୍ତି । ତଦନୁସାରେ ମଧୁକୈଟଭ ଗୋତ୍ରଜ ଶ୍ରୀରାମଦାସ ତାଙ୍କର ପିତା ଓ ଅମ୍ୱିକା ଦେବୀ ତାଙ୍କର ମାତା ଅଟନ୍ତି ॥୧୧॥ ‘ଗଙ୍ଗାମାହାତ୍ମ୍ୟ’, ‘କାର୍ତ୍ତିକ ମାହାତ୍ମ୍ୟ’ ‘ଟୀକା ମହାଭାରତ’ ॥୧୨॥ ‘ମୃଗୁଣୀ ସ୍ତୁତି’, ‘ଗୁଣ୍ଡିଚା ବିଜେ’ ଓ ‘ଦୁତିଆ ଓଷା’ ॥୧୩॥ ପ୍ରଭୃତି ତାଙ୍କର ଏପର୍ଯ୍ୟନ୍ତ ଜଣାପଡ଼ିଥିବା ଗ୍ରନ୍ଥ ନିଶ୍ଚୟ ।

 

ଆଲୋଚକ ସୁରେନ୍ଦ୍ର ମହାନ୍ତି କାଞ୍ଚିକାବେରୀ କାବ୍ୟର କବି ପୁରୁଷୋତ୍ତମ ଦାସ ଓ ଗଙ୍ଗା ମାହାତ୍ମ୍ୟର କବି ପୁରୁଷୋତ୍ତମ ଦାସଙ୍କୁ ଏକ ବ୍ୟକ୍ତି ବୋଲି ଗ୍ରହଣ କରିଛନ୍ତି ॥୧୪॥ ମାତ୍ର ଖୁବ୍ ସ୍ପଷ୍ଟ ଭାବରେ ଉଭୟ କବି ସ୍ୱ ସ୍ୱ କୃତି ମଧ୍ୟରେ ନିଜ ନିଜ ପରିଚୟ ପ୍ରଦାନ କରି, ପୃଥକ ପୃଥକ ପିତାଙ୍କ ନାମ ଉଲ୍ଲେଖ କରିଥିବାରୁ ସେ ଦୁହେଁ ଯେ ଭିନ୍ନ ଭିନ୍ନ ବ୍ୟକ୍ତି ଏକଥା ସ୍ପଷ୍ଟ ହୋଇପାରିଛି ।

 

କଥାବସ୍ତୁ : ଶ୍ରୀକୃଷ୍ଣ ଦ୍ଵାରିକାରେ ଅଷ୍ଟପାଟ ବଂଶୀଙ୍କ ନିକଟରେ ଗୋପୀପ୍ରେମର ମହନୀୟତା ପ୍ରମାଣ କରିବା ପାଇଁ, ଉଦ୍ଧବଙ୍କ ଦ୍ଵାରା ଶ୍ରୀରାଧାଙ୍କ ସମେତ ଗୋପୀମାନଙ୍କୁ ଦ୍ୱାରିକାକୁ ଡକାଇ ଆଣିଛନ୍ତି । ପୁଷ୍ଣକ ବିମାନରେ ମାତଳି ସେମାନଙ୍କୁ ଗୋପରୁ ଦ୍ଵାରିକା ନଗରରେ ପହଞ୍ଚାଇ ଦେଇଛନ୍ତି । ତା’ପରେ ଶରତ ପୂର୍ଣ୍ଣିମା ଦିନ ସମସ୍ତ ଗୋପାଙ୍ଗନା ଓ ଅଷ୍ଟପାଟରାଣୀକୁ ସାଙ୍ଗରେ ଧରି ଶ୍ରୀକୃଷ୍ଣ ରାସ ରଚନା କରିଛନ୍ତି । ଏମାନେ ନାନା ରଙ୍ଗରେ କ୍ରୀଡ଼ାକରି ଶ୍ରମବଶତଃ ଅଚେତ ହେବା ଦେଖି ଶ୍ରୀକୃଷ୍ଣ ସେମାନଙ୍କ ସ୍ନେହ ଜାଣିବା ଛଳରେ ବୃଷଭାନୁ ଜେମା ଶ୍ରୀରାଧାଙ୍କ ସହିତ ସେଠାରୁ ଅନ୍ତର୍ଦ୍ଧାନ ହୋଇଛନ୍ତି । ଏ ଘଟଣା ଜାଣିପାରି ପରେ ରମଣୀବୃନ୍ଦ କାରୁଣ୍ୟ ପ୍ରକାଶ ପୂର୍ବକ ଇତସ୍ତତଃ ଅନ୍ଵେଷଣ କରିଛନ୍ତି ଓ ପରିଶେଷରେ ନବକିଶୋରୀ ରାଧାଙ୍କୁ କୋଳରେ ଧାରଣ କରି ବଂଶୀବାଦନ କରୁଥିବା ଅବସ୍ଥାରେ ଶ୍ରୀକୃଷ୍ଣଙ୍କୁ ଆବିଷ୍କାର କରି ତାଙ୍କ ନିକଟରେ ନିଜର ଅଜ୍ଞାନପଣ ପ୍ରକାଶ କରିଛନ୍ତି । ପରେ ପୁଣି ନାନା ବିନୋଦରେ ରାସ ରଚନା ପରେ ରାତ୍ରି ଶେଷ ହୋଇ ପ୍ରଭାତ ହେବାରୁ ଶ୍ରୀକୃଷ୍ଣ ନାୟିକାଗଣଙ୍କୁ ଧରି ଉଆସକୁ ଫେରିଛନ୍ତି ଓ ବ୍ରଜପୁରରେ ଗୋପାଳମାନଙ୍କ ଘରେ ଗୋପାଳୁଣୀମାନଙ୍କୁ ନେଇ ରଖାଇଛନ୍ତି । ସ୍ଥୂଳତଃ ଏଭଳି ଏକ ଉପାଖ୍ୟାନକୁ କବି ୧୨ ଗୋଟି ଛାନ୍ଦରେ ବିଭାଜିତ କରି ଖୁବ୍ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।

 

ଉତ୍ସ ଅନୁସନ୍ଧାନ : କବି ପୁରୁଷୋତ୍ତମ ଦାସ ‘ଦ୍ଵାରିକା ରାହାସ’ର ଉପରୋକ୍ତ କଥାବସ୍ତୁକୁ କେଉଁଠାରୁ ଗ୍ରହଣ କରିଛନ୍ତି, ତାହା ଅନୁସନ୍ଧାନର ବିଷୟ । କବି ଗ୍ରନ୍ଥାରମ୍ଭରେ ବସ୍ତୁ ସୂଚନା ଦେବାକୁ ଯାଇ, ଏହା ପଦ୍ମପୁରାଣରୁ ଗୃହୀତ ହୋଇଥିବା ପ୍ରକାଶ କରିଛନ୍ତି । ସେ ଲେଖଛନ୍ତି –

 

“ଏସନ ସମଏ ସନକାଦି ରଷିଗଣ

ବ୍ୟାସଙ୍କୁ ପୁଚ୍ଛିଲେ ପଦ୍ମପୁରାଣ ବଖାଣ ହେ । ୧/୪୭

ଦ୍ଵାରାବତୀ ରାସ ରସ ଯେମନ୍ତ ବ୍ୟବସ୍ଥା

ଶୁଣିମୁଂ ସକଳ ମୁନି କହିବ ସେ କଥା ହେ । ୧ / ୪୮

 

କିନ୍ତୁ ସଂସ୍କୃତ ପଦ୍ମପୁରାଣରେ ଏଭଳି ଏକ ପ୍ରସଙ୍ଗ ଆଦୌ ଦେଖିବାକୁ ମିଳେନାହିଁ ॥୧୫॥ କେବଳ ପଦ୍ମପୁରାଣ ନୁହେଁ, କୃଷ୍ଣଲୀଳା ବିଷୟକ ଅନେକ ଗ୍ରନ୍ଥ ଯଥା : ଭାଗବତ ୧୦ମ ସ୍କନ୍ଧ, ବ୍ରହ୍ମବୈବର୍ତ୍ତ ପୁରାଣ, ଖିଳହରିବଂଶ ଓ ସ୍କନ୍ଧପୁରାଣାଦିରେ ମଧ୍ୟ ଶରତକାଳରେ ଗୋପୀମାନେ ଦ୍ଵାରିକାକୁ ଯାଇ ଶ୍ରୀକୃଷ୍ଣଙ୍କ ସହିତ ରାସରଚନା କରିଥିବା ପ୍ରସଙ୍ଗ ଦେଖାଯାଏ ନାହିଁ ॥୧୬॥

 

ଓଡ଼ିଆ ସାହିତ୍ୟରେ ଏଭଳି ଏକ ନୂତନ କଥାବସ୍ତୁକୁ କାବ୍ୟରୂପ ଦେବା କ୍ଷେତ୍ରରେ ପୁରୁଷୋତ୍ତମ ଦାସ ହେଉଛନ୍ତି ଦ୍ୱିତୀୟ କବି । ତାଙ୍କର ଅଳ୍ପକାଳ ପୂର୍ବରୂ କବି ଚାନ୍ଦଦାସ ସ୍ୱରଚିତ “ଗୋପୀଚନ୍ଦନ” କାବ୍ୟରେ ଏହାର ପ୍ରାଥମିକ ରୂପାୟନ କରିଛନ୍ତି । ସେ ମଧ୍ୟ ଏହି ଉପାଖ୍ୟାନକୁ ପଦ୍ମପୁରାଣରୁ ଗ୍ରହଣ କରିଥିବାର ସୂଚନା ଗ୍ରନ୍ଥାରମ୍ଭରେ ପ୍ରଦାନ କରିଛନ୍ତି ॥୧୦॥ କିନ୍ତୁ ଉକ୍ତ ଗ୍ରନ୍ଥର ସମ୍ପାଦକ ଏ କଥାବସ୍ତୁର ଉତ୍ସ ଅନୁସନ୍ଧାନ କରି ନିରାଶ ହୋଇ, ଏହା କବିଙ୍କର କପୋଳକଳ୍ପିତ କାହାଣୀ ବୋଲି ଗ୍ରହଣ କରି ଛନ୍ତି ॥୧୮॥

 

ଷୋଡ଼ଶ ଶତାବ୍ଦୀରେ ଶ୍ରୀଚୈତନ୍ୟଙ୍କ ପ୍ରଚାରିତ ବୈଷ୍ଣବ ଧର୍ମକୁ ଗଜପତି ପ୍ରତାପରୁଦ୍ରଦେବ ରାଜଧର୍ମ ରୂପେ ସ୍ଵୀକୃତି ଦେବାପରେ, ଓଡ଼ିଆ ସାହିତ୍ୟରେ ରାଧା କୃଷ୍ଣ ବା ଗୋପୀକୃଷ୍ଣ ପ୍ରେମତତ୍ତ୍ଵମୂଳକ ବହୁ ଗ୍ରନ୍ଥ ରଚନାର ସୂତ୍ରପାତ ହେଲା । ସେତେବେଳେ କବିମାନେ ସ୍ଵ ସ୍ୱ ପ୍ରତିପାଦ୍ୟ ବିଷୟବସ୍ତୁକୁ ଅଧିକ ରୂଚିପୂର୍ଣ୍ଣ କରିବା ଅଭିଳାଷରେ ତଥା ଧର୍ମତତ୍ତ୍ୱକୁ ଆକର୍ଷଣୀୟ କରିବା ପାଇଁ ଅନେକାଂଶରେ କାଳ୍ପନିକ କାହାଣୀର ସଂଯୋଜନା କରିଥିଲେ ॥୧୯॥ ତେଣୁ ଏଇ ପରମ୍ପରାର କବି ଭାବରେ ଚାନ୍ଦଦାସ ଗୋପୀଚନ୍ଦନ କାବ୍ୟରେ କାଳ୍ପନିକତା ପ୍ରକାଶ କରିବାରେ ଅସ୍ୱାଭାବିକତା କିଛି ନାହିଁ ।

 

ଅତଏବ, ଏକଥା ଏଠାରେ ସ୍ପଷ୍ଟ ପ୍ରକାଶ କରାଯାଇ ପାରେ ଯେ, ଦ୍ୱାରିକା ରାହାସ କାବ୍ୟ ପ୍ରଣେତା ପୁରୁଷୋତ୍ତମ ଦାସ ଅଳ୍ପକାଳ ପୂର୍ବରୁ ରଚିତ ‘ଗୋପୀଚନ୍ଦନ’ ପାଠ କରିଥିବେ ଓ ସେହି କଥାବସ୍ତୁରେ ମୁଗ୍ଧ ହୋଇ ଅନ୍ୟ ଏକ ନୂତନ କାବ୍ୟ ସଂରଚନା ଦିଗରେ ଅନୁପ୍ରେରିତ ହୋଇଥିବେ-। କାବ୍ୟ କଥାବସ୍ତୁରେ ପୁରୁଷୋତ୍ତମ ଦାସ ଚାନ୍ଦଦାସଙ୍କୁ ପୂରାପୂରି ଅନୁସରଣ କରିଛନ୍ତି । ଦ୍ଵାରିକା ରାହାସ ଗୋପୀଚନ୍ଦନ କାବ୍ୟର ଏକ ସାଡ଼ମ୍ବର ବିକଶିତ ରୂପ । ତେଣୁ ଭକ୍ତ କାବ୍ୟ ରଚନାରେ ପୁରୁଷୋତ୍ତମ ଦାସଙ୍କ ମୂଳପ୍ରେରଣା ଯେ ଗୋପୀଚନ୍ଦନ”, ଏକଥା ନିଃସନ୍ଦେହ ।

 

ଦ୍ଵାରିକା ରାହାସ ଓ ଗୋପୀଚନ୍ଦନ:- ଦ୍ଵାରିକା ରାହାସର ବସ୍ତୁ ପରିକଳ୍ପନାର ମୂଳଉତ୍ସ ଗୋପୀଚନ୍ଦନ କାବ୍ୟ ହୋଇଥିବାରୁ, ଏ ଉଭୟ କାବ୍ୟର ସଂକ୍ଷିପ୍ତ ତୁଳନା ଆବଶ୍ୟକ । କାରଣ, ଏହାଦ୍ଵାରା ହିଁ ଚାନ୍ଦଦାସଙ୍କ ଠାରୁ ପୁରୁଷୋତ୍ତମ ଦାସଙ୍କ ପ୍ରକୃତ ମୌଳିକ ପ୍ରତିଭାର ସ୍ୱରୂପ ଉଦ୍‍ଘାଟିତ ହୋଇପାରିବ । ଚାନ୍ଦ ଦାସଙ୍କୁ ୧୬ଶ ଶତକର ଭଉତ୍ତରାର୍ଦ୍ଧର କବି ଓ ପୁରୁଷୋତ୍ତମ ଦାସଙ୍କୁ ୧୭ଶ ଶତକର ପୂର୍ବାର୍ଦ୍ଧର କବି ଭାବରେ ଗ୍ରହଣ କରାଯାଇଛି । ତେଣୁ ଦୁଇ କବିଙ୍କ ମଧ୍ୟରେ ସମୟର ବ୍ୟବଧାନ ଖୁବ୍ ଅଳ୍ପ । ତେଣୁ ଏ ଉଭୟ କବିଙ୍କ କାବ୍ୟ ଅତି ବେଶୀରେ ୨୦/୩୦ ବର୍ଷର ବ୍ୟବଧାନରେ ପ୍ରାୟତଃ ଏକ ସାଂସ୍କୃତିକ ପୃଷ୍ଠପଟରେ ହିଁ ରଚିତ ହୋଇଛି ।

 

ଦ୍ଵାରିକାରେ ଶ୍ରୀକୃଷ୍ଣଙ୍କ ସ୍ଵକୀୟାପତ୍ନୀ ଅଷ୍ଟପାଟବଂଶୀଙ୍କ ନିକଟରେ ବୃନ୍ଦାବନର ମାଧୁର୍ଯ୍ୟଲୀଳା ତଥା ଗୋପୀପ୍ରେମର ଅଲୌକିକ ମହନୀୟତା ପ୍ରମାଣ ନିମନ୍ତେ ଶ୍ରୀରାଧାଙ୍କ ସମେତ ସମସ୍ତ ଗୋପବାଳାଙ୍କୁ ଉଦ୍ଧବଙ୍କ ଦ୍ଵାରା ଦ୍ଵାରକାକୁ ଡକାଇ ଅଷ୍ଟପାଟରାଣୀଙ୍କ ସହିତ ସେମାନଙ୍କୁ ପରିଚିତ କରାଇବା ପରେ ରାସ ରଚନା କରିବା ଓ ଅବଶେଷରେ ପ୍ରତ୍ୟେକଙ୍କୁ ନିଜ ନିଜ ସ୍ଥାନକୁ ନେଇ ପହଞ୍ଚାଇ ଦେବା ପ୍ରସଙ୍ଗକୁ ଆଧାର କରି ଗୋପୀଚନ୍ଦନ କାବ୍ୟ ରଚିତ । କବି ପୁରୁଷୋତ୍ତମ ସ୍ୱଗ୍ରନ୍ଥରେ ଚାନ୍ଦଦାସଙ୍କ ଉକ୍ତ କଥାବସ୍ତୁକୁ ସ୍ଥୂଳତଃ, ସେହିଭଳି ଭାବରେ ହିଁ ଗ୍ରହଣ କରିଛନ୍ତି । ଚାନ୍ଦଦାସ ମୋଟ ୭ଟି ସ୍ଥାନରେ ଅପେକ୍ଷାକୃତ ଦ୍ରୁତଗତିରେ କାବ୍ୟରଚନା କରିଥିବା ବେଳେ, ଦ୍ଵାରିକା ରାହାସରେ ସେହି କଥାବସ୍ତୁକୁ କବିତ୍ଵର ମନ୍ଥର ଗତିଶୀଳତାରେ ମୋଟ ୧୨ଟି ଛାନ୍ଦରେ ବିସ୍ତୃତ ଭାବରେ ପ୍ରକାଶ କରାଯାଇଛି । ଏଥିରେ ଘଟଣାପ୍ରବାହକୁ ବିବରଣାତ୍ମକ ରୀତିରେ ଉଲ୍ଲେଖ କରାନଯାଇ, ସ୍ଥଳବିଶେଷରେ ପ୍ରଭାତ, ସନ୍ଧ୍ୟା, ଉପବନ, ନଦୀ ଆଦି ପ୍ରାକୃତିକ ଦୃଶ୍ୟ ବିଭବ ଭଳି ପରିବେଶଗତ ସୌନ୍ଦର୍ଯ୍ୟର ବର୍ଣ୍ଣନା ତଥା ନାୟକ-ନାୟିକାଙ୍କ ରୂପ ଓ ଗୁଣର ସାଡମ୍ବର ବର୍ଣ୍ଣନା ବିଳାସ ଦ୍ଵାରା କାବ୍ୟକୁ ଅଧିକ ଭୋଗ୍ୟ କରାଯାଇଛି । କବିତ୍ଵର ବିଳାସ ଦୃଷ୍ଟିରୁ ତେଣୁ ଚାନ୍ଦଦାସଙ୍କ ଠାରୁ ପୁରୁଷୋତ୍ତମ ଦାସ ଅଧିକ ରସୋତ୍ତୀର୍ଣ୍ଣ ତଥା ପରବର୍ତ୍ତୀ ରୀତି କାବ୍ୟ ଧାରାର ଅଧିକ ନିକଟବର୍ତ୍ତୀ ମନେହୁଅନ୍ତି ।

 

ମୂଳ କଥାବସ୍ତୁକୁ ଅବିକଳ ଭାବେ ଗ୍ରହଣ କରିଥିଲେ ମଧ୍ୟ ଗୋପୀଚନ୍ଦନ ଠାରୁ ଦ୍ଵାରିକା ରାହାସର ମୌଳିକତା ନିମ୍ନୋକ୍ତ ପ୍ରସଙ୍ଗଗୁଡ଼ିକରୁ ଜଣାପଡ଼େ ।

 

(କ)

ଗୋପୀନ୍ଦନରେ ମାତ୍ର ଚାରୋଟି ପଦରେ କବି ଶ୍ରୀଜଗନ୍ନାଥଙ୍କ ବନ୍ଦନା ମୂଳକ ମଙ୍ଗଳାଚରଣ ଶେଷ କରି, କାବ୍ୟବସ୍ତୁର ପ୍ରଦାହ ଆରମ୍ଭ କରିଦେଇଛନ୍ତି । କିନ୍ତୁ ଦ୍ଵାରିକା ରାହାସରେ ସମଗ୍ର ପ୍ରଥମ ଛାନ୍ଦକୁ ମଙ୍ଗଳାଚରଣ ଭାବରେ ବ୍ୟବହାର କରାଯାଇଛି ଓ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ - ଏ ଚତୁର୍ଦ୍ଧା ମୂର୍ତ୍ତିର ସ୍ଵତନ୍ତ୍ର ବନ୍ଦନା ସହିତ ଶ୍ରୀଗୁଣ୍ଡିଚା ଯାତ୍ରାର ପ୍ରତ୍ୟକ୍ଷ୍ୟଦର୍ଶୀ ବର୍ଣ୍ଣନା ପ୍ରଦତ୍ତ ହୋଇଛି ।

 

(ଖ)

କଣ୍ଡୁ ରଷିଙ୍କ ଆଶ୍ରମରେ ସନକାଦି ମୁନିମାନେ ବ୍ୟାସଦେବଙ୍କୁ ଦ୍ୱାରିକା ରାସ ପ୍ରସଙ୍ଗ ପଚାରିଥିବା ବିଷୟ ଦ୍ଵାରିକା ରାହାସରେ ବର୍ଣ୍ଣିତ ଅଛି । ଗୋପୀଚନ୍ଦନରେ ଏହାର କୌଣସି ସୂଚନା ପ୍ରଦତ୍ତ ହୋଇନାହିଁ ।

 

(ଗ)

ବ୍ୟାସଦେବଙ୍କ ମୁଖରେ ପୁରୁଷୋତ୍ତମ ଦାସ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, ଗୋପଲୀଳା ଓ ମଥୁରାଲୀଳାକୁ ଅଧିକ ବିଶଦ ଭାବରେ ଉପସ୍ଥାପିତ କରିଛନ୍ତି । ମାତ୍ର ଚାନ୍ଦଦାସ କେବଳ କଂସକୁ ମାରି ଜରାସନ୍ଧର ବିବାଦରେ ଦ୍ଵାରକାପୁରକୁ ଯିବା ବ୍ୟତୀତ ଆଉ କିଛି ଉଲ୍ଲେଖ କରିନାହାନ୍ତି ।

 

(ଘ)

ଗୋପୀଚନ୍ଦନରେ କୁବେରଙ୍କ ଠାରୁ ପୁଷ୍ପକ ବିମାନ ଓ ଅଳଙ୍କାର ସାମଗ୍ରୀ ଆଣିବା ପାଇଁ ‘ତ୍ରିପୁର’ ନାମକ ଗନ୍ଧର୍ବକୁ ପଠାଇଥିବା ସୂଚିତ ଥିବାବେଳେ, ଦ୍ଵାରିକା ରାହାସରେ କବି ‘ତୁମ୍ବରୁ’ ଗନ୍ଧର୍ବକୁ ପ୍ରେରଣ କରାଯାଇଥିବା ଭଲ୍ଲେଖ କରିଛନ୍ତି ।

 

(ଙ)

ଉଦ୍ଧବ ରଥାରୋହଣ କରି ଗୋପୀମାନଙ୍କୁ ଆଣିବା ପାଇଁ ଯିବାବେଳେ ମଥୁରାମଣ୍ଡଳ ସହିତ ଶ୍ରୀକୃଷ୍ଣଙ୍କ ବିବିଧ ଲୀଳାସ୍ଥଳୀ ବନ, ଉପବନ, ଯମୁନା ନଦୀ ଓ ବୃନ୍ଦାବନ ଆଦିର ସୌନ୍ଦର୍ଯ୍ୟ ଦର୍ଶନ କରି ଯିବାର ବର୍ଣ୍ଣିନା ଦ୍ଵାରିକା ରାହାସକୁ ଅଧିକ କାବ୍ୟ ସୁଷମାରେ ବିମଣ୍ଡିତ କଲାବେଳେ, ଗୋପୀଚନ୍ଦନରେ ଉଦ୍ଧବ ରଥାରୋହଣ ପୂର୍ବକ ହଠାତ୍ ଗୋପପ୍ରବେଶ ହେବାର ସୂଚିତ ଅଛି ।

 

(ଚ)

ଉଦ୍ଧବକୁ ଗୋପନଗରକୁ ପ୍ରେରଣ କରିବା ବେଳେ ଶ୍ରୀକୃଷ୍ଣ ଗୋପୀମାନଙ୍କ ପ୍ରସଙ୍ଗ କହିବା ସହିତ ବୃଷଭାନୁ ନନ୍ଦିନୀ ଶ୍ରୀରାଧାଙ୍କ ବିରହ ପ୍ରସଙ୍ଗ ମଧ୍ୟ କହିଛନ୍ତି ଏବଂ ଉଦ୍ଧବ ଗୋପପୁରରେ ପହଞ୍ଚିବାପରେ ଗୋପୀମାନଙ୍କ ସହିତ ଶ୍ରୀରାଧାଙ୍କ ବିରହିଣୀ ଅବସ୍ଥା ଦର୍ଶନ କରିଛନ୍ତି । ଦ୍ଵାରିକା ରାହାସରେ ବର୍ଣ୍ଣିତ ହୋଇଥିବା ଶ୍ରୀରାଧାଙ୍କ ଉକ୍ତ ପ୍ରସଙ୍ଗ ଗୋପୀଚନ୍ଦନରେ ନାହିଁ ।

 

(ଛ)

ଗୋପୀମାନଙ୍କ ରହିବା ନିମନ୍ତେ ଦ୍ଵାରକାରେ ବିଶ୍ଵକର୍ମାଙ୍କ ଦ୍ଵାରା ନିର୍ମିତ ହୋଇଥିବା ନଗରର ଏକ ଆଡ଼ମ୍ବରମୟ ମଞ୍ଜୁଳ ବର୍ଣ୍ଣନା ପୁରୁଷୋତ୍ତମଙ୍କ କାବ୍ୟକୁ ଶ୍ରୀମଣ୍ଡିତ କରିଛି । ଚାନ୍ଦ ଦାସ ଏହି ନଗର ଶୋଭା ବର୍ଣ୍ଣନାକୁ ବାଦ୍ ଦେଇଛନ୍ତି ।

 

(ଜ)

ଗୋପୀଚନ୍ଦନରେ ଗୋପୀମାନେ ଉଦ୍ଧବଙ୍କ ସହିତ ବିମାନରେ ଦ୍ଵାରକାରେ ଅବତରଣ କଲାମାତ୍ରେ, ପରିଚାରିକାମାନେ ସେମାନଙ୍କୁ ପାଛୋଟି ନେଇଯିବା ପ୍ରସଙ୍ଗ ସ୍ଵାଭାବିକ ସାମାଜିକ ଚଳଣୀକୁ ପ୍ରକାଶ କଲାବେଳେ, ଦ୍ଵାରିକା ରାହାସରେ ଏଭଳି ବର୍ଣ୍ଣନା ମିଳେନାହିଁ ।

 

(ଝ)

ଉଦ୍ଧବଙ୍କ ଠାରୁ ଗୋପୀମାନଙ୍କର ଆଗମନ ବାର୍ତ୍ତା ଶୁଣିବା ପରେ ଶ୍ରୀକୃଷ୍ଣଙ୍କ ମନରେ ଉଦ୍ରେକ ହୋଇଥିବା ଗୋପୀମାନଙ୍କ ସମ୍ପର୍କୀୟ ଅନୁଚିନ୍ତାକୁ ଚାନ୍ଦ ଦାସ ଯେଭଳି ସହଜ ପଦ୍ଧତିରେ ପ୍ରକାଶ କରିଛନ୍ତି ॥୨୦॥ ଦ୍ଵାରିକା ରାହାସରେ ତାହା ଦେଖିବାକୁ ମିଳେନାହିଁ ।

 

(ଞ୍ଜ)

ଗୋପୀମାନଙ୍କ ଆଗମନ ବାର୍ତ୍ତା ଶ୍ରବଣ କରିବାପରେ ଶ୍ରୀକୃଷ୍ଣ ବିଦୁସଖାଙ୍କୁ ସେମାନଙ୍କୁ ଦେଖିବା ପାଇଁ ପଠାଇଛନ୍ତି । ବିଦୁସଖା ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ଗୋପୀମାନେ ତାଙ୍କୁ ପରିହାସ କରିଛନ୍ତି । ପୁଣି, ବିଦୁସଖା ଅଷ୍ଟ ପାଟବଂଶୀଙ୍କ ଆଗରେ ଛଳନା କରି ଗୋପୀମାନଙ୍କୁ କୁତ୍ସିତ ଭାବରେ ବର୍ଣ୍ଣନା କରିଛନ୍ତି । ଏଥିରେ ଅଷ୍ଟପାଟରାଣୀ ଆନନ୍ଦିତା ହୋଇ ତାଙ୍କୁ ପୁରସ୍କୃତ କରିଛନ୍ତି । ଗୋପୀଚନ୍ଦନରେ ବର୍ଣ୍ଣିତ ଏ ସମସ୍ତ ଘଟଣା ଦ୍ଵାରିକା ରାହାସରେ ଉକ୍ତ ହୋଇନାହଁ ।

 

(ଟ)

ଶ୍ରୀକୃଷ୍ଣଙ୍କ ରାସ ବେଶ ବର୍ଣ୍ଣନା ଦ୍ଵାରିକା ରାହାସରେ ଖୁବ୍ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି । ପୁଣି ପ୍ରଥମେ ସେ ଗୋପୀମାନଙ୍କ ସହିତ ରାସକ୍ରୀଡ଼ା ଆରମ୍ଭ କରିବାରୁ ପ୍ରକୃତି ରାଜ୍ୟରେ ନାନା ପରିବର୍ତ୍ତନମାନ ସଂଘଟିତ ହୋଇଛି । ତାହା ଦେଖି ଦ୍ଵାରିକା ଯୁବତୀମାନେ ବିଷାଦଭାବ ପୋଷଣ କରିବାରୁ ଶ୍ରୀକୃଷ୍ଣ ସେମାନଙ୍କୁ ମଧ୍ୟ ରାସରେ ଯୋଗଦେବା ପାଇଁ ଆଦେଶ କରିଛନ୍ତି । ଏଭଳି ବର୍ଣ୍ଣନା ଗୋପୀଚନ୍ଦନରେ ସୁଲଭ ନୁହେଁ-। ସେଠାରେ ଉଭୟ ଅଷ୍ଟପାଟବଂଶୀ ଓ ଗୋପୀବୃନ୍ଦ ଏକକାଳରେ ଶ୍ରୀକୃଷ୍ଣଙ୍କ ସହିତ ରାସ ରଚନା କରିବାର ସୂଚିତ ହୋଇଛି ।

 

(୦)

ରାସକ୍ରୀଡ଼ାବେଳେ ଗୋପୀମାନେ ଓ ଅଷ୍ଟପାଟବଂଶୀ ଶ୍ରମଯୋଗୁଁ ଅଚେତ ହୋଇଯିବା ଦେଖି, ଶ୍ରୀକୃଷ୍ଣ ସେମାନଙ୍କ ମନୋଭାବ ଜାଣିବା ପାଇଁ ଶ୍ରୀରାଧାଙ୍କ ସହିତ କ୍ଷଣକାଳ ପାଇଁ ଅଦୃଶ୍ୟ ହୋଇଯାଇଛନ୍ତି । କୃଷ୍ଣଙ୍କୁ ନଦେଖି ଏ ଉଭୟ ରମଣୀବୃନ୍ଦ ଇତସ୍ତତଃ ଖୋଜି ଖୋଜି ଅବଶେଷରେ ରାଧାକୃଷ୍ଣକୁ ବଂଶୀବାଦନ କରୁଥିବା ଅବସ୍ଥାରେ ଆବିଷ୍କାର କରିଥିବା ପ୍ରସଙ୍ଗ, ଦ୍ଵାରିକା ରାହାସର କବିଙ୍କ ବସ୍ତୁ ଉପସ୍ଥାପନାଗତ ମୌଳିକତାକୁ ପ୍ରମାଣିତ କଲାବେଳେ, ଚାନ୍ଦ ଦାସଙ୍କ ରଚନାରେ ଏହାର ସୂଚନା ନାହିଁ ।

 

(ଡ)

ଗୋପୀଚନ୍ଦନ କାବ୍ୟର ଶେଷ ଛାନ୍ଦରେ ନାରଦଙ୍କର ନିତ୍ୟରାସ ଦର୍ଶନ ଅଭିଳାଷ ଓ ଶ୍ରୀକୃଷ୍ଣଙ୍କ ଆଦେଶରେ ରାଧାକୁଣ୍ଡରେ ସ୍ନାନ କରିବା ପରେ ଯୁବତୀ ବେଶରେ ନିତ୍ୟ ରାସସ୍ଥଳୀରେ ରାସ ଦର୍ଶନ କରିଥିବା ବର୍ଣ୍ଣିତ ଅଛି । ଏଥିରେ ନିତ୍ୟରାସ ସ୍ଥଳୀର ସୁନ୍ଦର ବର୍ଣ୍ଣନା ପ୍ରଦାନ କରାଯାଇଛି । ଦ୍ଵାରିକା ରାହାସରେ ରାସ ଦର୍ଶନରେ ଆକାଶମାର୍ଗରେ ନାରଦ କେବଳ ବୀଣା ବାଦନ କରି ଆନନ୍ଦରେ ନୃତ୍ୟ କରିବା ବ୍ୟତୀତ ଅନ୍ୟ କୌଣସି ବିଷୟର ସୂଚନା ପ୍ରଦାନ କରାଯାଇ ନାହିଁ।

 

(ଢ)

ଗୋପୀଚନ୍ଦନରେ ସ୍ପଷ୍ଟତଃ, କବି ଶ୍ରୀରାଧାଙ୍କ ନାମୋଲ୍ଲେଖ ॥୨୧॥ କରିଥିବା ବେଳେ ଦ୍ଵାରିକା ରାହାସରେ ପୁରୁଷୋତ୍ତମ ଦାସ ପରୋକ୍ଷରେ ‘ବୃଷଭାନୁ ନନ୍ଦିନୀ’ ବୋଲି ହିଁ କହିଛନ୍ତି । ଏଥିରେ ରାଧାଙ୍କୁ “ରାଧା” ବୋଲି ଥରକ ପାଇଁ ମଧ୍ୟ କୁହାଯାଇ ନାହିଁ ! ବସ୍ତୁତଃ ଏହିପରି ଭାବରେ ପୁରୁଷୋତ୍ତମ ଦାସ ଚାନ୍ଦ ଦାସଙ୍କ କୃତ ଗୋପୀଚନ୍ଦନର ମୂଳ କଥାବସ୍ତୁକୁ ଗ୍ରହଣ କରିଥିଲେ ହେଁ କେତେକ ନୂତନ ବସ୍ତୁର ଉପଯୋଗ ଓ କେତେକ ବର୍ଣ୍ଣିତ ବିଷୟର ପରିତ୍ୟାଗ କରି ଦ୍ଵାରିକା ରାହାସ ରଚନା କରିଛନ୍ତି । ବର୍ଣ୍ଣନା, କଳ୍ପନା, ଚରିତ୍ର ଚିତ୍ରଣ ଓ ଅଳଙ୍କାର ପ୍ରଯୋଜନା ଆଦି ବିଭିନ୍ନ କ୍ଷେତ୍ରରେ ଚାନ୍ଦ ଦାସଙ୍କ ଅପେକ୍ଷା ପୁରୁଷୋତ୍ତମଙ୍କ ପ୍ରତିଭା ଅଧିକ ବିଭବବନ୍ତ ତଥା ସମୁଜ୍ଜ୍ୱଳ ।

 

ଦ୍ଵାରିକା ରାହାସ ଓ ରହସ୍ୟମଞ୍ଜରୀ : ଦେବଦୁର୍ଲ୍ଲଭ ଦାସଙ୍କ ରହସ୍ୟମଞ୍ଜରୀ କାବ୍ୟ ଏଠି ସମୟର ରାଗାନୁଗା ପ୍ରେମଭକ୍ତି ଧର୍ମର ଶ୍ରେଷ୍ଠତ୍ୱ ପ୍ରତିପାଦକ ଅନ୍ୟ ଏକ ଭଲ୍ଲେଖନୀୟ ଗ୍ରନ୍ଥ । ଗୋପୀଚନ୍ଦନ ଓ ଦ୍ଵାରିକା ରାହାସର ପ୍ରତିପାଦ୍ୟ ବସ୍ତୁ ସହିତ ଏହି କାବ୍ୟର କେତେକ ସାମ୍ୟ ଦେଖାଯାଏ ।

 

ଉଭୟ ଦ୍ଵାରିକା ରାହାସ ଓ ରହସ୍ୟମଞ୍ଜରୀ କାବ୍ୟରେ କବିଙ୍କ ମୂଳ ପ୍ରତିପାଦିତ ବସ୍ତୁ ହେଉଛି, ରାଗାନୁଗା ପ୍ରେମଭକ୍ତି ବା ଗୋପୀଭାବର ମହତ୍ୱ ପ୍ରକାଶ କରିବା ଏବଂ ଶ୍ରୀକୃଷ୍ଣଙ୍କ ଅଷ୍ଟପାଟବଂଶୀଙ୍କୁ ଏହି ମହନୀୟ ପ୍ରେମଭାବରେ ଅନୁପ୍ରାଣିତ କରିବା । ସେ ଦୃଷ୍ଚିରୁ ଉଭୟ କବି ସ୍ଵକୀୟା ପତ୍ନୀମାନଙ୍କ ନିକଟରେ ପରକୀୟା ପ୍ରେମର ଗୌରବ ଗାନ କରି, ସ୍ଵକୀୟାର ଅଭିମାନ ଚୂର୍ଣ୍ଣ କରାଇଛନ୍ତି । ଶ୍ରୀରାଧାଙ୍କ ସହିତ ଗୋପୀକୃଷ୍ଣ ରାସଲୀଳା ଦୁଇଟି ଯାକ କାବ୍ୟର ସାଧାରଣ ପ୍ରସଙ୍ଗ । ଦ୍ଵାରିକା ରାହାସରେ ଶ୍ରୀକୃଷ୍ଣଙ୍କ ଆଦେଶ ପାଇ ଅଷ୍ଟପାଟ ମହାଦେବୀ ମଧ୍ୟ ରାସକ୍ରୀଡ଼ାରେ ଯୋଗଦେବା ବର୍ଣ୍ଣିତ ଅଛି । ରହସ୍ୟ ମଞ୍ଜରୀରେ ଏହି ପ୍ରସଙ୍ଗ ସୂଚିତ ହୋଇନାହିଁ । ସେମାନେ ଗରୁଡ଼ ପୃଷ୍ଠରେ ବିରାଜିତ ହୋଇ ଶ୍ରୀରାଧା ଓ ଗୋପୀକୃଷ୍ଣଙ୍କର ମହାରାସ ଦର୍ଶନ କରିଛନ୍ତି କେବଳ ।

 

ଦ୍ଵାରିକା ରାହାସରେ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଓ ରାଧାଙ୍କୁ ଉଦ୍ଧବଙ୍କ ଦ୍ଵାରା ଡକାଇ ଆଣିଛନ୍ତି ଦ୍ଵାରିକା ନଗରୀକୁ ଓ ସେଠାରେ ରାସକ୍ରୀଡ଼ାର ଆୟୋଜନ କରିଛନ୍ତି; କିନ୍ତୁ ଦେବ ଦୁର୍ଲ୍ଲଭଙ୍କ ବର୍ଣ୍ଣନା ଅନୁସାରେ ସ୍ୱୟଂ ଶ୍ରୀକୃଷ୍ଣ ଅଷ୍ଟପାଟର।ଣୀଙ୍କୁ ଗରୁଡ଼ ପୃଷ୍ଠରେ ବସାଇ ନେଇ ବୃନ୍ଦାବନରେ ପହଞ୍ଚି ରାସରଚନା କରିଛନ୍ତି ।

 

ଶ୍ରୀରାଧାଙ୍କର ଏକ ବିଶିଷ୍ଟ ଭୂମିକା ରହସ୍ୟ ମଞ୍ଜରୀରେ ଦେଖାଯାଏ । ଏଥିରେ ଶ୍ରୀକୃଷ୍ଣଙ୍କ ମୁଖରେ ରାଧାଙ୍କର ବିରହ ଓ ଶ୍ରେଷ୍ଠତା ଯେପରି ପ୍ରକାଶ ପାଇଛି, ସେହିପରି କବି ସ୍ଵତନ୍ତ୍ର ଛାନ୍ଦ ଯୋଜନା କରି ରାଧାଙ୍କ ବିରହ ଓ କୃଷ୍ଣପ୍ରାପ୍ତିର ବିବିଧ ଉପାୟ ଅବଲମ୍ବନର ବର୍ଣ୍ଣନା କରିଛନ୍ତି ।୨୨॥ ସର୍ବୋପରି ଏଥିରେ ରାଧାଙ୍କୁ ଶ୍ରୀକୃଷ୍ଣଙ୍କ ସର୍ବଶ୍ରେଷ୍ଠ ଲୀଳାସଙ୍କିନୀ ଓ ମାଧୁର୍ଯ୍ୟ ଲୀଳାର ଶ୍ରେଷ୍ଠ ନାୟିକା ଭାବରେ ବର୍ଣ୍ଣନା କରିବା କବିଙ୍କର ଲକ୍ଷ୍ୟ ହୋଇପଡ଼ିଛି ।

 

ଏ ଦୃଷ୍ଟିରୁ ଗୋପୀଚନ୍ଦନ, ଦ୍ଵାରିକାରାହାସ ଓ ରହସ୍ୟମଞ୍ଜରୀରେ ଶ୍ରୀରାଧାଙ୍କ ଚରିତ୍ର ବର୍ଣ୍ଣନାକୁ ବିଚାର କଲେ, ଆମେ ରାଧାଙ୍କର ଏକ କ୍ରମବର୍ଦ୍ଧମାନ ସ୍ୱରୂପ - ଏହି ଗ୍ରନ୍ଥତ୍ରୟରେ ଦେଖିପାରୁ । ଚାନ୍ଦଦାସ ସ୍ୱଗ୍ରନ୍ଥରେ ରାଧାଙ୍କୁ ଏକ ସାଧାରଣ ଗୋପିକା ଭଳି ଚିତ୍ରଣ କରିଛନ୍ତି । ରାଧାଙ୍କର କୌଣସି ସ୍ଵତନ୍ତ୍ର ଭଲ୍ଲେଖନୀୟ ସ୍ଥିତି ଏହି କାବ୍ୟରୁ ଜଣାଯାଏ ନାହିଁ । ଦ୍ୱାରିକା ରାହାସରେ ଅନ୍ୟ ଗୋପୀଙ୍କ ଅପେକ୍ଷା ରାଧାଙ୍କୁ ଅଧିକ ଶ୍ରେଷ୍ଠ ଭାବରେ ବର୍ଣ୍ଣନା କରାଯାଇଛି । ରହସ୍ୟ ମଞ୍ଜରୀରେ ତାଙ୍କର ଅଧିକତମ ବିକଶିତ ରୂପ ଦେଖାଯାଏ । ତେଣୁ ୧୬ଶ/୧୭ଶ ଶତାବ୍ଦୀର ଓଡ଼ିଆ ସାହିତ୍ୟରେ ଶ୍ରୀରାଧାଙ୍କ କ୍ରମବିକାଶକୁ ଉକ୍ତ ତିନୋଟି କାବ୍ୟରେ ସୁନ୍ଦର ଭାବେ ଲକ୍ଷ୍ୟ କରିହୁଏ । ଏ ଦୃଷ୍ଟିରୁ ବିଚାର କଲେ ରହସ୍ୟମଞ୍ଜରୀର ସୃଷ୍ଟି ଦ୍ଵାରିକାରାହାସର ପରବର୍ତ୍ତୀ ମନେହୁଏ ।

 

ଦ୍ଵାରିକା ରାହାସ ଓ ଭାଗବତ ଦଶମ ସ୍କନ୍ଧ : ଜଗନ୍ନାଥ ଦାସଙ୍କ ଭାଗବତ ଦଶମ ସ୍କନ୍ଧର କେତେକ ବିଷୟ ଦ୍ଵାରା ପୁରୁଷୋତ୍ତମ ଦାସ ପ୍ରଭାବିତ ହୋଇଥିବା ଜଣାଯାଏ । ଦ୍ଵାରିକା ରାହାସର ଦ୍ୱିତୀୟ ଛାନ୍ଦରେ ଶ୍ରୀକୃଷ୍ଣଙ୍କର ଜନ୍ମ ହେବାଠାରୁ ଗୋପପୁରରେ ନନ୍ଦଙ୍କ ଘରେ ରହି ବଢ଼ିବା ଓ ପୁତନା, ବକା, ଶକଟାଦି ରାକ୍ଷସଙ୍କୁ ମାରି ଗୋପରମଣୀମାନଙ୍କ ସହିତ କ୍ରୀଡ଼ା କରିବା ପ୍ରଭୃତି ଗୋପଲୀଳା, ପରେ ମଥୁରାକୁ ଯାଇ ଧନୁଉତ୍ସବରେ ଦର୍ଶନ, କୁବଳୟା ବିନାଶ, ମଲ୍ଲଯୁଦ୍ଧ ଓ ଅବଶେଷରେ କଂସବଧ ଆଦି ମଥୁରାଲୀଳା ଏବଂ ଜରାସନ୍ଧର ଆକ୍ରମଣରେ ଦ୍ଵାରକାକୁ ପଳାୟନ ତଥା ସେଠାରେ ଅଷ୍ଟପାଟମହାଦେବୀଙ୍କୁ ବିବାହ ପ୍ରଭୃତି ଦ୍ଵାରିକା ଲୀଳାର କଥାବସ୍ତୁ, କବି ଜଗନ୍ନାଥ ଦାସଙ୍କ ଭାଗବତ ଦଶମ ସ୍କନ୍ଧରୁ ଗ୍ରହଣ କରି ସଂକ୍ଷେପରେ ପ୍ରକାଶ କରିଛନ୍ତି ।

 

ସେହିପରି ଦ୍ଵାରିକା ରାହାସରେ ଦଶମ ଓ ଏକାଦଶ ଛାନ୍ଦରେ ରାସକ୍ରୀଡ଼ା ବେଳେ ଗୋପରମଣୀ ଓ ଅଷ୍ଟପାଟବଂଶୀଙ୍କ ମନୋଭାବ ଜାଣିବା ପାଇଁ, ଶ୍ରୀରାଧାଙ୍କ ସହିତ ଶ୍ରୀକୃଷ୍ଣ ଅନ୍ତର୍ଦ୍ଧାନ ହେବା ଓ ପରେ ସେମାନେ ଖୋଜି ଖୋଜି ପାଇ ନିଜର ଅଜ୍ଞତା ସ୍ୱୀକାର କରିବା ଭଳି ଏକ ମନୋରମ କଥାବସ୍ତୁର ଉପସ୍ଥାପନା, କବି ଜଗନ୍ନାଥ ଦାସଙ୍କ ଭାଗବତ ୧୦ମ ସ୍କନ୍ଧର ୩୦ରୁ ୩୪ଶ ଅଧ୍ୟାୟରେ ବର୍ଣ୍ଣିତ ରାସକ୍ରୀଡ଼ା ସମୟରେ ଶ୍ରୀକୃଷ୍ଣ ବୃନ୍ଦାବତୀ ନାମକ ଗୋପିକାକୁ ସାଙ୍ଗରେ ଧରି ଅନ୍ତର୍ଦ୍ଧାନ ହେବା ଓ ପରେ ଆବିର୍ଭୂତ ହୋଇ ସେମାନଙ୍କୁ ଦର୍ଶନ ପ୍ରଦାନ କରି ରାସ ରଚନା କରିବା ପ୍ରସଙ୍ଗରୁ ହିଁ ଗ୍ରହଣ କରି ସ୍ଵକୀୟ ମୌଳିକତା ପ୍ରଦର୍ଶନ କରିଛନ୍ତି ।

 

ଭାଗବତରୁ ବୃନ୍ଦାବତୀ ଚରିତ୍ର ସ୍ଥାନରେ ଶ୍ରୀରାଧାଙ୍କ ନାମୋଲ୍ଲେଖ କରି ପୁରୁଷୋତ୍ତମ ଦାସ ଓଡ଼ିଆ ସାହିତ୍ୟରେ ଶ୍ରୀରାଧାଙ୍କ ପ୍ରତିଷ୍ଠା ଅଧିକ ବଢ଼ାଇଛନ୍ତି । କୃଷ୍ଣଙ୍କ ଅଦୃଶ୍ୟ ହେବା ପରେ ଭାଗବତର ଗୋପନାରୀମାନେ ଯେଭଳି ବ୍ୟାକୁଳିତ ଚିତ୍ତରେ ତାଙ୍କର ଅନୁସନ୍ଧାନ କରିଛନ୍ତି, ଜଗନ୍ନାଥ ଦାସ ତା’ର ଏକ ବିସ୍ତୃତ ଓ ମନୋରମ କବିତ୍ଵପୂର୍ଣ୍ଣ ବର୍ଣ୍ଣନା ଦେଇଛନ୍ତି । ଦ୍ଵାରିକା ରାହାସରେ ସେଭଳି ବର୍ଣ୍ଣନାର ନିପୁଣତା ଦେଖାଯାଏ ନାହିଁ ।

 

ପ୍ରାକ୍ ଉପେନ୍ଦ୍ର ଓଡ଼ିଆ ରୀତି କାବ୍ୟ ପରମ୍ପରା ଓ ଦ୍ଵାରିକା ରାହାସ : ପ୍ରାକ୍ ଉପେନ୍ଦ୍ର ଓଡ଼ିଆ ରୀତି କାବ୍ୟ ପରମ୍ପରାର ଏକ ବଳିଷ୍ଠ ପ୍ରତିନିଧି ଭାବରେ ପୁରୁଷୋତ୍ତମ ଦାସଙ୍କ ଦ୍ଵାରିକା ରାହାସର କାବ୍ୟ ବୈଶିଷ୍ଟ୍ୟ ସମାଲୋଚକର ଦୃଷ୍ଟି ଆକର୍ଷଣ କରେ । ଏଥିରେ ଓଡ଼ିଆ କାବ୍ୟବିଭାର ସମସ୍ତ ଦିଗନ୍ତର ପ୍ରଦୀପ୍ତ ପ୍ରତିଫଳନ ଘଟିଛି । କଥାବସ୍ତୁ ଦୃଷ୍ଟିରୁ ବୈଷ୍ଣବ ଜନୋଚିତ ରୀତିରେ କବି କୃଷ୍ଣଲୀଳା ବିଷୟକ ପୌରାଣିକ ଆଖ୍ୟାନର ଭିଭିଭୂମିରେ ସମୃଦ୍ଧ ବିଷୟକୁ ଗ୍ରହଣ କରିଛନ୍ତି ।

 

ରସବିନ୍ୟାସ କ୍ଷେତ୍ରରେ ଏହି କାଳର କବିମାନେ ଶୃଙ୍ଗାରର ସଚେତନ ପ୍ରୟୋଗରେ ସଚେଷ୍ଟ ହେଲେ ଉଭୟ କାଳ୍ପନିକ ଓ ପୌରାଣିକ କାବ୍ୟରେ । ଦ୍ୱାରିକା ରାହାସରେ ମଧ୍ୟ ତାହା ହିଁ ହୋଇଛି । ଶୃଙ୍ଗାର ବା ବୈଷ୍ଣବ ଜନୋଚିତ ଭଜ୍ଜ୍ଵଳ ରସ ହେଉଛି ଏ କାବ୍ୟର ଅଙ୍ଗୀରସ । ପ୍ରାରମ୍ଭରୁ ଶ୍ରୀରାଧା ଓ ଗୋପୀମାନଙ୍କର ବିଚ୍ଛେଦରେ ଶ୍ରୀକୃଷ୍ଣଙ୍କର ଓ ଶ୍ରୀକୃଷ୍ଣଙ୍କର ବିଚ୍ଛେଦରେ ଶ୍ରୀରାଧା ଓ ଗୋପାଙ୍ଗନାମାନଙ୍କର ବିରହ ବିରହିଣୀ ଅବସ୍ଥା କଥନ ମାଧ୍ୟମରେ ବିପ୍ରଲୟ ଶୃଙ୍ଗାରର ଏକ ବଳିଷ୍ଠ ପୃଷ୍ଠଭୂମି ପ୍ରଦାନ କରାଯାଇ ପରିଶେଷରେ, ରାସରଚନାରେ ମିଳନ ଓ ସମ୍ଭୋଗ ଶୃଙ୍ଗାରର ବର୍ଣ୍ଣନା ଏଥିରେ ପରିବେଷଣ କରାଯାଇଛି । କେବଳ ସେତିକି ନୁହେଁ, ପ୍ରସଙ୍ଗ କ୍ରମେ କବି ପ୍ରାକୃତିକ ପରିବେଶର ବର୍ଣ୍ଣନା କରୁ କରୁ ସମ୍ଭୋଗ ଶୃଙ୍ଗାରର ଯେଉଁ ନିଚ୍ଛକ ପ୍ରତିଛବି ଅଙ୍କନ କରିଛନ୍ତି, ତାହା ଓଡ଼ିଆ କାବ୍ୟରେ ଶୃଙ୍ଗାର ଚେତନାର କ୍ରମ ପ୍ରାଧାନ୍ୟକୁ ହିଁ ସୂଚିତ କରୁଛି । ରାତ୍ରି ବର୍ଣ୍ଣନା ପ୍ରସଙ୍ଗରେ ଅଭିସାରୀ ନାୟକ-ନାୟିକାଙ୍କ ସମ୍ଭୋଗ ବର୍ଣ୍ଣନା କରି ସେ ଲେଖଛନ୍ତି -

 

“ଆଲିଙ୍ଗନ ନଖକ୍ଷତ       ଚୁମ୍ବନ ମର୍ଦ୍ଦନ ଜାତ

ରତି ରସ କଲେ କାନ୍ତ ଶଶୀ ଚାଳିଣ

ସୁରତି ବିବିଧ କେଳି        ବିପରୀତ ରସେ ମିଳି

କୁଚ ଗିରିବର ଭାଜି ପଡ଼େ ବୋଲିଣ

କରେ କୁଚ ତୋଳି ଧରଇ

ତୃଷାରେ ପିବନ୍ତେ କାମ ଶାନ୍ତି ଭଜଇ ।” (ଦ୍ୱା.ରା. ୩/୨୨)

 

ଏଥିରେ ପ୍ରଦତ୍ତ ବର୍ଣ୍ଣନାଗୁଡ଼ିକ କବିଙ୍କର ନୈସର୍ଗିକ ପ୍ରତିଭାର କମନୀୟ ଆଲେଖ୍ୟ ବହନ କରିଛି । ପୁରାଣ ପରମ୍ପରାର ବିବରଣୀ ସର୍ବସ୍ୱ ବର୍ଣ୍ଣନାକୁ କ୍ରମଶଃ ଆଡ଼ମ୍ବରପୂର୍ଣ୍ଣ ଭାବେ ପ୍ରକାଶ କରିବାର ଯେଉଁ ପ୍ରଚେଷ୍ଟା ୧୬ଶ/୧୭ଶ ଶତକର ଓଡ଼ିଆ କାବ୍ୟଧାରାକୁ ଶ୍ରୀମନ୍ତ କରିଥିଲା, ଦ୍ଵାରିକା ରାହାସର ଦ୍ଵାରିକାପୁର, ରଥଯାତ୍ରା, ଉପବନ, ପ୍ରଭାତ, ସନ୍ଧ୍ୟା, ନଦୀ ଆଦି ତାହା ସହଜଲଭ୍ୟ ହୁଏ । ଏଥି ସହିତ କବିତ୍ରର ଐନ୍ଦ୍ରଜାଲିକ କଳ୍ପନାରେ ବେଳେବେଳେ ପୁରୁଷୋତ୍ତମଙ୍କ ବର୍ଣ୍ଣନା ପଦଗତ ସୌନ୍ଦର୍ଯ୍ୟ ସୃଷ୍ଟିରେ ବେଶ୍ ସହାୟକ ହୋଇପାରିଛି । ଏହି କ୍ରମରେ ଶରତ ପୂର୍ଣ୍ଣିମାର ଚନ୍ଦ୍ରୋଦୟ ଦୃଶ୍ୟ ବର୍ଣ୍ଣନା କବିଙ୍କ ଚିତ୍ରାତ୍ମକତାର ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ । ଯଥା -

 

“କି ଦେବ ସଜନୀ ଚନ୍ଦନ ବିନ୍ଦୁ

ଯେସନେ ଶୋଭା ପାଉଅଛି ଇନ୍ଦୁ

କିଏ ଗଗନ କାନନୁ କେଶରୀ

ପ୍ରାଚୀ କନ୍ଦରାରୁ ଆସେ ଉତୁରି

ସେ ତିମିର କରି

ମୟୂଖ ନଖେ କେଶରୀ ବିଦାରି ।’’

(ଦ୍ୱା.ରା. ୮/୩)

 

ପୁଣି ମଧ୍ୟଯୁଗୀୟ ସାମନ୍ତୀୟ ବାତାବରଣରେ ଜନ୍ମ ଓ ପରିବର୍ଦ୍ଧିତ ଓଡ଼ିଆ କାବ୍ୟର ସମ୍ପଦ ସର୍ବସ୍ୱ ଅଭିଜାତମୟ ବର୍ଣ୍ଣନାର ପ୍ରାଥମିକ ବିଶ୍ଵସ୍ତ ଉଦାହରଣ ଆଲୋକ୍ୟ କାବ୍ୟର ଉପରୋକ୍ତ ବିବିଧ ବର୍ଣ୍ଣନାବଳୀରୁ ସୁଲଭ୍ୟ ହୁଏ ।

 

ପ୍ରକୃତିରେ ବ୍ୟକ୍ତିତ୍ୱ ଆରୋପ କରି ସମ୍ବେଦନଶୀଳ ତଥା ସଜୀବ ଚିତ୍ରଣ ଦୃଷ୍ଟିରୁ ପୁରୁଷୋତ୍ତମଙ୍କ କବିତ୍ଵ ସମଗ୍ର ଓଡ଼ିଆ ରୀତି କବି ମଣ୍ତଳୀଙ୍କ ନିକଟରେ, ପ୍ରାରମ୍ଭିକ ତୋରଣ ଉଦ୍‍ଘାଟନ କରି ଏକ ନୂତନ ଦିଗନ୍ତର ସନ୍ଧାନ ଦେଇଛି । ବାହ୍ୟ ଜଡ଼ ପ୍ରକୃତିକୁ କେବଳ ଚିତ୍ର ରୂପରେ ନୁହେଁ, ଏକ ଜୀବନ୍ତ ଚରିତ୍ର ରୂପରେ ଉପସ୍ଥାପନ କରି ମାନବିକ ମୂଲ୍ୟବୋଧରେ ସମୃଦ୍ଧ ତଥା ଚେତନଶୀଳ କରିବାରେ କବିଙ୍କ ପ୍ରତିଭାର ଅଭିନନ୍ଦନୀୟ ସାଫଲ୍ୟ ପ୍ରମାଣିତ ହୋଇଛି । ଶ୍ରୀରାଧାଙ୍କ ସହିତ ଅନ୍ତର୍ଦ୍ଧାନ ଶ୍ରୀକୃଷ୍ଣଙ୍କୁ ଖୋଜି ଖୋଜି ନପାଇ ଅରଣ୍ୟର ବୃକ୍ଷଲତାଙ୍କୁ ଗୋପଯୁବତୀ ଓ ପାଟବଂଶୀମାନେ ଯେତେବେଳେ-

 

“ପଚାରିଲେ ! ଦେଖିଲ କି ଜୀବନନିଧି

କାମ ଗରଳ ନାଶନ ତନୁ ଔଷଧି ।” (ଦ୍ୱା.ର।. ୧୧/୧୭)

 

ସେତେବେଳେ-                  +       +       +

“ମନ୍ଦ ପବନେ କୁସୁମ ଲତା କମ୍ପିଲା

ଏତ ସୁକେଶୀ ହସିଣ ନାହିଁ ଏ କଲା ।‘ (୧୧/୧୮)

 

ପ୍ରକୃତିକୁ ପରିବେଷିତ ଶୃଙ୍ଗାରର ଉଦ୍ଦୀପନ ବିଭାବ ଭାବରେ ରୂପାୟନ କରିବାର ଯେଉଁ ବଳିଷ୍ଠ ପରମ୍ପରା ପରବର୍ତ୍ତୀ ରୀତି କାବ୍ୟ ଧାରାରେ ଦେଖା ଦେଇଥିଲା, ଉଷାଭିଳାଷ, ପରିମଳା, ଋକ୍ମିଣୀ ବିଭାପରି ଦ୍ଵାରିକା ରାହାସରେ ମଧ୍ୟ ତା'ର ମଙ୍ଗଳଗାନ ପ୍ରଦତ୍ତ ହୋଇଛି । ରାସକ୍ରୀଡ଼ା ପୂର୍ବରୁ ରାସସ୍ଥଳୀର ମନୋରମ ବିସ୍ତୁତ ଉପସ୍ଥାପନା ॥୨୩॥ ଓ ସୁନ୍ଦର ଶରତ ଋତୁର ଚଟୁଳ ବର୍ଣ୍ଣନାରେ ॥୨୪॥ କାମୋଦ୍ଦୀପକ ପରିବେଶର ସମସ୍ତ ଲକ୍ଷଣ ପ୍ରକାଶିତ ହୋଇଛି । ସେହିପରି ପ୍ରକୃତିର ଅନ୍ତଃସୌନ୍ଦର୍ଯ୍ୟ କଥନରେ ସ୍ଥଳ ବିଶେଷରେ, ରୂପକାରକ ଭାବରେ ମାନବ ଜୀବନର ଅନ୍ତଃ ପ୍ରକୃତିର ଗୋପନ ରହସ୍ୟକୁ ଉଦ୍‍ଘାଟିତ କରି, ପାଠକ ପ୍ରାଣରେ କାଳିଦାସୀୟ ଭାବ ବ୍ୟଞ୍ଜନାର କୌଶଳକୁ ସ୍ମରଣ କରାଉଛି । ପ୍ରଭାତକାଳୀନ ଦୃଶ୍ୟ ବର୍ଣ୍ଣନାରେ -

 

“ମନ୍ଦ ମନ୍ଦ ବାତେ ଅରବିନ୍ଦ କମ୍ପଇ

ଭ୍ରମର ଭ୍ରମରା ତହିଁ ବସି ନପାଇ

ନିଶାକାଳେ ଥିଲା ସେ କୁମୁଦ ସାଙ୍ଗରେ

ତେଣୁ କରି କମଳିଣୀ ନାହିଁ କି କରେ ।

ଚତୁରୀ ନାରୀର ଏହୁ ସ୍ଵଭାବ ରୀତି

ନସହେ ଆନ ଯୁବତୀ ସଙ୍ଗରେ ପତି।’’

(ଦ୍ଵା.ରା. ୪/୩-୫)

 

ସମାସୋକ୍ତି ଅଳଙ୍କାରର ସାହଚର୍ଯ୍ୟରେ କବି ନାରୀମନରେ ସ୍ୱାମୀର ପରନାରୀ ସମ୍ଭୋଗଜନିତ ଅଭିମାନକୁ ଚମତ୍କାର ରୀତିରେ ପ୍ରକାଶ କରିଛନ୍ତି । ଅବଶ୍ୟ, କବି ଅଧିକ ପ୍ରଗଳ୍‍ଭ ହୋଇ ବାଚ୍ୟରେ ନାସ୍ତିଭାବ ଓ ନାରୀମନଃସ୍ତତ୍ତ୍ଵକୁ ପ୍ରକାଶ କରି ଦେଇଥିବାରୁ ପଦଟିର ଭାବଗାମ୍ଭୀର୍ଯ୍ୟ କେତେକାଂଶରେ ବ୍ୟାହତ ହୋଇଛି ।

 

ଶୈଳୀ ପକ୍ଷ ବିଚାର ଦୃଷ୍ଟିରୁ ମଧ୍ୟ ପୁରୁଷୋତ୍ତମ ଯୁଗାଦର୍ପକୁ ଅନୁସରଣ କରିଛନ୍ତି । ମଙ୍ଗଳାଚରଣରେ ଶ୍ରୀଜଗନ୍ନାଥଙ୍କର ସର୍ବମାନ୍ୟ ପ୍ରତିଷ୍ଠା ଓ ବସ୍ତୁନିର୍ଦ୍ଦେଶାଦି ଶାସ୍ତ୍ରୀୟ ପରମ୍ପରାକୁ ଉଲଂଘନ କରିନାହାନ୍ତି । ସାହିତ୍ୟ ସହିତ ସଙ୍ଗୀତର ଏକ ସମ୍ମିଳିତ ରୂପବିଭବ ଏହି ସମୟରେ ଫୁଟି ଉଠୁଥିବାରୁ, ଏଥିରେ କବି ସାଙ୍ଗୀତିକତାକୁ ସମଧିକ ଗୁରୁତ୍ଵ ଦେଇ ଛାନ୍ଦଗୁଡ଼ିକରେ ଭିନ୍ନ ଭିନ୍ନ ବୃତ୍ତ ଯୋଜନା କରି, ବିଭିନ୍ନ ବାଣୀରେ ଗାଇବାର ନିର୍ଦ୍ଦେଶ କରିଛନ୍ତି ॥୨୫॥ ଏଥିରୁ ବ୍ୟବହୃତ ରାଗ ବା ବୃତ୍ତଗୁଡ଼ିକ ହେଉଛି - ମଙ୍ଗଳଗୁଜରୀ, କଳସା, ଚୋଖି, କେଦାର, ବଙ୍ଗଳାଶ୍ରୀ, ଧନାଶ୍ରୀ, ବରାଡ଼ି, ଭୈରବ, ଚିନ୍ତାଦେଶାକ୍ଷ ଓ ମଙ୍ଗଳ ଧନାଶ୍ରୀ ।

 

ସଚେତନ ଭାବେ ଅଳଙ୍କୃତ କୌଶଳର କ୍ଳିଷ୍ଟ ପ୍ରୟୋଗ ଓ ସଂସ୍କୃତ ସାହିତ୍ୟର ଗୁରୁପ୍ରଭାବ ୧୬ଶ/୧୭ଶ ଶତାବ୍ଦୀର ଓଡ଼ିଆ କାବ୍ୟ ପ୍ରବାହରେ ଦେଖା ଦେଇନଥିଲେ ହେଁ, କ୍ରମଶଃ ସେ ଦିଗରେ କବି ପ୍ରତିଭାର ଧୀର ଆକର୍ଷଣ ତଥା ମନ୍ଥର ପ୍ରୟାସ ସ୍ପଷ୍ଟ ହୋଇ ଆସୁଥିଲା-। ଏହି ପରିବେଶରେ ଦ୍ଵାରିକା ରାହାସ ରଚିତ ହୋଇଥିବାରୁ ଏଥିରେ ଶବ୍ଦାଳଙ୍କାରର ସଚେଷ୍ଟ ପ୍ରୟୋଗ ଆଦୌ ନାହିଁ । ଅତି ସ୍ୱାଭାବିକ ଭାବରେ ଅଳ୍ପ କେତୋଟି ସ୍ଥଳରେ ପ୍ରକାଶିତ ଆନୁପ୍ରାସିକତା ଏହାର ସାଙ୍ଗୀତିକତାକୁ ପୁଷ୍ଟ କରିଛି । ସେହିପରି ଅର୍ଥାଳଙ୍କାର କ୍ଷେତ୍ରରେ, କବିତ୍ଵର ସହଜ ସ୍ଫୁରଣରେ ଯେଉଁ କେତେକ ଅଳଙ୍କାର ବିନ୍ୟସ୍ତ ହୋଇଛି, ସେଗୁଡ଼ିକ ଅନେକତ୍ର ଏକ ଏକ ପୂର୍ଣ୍ଣାଙ୍ଗ ମର୍ଯ୍ୟାଦାରେ ବିଭୂଷିତ ହେବା ସହିତ କ୍ୟାବାତ୍ମା ରସୋପଲବ୍ଧିର ବଳିଷ୍ଠ ସହାୟକ ହୋଇପାରିଛି । ଯଥା :

 

(କ)      ଉପମା କଳ୍ପନାରେ ବନଶୋଭା ବର୍ଣ୍ଣନା ¬

ଯେସନ କାନ୍ତକୁ କାନ୍ତା ଆଲିଙ୍ଗନ କରି

ତେସନ ରୁଚିର ମହୀରୁହ ବଲ୍ଲରୀ । (ଦ୍ୱା.ରା. ୪/୪୩)

 

(ଖ)       ଉତପ୍ରେକ୍ଷା କଳ୍ପନାରେ ପ୍ରାସାଦ ବର୍ଣ୍ଣନା-

ଦେଖ ଗୋ ସଜନୀ !        ଦିବ୍ୟ ମେଢ଼ିପରେ

ଶୋଭିତ ପୀତ ଦୁକୂଳ

ଗଙ୍ଗାଧର ଶିର             ଦେଖୁକି ବିଚିତ୍ର

ଜାହ୍ନବୀ ଧାରା ଚପଳ । (ଦ୍ୱା.ରା. ୪/୭)

 

(ଗ)       ସମାସୋକ୍ତି କଳ୍ପନାରେ ପ୍ରଭାତ ବର୍ଣ୍ଣନା-

ଇନ୍ଦୁ ସିନ୍ଧୁ ମଜ୍ଜନ୍ତେ ଯାଇ

ହିମ ଲୋଭେ ଲୋତେକ କୁମୁଦ ମୁଞ୍ଚଇ । (ଦ୍ୱା.ରା. ୪/୨)

 

ଏସବୁ ବ୍ୟତୀତ, ସାର, ତିରସ୍କାର, ବିନୋକ୍ତି, ରୂପକ, ବ୍ୟତିରେକ, ଉଦାର, ପ୍ରତୀପ, ସଂକର, ଭ୍ରାନ୍ତିମାନ ପରି ଅଳ୍ପ କେତେକ ଅଳଙ୍କାର ଏହାର ରସସୌନ୍ଦର୍ଯ୍ୟକୁ ମଣ୍ଡିତ କରିଛି । ଏଠାରେ ଅବଶ୍ୟ ଏକଥା ସୂଚନାଯୋଗ୍ୟ ଯେ, ୧୭ଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଓଡ଼ିଆ କବିତାରେ ଆଳଂକାରିକତାର ଯେଉଁ ଚେତନଶୀଳ ଆନ୍ଦୋଳନ ଦେଖା ଦେଇଥିଲା, ତା’ର ପ୍ରାଥମିକ ଶଙ୍ଖନାଦ ଦ୍ଵାରିକା ରାହାସରେ ଶୁଣିବାକୁ ମିଳିଥିଲା ।

 

କବି ଏଥିରେ ଲୋକ ଉଚ୍ଚାରିତ ବାକ୍‍ଭଙ୍ଗୀକୁ ବିଶେଷ ମାତ୍ରାରେ ବ୍ୟବହାର କରିଛନ୍ତି । ଯେପରି-ନଇଲେ, ସନେକ, କହୁତୁକ, ନନ୍ଦନୀ, କାମେନୀ, ହାଥ, ଭ୍ରଥ, ରାଏ, ବିଜଏ, କ୍ରପୂର, ସୁନ୍ଦେରୀ, ଥିତି, ଦୀପ, ଆଗ୍ୟାଂ, ଦୁତୀଅ, ଚୁସ୍ତି, ବିବାନ, ଉଚ୍ଛବ› ରିତୁ, ପୋତନା, ସିଙ୍ଘାସନ ଇତ୍ୟାଦି । ସେହିପରି କେତେକ ଅପ୍ରଚଳିବ ପ୍ରାଚୀନ ଶବ୍ଦ ତାଙ୍କ କୃତିରେ ବ୍ୟବହୃତ ହୋଇଛି । ଯଥା - ଅମାଳନ, ଦିଶ, ତହୁଂଣ, ରୁଧ୍ୟ, ମରୁଳ, ସଂକାଇ, ଆମ୍ଭନ୍ତ, ଦ୍ରଶନ ଇତ୍ୟାଦି । ତତ୍‍ସମ ଓ ତତ୍‍ଭବ ଶବ୍ଦର ବ୍ୟବହାର ଏଥିରେ ରହିଥିଲେ ହେଁ, ଦ୍ଵାରିକା ରାହାସର ଭାଷା ପ୍ରଧାନତଃ କୋମଳ ଓ କଥିତ ଓଡ଼ିଆ ବୋଲିବାକୁ ହେବ ।

 

ସାମାଜିକତା : ସାରଳା ଦାସଙ୍କ ମହାଭାରତ ପରି ନିଚ୍ଛକ ଜନଜୀବନର ଛବି ବହନ କରିନଥିଲେ ହେଁ, ଦ୍ୱାରିକା ରାହାସରେ ସମକାଳୀନ ଉତ୍କଳୀୟ ସାମାଜିକ ପରିସ୍ଥିତି ସମ୍ପର୍କରେ କେତେକ ଆଭାଷ ମିଳେ । ଧର୍ମ ଓ ସଂସ୍କୃତି ଶ୍ରୀଜଗନ୍ନାଥ କୈନ୍ଦ୍ରିକ ଉତ୍କଳୀୟ ଜ୍ଞାନମାର୍ଗୀ ବୈଷ୍ଣବ ପରମ୍ପରାରେ ଶ୍ରୀଚୈତନ୍ୟଙ୍କ ବଳିଷ୍ଠ ପ୍ରଭାବ ଯେଉଁ ପରିବର୍ତ୍ତନର ସୂତ୍ରପାତ କଲା ତା’ର ଏକ ଭତ୍ତରଣ ପ୍ରୟାସ ଏଥିରେ ଦେଖିବାକୁ ମିଳେ । ବିଶେଷତଃ ୧୬ଶ/୧୭ଶ ଶତକ ଉଭୟ ଉତ୍କଳୀୟ ଓ ଗୌଡ଼ୀୟ ବୈଷ୍ଣବ ଧର୍ମ ଆନ୍ଦୋଳନର ସମୟ ଥିଲା । ତେଣୁ ଏଥିରେ ପରକୀୟା ରାଗମାର୍ଗର ସମର୍ଥନ ରହିଥିଲେ ମଧ୍ୟ ଉଭୟ ବୈଷ୍ଣବୀୟ ଚିନ୍ତାଧାରାର ସମନ୍ଵୟ ଦେଖାଯାଏ । ୧୬ଶ ଶତକର ଉତ୍ତରାର୍ଦ୍ଧରେ ଶ୍ରୀଜଗନ୍ନାଥଙ୍କ ଉପରେ ଯବନ ଆକ୍ରମଣ ଜନିତ ସଙ୍କଟ ଫଳରେ ଖୋର୍ଦ୍ଧା ଭୋଇରାଜବଂଶର ରାଜା ରାମଚନ୍ଦ୍ର ଦେବ ୧ମଙ୍କ ଉଦ୍ୟମ ଦ୍ଵାରା ବିଗ୍ରହମାନଙ୍କ ପୁନଃସ୍ଥାପନ ଓ ଶ୍ରୀଗୁଣ୍ଡିଚା ତଥା ମହାପ୍ରସାଦର ପୁନଃପ୍ରଚଳନ ଉତ୍କଳୀୟ ଜନସଂସ୍କୃତିରେ ଯେଉଁ ଜାତୀୟ ଗୌରବର ଉତ୍‍ଥାନ ଘଟାଇଥିଲା, ତାକୁ ଚିର ସ୍ମରଣ କରିବା ପାଇଁ କାବ୍ୟର ବିଭିନ୍ନ ସ୍ଥଳରେ ଶ୍ରୀଗୁଣ୍ଡିଚା ଯାତ୍ରାର ବିଶଦ ବର୍ଣ୍ଣନା ପ୍ରଦାନ କରିବା ସହିତ ଉପସଂହାରରେ କୀର୍ତ୍ତିମନ୍ତ ରାଜା ରାମଚନ୍ଦ୍ର ଓ ତଦ୍ଦୀୟ ପୁତ୍ର ପୁରୁଷୋତ୍ତମଙ୍କ ଗୁଣଗାନ କରି ଇତିହାସକୁ ଅଧିକ ପ୍ରାମାଣିକ କରିଛନ୍ତି ।

 

ସେହିପରି ସେତେବେଳେ ଦେଶଭାଷା ବା ଓଡ଼ିଆ ଭାଷା ପ୍ରତି ଦରବାରୀ ପଣ୍ଡିତମ୍ମନ୍ୟ ବ୍ୟକ୍ତିଙ୍କର ଅନାଦର ଭାବ ରହିଥିଲା । ଧାର୍ମିକ କ୍ଷେତ୍ରରେ ଆଧ୍ୟାତ୍ମିକ ତଥ୍ୟରାଜିକୁ ପ୍ରାକୃତ ଭାଷାରେ ପ୍ରକାଶ କରିବା ସେମାନଙ୍କ ଦୃଷ୍ଟିରେ ଅପରାଧ ଥିଲା । ତାଙ୍କ ସମୟକୁ ଭାଷା- ସାହିତ୍ୟ କ୍ଷେତ୍ରରେ ଏଭଳି ମନୋଭାବ ବଳବତ୍ତର ଥିବାରୁ ହିଁ, ବୋଧହୁଏ କବି-

 

“ସୁଜନ ଜନମାନେ ମୋର ନଘେନିମ ଦୋଷ

ଦୋଶ ଭାଷା ସୁରସ ଏ କୃଷ୍ଣ କେଳି ରସ। ୨/୨୯

ଏବଂ

ଦେଶ ଭାଷା ଛନ୍ଦେ ଛାନ୍ଦ ବନିଲି ମୁହିଁ

ଅପରାଧ ନ ଧରିବ ସନ୍ଥ ଗୋସାଇଂ ।୧୨/ ୫୭

+ + +

ବଇଷ୍ଣବ ଜନେ ମୋର ନଧର ଦୋଷ ।” ୧୨/୫୮

(ଦ୍ଵାରିକା ରାହାସ / ପୁରୁଷୋତ୍ତମ ଦାସ)

 

ଏଭଳି ପଦର ଉଲ୍ଲେଖ କରି ସାଧୁ, ସନ୍ଥ ଓ ବୈଷ୍ଣବମାନଙ୍କ ନିକଟରେ ନିଜର ଦୟିନୀ ପ୍ରକାଶ କରିଛନ୍ତି।

 

ଏ ସମସ୍ତ ଅତିରିକ୍ତ ବିଭିନ୍ନ ପ୍ରକୃତି ବର୍ଣ୍ଣନାରେ ଓ ଉପମାନ କଳ୍ପନାରେ କବି ତତ୍କାଳୀନ ଜାର ପୁରୁଷ ଓ ବିଟପୀ ନାରୀର ସ୍ୱଭାବ, ବହୁନାରୀ ସମ୍ଭୋଗରତ ପୁରୁଷପ୍ରତି ଚତୁରୀ ନାରୀର ଆଚରଣ ଓ କେତେକ ସାମାଜିକ ଚଳଣୀ ତଥା ସମ୍ଭ୍ରାନ୍ତୀୟ ସମାଜରେ ବିନୋଦ ଏବଂ ପ୍ରସାଧନ ସାମଗ୍ରୀ ପ୍ରଭୃତି ସାମାଜିକ ଜୀବନର ସୂଚନା ପ୍ରଦାନ କରିଛନ୍ତି । ତେବେ, ଏଥିରେ ସମକାଳୀନ ଉତ୍କଳୀୟ ଜୀବନଧାରାର ପ୍ରମୁଖ ଅବସ୍ଥାର ପ୍ରତିଫଳନକୁ ଅସ୍ୱୀକାର କରିହେବ ନାହିଁ ।

 

ଉପସଂହାର : ଦ୍ଵାରିକା ରାହାସରେ ପ୍ରକାଶିତ ପୁରୁଷୋତ୍ତମ ଦାସଙ୍କର ଆଭାମୟ ସହଜାତ କବିତ୍ଵ, ତତ୍କାଳୀନ କାବ୍ୟାଦର୍ଶ ଭିତ୍ତିରେ ତାଙ୍କୁ ଯଥାର୍ଥରେ ଜଣେ ଶାଶ୍ୱତ କବିର ମର୍ଯ୍ୟାଦାରେ ଅଭିଷିକ୍ତ କରିଛି । ଏହାର କଥାବସ୍ତୁ ପରିବେଷଣରେ ଚାନ୍ଦଦାସଙ୍କର ଦୀପ୍ତିହୀନ କବିତ୍ଵର ଏକ ସମୁଜ୍ଜ୍ୱଳ ଉତ୍ତରଣ ପରିଲକ୍ଷିତ । ଓଡ଼ିଆ କାବ୍ୟର ବିବର୍ତ୍ତନରେ ସରଳ, ନିରାଡ଼ମ୍ବର, ପ୍ରସାଦଗୁଣ ସଂପନ୍ନ ପରବର୍ତ୍ତୀ ସଂସ୍କୃତ କାବ୍ୟଶୈଳୀ ଓ ରୀତି ପ୍ରଭାବମୁକ୍ତ ନିରୋଳ ଓଡ଼ିଆ କାବ୍ୟଧାରାର ଅନୁବର୍ତ୍ତକ ଥିଲେ ପୁରୁଷୋତ୍ତମ ଦାସ । ପରିଶେଷରେ, ଅନ୍ତତଃ ଏତିକି କୁହାଯାଇପାରେ ଯେ, ପ୍ରାକ୍ ଭଞ୍ଜୀୟ ଓଡ଼ିଆ ରୀତିକାବ୍ୟର କ୍ରମବିକାଶ, ଓଡ଼ିଆ ଭାଷାର ଅବସ୍ଥା, ସଂସ୍କୃତିର ବିବର୍ତ୍ତନ, ଶ୍ରୀରାଧାଙ୍କର କ୍ରମବିକାଶ ଓ ଭତ୍କଳୀୟ ସାମାଜିକ ଜୀବନର ପ୍ରତିଫଳନାଦି ଦୃଷ୍ଟିରୁ ପୁରୁଷୋତ୍ତମ ଦାସଙ୍କ ଏହି କାବ୍ୟ ଓଡ଼ିଆ ସାହିତ୍ୟର ଇତିହାସରେ ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିବ ।

 

ପାଦଟୀକା

୧.

ଖୁରୁଧା ଇତିହାସ- କେଦାରନାଥ ମହାପାତ୍ର । ପୃ.ପୃ. ୯-୧୫ । A Forgotten chapter of Orissan History- P.K. Pattanayak.Page- 25-26

୨.

Ibid-P.P.25-29

୩.

ଖୁରୁଧା ଇତିହାସ - ପୃ. -୧୪

୪.

ତତ୍ରୈବ - ପୃ. ପୃ. ୧୩-୧୫

୫.

ତତ୍ରୈବ - ପୃ. ୧୧ ଓ A Forgotten chapter of Orissan History- Page 26

୬.

Ibid- Page 29

୭,

ଦ୍ୱାରିକା ରାହାସ - ପୁରୁଷୋତ୍ତମ ଦାସ (ମୂଳ ତାଳପତ୍ର ପୋଥି ) ୧୨/୫୫

୮.

ଓଡ଼ିଆ ସାହିତ୍ୟର ମଧ୍ୟପର୍ବ ଓ ଉତ୍ତର ମଧ୍ୟପର୍ବ - ସୁରେନ୍ଦ୍ର ମହାନ୍ତି । ପୃ.ପୃ. ୧୩୭-୧୩୯

୯.

କ) ତତ୍ରୈବ - ପୃ.ପୃ. ୧୩୪-୧୩୫ ଖ) କାଞ୍ଚିକାବେରୀ-ପୁରୁଷୋତ୍ତମ ଦାସ । ୮/୩୮୩

୧୦.

ଓଡ଼ିଆ ସାହିତ୍ୟର ଇତିହାସ (୨ୟଭାଗ) - ଡଃ. ବଂଶୀଧର ମହାନ୍ତି । ପୃ.୨୧୦

୧୧.

“ମଧୁକୈଟପ (ଭ) ଗୋତ୍ରେ ଜନ୍ମ

ସେକୁଳେ ଉତ୍ପତ୍ତି ମୋ ଜାଣ

॥୯୭॥

 

ଶ୍ରୀରାମ ଦାସ ମୋର ତାତ

ଅମ୍ବିକା ଦେବୀ ମୋର ମାତ

॥୯୮॥

 

ପାଇଣ ନାମ ପୁର୍ଷୋତ୍ତମ

ପୁରୁଷ ଅଧମେ ଜନମ

॥୯୯॥

 

ଆଗମ ଗଙ୍ଗାର ଚରିତ

ଯା’କଥା ସ୍ଵର୍ଗରେ ଉଦିତ

॥୧୦୦॥

 

ମୋହୋର ଯେତେଦୂର ଗ୍ୟାଂନ

ତାହା ମୁଁ କଲଇ ଲେଖନ

॥୧୦୧॥

 

ଗଂଗା ମାହାତ୍ମ୍ୟ-ପୁରୁଷୋତ୍ତମ ଦାସ । ୨୩ ଅଧ୍ୟାୟ । ତାଳପତ୍ର ପୋଥି, ଉଦେପୁର ରାଧାକୃଷ୍ଣ ମନ୍ଦିର, କଳାହାଣ୍ଡିରୁ ଗୃହୀତ ।

 

୧୨.

ଓଡ଼ିଆ ସାହିତ୍ୟର ଇତିହାସ (୨ୟ ଭାଗ) - ଡକ୍ଟର ବଂଶୀଧର ମହାନ୍ତି । ପୃ ୨୧୦

୧୩.

ଓଡ଼ିଆ ସାହିତ୍ୟର ଇତିହାସ (୧ମ ଭାଗ) ପ. ବିନାୟକ ମିଶ୍ର । ପୃ. ୬୭ ।

୧୪,

ଓଡ଼ିଆ ସାହିତ୍ୟର ମଧ୍ୟପର୍ବ ଓ ଉତ୍ତର ମଧ୍ୟପର୍ବ - ସୁରେନ୍ଦ୍ର ମହାନ୍ତି । ପୃ.ପୃ.-୧୩୪-୧୩୫ ।

୧୫.

ଗୋପୀ ଚନ୍ଦନ - ଚାନ୍ଦ ଦାସ । ସଂ. ପ. ନୀଳମଣି ମିଶ୍ର । ମୁଖବନ୍ଧ, ପୃ.୮ ।

୧୬.

ତତ୍ରୈବ - ପୃ.ପୃ. -.୮-୧୧ ।

୧୭.

ତତ୍ରୈବ - ୧/୫ ।

୧୮.

ତତ୍ରୈବ - ପୃ ୧୨।

୧୯.

“ପଞ୍ଚସଖା ଯୁଗ ଓ ତତ୍ ପରବର୍ତ୍ତୀ ଯୁଗରେ ବୈଷ୍ଣବ ଧର୍ମତତ୍ତ୍ଵ ଆଧାରିତ ବହୁଗ୍ରନ୍ଥ ରଚିତ ଓ ପ୍ରଚାରିତ ହେଲା । ଏହି ସମୟରେ କାଳ୍ପନିକ କାହାଣୀ ଧର୍ମତତ୍ତ୍ଵରେ ସଂଯୋଜିତ ହୋଇ ପାଠକ ପାଇଁ ସ୍ଵାଦ୍ୟ ସାହିତ୍ୟିକ ସଂପଦ ସୃଷ୍ଟି କଲା” । ରହସ୍ୟ ମଞ୍ଜରୀ - ଦେବ ଦୁର୍ଲ୍ଲଭ ଦାସ । ସଂ. ଡଃ. ଦେବେନ୍ଦ୍ର ମହାନ୍ତି । ମୁଖବନ୍ଧ, ପୃ. ୨ ।

୨୦.

ଗୋପୀ ଚନ୍ଦନ - ୪/୪-୧୪ ।

୨୧.

ତତ୍ରୈବ - ୫/୩୩,୪୪,୪୫,୪୭ ।

୨୨.

ରହସ୍ୟ ମଞ୍ଜରୀ - ୯ରୁ ୧୩ ଛାନ୍ଦ ।

୨୩.

ଦ୍ଵାରିକା ରାହାସ - ୮ମ ଛାନ୍ଦ ।

୨୪.

ତତ୍ରୈବ - ୧୦/୪-୮ ।

୨୫.

ତତ୍ରୈବ - ୪ର୍ଥ ଛାନ୍ଦ - ସଙ୍ଗମ ତିଆରି ବାଣୀରେ ଗାଇବ ।

 

୫ମ ଛାନ୍ଦ - ଚକ୍ରକେଳି ବାଣୀରେ ଗାଇବ ।

 

୬ଷ୍ଠ ଛାନ୍ଦ - ଯୁବତୀକୁଳ ଶିରୋମଣି ବାଣୀରେ ଗାଇବ ।

 

୭ମ ଛାନ୍ଦ - ଅଳସୀ ବାଣୀରେ ଗାଇବ ।

 

୮ମ ଛାନ୍ଦ - ଆଷାଢ଼ ଶୁକ୍ଳ ବାଣୀରେ ଗାଇବ ।

 

୧୦ମ ଛାନ୍ଦ - ମାରକଣ୍ଡ ଋଷି କହେ ବାଣୀରେ ଗାଇବ ।

 

 

ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ଜେ. କେ. ମହାବିଦ୍ୟାଳୟ, ରିଷିଡ଼ା,

କଳାହାଣ୍ଡି, ପିନ୍ -୭୬୬୦୩୧

***

 

ନିର୍ଭୀକ ଚେତନାର ବଳିଷ୍ଠ ସ୍ୱାକ୍ଷର ‘ଉତ୍କଳ ପୁତ୍ର’

ଡକ୍ଟର ବିଜୟାନନ୍ଦ ସିଂହ

 

(୧)

 

ଓଡ଼ିଆ ଭାଷା ସାହିତ୍ୟ ଓ ଜାତି ଇତିହାସରେ ପ୍ୟାରୀମୋହନ ଆଚାର୍ଯ୍ୟ ଏକ ଅବିସ୍ମରଣୀୟ ପ୍ରତିଭା । ଓଡ଼ିଆ ଜାତିର ଏକ ସନ୍ଧିକ୍ଷଣରେ ପ୍ୟାରୀମୋହନଙ୍କ ଆବିର୍ଭାବ । ପ୍ୟାରୀମୋହନ ଯଥାର୍ଥରେ ଥିଲେ ଉତ୍କଳ ମାତାର ସୁଯୋଗ୍ୟ ପୁତ୍ର । ସେ ପ୍ରାଣ ଦେଇ ଭଲ ପାଉଥିଲେ ଉତ୍କଳକୁ, ଉତ୍କଳର ଭାଷାକୁ, ଉତ୍କଳର ସାହିତ୍ୟ, ସଂସ୍କୃତି ଓ ଇତିହାସକୁ । ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଓଡ଼ିଆ ଜାତିର ଚିନ୍ତାରେ କଦମ୍ବିତ । ପ୍ୟାରୀମୋହନଙ୍କ ଆୟୁଷ ମାତ୍ର ତିରିଷ ବର୍ଷ । କିନ୍ତୁ ଜୀବନ ତାଙ୍କର ବିପ୍ଲବ, ସଂଗ୍ରାମ, ସାଧନାରେ ପରିପୂର୍ଣ୍ଣ । ସେ ଥିଲେ ଯୁଗପୁରୁଷ । ସମ୍ବାଦପତ୍ର ପ୍ରକାଶନ, ଇତିହାସ ପ୍ରଣୟନ, ଶିକ୍ଷାର ବିକାଶ, ସମାଜସେବା, ସାହିତ୍ୟର ଉନ୍ନତି, ଦେଶଭକ୍ତିରେ ଯେଉଁ ଅପୂର୍ବ ଦୃଷ୍ଟାନ୍ତ ସେ ସୃଷ୍ଟି କରିଛନ୍ତି, ତାହାର ପଟ୍ଟାନ୍ତର ନାହିଁ । ବଳିଷ୍ଠ ବ୍ୟକ୍ତିତ୍ୱ ଗଭୀର: ପାଣ୍ଡିତ୍ୟ, ନିଷ୍ଠା, ଆତ୍ମବିଶ୍ୱାସ, ଅଧ୍ୟବସାୟ, ନିର୍ଭୀକତା, ଆତ୍ମୀୟତା, ସର୍ବୋପରି ସତ୍ୟ ପ୍ରତି ଅନୁରକ୍ତି ପ୍ୟାରୀମୋହନଙ୍କ ଜୀବନର ବିଶେଷତ୍ୱ “ଊନବିଂଶ ଶତାବ୍ଦୀର ଅଷ୍ଟମ ଦଶକ ଆରମ୍ଭରୁ ନବମ ଦଶକ ଆରମ୍ଭ ପର୍ଯ୍ୟନ୍ତ ମାତ୍ର ଦଶ ବର୍ଷ ମଧ୍ୟରେ ଓଡ଼ିଶାର ଶିକ୍ଷା, ଧର୍ମ, ରାଜନୀତି, ସାହିତ୍ୟ, ସଂସ୍କୃତି, ଭାଷା ସମସ୍ୟା ଓ ନାନାଦି ଜାତୀୟ ସମସ୍ୟା ସହିତ ଘନିଷ୍ଠ ଭାବରେ ଜଡ଼ିତ ହୋଇ ଯେଉଁ ପ୍ରତିଭା ଆଶାତୀତ ସାଫଲ୍ୟ ଅର୍ଜନ କରିଯାଇଥିଲେ ସେ ହେଉଛନ୍ତି ନବୋତ୍କଳ ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ସାରଥୀ ସ୍ୱର୍ଗତ ପ୍ୟାରୀମୋହନ ଆଚାର୍ଯ୍ୟ । (୧)

 

ପ୍ୟାରୀମୋହନଙ୍କ ପ୍ରତିଭା ବହୁମୁଖୀ ତାଙ୍କ ପ୍ରତିଭାର ଏକ ଉଜ୍ଜ୍ୱଳ ଦୀପ୍ତିସ୍ତମ୍ଭ ‘ଉତ୍କଳ ପୁତ୍ର’ ପତ୍ରିକା । ଭାଷା ଆନ୍ଦୋଳନ, ରାଜ୍ୟ ତଥା ଜାତୀୟ ସମସ୍ୟାର ଉତ୍‌ଥାପନ ପାଇଁ ପ୍ୟାରୀମୋହନ ‘ଉତ୍କଳ ପୁତ୍ର’ ପତ୍ରିକାକୁ ସୃଷ୍ଟି କରିଥିଲେ । ‘ଉତ୍କଳ ପୁତ୍ର’ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ପ୍ୟାରୀମୋହନଙ୍କ ସଂକ୍ଷିପ୍ତ ଜୀବନ ଚରିତକୁ ଅନୁଧ୍ୟାନ କରିବା ଆବଶ୍ୟକ । କାରଣ ତାଙ୍କ ଜୀବନ ହେଉଛି ଏକ ତପସ୍ଵୀର ଜୀବନ । ପ୍ୟାରୀମୋହନଙ୍କ ତପସ୍ୟା ଥିଲା ଓଡ଼ିଆ ଜାତିର ସାମଗ୍ରିକ ବିକାଶ ପାଇଁ ।

 

ପ୍ୟାରୀମୋହନ ୧୮୫୧ ମସିହା ଅଗଷ୍ଟ ମାସ ୫ ତାରିଖ (ଶ୍ରାବଣ ମାସ )ରେ କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ କୁଆଁପାଳ ନିକଟସ୍ଥ ପଶଲୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭୁବନ ମୋହନ ଆଚାର୍ଯ୍ୟ । ଭୁବନ ମୋହନ କଟକ ଅଦାଲତରେ ଓକିଲାତି କରୁଥିବାରୁ କଟକରେ ରହୁଥିଲେ । ତେଣୁ ପ୍ୟାରୀମୋହନ ୧୮୬୩. ମସିହାରେ କଟକ ଆସି କଟକ-ଇଂରାଜୀ ସ୍କୁଲ୍‍ରେ ପାଠ ପଢ଼ିଲେ । ୧୮୬୯ ମସିହାରେ ସେ ଏନ୍‍ଟ୍ରାନ୍‍ସ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଟକ କଲେଜ (କଟକ ଜିଲ୍ଲା ସ୍କୁଲ୍‍ରେ ପ୍ରତିଷ୍ଠିତ) ଏମ୍.ଏଫ୍. ଶ୍ରେଣୀରେ ଅଧ୍ୟୟନ କଲେ । ଏହି କଲେଜରେ ପାଠ ପଢ଼ିବା ସମୟରେ ତାଙ୍କର ପରିଚୟ ହୁଏ ଭକ୍ତକବି ମଧୁସୂଦନ ରାଓଙ୍କ ସହ । ପରବର୍ତ୍ତୀ ସମୟରେ ଦୁଇ ବନ୍ଧୁଙ୍କ ସମ୍ପର୍କ ଗଭୀର ହୁଏ । ଏହି ସମୟରେ ବ୍ରାହ୍ମଧର୍ମୀ ଅଧ୍ୟାପକ ହରନାଥ ଭଟ୍ଟାଚାର୍ଯ୍ୟଙ୍କ ଦ୍ଵାରା ପ୍ରଭାବିତ ହେଲେ ଦୁଇ ବନ୍ଧୁ ପ୍ୟାରୀମୋହନ ଓ ମଧୁସୂଦନ । ପରିଶେଷରେ ସେମାନେ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ ।

 

ପ୍ୟାରୀମୋହନ ଆଚାର୍ଯ୍ୟ ଥିଲେ ଏହି ବିରାଟ ଜାତିର ପ୍ରଜ୍ଞା ଓ ସ୍ୱାଭିମାନ । ସେ ଥିଲେ ଏକ ବିସ୍ମୟକର ପ୍ରତିଭା । ସ୍ଵଳ୍ପ ଜୀବନକାଳ ମଧ୍ୟରେ ସେ ସୃଷ୍ଟି କରିଗଲେ ଏକ ବିରାଟ କୋଣାର୍କ ‘ଉଜ୍ଜଳ ପୁତ୍ର’ । ଏହି ପତ୍ରିକା ମାଧ୍ୟମରେ ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ସର୍ବୋପରି ଓଡ଼ିଆ ଭାଷାର ବିକାଶ ପାଇଁ ଯେଉଁ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ, ତାହା ଇତିହାସରେ ଏକ ନୂତନ ଦିଗନ୍ତ କରିଛି-। ତାଙ୍କ ରଚିତ ଓଡ଼ିଶାର ଇତିହାସ ଏତେ ଲୋକପ୍ରିୟ ହୋଇଥିଲା ଯେ, ସେତେବେଳେ ଏହା ପାଠ୍ୟ ପୁସ୍ତକ ଭାବେ ପ୍ରଚଳିତ ହୋଇଥଲା । ଏହା ପ୍ରଥମ ଭାଷା ଭିତ୍ତିକ ଓଡ଼ିଶାର ଇତିହାସ-। ଏହା କେବଳ ରାଜବଂଶର ଇତିହାସ ନୁହେଁ, ଉତ୍କଳୀୟ ସଂସ୍କୃତି, ସମାଜ ଓ ବାସ୍ତବ ଜୀବନର ଯଥାର୍ଥ ପ୍ରତିଲିପି । ପ୍ୟାରୀମୋହନଙ୍କ ବ୍ୟକ୍ତିତ୍ଵ ଥିଲା ବିଶାଳ । ସେ ବହୁ ଦୁଃଖ, କଷ୍ଟ, ଯନ୍ତ୍ରଣା, ଭିତରେ ଜୀବନ ବିତାଇ ଥିଲେ ମଧ୍ୟ କୌଣସି ପ୍ରଲୋଭନ ତାଙ୍କୁ ଆକୃଷ୍କ କରିପାରି ନଥିଲା । ଇଂରେଜ ସରକାର ତାଙ୍କୁ ଡେପୁଟି ମାଜିଷ୍ଟ୍ରେଟ୍ ପଦବୀ ପାଇଁ ମନୋନୀତ କରିଥିଲେ । ସତ୍ୟନିଷ୍ଠ ପ୍ୟାରୀମୋହନ ଏହି ପଦବୀକୁ ପ୍ରତ୍ୟାଖ୍ୟାନ କରିଥିଲେ ।

 

୧୮୮୧ ମସିହା ଡିସେମ୍ବର ମାସ ୨୨ ତାରିଖ । ଡମପଡ଼ା ରାଜାଙ୍କ ସହିତ ପ୍ୟାରୀମୋହନ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲ ମଧ୍ୟରେ ଥିବା ଝରଣାରେ ସମସ୍ତଙ୍କ ବାରଣ ସତ୍ତ୍ୱେ ସେ ଗାଧୋଇ ପଡ଼ିଲେ । ତହିଁ ପରଦିନ ୨୩ ଚାରିଖରେ ଭୀଷଣ ଜ୍ଵର ରୋଗରେ ସେ ଆକ୍ରାନ୍ତ ହେଲେ । କଟକ ଫେରିଆସି ନିଜ ଗୃହରେ ରହି ଚିକିତ୍ସିତ ହେଲେ, ହେଲେ ମୃତ୍ୟୁ ଜୟଲାଭ କଲା-। ପ୍ୟାରୀମୋହନଙ୍କ ମହାନ ସାଧନାମୟ ଜୀବନର ଅବସାନ ଘଟିଲା ୧୮୮୧ ମସିହା ଡିସେମ୍ବର ୨୮ ତାରିଖ ଦିନ ।

 

(୨)

 

ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସମୟରେ ଓଡ଼ିଶାରେ ସେପରି ବିଶେଷ ପତ୍ରପତ୍ରିକା ପ୍ରକାଶିତ ହେଉନଥିଲା । କଟକରୁ ‘ଉତ୍କଳ ଦୀପିକା’ ଏବଂ ବାଲେଶ୍ୱରରୁ ‘ସମ୍ବାଦବାହିକା’ ମାତ୍ର କେତେ ଖଣ୍ଡି ହାତଗଣତି ପତ୍ରିକା ପ୍ରକାଶ ପାଉଥିଲା । ଯାହା ଫଳରେ ଓଡ଼ିଶାର ଅଭାବ ଅସୁବିଧା ଏବଂ ବିଭିନ୍ନ ସମସ୍ୟା ପ୍ରକାଶିତ ହୋଇପାରୁ ନଥିଲା । ପ୍ୟାରୀମୋହନ ଏହି ଅଭାବକୁ ମର୍ମେ ମର୍ମେ ଉପଲବ୍ଧି କଲେ । ପ୍ୟାରୀମୋହନ ଥିଲେ ଓଡ଼ିଆ ଜାତିର ପଥପ୍ରଦର୍ଶକ । ତେଣୁ ସେ ଉତ୍କଳର ଜନଜୀବନର ଚିତ୍ର ସମସ୍ୟାକୁ ଲୋକ ଲୋଚନକୁ ଆଣିବା ପାଇଁ ‘ଉତ୍କଳ ପୁତ୍ର' ନାମରେ ଏକ ନୂତନ ପତ୍ରିକା ୧୮୭୧ ମସିହାରେ ପ୍ରକାଶ କଲେ । ସେ ନିଜେ ହେଲେ ଏହାର ସମ୍ପାଦକ । ସେତେବେଳେ ପ୍ୟାରୀମୋହନଙ୍କର ଛାତ୍ରାବସ୍ଥା । ସ୍ଵାତନ୍ତ୍ର୍ୟ ପରିଚୟ । ସ୍ଵାତନ୍ତ୍ର୍ୟ ବିହୀନ ସୃଷ୍ଟି ବ୍ୟକ୍ତିତ୍ଵ ବିହୀନ ବ୍ୟକ୍ତି - ତା‘ର ସ୍ଥିତି ଥାଇପାରେ, କିନ୍ତୁ ଆକର୍ଷଣ ନାହିଁ । ପରିମାଣ ନୁହେଁ ସୃଷ୍ଟିର ଲଳିତ ବିଭବ ହିଁ ସ୍ରଷ୍ଟାର ସର୍ଜନା ନୈପୁଣ୍ୟର ପରାକାଷ୍ଠାର ଦ୍ୟୋତନା । ପ୍ୟାରୀମୋହନଙ୍କ ‘ଉତ୍କଳ ପୁତ୍ର’ ଏକ ନୂତନ ପରୀକ୍ଷା - ଏକ ନୂତନ ଆବେଦନ ୧୮୬୬ ନ‘ଅଙ୍କ ଦୁର୍ଭିକ୍ଷ । ଉତ୍କଟ ଖାଦ୍ୟାଭାବରେ ଅସଂଖ୍ୟ ଲୋକ ମୃତ୍ୟୁବରଣ କଲେ । ଓଡ଼ିଶାର ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଲା । ଓଡ଼ିଆ ଭାଷାକୁ ଲୋପ କରିବା ପାଇଁ ହୀନଚକ୍ରାନ୍ତ ହେଲା । ସର୍ବୋପରି ଓଡ଼ିଶାର ସ୍ୱାଭିମାନ ଭୂଲୁଣ୍ଠିତ ହେଲା । ଏହି ବିରାଟ ବିପର୍ଯ୍ୟୟ ପରେ ଓଡ଼ିଶା ଓ ଓଡ଼ିଆ ଭାଷା, ସାହିତ୍ୟର ବିକାଶ ପାଇଁ ପ୍ୟାରୀମୋହନ ଶତ ଚେଷ୍ଟା କରିଥିଲେ । ଭାଙ୍ଗି ପଡ଼ିଥିବା ଜାତିକୁ ଉଠାଇବା ପାଇଁ ତାଙ୍କର ଉଦ୍ୟମ ବାସ୍ତବିକ ଐତିହାସିକ । ଆଚାର୍ଯ୍ୟ ମହାଶୟଙ୍କ ଏହି ଉଦ୍ୟମର ସଫଳ ପ୍ରତିଶ୍ରୁତି ‘ଉତ୍କଳ ପୁତ୍ର‘ ପତ୍ରିକା । ‘ଉତ୍କଳ ପୁତ୍ର’ର ପ୍ରକାଶନ ପାଇଁ ତାଙ୍କର ଘନିଷ୍ଠ ବନ୍ଧୁ ମଧୁସୂଦନ ରାଓ, ସେ କାଳରେ ପ୍ରତିଷ୍ଠିତ ବ୍ୟକ୍ତି ପଣ୍ଡିତ ଗୋବିନ୍ଦ ରଥ ବହୁ ସାହାଯ୍ୟ କରିଥିଲେ । ଏହା ପ୍ରଥମେ ହାତରେ ଲେଖା ହୋଇ ପ୍ରକାଶିତ ହେଉଥିଲା । ପରେ କର୍ମବୀର ଗୌରୀଶଙ୍କରଙ୍କ ସହଯୋଗରେ ଏହା ମୁଦ୍ରିତ ହୋଇ ପ୍ରକାଶିତ ହେଲା । କଟକ ପ୍ରିଣ୍ଟିଂ କମ୍ପାନୀ ଦ୍ଵାରା ଏହା ମୁଦ୍ରିତ ହେଉଥିଲା ବୋଲି ଜଣାଯାଏ । ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ “ଉତ୍କଳ ପୁତ୍ର ରେ ପ୍ରକାଶିତ ହୋଇଥିଲା - “ପାଠକଙ୍କୁ ଜଣା ଅଛି ‘ଉତ୍କଳ ଦୀପିକା” ପ୍ରତି ଶନିବାର କଟକ ପ୍ରିଣ୍ଟିଂ କମ୍ପାନୀଙ୍କ ଯନ୍ତ୍ରାଳୟରେ ମୁଦ୍ରିତ ହୋଇ ପ୍ରକାଶିତ ହୁଏ । ଏହି ପୁତ୍ର ମଧ୍ୟ ପକ୍ଷୀନ୍ତେ ଥରେ ଉକ୍ତ ଯନ୍ତ୍ରାଳୟରେ ମୁଦ୍ରିତ ହୁଏ । (୨)

 

ପ୍ୟାରୀମୋହନଙ୍କ ‘ଉତ୍କଳ ପୁତ୍ର’ ଓଡ଼ିଆ ଭାଷା ସାହିତ୍ୟ ଜଗତର ଏକ ଅମୂଲ୍ୟ ସାରସ୍ଵତ ସମ୍ପଦ । ‘ଉତ୍କଳ ପୁତ୍ର’ ବହୁ ପ୍ରଶଂସାରେ ମୁଖରିତ ହୋଇଛି । ବିଖ୍ୟାତ ସାହିତ୍ୟିକ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଏହି ପତ୍ରିକା ସମ୍ପର୍କରେ ମୂଲ୍ୟବାନ ମତ ପ୍ରଦାନ କରି କହିଛନ୍ତି - “ବାଲେଶ୍ୱରରେ ‘ଉତ୍କଳ ଦର୍ପଣ’ ଦେଖା ଦେବାର ଅଳ୍ପ ଦିନ ପରେ କଟକରେ ‘ଉତ୍କଳ ପୁତ୍ର’ର ଆବିର୍ଭାବ । ଆଚାର୍ଯ୍ୟ ପ୍ୟାରୀମୋହନ ଏ ପାକ୍ଷିକ ପତ୍ରର ପ୍ରାଣ ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ । ପ୍ରଥମେ ଏହା ହସ୍ତଲିଖିତ ପତ୍ରିକା ରୂପରେ ପ୍ରକାଶିତ ହୋଇ ପଶ୍ଚାତ୍ ମୁଦ୍ରିତ ଆକାରରେ କ୍ରମେ ସାପ୍ତାହିକ ପତ୍ରିକାରେ ପରିଣତ ହୋଇଥିଲା । ସ୍ୱାଧୀନଚେତା ସ୍ୱର୍ଗୀୟ ପଣ୍ତିତ ଗୋବିନ୍ଦ ରଥ ଏ ପତ୍ରିକାର ଜଣେ ଲେଖକ ଥିଲେ । ‘ଉତ୍କଳ ପୁତ୍ର'ର ପ୍ରତ୍ୟେକ ସମାଲୋଚନା ଅତ୍ୟନ୍ତ ଓଜସ୍ଵିନୀ ଥିଲା । ମହାତ୍ମା ପ୍ୟାରୀମୋହନଙ୍କ ତୁଲ୍ୟ ସ୍ୱଷ୍ଟବାଦୀ ନିର୍ଭୀକ ସମାଲୋଚକ ସେତେବେଳେ ଉତ୍କଳରେ କେହି ନଥିଲେ ବୋଲି କହିଲେ ଚଳେ । ଅତ୍ୟଧିକ ଓଜସ୍ୱିତା ଯୋଗୁଁ ଅଥବା ପ୍ରଗଳ୍‍ଭତାବଶରୁ ‘ଉତ୍କଳ ପୁତ୍ର’ ସେତେବେଳେ ସମସ୍ତଙ୍କ କୋପ ଦୃଷ୍କିରେ ପଡ଼ି ଉତ୍କଳର ଦୁର୍ବଳ ସମାଜରେ ଅଧିକ କାଳ ସ୍ଥାୟୀ ହୋଇ ପାରିନଥିଲା । (୩) ଏପ୍ରିଲ୍ ମାସ ୧୬ ତାରିଖ ବୁଧବାର ୧୮୭୩ ମସିହାରେ ମୁଦ୍ରିତ ହୋଇ ‘ଉତ୍କଳ ପୁତ୍ର’ର ପ୍ରଥମ ସଂଖ୍ୟା ନୂତନ ସୂର୍ଯ୍ୟ ଦର୍ଶନ କଲା । ଏହା ପ୍ରତିମାସର ୧ ତାରିଖ ଓ ୧୬ ତାରିଖରେ ପାକ୍ଷିକ ପତ୍ରିକା ରୂପେ ପ୍ରକାଶିତ ହେଉଥିଲା । ପ୍ୟାରୀମୋହନ ଏହି ପତ୍ରିକାକୁ ନିଜେ ସମ୍ପାଦନା କରିବା ସହିତ ଏହାର ବିଭିନ୍ନ ସମ୍ବାଦ ଓ ଭିନ୍ନ ଭିନ୍ନ ସ୍ଵାଦର ଆଲୋଚନାଗୁଡ଼ିକୁ ଲେଖିଥିଲେ । ସେକାଳରେ ପତ୍ରିକା ସଂଖ୍ୟାର ସ୍ଵଳ୍ପତା ଏବଂ ପାଠକ ସଂଖ୍ୟା ସୀମିତ ମାସିକ/ପାକ୍ଷିକ ପତ୍ରିକାରେ ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରିବା ସମ୍ଭବ ହେଉନଥିଲା । ତଥାପି ‘ଉତ୍କଳ ପୁତ୍ର’ର ପ୍ରତିଟି ପୃଷ୍ଠା ବିଭିନ୍ନ ସ୍ଵାଦର ଲେଖା ସୁଶୋଭିତ ହେଉଥଲା । ବିଭିନ୍ନ ସମ୍ବାଦ, ପ୍ରାକୃତିକ ପରିସ୍ଥିତି ଅର୍ଥାତ୍ ପାଣିପାଗ ସମ୍ବାଦ, ହାସ୍ୟ ସମ୍ବନ୍ଧୀୟ ଲେଖା, ବିଜ୍ଞାପନ, ପତ୍ରପ୍ରେରକଙ୍କ ପ୍ରତି ଲେଖା ସର୍ବୋପରି ବିଭିନ୍ନ ସାରଗର୍ଭକ ଆଲୋଚନାରେ ଋଦ୍ଧିମନ୍ତ ହୋଇଥିଲା ‘ଉତ୍କଳ ପୁତ୍ର’ ପତ୍ରିକା । ପ୍ୟାରୀମୋହନଙ୍କ ନିର୍ଭୀକ, ନ୍ୟାୟସମ୍ମତ, ସତ୍ୟନିଷ୍ଠ ଲେଖାରେ ‘ଉତ୍କଳ ପୁତ୍ର’ ପରିପୂର୍ଣ୍ଣ ହୋଇଥିଲା । ଏହି ପତ୍ରିକାର ପ୍ରଭାବ ସେତେବେଳେ ଖୁବ୍ ବେଶୀ ଥିଲା । ବ୍ରିଟିଶ୍ ଶାସନର ତ୍ରୁଟି, ପ୍ରଶାସନରେ ଶୋଷଣ, ସାମାଜିକ ଜୀବନରେ କଷଣ, ପୁଣି କୁସଂସ୍କାର ବିରୁଦ୍ଧରେ ପ୍ୟାରୀମୋହନ ନିର୍ଭୀକ ଭାବରେ ଲେଖନୀ ଚାଳନା କରିଥିଲେ ‘ଉତ୍କଳ ପୁତ୍ର’ରେ । ଏପରିକି ‘ଉତ୍କଳ ପୁତ୍ର’ରେ ପ୍ରକାଶିତ ଏକ ଲେଖା ପାଇଁ ପ୍ୟାରୀମୋହନଙ୍କୁ କଲେଜରୁ ବହିଷ୍କୃତ ହେବାକୁ ପଡ଼ିଥିଲା । ଏହି ଲେଖାଟି ସେତେବେଳେ ବହୁ ଚର୍ଚ୍ଚିତ ବହୁ ଆଲୋଚିତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏରଭିଙ୍ଗ ସାହେବ କଟକର ମାଜିଷ୍ଟ୍ରେଟ୍ ଥିଲେ । ସ୍ୱାୟତ୍ତ ଶାସନ ପ୍ରଣାଳୀ ପ୍ରବର୍ତ୍ତିତ ହୋଇଥିବାରୁ କଟକର ଜିଲ୍ଲାପାଳ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ଦାୟିତ୍ୱ ନେଇଥାନ୍ତି । ଏରଭିଙ୍ଗ ସାହେବ ଏହି ସବୁ ଦାୟିତ୍ୱରେ ଥିଲେ ମଧ୍ୟ କଟକ ସହର, ସ୍ୱାସ୍ଥ୍ୟ, ରାସ୍ତାଘାଟ, ଉନ୍ନୟନ କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦେଉ ନଥିଲେ । କଟକ ସହରର ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା-। ପ୍ୟାରୀମୋହନ ଏହି ଅବସ୍ଥାକୁ ଅନୁଭବ କଲେ । ତାଙ୍କର ନିର୍ଭୀକ ବ୍ୟକ୍ତିତ୍ଵ ଏହି ଅନ୍ୟାୟ ଘଟଣାରେ ନୀରବ ହୋଇ ରହିପାରିଲା ନାହିଁ । ସେ ପ୍ରତିବାଦ କଲେ । ଏହି ପ୍ରତିବାଦ ଯଥାର୍ଥ ରୂପ ନେଲା – ‘ଦରଖାସ ଯୁଚିୟାନ’ ଅର୍ଥାତ୍ ‘ଯୋତାମାନଙ୍କର ନିବେଦନ’ ପ୍ରବନ୍ଧରେ । କଲେଜର ଦ୍ୱିତୀୟ ବାର୍ଷିକ ଶ୍ରେଣୀର ଛାତ୍ର ଥିଲା ସମୟରେ ପ୍ୟାରୀମୋହନଙ୍କ ନିଜ ହସ୍ତ ଲିଖିତ ‘ଉତ୍କଳ ପୁତ୍ର’ ପତ୍ରିକାରେ ଏପରି ବିଦ୍ରୂପାତ୍ମକ ପ୍ରବନ୍ଧ ପ୍ରକାଶ ପାଇଲା ପରେ ଓଡ଼ିଶାରେ ଏକ ବିରାଟ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏହି ଅପ୍ରିୟ ସତ୍ୟ ଲେଖାଟି ତତ୍କାଳୀନ ଶାସକବର୍ଗକୁ ଚହଲାଇ ଦେଇଥିଲା । ମାଜିଷ୍ଟ୍ରେଟ୍ ଏରଭିଙ୍ଗ ସାହେବ ଏହି କଟୁ ଭାଷାରେ ତିକ୍ତ ପ୍ରବନ୍ଧଟି ପଢ଼ି କ୍ଷୁବ୍ଧ ହୋଇଥିଲେ । ପ୍ୟାରୀମୋହନ ପଢ଼ୁଥିବା କଟକ କଲେଜର ଅଧ୍ୟକ୍ଷ ଚଣ୍ଡୀବାବୁଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ପ୍ୟାରୀମୋହନଙ୍କୁ ଶୀଘ୍ର କଟକ କଲେଜରୁ ବହିଷ୍କାର କରିବା ପାଇଁ । ଚଣ୍ଡୀବାବୁ ଛାତ୍ର ପ୍ୟାରୀମୋହନଙ୍କୁ ଖୁବ୍ ଆଦର କରୁଥିଲେ । ସାହେବଙ୍କ ନିର୍ଦ୍ଦେଶ ପାଇ ଚଣ୍ଡୀବାବୁ ପ୍ୟାରୀମୋହନଙ୍କୁ ଡକାଇ ଏହି ଲେଖାପାଇଁ କ୍ଷମାପ୍ରାର୍ଥନା କରିବା ପାଇଁ କହିଥିଲେ । କିନ୍ତୁ ସତ୍ୟର ପୂଜାରୀ, ନିର୍ଭୀକ ସ୍ୱାଧୀନଚେତା ପ୍ୟାରୀମୋହନ ଏଭଳି ଅନ୍ୟାୟପୂର୍ଣ୍ଣ ପରାମର୍ଶ ଗ୍ରହଣ କରିପାରି ନଥିଲେ । ଉତ୍ତରରେ ସେଦିନ ଚଣ୍ଡୀବାବୁଙ୍କୁ କହିଥିଲେ – “ମୋର ଲେଖା ସତ୍ୟରେ ପରିପୂର୍ଣ୍ଣ । ଏଥିପାଇଁ ମୁଁ ମୁଣ୍ଡ ନୁଆଁଇବି କାହିଁକି ? ତେଣୁ କ୍ଷମାର ପ୍ରଶ୍ନ ଉଠୁନାହିଁ ।’’ ‘ଦରଖାସ୍ତ ଯୁତିୟାନ’ ପ୍ରବନ୍ଧ ଅବହେଳିତ କଟକ.ସହରର ନୀରବ ପ୍ରତିବାଦ ନୁହେଁ ବରଂ ସମଗ୍ର ବ୍ରିଟିଶ୍ ଶାସନର ଅନ୍ୟାୟ, ଅନୀତି, ଶୋଷଣ, କଷଣ ବିରୁଦ୍ଧରେ ମହାନ ବିପ୍ଲବର ଆଦ୍ୟ ଝଙ୍କାର । ପରିଶେଷରେ ପ୍ୟାରୀମୋହନ କଲେଜରୁ ବହିଷ୍କୃତ ହୋଇଥିଲେ । ‘ଉତ୍କଳ ପୁତ୍ର’ ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ଚିନ୍ତା ଓ ଚେତନାର ସଫଳ ରୂପ ମାତ୍ର । ‘ଉତ୍କଳ ପୁତ୍ର’ର ପ୍ରତ୍ୟେକ ପୃଷ୍ଠା ଜାତୀୟ ଜାଗରଣ ବାର୍ତ୍ତାରେ ପରିପୂର୍ଣ୍ଣ । ଅନ୍ୟାୟ ଅନୀତି ବିରୁଦ୍ଧରେ ପ୍ୟାରୀମୋହନଙ୍କ ମହାନ ସଂଗ୍ରାମର ବାର୍ତ୍ତା ‘ଉତ୍କଳ ପୁତ୍ର’ ମଣ୍ତନ କଲା । ବ୍ରିଟିଶ୍ ଶାସନ ବିରୁଦ୍ଧରେ ସେ ଶତମୁଖ ହୋଇ ଉଠିଥିଲେ । ତତ୍କାଳୀନ ଶାସନ ବ୍ୟବସ୍ଥା ବିରୁଦ୍ଧରେ ବିପ୍ଲବ କରିବା ପାଇଁ ‘ଉତ୍କଳ ପୁତ୍ର’ ପତ୍ରିକାରେ ପ୍ୟାରୀମୋହନ ଦୃପ୍ତ ଆହ୍ଵାନ ଦେଇ ଲେଖିଥିଲେ ¬

 

“ଉଠ ଉଠ ଉଠ

ପରିହରି ମୋହ ନିଦ୍ରା ଆସ କରି ରଣ

ଉତ୍କଳ ତିମିର ସଙ୍ଗେ ହୋଇ ସ୍ଥିର ମନ ।” (୪)

 

‘ଉତ୍କଳ ପୁତ୍ର’ରେ ଉଚ୍ଚମାନର ଲେଖା ସଂଭ୍ରାନ୍ତ ଶୈଳୀରେ ପ୍ରକାଶ ପାଉଥିଲା । ତାହାର ଉଦାହରଣ ଅନେକ । ପ୍ୟାରୀମୋହନ ‘ଗଞ୍ଜାମ, ସମ୍ବଲପୁର ଓ ଉତ୍କଳ ପୁସ୍ତକ’ ଶିରୋନାମାରେ ଲେଖିଥିଲେ - ‘ପାଠକ ସଂଖ୍ୟାର ବୃଦ୍ଧି ଉପରେ ଗ୍ରନ୍ଥ ରଚନା ଆଧିକ୍ୟ ଓ ଲେଖକଙ୍କ ଉତ୍ସାହ ନିର୍ଭର କରେ । ପାଠକେ ଯେ ପରିମାଣରେ ତାଙ୍କୁ ଉତ୍ସାହ ଦେବେ ସେହି ପରିମାଣରେ ଭଲ ଭଲ ପୁସ୍ତକ ପାଇପାରିବେ । ଅଧିକାଂଶ ଲେଖକ ମଧ୍ୟ ନିମ୍ନ ଶ୍ରେଣୀର ଲୋକ । ସେମାନଙ୍କର ଏପରି ସଙ୍ଗତି ନାହିଁ ଯେ ଆପଣା ବ୍ୟୟରେ ପାଠ୍ୟପୁସ୍ତକ ଯୋଗାଇବେ।” (୫)

 

‘ଉତ୍କଳ ପୁତ୍ର’ ଥିଲା ଏକ ପୂର୍ଣ୍ଣାଙ୍ଗ ପତ୍ରିକା । ଏହାର ପ୍ରକାଶନ ଶୈଳୀ ସ୍ଵତନ୍ତ । ଶୈଳୀ ଓ ଭାଷାର ସୌନ୍ଦର୍ଯ୍ୟ ଲୋଭନୀୟ । ‘ଇଂରାଜୀ ସ୍କୁଲମାନଙ୍କରେ ଶିକ୍ଷା ପ୍ରଣାଳୀ’ ଲେଖାଟି ଏହି ସତ୍ୟର ସଙ୍କେତ - “ଆମ୍ଭେମାନେ ଇଂରାଜୀ ଭାଷା ଶିକ୍ଷା ଦ୍ଵାରା ଯୋଡ଼ିଏ ସଦ୍ୟ ଉପକାର ଉପଲବ୍ଧି କରିଅଛୁ ବୋଲି ମନରେ ବିଶ୍ୱାସ ହେଉଅଛି । ପ୍ରଥମତଃ ଏହା ରାଜଭାଷା ଥିବାରୁ ରାଜକାର୍ଯ୍ୟ ନିର୍ବାହରେ ସାମର୍ଥ୍ୟ ସୁତରାଂ ସମଧିକ ଅର୍ଥୋପାର୍ଜନରେ ସହାୟତା ଓ ରାଜପୁରୁଷଙ୍କୁ ଅପଣାର ଅବସ୍ଥା ଓ ଅଭାବାଦି ନାନା ଉପାୟରେ ଜଣାଇବାକୁ ପାରକତା ଜନ୍ମାଉ ଅଛି । ଦ୍ୱିତୀୟତଃ ଅନେକ ଉନ୍ନତ ଓ ଉଚ୍ଚଭାବମାନ ଆମ୍ଭମାନଙ୍କ ମାନସ ପଟରେ ମୁଦ୍ରିତ କରି ହୃଦୟକୁ ବିସ୍ତୃତ ଓ ଉଦାର କରୁଅଛି । କିନ୍ତୁ ଆଜିକାଲି ଇଂରାଜୀ ସ୍କୁଲମାନଙ୍କରେ ଯେପରି ଶିକ୍ଷାର ରୀତି ପ୍ରବର୍ତ୍ତିତ ହେଉଅଛି ତହିଁରେ ଶେଷୋକ୍ତି ବିଷୟ ସୁନ୍ଦର ରୂପେ ସମ୍ପାଦିତ ହେବାର ଜଣାନଯାଏ । (୬)

 

‘ଉତ୍କଳ ପୁତ୍ର’ରେ ତତ୍କାଳୀନ ସମୟର ଚିତ୍ର ଅତି ନିଖୁଣ ଭାବରେ ପ୍ରସ୍ତୁଟିତ ହୋଇଛି । ଦଶହରା ପର୍ବ ସମ୍ପର୍କରେ ପ୍ରକାଶିତ ଏକ ସମ୍ବାଦ ଏଠାରେ ସ୍ୱରଣୀୟ - “ଆଜିକାଲି ଦଶହରା ଘଡ଼ି-। ହିନ୍ଦୁ ସମାଜ ଆନନ୍ଦୋତ୍ସବରେ ମାତି ଅଛି । କେଉଁଠାରେ ତାସ୍ ପକାଇ ଧୁମ ଲାଗିଅଛି । କେଉଁଠି ଅବା ଗାନବାଦ୍ୟ, ନାଚ, ତାମସାରେ ଲୋକେ ମାତାଲ, କେଉଁଠାରେ ବୋତଲ ଢଳା, ଛିଟା ଟଣା ଲାଗିଅଛି, କେଉଁଠି ଅବା ଛେଳି, କୁକୁର, ମୂଷା, ଘୃଷୁଡ଼ି, ଛୁଛୁନ୍ଦ୍ରାଙ୍କ ଉପରେ ମାଡ଼ । ଏହି ରୂପେ ଯେ ଯାହା ଆପଣା ଆପଣା କାମରେ ଲାଗି ରହିଅଛନ୍ତି । ଏପରି ଗୋଳମାଳ ଓ ଭିଡ଼ ମଧ୍ୟରେ ‘ପୁତ୍ର’ ଆପଣା କର୍ତ୍ତବ୍ୟ, କାର୍ଯ୍ୟ ସାଧିବା ସକାଶେ ବାହାରି ଅଛି । (୭)

 

ପ୍ୟାରୀମୋହନ ଉତ୍କଳ ପୁତ୍ରରେ ତତ୍କାଳୀନ ଶାସକମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି-। ତାଙ୍କର ସମାଲୋଚନା ଥଲା ପ୍ରତ୍ୟକ୍ଷ - ସତ୍ୟକୁ ପ୍ରକାଶ କରିବା ଥିଲା ତାଙ୍କ ଜୀବନର ବିଶେଷତ୍ୱ - “ଆଜିକାଲି କାଓମୂଲ ସାହେବଙ୍କର ରାଜତ୍ୱ; ତାଙ୍କ ଶାସନରେ ଯେମନ୍ତ କେତେକ ଶୁଭ ଫଳୁ ଅଛି-। ସେହି ରୂପେ ଅଶୁଭ ମଧ୍ୟ ଅଳ୍ପ ନୁହେଁ । ତାଙ୍କ ଶାସନରେ ଗୋଟିଏ ବିଶେଷ ଦୋଷ ସ୍ଵେଚ୍ଛାଚାରିତା । (୮)

 

‘ଉତ୍କଳ ପୁତ୍ର’ରେ ପାଣିପାଗ ଓ ପ୍ରାକୃତିକ ଚିତ୍ର, ବନ୍ୟା ସମ୍ବାଦ ପ୍ରଭୃତି ପ୍ରକାଶିତ ହେଉଥିଲା - “ଆଷାଢ଼ ମାସ ଶେଷ ହେଲା, ଅଦ୍ୟାବଧି ଅନ୍ୟାନ୍ୟ ବର୍ଷ ପରି ବର୍ଷା ହେଲା କି ନଦୀ ବଢ଼ିଲା ନାହିଁ । ମଫସଲରେ ଅନେକ ସ୍ଥଳରୁ ମଧ୍ୟ ସମ୍ବାଦ ପାଇଅଛୁ ।” (୯)

 

ପ୍ୟାରୀମୋହନଙ୍କ ବର୍ଣ୍ଣନାଚାତୁରୀ ସ୍ଵତନ୍ତ୍ର । ଏହା କୃତ୍ରିମ ନୁହେଁ, ସ୍ୱାଭାବିକ । ଏଥିରେ ଶବ୍ଦ ଓ ଭାବର ସୁନ୍ଦର ସମନ୍ଵୟ ହୋଇଛି – ‘ଗତ ଶନିବାର ତୋଫାନରେ ଯେଉଁ ସମୟରେ କି କଲେକ୍ଟରୀ, କଚେରୀରେ ଜଣେ ଅମଲାର ପାଗ ଉଡ଼ିଯାଇଥିଲା ଓ ଜଣେ ବେହେରା ଉପରେ ତାଟି ଛିଡ଼ି ପଡ଼ିଥିଲା, ସେହି ସମୟରେ ମହାନଦୀରେ ପ୍ରାୟ ଚାଳିଶି ଜଣ ଲୋକ ସହିତ ଖଣ୍ଡିଏ ନୌକା ବୁଡ଼ି ଯାଉଥିଲା । ଶ୍ରୀଯୁକ୍ତ ବିମ୍‍ସ ସାହେବ ବୋଟ୍ ଲଗାଇ ସେମାନଙ୍କୁ ଉଦ୍ଧାର କରିଅଛନ୍ତି ବୋଲି ଶୁଣାଯାଏ । (୧୦)

 

‘ଉତ୍କଳ ପୁତ୍ର’ ପତ୍ରିକା ସବୁ ଶ୍ରେଣୀର ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ପାଠକମାନଙ୍କୁ ଆନନ୍ଦ ପ୍ରଦାନ କରିବା ପ୍ୟାରୀମୋହନଙ୍କ ଅନ୍ୟତମ ଉଦ୍ଦେଶ୍ୟ ଥିଲା । ଆଜିକାଲିର ଆମୋଦ ଶିରୋନାମାରେ ପ୍ରକାଶ ପାଉଥିବା ଲେଖାଟି ବେଶ୍ ମନୋରଞ୍ଜନ ଧର୍ମୀ ହୋଇଛି -

 

“ହୃଷୀକେଶ-ଦଣ୍ଡବତ, ଦଣ୍ଡବତ, କିହୋ ! ତୁମର ତ ପ୍ରାୟ ବର୍ଷେ ଖଣ୍ଡେ ହେବ ଦେଖାନାହିଁ ।’’

 

ନିତ୍ୟାନନ୍ଦ-ଅବଧାନ ଅବଧାନ । ଆଉ ସେ କଥା କାହିଁକି କହୁଛ ଆଜିକି ତିନି ଚାରି ମାସ ହେଲା ଦଶା ମୋତେ ଯାହା ଭୋଗଉଛି ମୋ ମନ ମାନିଲାଣି । (୧୧)

 

ପ୍ୟାରୀମୋହନ ଥିଲେ ସ୍ଵାଧୀନଚେତା । ତାଙ୍କ ସମାଲୋଚନାର ଦିଗ ଥିଲା ଅଭିନବ । ପତ୍ରପ୍ରେରକମାନଙ୍କ ଚିଠିକୁ ‘ଉତ୍କଳ ପୁତ୍ର’ରେ ଛାପିବା ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଟିପ୍ପଣୀ ପ୍ରଦାନ କରୁଥିଲେ - ସେହି ଟିପ୍ପଣୀ ବ୍ୟଙ୍ଗ, ବିଦ୍ରୂପରେ ପରିପୂର୍ଣ୍ଣ ଥିଲା - “କୌଣସି ଉତ୍ତୀର୍ଣ୍ଣ ଛାତ୍ର - କାର୍ଯ୍ୟ ନପାଇଲାରୁ ନର୍ମାଲ୍ ସ୍କୁଲ୍ ଉଠାଇ ଦେବାର ପ୍ରସ୍ତାବ କରିଅଛନ୍ତି । କି ଚମତ୍କାର ବୁଦ୍ଧି-। ବୃତ୍ତି ଦେଇ ପଢ଼ାଇବାର ବ୍ୟୁତ୍ପତ୍ତି । (୧୨)’’

‘ଉତ୍କଳ ପୁତ୍ର’ରେ ‘ଗୋଟିଏ ପ୍ରସ୍ତାବ’ ଶିରୋନାମାରେ ଏହାର ସୁଯୋଗ୍ୟ ସମ୍ପାଦକ ପ୍ୟାରୀମୋହନ ବିଭିନ୍ନ ପ୍ରକାଶିତ ପତ୍ରିକା ଓ ଲେଖା ସମ୍ପର୍କରେ ଗଠନମୂଳକ ପ୍ରସ୍ତାବ ପ୍ରଦାନ କରୁଥିଲେ - “ଗତ ସଂଖ୍ୟା ଉତ୍କଳ ଦର୍ପଣ ପାଠ କରି ବଡ଼ ଆହ୍ଲାଦିତ ହେଲୁ । ଏହାର ଭାଷା ପୂର୍ବାପେକ୍ଷା ଅନେକ ଉନ୍ନତି ଲାଭ କରିଅଛି ।’’ (୧୩)

 

ଏତଦ୍‍ବ୍ୟତୀତ ନୂତନ ଧର୍ମୀ ଶୈଳୀରେ ବହୁ ତଥ୍ୟପୂର୍ଣ୍ଣ ସମ୍ବାଦ ‘ଉତ୍କଳ ପୁତ୍ର’ରେ ପ୍ରକାଶିତ ହୋଇ ପାଠକମାନଙ୍କ ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରୁଥିଲା । ସମ୍ପାଦକ ପ୍ୟାରୀମୋହନଙ୍କ ଚିନ୍ତା ଚେତନାର ସଫଳ ପ୍ରକାଶନ ହେଉଛି ‘ଉତ୍କଳ ପୁତ୍ର’ । ଓଡ଼ିଶାର ଉନ୍ନତି, ଚିକିତ୍ସା ବିଦ୍ୟାଳୟ, ଟାଉନ୍ କମିଟି, ବେତ୍ରାଘାତ, ନର୍ମାଲ ସ୍କୁଲ ପ୍ରଭୃତି ବହୁ ସମ୍ବାଦ ‘ଉତ୍କଳ ପୁତ୍ର’ରେ ପ୍ରକାଶିତ ହୋଇଛି-। ଉତ୍କଳର ଭାଷା ଏବଂ ସାହିତ୍ୟର ଉନ୍ନତି ପାଇଁ ସେ ଅତ୍ୟନ୍ତ ଚିନ୍ତିତ ଥିଲେ; ଏ ସମ୍ପର୍କରେ ‘ଉତ୍କଳ ପୁତ୍ର’ରେ ପ୍ୟାରୀମୋହନ ତେଣୁ ଲେଖିଥିଲେ - “ଉତ୍କଳ ସାହିତ୍ୟର ଅବସ୍ଥା ଯେ ଅଦ୍ୟାବଧି ଶୋଚନୀୟ ଏକଥା କିଏ ଅସ୍ୱୀକାର କରିବ ? ଆଜି ପର୍ଯ୍ୟନ୍ତ ସରଳ ସୁଲଳିତ, ଶୃଙ୍ଗାର ରସ ବିବର୍ଜିତ, ମନୋଦୁଃଖର ଓ ପ୍ରୀତିପଦ ଖଣ୍ଡେ ଗଦ୍ୟ କି ପଦ୍ୟ ମୂଳ ଗ୍ରନ୍ଥ ଓଡ଼ିୟା ଭାଷାରେ ଦେଖିବାକୁ, ପାଇବାର ଦୁସ୍ତର । ନାଟକ ଓ ନବନ୍ୟାସ ରୀତି ତ ଅଦ୍ୟାବଧି ପ୍ରକୃଷ୍ଟ ରୂପେ ଏ ଭାଷାରେ ପ୍ରବେଶ କରିପାରି ନାହିଁ । ସେନାପତି ରଚିତ ଭାରତ ବର୍ଷର ଇତିହାସ ଓ ଅମୁଦ୍ରିତ ବଙ୍ଗଳାରୁ ଅନୁବାଦିତ ଦୁଇ ଏକ ଖଣ୍ଡ ଇଂଲଣ୍ଡ ଇତିହାସ ଛଡ଼ା ପ୍ରକୃତ ଇତିହାସ ଏ ଭାଷାରେ ଆଉ ଥିବାର ତ ଆମ୍ଭମାନଙ୍କୁ ଜଣାନାହିଁ । ଉପାଖ୍ୟାନ କି ଭ୍ରମଣ ବୃତ୍ତାନ୍ତ ବିଷୟକ ମୂଳରୁ ଦୁଷ୍ଣାପ୍ୟ । ଏହିପରି ଗୋଟି ଗୋଟି କହିଲେ ଅନେକ ହୋଇଯିବ।” (୧୪)

 

ପ୍ୟାରୀମୋହନଙ୍କ ଚିନ୍ତା ଯେପରି ସ୍ପଷ୍ଟ ଥିଲା ‘ଉତ୍କଳ ପୁତ୍ର’ରେ ତାଙ୍କର ଆଲୋଚନା ସେହିପରି ଯୁକ୍ତିଯୁକ୍ତ ଏବଂ ନିରପେକ୍ଷ ଥିଲା । ସେ କାଳରେ ପ୍ୟାରୀମୋହନଙ୍କ ପରି ନିର୍ଭୀକ ସମାଲୋଚକ କେହି ନଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ - “ସେ ସମୟରେ ଓଡ଼ିଶାରେ ଆଚାର୍ଯ୍ୟଙ୍କ ଭଳି, ନିର୍ଭୀକ ସମାଲୋଚକ କେହି ନଥିଲେ ବୋଲି କହିଲେ ଚଳେ। ଏଥିପାଇଁ ‘ଉତ୍କଳ ପୁତ୍ର’ ସେତେବେଳେ ସରକାର ଏବଂ ଚାଟୁକାରମାନଙ୍କର କୋପ ଦୃଷ୍ଟିରେ ପଡ଼ିଥିଲା । ବହୁ ଷଡ଼ଯନ୍ତ୍ରର ଶିକାର ହୋଇ ‘ଉତ୍କଳ ପୁତ୍ର’ ଅକାଳରେ ଚାରିବର୍ଷରୁ ଅଧିକ ସମୟ ଜାତୀୟ ସେବାରେ ନିଜକୁ ନିୟୋଜିତ କରି ନୀରବ ହୋଇଗଲା । କିନ୍ତୁ ଆଚାର୍ଯ୍ୟ ପ୍ୟାରୀମୋହନ ‘ଉତ୍କଳ ପୁତ୍ର’ ପତ୍ରିକା ମାଧ୍ୟମରେ ବ୍ରିଟିଶ୍ ଶାସନ ପାଖରେ ଓଡ଼ିଶାର ଭନ୍ନତି ପାଇଁ ଓଡ଼ିଶାର ଏକତ୍ରୀକରଣ ପାଇଁ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଏବଂ ସମାଜ ସଂସ୍କାର ପାଇଁ ଯେଉଁ ନିରବଚ୍ଛିନ୍ନ ଉଦ୍ୟମ କରୁଥିଲେ ତାହା ଜାତୀୟ ଇତିହାସ ପୃଷ୍ଠାରେ କାଳକାଳକୁ ରହିଗଲା” । (୧୫)

 

ସତରେ ଜାତୀୟ ଇତିହାସ ପୃଷ୍ଠାରେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପରି ବ୍ୟକ୍ତିତ୍ଵ ଖୁବ୍ ସୀମିତ । ସେ ଥିଲେ ଉତ୍କଳ-ଜନନୀର ସୁଯେ।ଗ୍ୟ ସନ୍ତାନ । ‘ଉତ୍କଳ ପୁତ୍ର’ ତାଙ୍କ ଜୀବନର ବାସ୍ତବ ଚିତ୍ରଶାଳା । ସେଥିପାଇଁ ବିଶିଷ୍ଟ ସମାଲୋଚକ ଡକ୍ଟର ନଟବର ସାମନ୍ତରାୟ ଲେଖୁଛନ୍ତି - ‘ଉତ୍କଳ ପୁତ୍ର’ରେ ପ୍ୟାରୀମୋହନ ବାସ୍ତବ ବର୍ତ୍ତମାନର ଜଣେ ସୁଦକ୍ଷ ଚିତ୍ରକର ଓ ଭବିଷ୍ୟତ ଘଟଣାବଳୀର ନିର୍ଭୁଲ ପ୍ରବକ୍ତା ମଧ୍ୟ ।” (୧୬) ପ୍ରକୃତରେ ସତ୍ୟ ଓ ନିର୍ଭୀକ ଚେତନାର ଏକ ବଳିଷ୍ଠ ସ୍ଵାକ୍ଷର ‘ଉତ୍କଳ ପୁତ୍ର’ ପତ୍ରିକା । ତେଣୁ ଓଡ଼ିଶାର ଇତିହାସରେ ଏହାର ସ୍ଥାନ ଅନନ୍ୟ ଓ ସ୍ଵତନ୍ତ୍ର ।

 

ପାଦଟୀକା

୧.

ଡଃ ବୈଷ୍ଣବ ଚରଣ ସାମଲ ୧ ଦୃଷ୍ଟି ଓ ଦିଗନ୍ତ, ପୃଷ୍ଠା-୧୪୨

୨.

‘ଉତ୍କଳ ପୁତ୍ର’ ୧ମ ଭାଗ, ୧୦ମ ଖଣ୍ଡ, ସେପ୍ଟେମ୍ବର ୩ ତାରିଖ ୧୮୭୩ ମସିହା

୩.

ଡଃ ନଟବର ସାମନ୍ତରାୟ - ଓଡ଼ିଆ ସାହିତ୍ୟରେ ସମୀକ୍ଷା ଓ ସଂଗ୍ରହ, ପୃଷ୍ଠ।- ୧୯୨

୪.

‘ଉତ୍କଳ ପୁତ୍ର’- ୧୮୭୩

୫.

‘ଉତ୍କଳ ପୁତ୍ର’ - ୧୬।୭।୧୮୭୩

୬.

‘ଉତ୍କଳ ପୁତ୍ର’- ୧୬।୮।୧୮୭୩, ପୃଷ୍ଠା-୩୪

୭.

‘ଉତ୍କଳ ପୁତ୍ର’- ୦୧।୧୦।୧୮୭୩, ଭାଗ-୧, ୧୨ଶ ସଂଖ୍ୟା

୮.

‘ଉତ୍କଳ ପୁତ୍ର’- ୧୫।୧୦।୧୮୭୩।, ପୃଷ୍ଠା -୫୦

୯.

‘ଉତ୍କଳ ପୁତ୍ର’ - ୧୬।୭।୧୮୭୩। ପୃଷ୍ଠା -୨୪

୧୦.

‘ଉତ୍କଳ ପୁତ୍ର’- ୦୩।୯।୧୮୭୩, ପୃଷ୍ଠା -୩୬

୧୧.

‘ଉତ୍କଳ ପୁତ୍ର’- ଅକ୍ଲୋବର, ୧୮୭୩, ପୃଷ୍ଠା -୪୭

୧୨.

‘ଉତ୍କଳ ପୁତ୍ର’-୦୧।୦୬।୧୮୭୩, ପୃଷ୍ଠା -୧୬ `

୧୩.

‘ଉତ୍କଳ ପୁତ୍ର’- ୧୬।୮।୧୮୭୩

୧୪.

‘ଉତ୍କଳ ପୁତ୍ର’- ୦୩।୦୬।୧୮୭୪

୧୫.

ସେକ୍ ମତଲୁବ୍ ଅଲି – ‘ଓଡ଼ିଶାର ଇତିହାସ- ୧୯୯୧’, ପୃଷ୍ଠା -୧୫

୧୬.

ସ୍ମରଣିକା (ପ୍ୟାରୀମୋହନ ଆଚାର୍ଯ୍ୟ) - କୃତି ଅର୍ଚ୍ଚନା ସଂସଦ, ଓଡ଼ିଶା, ପୃଷ୍ଠା -୯୫

 

 

ବରିଷ୍ଠ ଅଧ୍ୟାପକ,

ଓଡ଼ିଆ ଭାଷା ସାହିତ୍ୟ ବିଭାଗ,

ସାଲେପୁର କଲେଜ, ସାଲେପୁର, କଟକ

 

***

 

ମଧ୍ୟକାଳୀନ ଗୀତିଦର୍ପଣରେ କୃଷ୍ଣସିଂହଙ୍କ

ରାଧାବିରହ ଚଉତିଶା

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

 

କୃଷ୍ଣଚନ୍ଦ୍ର ସିଂହ (୧୭୨୯-୮୮) ଗଞ୍ଜାମ ଜିଲାର ଧରାକୋଟ ରାଜ୍ୟରେ ରାଜା ଥିଲେ । ସେ ୧୭୮୧ ଖ୍ରୀଷ୍ଟାବ୍ଦରେ ୫୨ ବର୍ଷ ବୟସରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ମାତ୍ର ୭ ବର୍ଷ ରାଜତ୍ୱ କରିବା ପରେ ୫୯ ବର୍ଷ ବୟସରେ ସେ ସ୍ୱର୍ଗାରୋହଣ . କରିଥିଲେ । (୧) ସେ ଥିଲେ ବହୁଶାସ୍ତ୍ରଦର୍ଶୀ । ସିଂହାସନାରୋହଣ ପୂର୍ବରୁ ସେ ‘ସଂସ୍କୃତ

 

୧. ତାରିଣୀ ଚରଣ ଗ୍ରନ୍ଥାବଳୀ, ପୃ. ୨୬୭ । ଏହି ତଥ୍ୟ ଶ୍ୟାମସୁନ୍ଦର ରାଜଗୁରୁଙ୍କ ‘ପ୍ରବନ୍ଧାବଳୀ’ରୁ ମଧ୍ୟ ଉପଲବ୍ଧ ହୁଏ । କିନ୍ତୁ ଏଥିରେ ମୁଦ୍ରଣ-ପ୍ରମାଦ ହେତୁ କବି କୃଷ୍ଣସିଂହ ୪୨ ବର୍ଷରେ ରାଜ୍ୟାଭିଷିକ୍ତ ହୋଇଥିବାର ଉଲ୍ଲେଖ ରହିଛି । (ପୃ.୯୫) ପୁନଶ୍ଚ କବି ୪୯ ବର୍ଷ ବୟସରେ ସ୍ଵର୍ଗାରୋହଣ କଲେ ବୋଲି ଏଥିରେ ଉଲ୍ଲିଖିତ । (ପୃ.୯୫) । ଏହା ମଧ ଅନ୍ୟ ଏକ ମୁଦ୍ରଣଗତ ତ୍ରୁଟି । ରାଜଗୁରୁଙ୍କୁ ଅନୁସରଣ କରି ସୂର୍ଯ୍ୟନାରାୟଣ ଦାଶ କବି ୪୨ ବର୍ଷ ବୟସରେ ସ୍ୱର୍ଗାରୋହଣ କରିଥିବା ଦର୍ଶାଇଛନ୍ତି । (ଓଡ଼ିଆ ସାହିତ୍ୟର ଇତିହାସ, ୩ୟ, ପୃ. ୪୮୪); କିନ୍ତୁ ଯୁକ୍ତିବଳରେ କବି ୧୮୨୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଜୀବିତ ଥିବା ସେ ଅନୁମାନ କରନ୍ତି । ତାଙ୍କ ଭାଷାରେ- “କୃଷ୍ଣ ସିଂହ ସାତ ବର୍ଷ ରାଜତ୍ୱ କରି ଖ୍ରୀ: ୧୭୮୮ରେ ପରଲୋକ ପ୍ରାପ୍ତ ହୋଇଥିଲେ ବୋଲି ଶୁଣାଯାଏ; କିନ୍ତୁ ୧୮୨୮ରେ ତାଙ୍କର ମହାଭାରତର ଶେଷାଂଶ ଶେଷ ହୋଇଥିବା ଜଣାଯାଏ । ତେବେ ସେତେତେଳକୁ କବି ଜୀବିତ ଥିଲେ ବୋଲି ଅନୁମାନ କରିବା ଉଚିତ ହେବ । ସେତେବେଳକୁ ତାଙ୍କୁ ପ୍ରାୟ ଅଣାନବେ ବର୍ଷ ହୋଇଥୁଲା ।”(ତତ୍ରୈବ) ଏ ମତଟି ଅନୁଧ୍ୟାନଯୋଗ୍ୟ । କିନ୍ତୁ ଏଇ ମତଟିକୁ ଅନୁଧ୍ୟାନ କରିବା ପୂର୍ବରୁ ବିନାୟକ ମିଶ୍ରଙ୍କ ମତକୁ ମଧ୍ୟ ବିଚାରକୁ ନେବାର ଅଛି । ସେ କହନ୍ତି –“ସେ ସଂସ୍କୃତ ମହାଭାରତର ଆଦିପର୍ବ ୧୭୦୪ ଶକାବ୍ଦରେ ବା ୧୭୮୨ ଖ୍ରୀଷ୍ଟାବ୍ଦରେ ନୟାଗଡ଼ଠାରେ ଶେଷ କରିଥିଲେ । ମୃତ୍ୟୁବେଳକୁ ଧରାକୋଟରେ ଦ୍ରୋଣପର୍ବ ପର୍ଯ୍ୟନ୍ତ ଅନୁବାଦ ସମାପ୍ତ ହୋଇଥିଲା । ତତ୍ପରେ ଅବଶିଷ୍ଟ ପର୍ବମାନ ତାଙ୍କର ଉତ୍ତରାଧିକାରୀ ପଣ୍ଡିତମାନଙ୍କ ଦ୍ଵାରା କରାଇଥିଲେ ।”( ଓଡ଼ିଆ-ସ।ହିତ୍ୟର ଇତିହାସ, ପୃ. ୭୧) ଏଥିରୁ ସ୍ପଷ୍ଟ ହୁଏ ଯେ କବି ୧୭୮୮ରେ ହିଁ ପ୍ରାଣତ୍ୟାଗ ୧୮୨୮ ପର୍ଯ୍ୟନ୍ତ ଜୀବିତ ନ ଥିଲେ । ମହାଭାରତ’ର ଅନୁବାଦ କାର୍ଯ୍ୟ ହାତକୁ ନେଇ ନିଜର ରାଜତ୍ଵକାଳରେ ସମାପ୍ତ କରିଥିଲେ । (୨) ମଝିରେ ମଝିରେ ଶାସନର ଗୁରୁଭାର ବିଶ୍ୱସ୍ତ କର୍ମଚାରୀଙ୍କ ଉପରେ ନ୍ୟସ୍ତକରି ସେ ସାହିତ୍ୟ-ଚର୍ଚ୍ଚାରେ ସମୟ ଅତିବାହିତ କରୁଥିଲେ । (୩) ସେ ‘ହରିବଂଶ’ ଗ୍ରନ୍ଥ ରଚନା କରିଥିବା ମଧ୍ୟ ଜଣାଯାଏ । (୪) ‘ରାମାୟଣ‘ ଓ ‘ମହାଭାରତ’ର ଅନୁବାଦ କରିବା ପାଇଁ ତାଙ୍କର ପ୍ରବଳ ଆକାଙ୍‍କ୍ଷା ଥିଲା; କିନ୍ତୁ କାଳକବଳରେ ପତିତ ହେବା ଫଳରେ ତାଙ୍କ ବଳବତୀ ଆଶା ଫଳବତୀ ହୋଇପାରିଲା ନାହିଁ । (୫) ସେ କେତୋଟି ଚଉପଦୀ ଓ ଗୋଟିଏ ଚଉତିଶା ମଧ୍ୟ ରଚନା କରିଥିଲେ । ଏଥି ମଧ୍ୟରୁ ୧୫ଟି ଚଉପଦୀ ଓ ଗୋଟିଏ ଚଉତିଶା (ରାଧା ବିରହ ଚଉତିଶା) ଲୋକଲୋଚନକୁ ଆସିଛି । (୬) ‘ତରଳାସୁର ଗୀତ’ ତାଙ୍କ ଲେଖନୀ-ପ୍ରସୂତ ଅନ୍ୟ ଏକ ରଚନା । ସେଥିରେ ସେ ନିଜକୁ କୃଷ୍ଣଚନ୍ଦ୍ର ସିଂହ ନାମରେ ପରିଚିତ କରାଇଛନ୍ତି । (୭)

 

୨. ତାରିଣୀ ଚରଣ ଗ୍ରନ୍ଥାବଳୀ, ପୃ. ୨୬୭ । କିନ୍ତୁ ଶ୍ୟାମସୁନ୍ଦର ରାଜଗୁରୂ ମହୋଦୟଙ୍କ ମତରେ କବି ରାଜା ହେବା ପରେ ‘ମହାଭାରତ‘ର ଅନୁବାଦ କାର୍ଯ୍ୟରେ ରତ ହେଲେ । (ପୃ. ୯୫) ସେ ଯାହାହେଉ, କବିଙ୍କର କେତେକ ଉକ୍ତିକୁ ବିଚାରକୁ ନେଇ ଦେଖିଲେ ଜଣାଯିବ ଯେ ଏହି କାର୍ଯ୍ୟରେ କବିଙ୍କର ପ୍ରାୟ ଛଅବର୍ଷ ବ୍ୟୟିତ ହୋଇଥଲା । (ପ୍ରବନ୍ଧାବଳୀ, ପୃ. ୯୬)

 

୩. ତାରିଣୀ ଚରଣ ଗ୍ରନ୍ଥାବଳୀ, ପୃ. ୨୬୭ । ଏ ସମ୍ବନ୍ଧରେ ରାଜଗୁରୁ କହନ୍ତି. - “କଥିତ ଅଛି, କେତେକାଳ ହରିହର ଛାମୁ ପଟ୍ଟନାୟକ ଓ କେତେକାଳ ଜୟ ବେବର୍ତ୍ତାଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରି ଦେଇ ପାଞ୍ଚଜଣ ପଣ୍ଡିତଙ୍କୁ ପାଖରେ ରଖି ତାହାଙ୍କର ପ୍ରାୟ ସମସ୍ତ କାଳ ଏଥିରେ ବିନିଯୋଗ କରିଥିଲେ ।” (ପ୍ରବନ୍ଧାବଳୀ, ପୃ. ୯୫-୯୬) ।

 

୪.

ତାରିଣୀ ଚରଣ ଗ୍ରନ୍ଥାବଳୀ, ପୃ. ୨୬୭ ।

୫.

ତତ୍ରୈବ : ରାଜଗୁରୁ, ପୂର୍ବସୂଚିତ ଗ୍ରନ୍ଥ, ପୃ. ୯୭ ।

୬.

ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ), (ସଂ) ଓଡ଼ିଆ ଗୀତିକାବ୍ୟ ସଂକଳନ, ପୃ. ୨୫-୩୩ ଏବଂ ପୃ. ୪୪୮-୪୫୨ ।

୭.

କୃଷ୍ଣଚରଣ ସାହୁ, (ସଂ) ଓଡ଼ିଆ ଲେଖକ ପରିଚୟ (୧୪୮୦-୧୮୫୦), ପୃ..୨୬ ।

 

ଆଲୋଚ୍ୟ ‘ରାଧା ବିରହ ଚଉତିଶା’ର ଭଣିତାରେ ମଧ୍ୟ ସେ କୃଷ୍ଣଚନ୍ଦ୍ର ନୃପ ଭାବରେ ନିଜର ପରିଚୟ ଦେଇଛନ୍ତି ।

 

ରାଧା ବିରହ ଚଉତିଶାର ଆବିଷ୍କାର ଓ ନାମକରଣ : ଆଲୋଚ୍ୟ ଚଉତିଶାଟିକୁ ଲୋକଲୋଚନକୁ ଆଣିଲେ ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ) । ଏଇଟି ସେ ୧୯୫୬ ଖ୍ରୀ:ରେ ପ୍ରାଚୀ ସମିତିର ପ୍ରତିଷ୍ଠାତା ଆର୍ତ୍ତବଲ୍ଲଭ ମହାନ୍ତିଙ୍କଠାରୁ ପାଇଥିଲେ ପ୍ରାଚୀ ସମିତି କର୍ତ୍ତୃକ ସଂଗୃହୀତ ଓ ନକଲ କରାଯାଇଥିବା ଅନ୍ୟାନ୍ୟ ବହୁ ଗୀତ ସହିତ । ଆର୍ତ୍ତବାବୁ ଏଗୁଡ଼ିକୁ କେଉଁ ସ୍ଥାନରୁ ବା କେଉଁ ବ୍ୟକ୍ତିଙ୍କଠାରୁ ପାଇଥିଲେ ସେ ବିଷୟରେ କିଛି ଉଲ୍ଲେଖ କରି ନଥିଲେ । ଏଥି ମଧରୁ କେତୋଟି ୧୯୩୩ ଖ୍ରୀଷ୍ଟାବ୍ଦରେ ବାବାଜୀ ବୈଷ୍ଣବଚରଣ ଦାସଙ୍କ ଦ୍ଵାରା ସଂଗୃହୀତ ହୋଇ ନକଲ କରାଯାଇଥିଲା । ଅବଶିଷ୍ଟ ଗୀତଗୁଡ଼ିକର ଇତିହାସ କିନ୍ତୁ ତମସାଚ୍ଛନ୍ନ । ତେଣୁ ଆଲୋଚ୍ୟ ଚଉତିଶାଟିର ଆବିଷ୍କାରକ ଓ ଆବିଷ୍କାର ସ୍ଥଳ ସମ୍ବନ୍ଧରେ ଜାଣିବା ସମ୍ଭବ ନୁହେଁ । (୮)

 

ଜାନକୀବଲ୍ଲଭ ମହାନ୍ତି ଗୀତିକାବ୍ୟ ସଂପର୍କରେ ଗବେଷଣା କରିବା ସମୟରେ ପ୍ରାଚୀ ସମିତିରୁ ପ୍ରାୟ ପାଞ୍ଚ ଶହ କବିତା ପାଇଥିଲେ ଏବଂ ଏଗୁଡ଼ିକହିଁ ଥିଲା ତାଙ୍କ ଗବେଷଣାର ପ୍ରାଥମିକ ସମ୍ବଳ । ଆଲୋଚ୍ୟ ଚଉତିଶାଟି ମଧ୍ୟ ତାଙ୍କ ଗବେଷଣାକୁ ସମୃଦ୍ଧ କରିଛି । ତାଙ୍କୁ ପ୍ରାପ୍ତ ହେବା ସମୟରେ ଏଇଟିର ନାମକରଣ ହୋଇ ନଥିଲା । ଏହାର ନାମକରଣ କରିଛନ୍ତି ସେ ନିଜେ-। ଏ ସମ୍ପର୍କରେ ସେ କହନ୍ତି- “କୃଷ୍ଣସିଂହ ନୃପଙ୍କ ଅପ୍ରକାଶିତ ଚଉତିଶାଟି ପ୍ରାଚୀ ସଂଗ୍ରହାନ୍ତର୍ଗତ । ଏହାର ନାମକରଣ ହୋଇ ନଥିଲା । ଏହି ଚଉତିଶାରେ ରାଧାଙ୍କ ବିରହ ଅବସ୍ଥା ବର୍ଣ୍ଣିତ ହୋଇଥିବାରୁ ଏହାର ନାମ ‘ରାଧା ବିରହ ଚଉତିଶା’ ରଖାଯାଇଛି ।” (୯) କିନ୍ତୁ ପ୍ରକୃତରେ ଏହି ଚଉତିଶାରେ ରାଧାଙ୍କ ବିରହ ଅବସ୍ଥା ବର୍ଣ୍ଣିତ ହୋଇନାହିଁ; ବର୍ଣ୍ଣିତ ହୋଇଛି କୃଷ୍ଣଙ୍କ ବିରହ ଅବସ୍ଥା ଏବଂ ଏହା କୃଷ୍ଣଙ୍କ ମୁଖରେ ପ୍ରକାଶିତ ହୋଇଛି ଦୂତୀ ନିକଟରେ । ତେଣୁ ଏହାର ନାମକରଣ ‘କୃଷ୍ଣ ବିରହ ଚଉତିଶା’ କିଂବା ଚଉତିଶାର ଭଣିତା (କ୍ଷମେ କୃଷ୍ଣଚନ୍ଦ୍ର ନୃପ ଭାଷେ/ରାଧାକାନ୍ତ ପଦଯୁଗ ଧ୍ୟାଇ) ଅନୁସାରେ ‘ରାଧାକାନ୍ତ ବିରହ ଚଉତିଶା’ ହେବା ଅଧିକ ଯୁକ୍ତିଯୁକ୍ତ ମନେହୁଏ । କାରଣ କବି ଗୋକୁଳ ନରେନ୍ଦ୍ରଙ୍କ ରଚିତ ଅନୁରୂପ ଏକ ଚଉତିଶାରେ ଉଦ୍ଧବଙ୍କ ନିକଟରେ କୃଷ୍ଣ ନିଜର ବିରହ ଅବସ୍ଥା ବର୍ଣ୍ଣନା କରିଛନ୍ତି; ଏହାର ନାମକରଣ ହୋଇଛି ‘କୃଷ୍ଣ ବିରହ ଚଉତିଶା’ । (୧୦) କୃଷ୍ଣଙ୍କ ବିରହ ଅବସ୍ଥା ବର୍ଣ୍ଣିତ ଅନ୍ୟ ଏକ ଚଉତିଶା ‘ଚଉତିଶା ସଂଚୟନ’ (୧ମ ଭାଗ) ରେ ସଂକଳିତ ହୋଇଛି ଯାହା ‘କୃଷ୍ଣ ବିରହ ଚଉତିଶା’ ନାମରେ ନାମିତ । (୧୧) ସେହିପରି ରାଧା ନିଜର ବିରହ ଅବସ୍ଥା ଦୂତୀ ନିକଟରେ

 

୮.

ଜାନକୀବଲ୍ଲଭ ମହାନ୍ତି ( ଭରଦ୍ୱାଜ), ପୂର୍ବସୂଚିତ ଗ୍ରନ୍ଥ, ମୁଖବନ୍ଧ, ପୃ. ୩ ।

୯.

ଜାନକୀବଲ୍ଲଭ ମହାନ୍ତି, ଓଡ଼ିଆ ଗୀତିକାବ୍ୟ, ପୃ. ୨୬୨ ।

୧୦.

ବିଚ୍ଛନ୍ଦ ଚରଣ ପଟ୍ଟନାୟକ, (ସଂ) ଚଉତିଶା ମଧୁଚକ୍ର (୩ୟ), ପୃ. ୭୪-୮୦ ।

୧୧.

କୁଞ୍ଜବିହାରୀ ଦାଶ, (ସଂ) ଚଉତିଶା ସଂଚୟନ (୧ମ), ପୃ. ୪୮୧-୮୨ ।

 

ବର୍ଣ୍ଣନ କରିଥିବା ଅନ୍ୟ ଏକ ଚଉତିଶାର ନାମ ରଖାଯାଇଛି ‘ଶ୍ରୀରାଧା ବିରହ ଚଉତିଶା’ (୧୨) ଏହାର ଭଣିତାରୁ ଏହା ବିଖ୍ୟାତ ‘କେଶବ ରାମାୟଣ ରଚୟିତା କେଶବ ପଟ୍ଟନାୟକଙ୍କ ଦ୍ଵାରା ରଚିତ ବୋଲି ମନେହୁଏ । ସେ ଯାହାହେଉ, ରାଧା ବିରହ-ତାପିତ କୃଷ୍ଣଙ୍କର ଦୂତୀ ନିକଟରେ ନିଜର ମନୋଭାବ କଥନ ଦୃଷ୍ଟିରୁ ଏହାର ନାମକରଣ ‘ରାଧା ବିରହ ଚଉତିଶା’ ରଖାଯାଇଥିବା ସେତେଟା ଅପ୍ରାସଙ୍ଗିକବୋଧ ହୁଏନାହିଁ । ତା’ଛଡ଼ା ଏହା ଲୋକଲୋଚନକୁ ଆସିବା ଦିନଠାରୁ ଏହି ନାମରେ ପରିଚିତ ଥିବାରୁ ଏହାର ନାମକରଣର ପ୍ରାସଙ୍କିକତା ବା ଅପ୍ରାସଙ୍ଗିକତା ସମ୍ପର୍କରେ ବିଚାର କରିବାର ଆବଶ୍ୟକତା ବର୍ତ୍ତମାନ ଆଉ ଥିଲା ଭଳି ମନେହୁଏ ନାହିଁ । ଏହି ଦୃଷ୍ଟିରୁ ଏହାର ନାମଦାତାଙ୍କ ପ୍ରଦତ୍ତ ନାମହିଁ ଯଥାର୍ଥ ଓ ଯଥେଷ୍ଟ ବୋଲି ଗୃହୀତ ହୋଇପାରେ ।

 

ଚଉତିଶାର ରୂପ-ଗୁଣ-ଭେଦ : ଚଉତିଶା ଓଡ଼ିଆ ଗୀତିକାବ୍ୟର ଅନ୍ୟତମ ବିଭାବ । ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଓଡ଼ିଆ ବର୍ଣ୍ଣମାଳାର ଚଉତିରିଶ ବର୍ଣ୍ଣକୁ ଆଦ୍ୟାନୁପ୍ରାସ ରୂପେ ବ୍ୟବହାର କରାଯାଇ ରଚିତ ଗୀତ ବା ଖଣ୍ଡକାବ୍ୟ ୩୪ଶା ଅଥବା ଚଉତିଶା ନାମରେ ପରିଚିତ । ସ୍ଵର୍ଗତ ପ୍ରହ୍ଲାଦ ପ୍ରଧାନ ଚଉତିଶା- ସାହିତ୍ୟ ସମ୍ପର୍କରେ ପାଣ୍ଡିତ୍ୟପୂର୍ଣ୍ଣ । ଆଲୋଚନା କରି କହନ୍ତି ଯେ, କେବଳ ଓଡ଼ିଆ ସାହିତ୍ୟରେ ନୁହେଁ ବଙ୍ଗଳା ଓ ହିନ୍ଦୀ ସାହିତ୍ୟରେ ମଧ୍ୟ ଚୌତିଶା ସାହିତ୍ୟର ଉଦାହରଣ ମିଳେ । ଏ ପ୍ରକାର ରଚନା ବଙ୍ଗଳାରେ ଚୌତିଶା ଓ ହିନ୍ଦୀରେ ଚୌତିଂଶା ନାମରେ ପରିଚିତ । ଚୌତିଶା କ, ଖ ଅନୁକ୍ରମରେ ଲିଖିତ ହେଉଥିବାରୁ ଏହାକୁ ହିନ୍ଦୀରେ କେହି କେହି ‘କଖହରା’ ମଧ୍ୟ କରିଥାନ୍ତି । ଏହାର ଅନ୍ୟ ଏକ ନାମ ‘ଅଖରାବଟ’ । ଏହି ନାମ ‘ଅକ୍ଷରାବର୍ତ୍ତ’ର ପ୍ରାକୃତ ରୂପ ହୋଇଥିବ ବୋଲି ତାଙ୍କର ଧାରଣା । ଏହି ଜାତୀୟ ରଚନା ପାର୍ସି, ଆରବୀ ଓ ଉର୍ଦ୍ଦୁ ସାହିତ୍ୟରେ ମଧ୍ୟ ଉପଲବ୍ଧ; କିନ୍ତୁ ଏହାକୁ ଚୌତିଶା କୁହାଯାଏ ନାହିଁ । କାରଣ ସଂପୃକ୍ତ ସାହିତ୍ୟର ସଂଖ୍ୟା ୩୪ ନୁହେଁ । ଏ ଜାତୀୟ ରଚନାକୁ ସେସବୁ ସାହିତ୍ୟରେ ‘ଦିବାନ’ କୁହାଯାଏ । ‘ଦିବାନ’ ରଚନାରେ ପଦସଂଖ୍ୟା ବା ପଙ୍‍କ୍ତି ସଂଖ୍ୟାର କୌଣସି ନିର୍ଧାରିତ ନିୟମ ନାହିଁ । ଏହାର ପ୍ରତ୍ୟେକ ପଦ ବର୍ଣ୍ଣାନୁକ୍ରମରେ ଶେଷ ହୁଏ । ଅର୍ଥାତ୍ ଚୌତିଶାର ପଦଗୁଡ଼ିକର ପ୍ରଥମ ଅକ୍ଷର ବର୍ଣ୍ଣକ୍ରମିକ; କିନ୍ତୁ ‘ଦିବାନ’ର ପଦଗୁଡ଼ିକର ଶେଷ ଅକ୍ଷର ବର୍ଣ୍ଣକ୍ରମିକ । ସେସବୁ ସାହିତ୍ୟରେ ବର୍ଣ୍ଣକୁ ଶେଷାନୁପ୍ରାସରୂପେ ବ୍ୟବହାର କରିବାର କାରଣ ସମ୍ପର୍କରେ ପ୍ରଧାନ କହନ୍ତି ଯେ, ଆମେ ଲେଖୁଁ ଡାହାଣ ଆଡ଼ୁ, ସେମାନେ ଲେଖନ୍ତି ବାଁ ଆଡ଼ୁ । ଏଣୁ ଲେଖିବା ପରେ ସ୍ଥିତି ଏକ ସ୍ଥାନରେ । (୧୩)

 

୧୨.

ତତ୍ରୈବ (୨ୟ), ପୃ. ୧୭୯-୧୮୬ ଏବଂ ଚଉତିଶା ମଧୁଚକ୍ର (୫ମ ) ପୃ. ୫୮-୬୮ ।

୧୩.

ପ୍ରହ୍ଲାଦ ପ୍ରଧାନ, ସାହିତ୍ୟାୟନ (କଟକ, ୧୯୫୮) ପୃ. ୧୬୧-୬୨ ।

 

ଚଉତିଶା ବିଭିନ୍ନ ଭାରତୀୟ ସାହିତ୍ୟରେ ଉପଲବ୍ଧ ହେଲେହେଁ ଏ ଜାତୀୟ ରଚନାର ଆଦିକାଳ ଓ ଆଦିଉସ୍ଥ ସମ୍ବନ୍ଧରେ ନିଧାର୍ଯ୍ୟଭାବେ କହିହେବ ନାହିଁ । ଖ୍ରୀଷ୍ଟପୂର୍ବ କାଳରେ ଅକ୍ଷରାନୂକ୍ରମିକ ରଚନା ପଦ୍ଧତିର ସୂତ୍ରପାତ ହୋଇଥିବା ଜଣାଯାଏ ଭଗବାନ ବୁଦ୍ଧଙ୍କ ଜୀବନୀ ସମ୍ବଳିତ ‘ଲଳିତ ବିସ୍ତର’ ଗ୍ରନ୍ଥରୁ । “ଯେତେବେଳେ ଶାକ୍ୟ ଗୌତମ ସିଦ୍ଧାର୍ଥ କୁମାର ବିଦ୍ୟାଶିକ୍ଷା ପାଇଁ ଲିପିଶାଳାକୁ ଯାଇଅଛନ୍ତି, ସେଠାରେ ଦାରକାଚାର୍ଯ୍ୟ ଅ ଆ ଆଦି ଗୋଟିଏ ଗୋଟିଏ ଅକ୍ଷର ଉଚ୍ଚାରଣ କଲାମାତ୍ରେ ଗୌତମଙ୍କ ମୁଖରୁ ଗୋଟିଏ ଗୋଟିଏ ଉଚ୍ଚ ଦାର୍ଶନିକ ତତ୍ତ୍ଵପୂର୍ଣ୍ଣ ବାକ୍ୟ ନିଃସୃତ ହୋଇଅଛି । ସେଥିରୁ ସେହି କାଳର ଲି ପି- ଶିକ୍ଷାର ପଦ୍ଧତି ସୂଚିତ ହୁଏ ଏବଂ ଅକ୍ଷରାଦି କ୍ରମରେ ରଚନାର ମଧ୍ୟ ସୂଚନା ମିଳେ । ଏହି ପ୍ରବୃତ୍ତିରୁ ବୋଧହୁଏ ଚୌତିଶା ଆଦିର ଉତ୍ପତ୍ତି ।” (୧୪)

 

ସାଧାରଣତଃ ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଚଉତିରିଶଟି ବ୍ୟଞ୍ଜନ ବର୍ଣ୍ଣକୁ ଆନୁକ୍ରମିକ ରୂପେ ବ୍ୟବହାର କରି ଚଉତିରିଶ ପଦରେ ଚଉତିଶା ରଚିତ ହୁଏ । ଏ ରୀତିର ବ୍ୟତିକ୍ରମ ମଧ୍ୟ ପରିଦୃଷ୍ଟ ହୁଏ । କେତେକ ଚଉତିଶାର ପଦ ବା ପାଦ ସଂଖ୍ୟାରେ କୌଣସି ସମତା ନଥାଏ । କେତେକ କବି ଗୋଟିଏ ପାଦରେ ‘କ’ ଓ ଅନ୍ୟ ପାଦରେ ‘ଖ’କୁ ଆଦ୍ୟାନୁପ୍ରାସ ଭାବରେ ଗ୍ରହଣ କରି ଚଉତିଶା ରଚନା କରିଛନ୍ତି । (୧୫) ଅନ୍ୟ କେତେକ କବି ଗୋଟିଏ ପାଦର ପ୍ରଥମାର୍ଦ୍ଧରେ ‘କ’ ଓ ଦ୍ୱିତୀୟାର୍ଦ୍ଧରେ ‘ଖ’କୁ ଆରମ୍ଭରେ ରଖି ଚଉତିଶା ରଚନା କରିଛନ୍ତି । (୧୬) ପୁଣି କେତେକ ଚଉତିଶାକାର ଗୋଟିଏ ପଦରେ କ, ଖ, ଗ ଆଦି ବର୍ଣ୍ଣଯୁକ୍ତ ପଦମାନ ବ୍ୟବହାର କରି ଚଉତିଶା ରଚନା କରିଛନ୍ତି । (୧୭)

 

ଚଉତିଶା ରଚନାରେ ଅନ୍ୟ କେତେକ ରୀତି ମଧ୍ୟ ଅନୁସୃତ ହୁଏ । ‘କ୍ଷ’ ଠାରୁ ‘କ’ ପର୍ଯ୍ୟନ୍ତ ଆଦ୍ୟାନୁପ୍ରାସରେ ଓଲଟ ରୀତିରେ କେତେକ ଚଉତିଶା ରଚିତ । ସେଗୁଡ଼ିକୁ ‘ଓଲଟ ଚଉତିଶା’ କୁହାଯାଏ । ସେହିପରି ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣମାଳାକୁ କ, ଖ, ଖ, ହ, ଆଦି କ୍ରମରେ ବ୍ୟବହାର କରି ଗୋମୂତ୍ର ରୀତି, ମେଷଯୁଦ୍ଧ ନିୟମ ଆଦି ବିଭିନ୍ନ ଆଳଙ୍କାରିକ ନୀତି-ନିୟମରେ ରଚିତ ଚଉତିଶା ମଧ୍ୟ ପରିଦୃଷ୍ଟ ହୁଏ । ଆଉ କେତେକ କବି ଅଛନ୍ତି ଯେଉଁମାନେ ଏହି ଚଉତିରିଶଟି ଅକ୍ଷରକୁ ଅନ୍ତ୍ୟାନୁପ୍ରାସ ରୂପେ ବ୍ୟବହାର କରି ଅର୍ଥାତ୍ ପ୍ରତି ପାଦର ଶେଷ ଅକ୍ଷରଗୁଡ଼ିକୁ କ,ଖ,ଗ,ଘ କ୍ରମରେ ସଜାଇ ଚଉତିଶା ରଚନା କରିଛନ୍ତି ।

 

୧୪.

ତତ୍ରୈବ, ପୃ. ୧୫୯ ।

୧୫.

ନୀଳମଣି ମିଶ୍ର, ଓଡ଼ିଆ ଗୀତିକାବ୍ୟର ଭୂମି ଓ ଭୂମିକା, ପୃ. ୧୦୨ (କାଳନ୍ଦୀ ମଧ୍ୟେ କମଳ ଫୁଟିଛି । ଖୀନଜଳେ ନିରଞ୍ଜନ ଖେଳୁଛି ।)

୧୬.

ତତ୍ରୈବ (କମଳ ନେତ୍ର ହରି । ଖଣ୍ଡ ଦୁଃଖ ମୋହରି ।)

୧୭.

ତତ୍ରୈବ (କଳାବତୀ ଖଞ୍ଜନାକ୍ଷୀ ନିତମ୍ବିନୀ ।)

 

ଏହିସବୁ ରୀତିରେ ରଚିତ ଚଉତିଶାଗୁଡ଼ିକରେ ରଚୟିତାମାନଙ୍କର ପାଣ୍ଡିତ୍ୟ ଓ ଶବ୍ଦଯୋଜନା କୌଶଳର ପରିଚୟ ମିଳିଥାଏ । (୧୮)

 

ବର୍ଣ୍ଣମାଳାର ଙ, ଣ ଏବଂ ଳ ବର୍ଣ୍ଣକୁ ଆଦ୍ୟରେ ରଖି କୌଣସି ଶବ୍ଦ ନ ଥିବାରୁ ଚଉତିଶାକାରମାନେ ଙ, ସ୍ଥାନରେ ‘ଉ’ ବା ‘ନ’, ‘ଣ’ ସ୍ଥାନରେ ‘ନ’ ଏବଂ 'ଳ’ ସ୍ଥାନରେ ‘ଲ’ର ବ୍ୟବହାର କରିଥା'ନ୍ତି । କେତେକ ଚଉତିଶାରେ ‘ଶ’, ‘ଷ’ ଓ ‘ସ’କୁ ଅଲଗା ଅଲଗା ବ୍ୟବହାର କରାନଯାଇ ଯେକୌଣସି ଗୋଟିଏର ବ୍ୟବହାର କରାଯାଇଥାଏ ।

 

ପ୍ରତି ଚଉତିଶା ଏକାଧିକ ରାଗରେ ରଚିତ ନ ହୋଇ ଏକ. ରାଗରେ ରଚିତ ହୋଇଥାଏ- ଏହା ଚଉତିଶା ରଚନାର ସାଧାରଣ ରୀତି । କିନ୍ତୁ ଏ ରୀତିର ବ୍ୟତିକ୍ରମ ମଧ୍ୟ ଦେଖାଯାଏ । ‘ନୃପତି କ୍ଷତ୍ରିବର ଭଞ୍ଜ’ ଭଣିତା ଥାଇ ଗୋଟିଏ ଚଉତିଶା ‘ଚଉତିଶା ସଂଚୟନ’ (୨ୟ ଭାଗ, ପୃ.୧୫୧-୫୮)ରେ ସ୍ଥାନ ପାଇଛି, ଯାହା ସାତୋଟି ରାଗରେ ରଚିତ । ଏଣୁ ଏ ଚଉତିଶାଟିର ନାମକରଣ ହୋଇଛି ‘ସପ୍ତରାଗ ଚଉତିଶା’ ।

 

ବିଷୟବସ୍ତୁ ଦୃଷ୍ଟିରୁ ଚଉତିଶାଗୁଡ଼ିକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇପାରେ । ଯେପରି - ଭକ୍ତିମୂଳକ ଚଉତିଶା, ତତ୍ତ୍ୱ ମୂଳକ ଚଉତିଶା, ସନ୍ଦେଶମୂଳକ ବା ଚିଟାଉ ଚଉତିଶା, ମିଳନ ବା ବିରହମୂଳକ (ଖେଦାତ୍ମକ) ଚଉତିଶା, ବର୍ଣ୍ଣନାମୂଳକ ବା କଥା ଚଉତିଶା, ବିଳାପମୂଳକ ଚଉତିଶା, ଶୃଙ୍ଗାର ରସାତ୍ମକ ଚଉତିଶା, ଆଳଙ୍କାରିକ ଚଉତିଶା ଇତ୍ୟାଦି ।

 

ଓଡ଼ିଆ ଚଉତିଶାର ଧରା ଓ ଧାରା : ଚଉତିଶାକୁ ଓଡ଼ିଆ ସାହିତ୍ୟ ପ୍ରସାରର ପ୍ରାଥମିକ ମାଧ୍ୟମ ରୂପେ ଗ୍ରହଣ କରାଯାଇପାରେ । ଆଧୁନିକ ଶିକ୍ଷା ପଦ୍ଧତିର ପ୍ରଚଳନ ପୂର୍ବରୁ ଚାଟଶାଳୀରେ ଚାଟକୁ ପ୍ରଥମେ ‘କମଳ ଲୋଚନ ଚଉତିଶା’, ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’ ଆଦି ଆବୃତ୍ତି କରିବାକୁ ପଡ଼ୁଥିଲା । ଫଳରେ ତା’ର ଓଡ଼ିଆ ବର୍ଣ୍ଣମାଳା ମୁଖସ୍ଥ ହେଉଥିଲା । ଏତଦ୍‍ବ୍ୟତୀତ ‘ଗଣେଶ ଅଗ୍ରେପୂଜା’ (କରୀ ମସ୍ତକେ କପୋଳେ ଶୋହେ ଚିତା) ଚଉତିଶାଟି ମଧ୍ୟ ଚାଟମାନେ ଗଣେଶ ପୂଜା ସମୟରେ ଗାନ କରୁଥିଲେ । କେବଳ ଚାଟମାନେ ନୁହନ୍ତି, ସାଧାରଣ ଜନତା ମଧ୍ୟ ବିଭିନ୍ନ ରାଗରାଗିଣୀଯୁକ୍ତ ଚଉତିଶାମାନ ଗାନ କରି ଆନନ୍ଦ ଲାଭ କରୁଥିଲେ । ଏଥିରୁ ମନେହୁଏ ଯେ, ଓଡ଼ିଆ ଗଣଜୀବନ ଉପରେ ଚଉତିଶା ସାହିତ୍ୟର ବେଶ୍ ପ୍ରଭାବ ଥିଲା । ଏପରି ଏକ ଲୋକପ୍ରିୟ ସାହିତ୍ୟିକ ବିଭାବର ରଚନା କେବେ ଆରମ୍ଭ ହେଲା ସେକଥା ଠିକ୍ ଭାବରେ କହିହୁଏ ନାହିଁ । ଓଡ଼ିଆ ସାହିତ୍ୟର ଆଦି ନିଦର୍ଶନ ମିଳୁଥିବା ଚର୍ଯ୍ୟାସାହିତ୍ୟ (ଚର୍ଯ୍ୟାଗୀତି ଓ ଦୋହା)ରେ ବର୍ଣ୍ଣମାଳାନୁକ୍ରମିକ ରଚନା ପରିଦୃଷ୍ଟ ହୁଏ । ସିଦ୍ଧ ସରହପାଦଙ୍କ ‘ଦୋହାକୋଶ’ରେ ‘କ ଖ ଦୋହା’ ନାମକ ଗୀତିକବିତାଟିଏ ଦେଖିବାକୁ ମିଳେ, ଯେଉଁଥିରେ ବ୍ୟଞ୍ଜନ ବର୍ଣ୍ଣମାଳାର ପ୍ରତ୍ୟେକ ବର୍ଣ୍ଣକୁ ଆଦ୍ୟରେ ରଖାଯାଇ ଚଉତିରିଶଟି ପଦ ରଚନା କରାଯାଇଛି । (୧୯) ଏହାକୁ ଓଡ଼ିଆ ଚଉତିଶା ରଚନାର ପ୍ରଥମ, ପ୍ରୟାସ ଭାବରେ ଗ୍ରହଣ କରାଯାଇପାରେ ।

 

 

ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ବହୁ ଚଉତିଶାରେ ସମୃଦ୍ଧ ହେଲେ ହେଁ ଏସବୁ ମଧ୍ୟରେ କେଉଁଟି ପ୍ରଥମ, ତାହା ନିର୍ଣ୍ଣିତ ହୋଇପାରି ନାହିଁ । ଆର୍ତ୍ତବଲ୍ଲଭ ମହାନ୍ତି ବତ୍ସାଦାସଙ୍କ କଳସା ଚଉତିଶା’କୁ ଓଡ଼ିଆ ସାହିତ୍ୟରେ ପ୍ରାଚୀନତମ ଚଉତିଶା ଭାବରେ ଗ୍ରହଣ କରନ୍ତି । ଏହି ରଚନାକୁ ସେ ସାରଳାଦାସଙ୍କ ପୂର୍ବବର୍ତ୍ତୀ ରଚନା ଅର୍ଥାତ୍ ଖ୍ରୀଷ୍ଟୀୟ ୧୪ଶ ଶତାବ୍ଦୀର ବୋଲି ଗ୍ରହଣ କଲେହେଁ(୨୦) ଏହାଯେ ସାରଳାଦାସଙ୍କ ପରବର୍ତ୍ତୀ କାଳରେ ରଚିତ, ଏଥିରେ ସନ୍ଦେହ ନାହିଁ । ବରଂ ବତ୍ସାଦାସ ଏହି ରଚନାଟି ନିମିତ୍ତ ସାରଳାଦାସଙ୍କଠାରେ ଋଣୀ । (୨୧) ତେଣୁ ଓଡ଼ିଆ ସାହିତ୍ୟରେ ପ୍ରଥମ ଚଉତିଶା କେଉଁଟି, ତାହା ନିଧାର୍ଯ୍ୟ ଭାବରେ କହିହେବ ନାହିଁ ।

 

ଓଡ଼ିଆ ସାହିତ୍ୟର ବିକାଶଧାରାରେ ଚଉତିଶାର ଭୂମିକାକୁ ଅସ୍ୱୀକାର କରାଯାଇ ନପାରେ । ଓଡ଼ିଆ ସାହିତ୍ୟରେ ଛନ୍ଦୋବଦ୍ଧ ରଚନାର ପ୍ରୟାସ ଚଉତିଶାରୁ ଆରମ୍ଭ ହୋଇଥିଲା ବୋଲି ଗ୍ରହଣ କରାଯାଇପାରେ । ସାରଳାଦାସକାଳୀନ ଦାଣ୍ଡିବୃତ୍ତକୁ ଅକ୍ଷର ନିୟମରେ ବାନ୍ଧିବାର ପ୍ରଚେଷ୍ଟାରୁ ରାଗରାଗିଣୀଯୁକ୍ତ କବିତାର ଜନ୍ମ । ଓଡ଼ିଆ କବିତା ଲାଭ କରିଥିବା ସାଙ୍ଗୀତିକତା ମୂଳରେ ଚଉତିଶା ରଚନାର ଉଦ୍ୟମ ନିହିତ । ସମୟକ୍ରମେ ଚଉତିଶା ସାହିତ୍ୟର ଲୋକପ୍ରିୟତାର ବୃଦ୍ଧି ଘଟିଛି । ଏହି ଲୋକପ୍ରିୟତାର ସୁଯୋଗ ନେଇ ପରବର୍ତ୍ତୀକାଳୀନ ବହୁ ପ୍ରସିଦ୍ଧ କବିଙ୍କ ରଚନାରେ ନିର୍ଦ୍ଦିଷ୍ଟ ରାଗରାଗିଣୀର ଉଲ୍ଲେଖ ନଥାଇ ବିଭିନ୍ନ ଚଉତିଶା ବାଣୀରେ ଗାଇବାକୁ ନିର୍ଦ୍ଦେଶ ରହିଛି । ପଞ୍ଚସଖା ଯୁଗଠାରୁ ଆରମ୍ଭ କରି ଭୀମଭୋଇଙ୍କ ପର୍ଯ୍ୟନ୍ତ କବିମାନଙ୍କ ଦ୍ଵାରା ରଚିତ ଚଉତିଶା ଲୋକଲୋଚନକୁ ଆସିଛି । ଓଡ଼ିଆ ଲୋକସାହିତ୍ୟରେ ମଧ୍ୟ ବହୁ ଚଉତିଶାର ସନ୍ଧାନ ମିଳେ । ଏସବୁ ବ୍ୟତୀତ ବହୁ ଚଉତିଶା ସୃଷ୍ଟିହୋଇ ପୁଣି ଯେ ବିଲୁପ୍ତ ହୋଇଯାଇଛି, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

୧୮.

ତତ୍ରୈବ ।

୧୯.

ରାହୁଳ ସାଂକୃତ୍ୟାୟନ ସଂପାଦିତ ‘ଦୋହାକୋଶ’, ପୃ. ୧୨୯ ।

୨୦.

ପ୍ରାଚୀନ ଗଦ୍ୟପଦ୍ୟାଦର୍ଶ, ( ୧୯୯୩), Introduction-P.9.,

୨୧.

ସୁରେନ୍ଦ୍ର କୁମାର ମହାରଣା, ଓଡ଼ିଆ ସାହିତ୍ୟର ଇତିହାସ, ପୃ. ୧୩୯-୪୮ ।

 

ବିଷୟବସ୍ତୁ :

ଶ୍ରୀରାଧାଙ୍କ ବିଚ୍ଛେଦ ଶ୍ରୀକୃଷ୍ଣଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଛି । ସେ ଦୂତୀ ନିକଟରେ ନିଜର ବିରହ ବେଦନା ପ୍ରକାଶ କରିଛନ୍ତି ଏବଂ ଏହା ଶ୍ରୀରାଧାଙ୍କୁ ଜଣାଇ ଦେବାକୁ ଅନୁରୋଧ କରିଛନ୍ତି । ଚାତକ ବର୍ଷାବିନ୍ଦୁକୁ ଅପେକ୍ଷ। କଲାପରି ସେ ପ୍ରତିଦିନ ଶ୍ରୀରାଧାଙ୍କ ପାଇଁ ଅପେକ୍ଷାମାଣ-। କିନ୍ତୁ ହାୟ ! ତାଙ୍କ ଅପେକ୍ଷାର ଶେଷ ନାହିଁ । ଜଳକୁ ମୀନ ତ୍ୟାଗ କରି ନପାରିଲା ଭଳି ସେ ଶ୍ରୀରାଧାଙ୍କୁ ଚିତ୍ତରୁ ତ୍ୟାଗ କରିପାରୁ ନାହାନ୍ତି । ପୂର୍ବ ସ୍ନେହ ଶ୍ରୀରାଧା କିପରି ପାସୋରି ଯାଉଛନ୍ତି ? ଶ୍ରୀରାଧାଙ୍କ ମୁଖ ଦର୍ଶନ ନିମିତ୍ତ ସେ ଯମୁନା ଘାଟରେ ଜଗି ବସୁଛନ୍ତି; ମାତ୍ର ଏ ପ୍ରତୀକ୍ଷା ନିରର୍ଥକ ହୋଇଯାଉଛି । ଝରନଦୀ ଭଳି ତାଙ୍କ ନୟନରୁ ଲୋତକଧାର ଅବିରତ ଝରୁଛି । ସେ ଶ୍ରୀରାଧାଙ୍କୁ ସର୍ବଦା ଝୁରୁଛନ୍ତି । କିନ୍ତୁ ଶ୍ରୀରାଧା ? -ଶ୍ରୀରାଧାଙ୍କ ହୃଦୟ ତାଙ୍କ ପାଇଁ ପଥର ପାଲଟିଛି ।

 

“ଝର ନଦୀ ପରି ଝରୁଛି ନିରତେ

ନୀର ନୟନୁ ମୋହର

ଝୁରୁଛି ବସି ଝଳି ଗୋରୀ ମୋଠାରେ

କରୁଛି ହୃଦ ପଥର ।”

 

ଶ୍ରୀକୃଷ୍ଣ କର୍ଣ୍ଣ ଡେରି ବସିଛନ୍ତି, ଶ୍ରୀରାଧାଙ୍କ ଚରଣ ନୂପୁର-ଧ୍ୱନି ଶୁଣିବା ପାଇଁ । କିନ୍ତୁ ସବୁ ବୃଥା । ଶ୍ରୀରାଧା ବିହୁନେ ବଞ୍ଚିବା ତାଙ୍କ ପାଇଁ ଦୁର୍ବିସହ ହୋଇଉଠିଛି । ତାଙ୍କ ମନ ଏତେ ବିଷାଦଗ୍ରସ୍ତ ଯେ, ଇଚ୍ଛା ହେଉଛି ବିଷ ଖାଇଦେବା ଲାଗି । ପ୍ରୀତି ପଦାର୍ଥଠାରୁ ଆଉ ଯେ କିଛି ଶ୍ରେଷ୍ଠ ପଦାର୍ଥ ନାହିଁ, ତାହା ଶ୍ରୀରାଧା ଜାଣନ୍ତି । ତଥାପି କିପରି ସେ ପୂର୍ବର ଭାବକୁ ପାସୋରି ଦେଇଛନ୍ତି, ଏହାହିଁ ତାଙ୍କୁ ବିସ୍ମିତ କରିଛି । ତେଣୁ ବୁକୁଫଟା କୋହ ସହିତ ତାଙ୍କ ମୁଖରୁ ବାହାରିଛି –

 

“ପ୍ରୀତି ପଦାର୍ଥରୁ ପଦାର୍ଥ କାହିଁଛି

ମୋ ବନ୍ଧୁ ଜାଣଇ ତାହା

ପରମ ସ୍ନେହୀ ହୋଇ ତ ପାସୋରିଲା

      ମନରୁ ପୂର୍ବ ଭସ୍ଥାହା ।”

 

ରାଧା-କୃଷ୍ଣ ପ୍ରେମଲୀଳା କାହାକୁ ଅଗୋଚର ? ଏଥିପାଇଁ ଶ୍ରୀରାଧା ଲକ୍ଷେ ଅପବାଦ ଶୁଣିଛନ୍ତି ଛାତିକୁ ପଥର କରି ସେସମସ୍ତ ହଜମ କରିଛନ୍ତି । କିନ୍ତୁ ବର୍ତ୍ତମାନ ? ସବୁ ବିପରୀତ । ତାଙ୍କ ହୃଦୟର ବ୍ୟଥା ଶ୍ରୀରାଧା ବୁଝିବାକୁ ନାରାଜ । ତେଣୁ ଦୂତୀକୁ ତାଙ୍କର ବାରମ୍ବାର ଅନୁରୋଧ –

 

“ଲାବଣ୍ୟନିଧିକି ବୁଝାଇ କହିବୁ

ନ ଘେନିଲା ମୋର ବ୍ୟଥା ।

× × ×

“ଶୀଘ୍ରେ କହିବୁଟି ଫିଙ୍କି ଦେଉଛୁଟି

ତା କରଗତ ରତନ ।

× × ×

“କ୍ଷମାନିଧି ସିଦ୍ଧି ବୁଡ଼ି ଯାଉଛୁଟି

କହିବୁ ଥରେ ମଣାଇଁ

କ୍ଷଣକାନ୍ତି ଆଗେ କହିବୁଟି ସଖୀ

ତାକୁ ଶୋଭା ଦିଶୁ ନାହିଁ ।”

 

ଆଧ୍ୟାତ୍ମିକ ପୃଷ୍ଠଭୂମି : କବି କୃଷ୍ଣ ସିଂହ ଏକ ବୈଷ୍ଣବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମହ ରାଜା ରାମଚନ୍ଦ୍ର ସିଂହ ପରମ ବୈଷ୍ଣବ ଓ କୃଷ୍ଣଭକ୍ତ ଥିଲେ । ସ୍ୱ-ଅନୂଦିତ ‘ମହାଭାରତ’ର ଆଦିପର୍ବରେ କବି କରନ୍ତି ଯେ, ଶତ୍ରୁମାନଙ୍କୁ ଦମନ କରିବା ପରେ ରାମଚନ୍ଦ୍ର ସିଂହ ସାଂସାରିକ ଜଞ୍ଜାଳପ୍ରତି ବୀତଶ୍ରଦ୍ଧ ହୋଇଥିଲେ ଏବଂ ଜ୍ୟେଷ୍ଠପୁତ୍ର ଜୟସିଂହଙ୍କୁ ସିଂହାସନ ଅର୍ପଣ କରି ଗୁରୁଙ୍କ ସହିତ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ଗମନ କଲେ । ସେଠାରେ ସେ କିଛିଦିନ ଅବସ୍ଥାନ କରି ଗୁରୁଙ୍କ ସହିତ ବୃନ୍ଦାବନ ଯାତ୍ରା କରିଥିଲେ । ବୃନ୍ଦାବନରେ ସେ ଜଣେ ଚୈତନ୍ୟମାର୍ଗୀ ନୈଷ୍ଠିକ ବୈଷ୍ଣବ ଭାବରେ କଳାତିପାତ କରି ଶେଷରେ କାଳକବଳିତ ହେଲେ । କବିଙ୍କ ଜ୍ୟେଷ୍ଠପିତା ରାଜେନ୍ଦ୍ର ସିଂହ ମଧ୍ୟ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଶେଷ ନିଃଶ୍ୱାସ ତ୍ୟାଗକଲେ । (୨୨) କବି କୃଷ୍ଣଚନ୍ଦ୍ର ସିଂହ ଏହିପରି ଏକ ବୈଷ୍ଣବଧର୍ମ-ପ୍ରଭାବିତ ପରିବାରରେ କେବଳ ଜନ୍ମଗ୍ରହଣ କରିନଥିଲେ, ସେ ନିଜେ ମଧ୍ୟ ବୈଷ୍ଣବଧର୍ମାବଲମ୍ବୀ ଥିଲେ । ‘ମହାଭାରତ’ ଅନୁବାଦ କରିବା ମୂଳରେ ତାଙ୍କ ବୈଷ୍ଣବ ଜନୋଚିତ ଭାବ ନିହିତ । ସେହିପରି ତାଙ୍କ ଦ୍ଵାରା ରଚିତ ରାଧା-କୃଷ୍ଣ ଲୀଳା ସମ୍ପର୍କୀୟ ଆଲୋଚ୍ୟ ଚଉତିଶାଟି ତାଙ୍କୁ ଜଣେ ଚୈତନ୍ୟମାର୍ଗୀ ବୈଷ୍ଣବ ଭାବରେ ପରିଚିତ କରାଏ-। କାରଣ ଚୈତନ୍ୟାନୁଣ ବୈଷ୍ଣବମାନଙ୍କର ଖୁବ୍ ବିଶ୍ୱସ୍ତ ଓ ଆଦରଣୀୟ ହେଉଛି ରାଧା-କୃଷ୍ଣଙ୍କ ଐକାନ୍ତିକ ଅଖଣ୍ଡ ପରକୀୟା ପ୍ରେମ । ରାଧା-କୃଷ୍ଣଙ୍କ ଅନୁରାଗ, ମିଳନ, ବିରହ, ସମ୍ଭୋଗ ଇତ୍ୟାଦି ସେମାନଙ୍କ ହୃଦୟରେ ଅପୂର୍ବ ଆନନ୍ଦ ଓ ଉଲ୍ଲାସ ଭରିଦିଏ । ଏଥିରୁ ସ୍ପଷ୍ଟ ହୁଏ ଯେ, କବିଙ୍କ ସାରସ୍ଵତ ସାଧନା ପଶ୍ଚାତରେ ଏକ ଦୃଢ଼ ଧାର୍ମିକ ପୃଷ୍ଠଭୂମି ଥିଲା, ଯାହା ତାଙ୍କ ରଚନାବଳୀରେ ସ୍ୱାଭାବିକ ଭାବେ ପ୍ରତିଫଳିତ ।

 

ସାହିତ୍ୟିକ ମୂଲ୍ୟାୟନ : ଆଲୋଚ୍ୟ ଚଉତିଶାଟି ଚଉତିଶା ରଚନାର ସମସ୍ତ ନିୟମାନୁସାରେ ରଚିତ । ଏଥିରେ ଓଡ଼ିଆ ବର୍ଣ୍ଣମାଳାର ଚଉତିରିଶଟି ବ୍ୟଞ୍ଜନ ଆନୁକ୍ରମିକଭାବେ ପ୍ରତି ପଦର ଆଦ୍ୟରେ ରଖି ରଚିତ । ଏଥିରେ ‘ଙ’ ଓ ‘ଞ୍ଜ’ ସ୍ଥାନରେ ‘ନ’, ‘ଣ’ ସ୍ଥାନରେ ‘ଅ’ ବ୍ୟବହୃତ । ସେହିପରି ଶ, ଷ ଓ ସ ସ୍ଥାନରେ ଏକମାତ୍ର ବର୍ଣ୍ଣ ‘ଶ’ର ବ୍ୟବହାର କରାଯାଇଛି । ଫଳରେ ଏହାର କଳେବର ଚଉତିରିଶଟି ପଦର ସମାହାରରେ ଗଠିତ ।

 

୨୨.

ସୂର୍ଯ୍ୟନାରାୟଣ ଦାଶ, ଓଡ଼ିଆ ସାହିତ୍ୟର ଇତିହାସ (୩ୟ), ପୃ. ୪୮୨-୮୩ ।

 

ଏଥିରେ ଶେଷ ପଦଟିରେ ଏକ ବ୍ୟତିକ୍ରମ ପରିଲକ୍ଷିତ ହୁଏ; ପ୍ରତି ପଦ ଦୁଇପାଦ ବିଶିଷ୍ଟ ହୋଇଥିବାବେଳେ ଏଇଟିରେ ରହିଛି ତିନୋଟି ପାଦ । ଶେଷ ପାଦଟି ଭଣିତାଯୁକ୍ତ (କ୍ଷମେ କୃଷ୍ଣଚନ୍ଦ୍ର ନୃପ ଭାଷେ ରାଧାକାନ୍ତ ପଦଯୁଗ ଧ୍ୟାଇ) । ପୂର୍ବୋକ୍ତ ପ୍ରକାରଭେଦ ଅନୁଯାୟୀ ଏଇଟି ବିରହମୂଳକ ବା ଖେଦାତ୍ମକ ଚଉତିଶାର ଅନ୍ତର୍ଗତ ।

 

ମଧ୍ୟଯୁଗର ଉତ୍ତରାର୍ଦ୍ଧକୁ ଓଡ଼ିଆ ସାହିତ୍ୟର ଇତିହାସରେ ‘ଗୀତିଯୁଗ’ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏହି ଯୁଗରେ ଆବିର୍ଭାବ ହୋଇଛି ବହୁ ଗୀତିକବିଙ୍କର ଯେଉଁମାନେ ଓଡ଼ିଆ କାବ୍ୟଜଗତକୁ ସଙ୍ଗୀତ ମୁଖର କରିଛନ୍ତି, ମଧୁର ମୂର୍ଚ୍ଛନାରେ ଭରି ଦେଇଛନ୍ତି । ରୀତିଯୁଗର କବିଗଣ କାବ୍ୟ-କବିତାକୁ ବହୁ ଅଳଙ୍କାରରେ ମଣ୍ଡିତ କରିବାକୁ ଭଲପାଉଥିଲେ ଏବଂ ଏହି କାରଣରୁ ସେମାନଙ୍କ କୃତିରାଜିରେ ଅଳଙ୍କାରର ପ୍ରାଚୁର୍ଯ୍ୟ ପରିଦୃଷ୍ଟ ହୁଏ । କିନ୍ତୁ ଗୀତିଯୁଗୀୟ କବିଗଣ ଅଳଙ୍କାର ବହୁଳତାରେ ବିଶ୍ୱାସ କରନ୍ତି ନାହିଁ । ସେମାନେ ଏ କ୍ଷେତ୍ରରେ ମିତବ୍ୟୟୀ । ବାକ୍‍ସଂଯମହିଁ ସେମାନଙ୍କ ଗୀତିକବିତାର ବିଶେଷତ୍ୱ । କବି କୃଷ୍ଣଚନ୍ଦ୍ର ସିଂହ ଗୀତିଯୁଗର କବି । ଆଲୋଚ୍ୟ ଚଉତିଶାକୁ ତେଣୁ ସେ ଅଳଙ୍କାରରେ ଭାରାକ୍ରାନ୍ତ କରି ନାହାନ୍ତି । ଯେତେଦୂର ସମ୍ଭବ, ସେ ଶବ୍ଦାଳଙ୍କାର ମଧ୍ୟରୁ ଯମକ, ଶ୍ଳେଷାଦିକୁ ପରିହାର କରିଛନ୍ତି; କିନ୍ତୁ ଅନୁପ୍ରାସ ଅଳଙ୍କାରଠାରୁ ଦୂରେଇ ରହିପାରି ନାହାନ୍ତି । ସେହିପରି ଅର୍ଥାଳଙ୍କାର ଅନ୍ତର୍ଗତ ଉପମାଳଙ୍କାର ପ୍ରୟୋଗରେ ମଧ୍ୟ ତାଙ୍କର ଏହି ଚଉତିଶାଟି ସମୃଦ୍ଧ । ନିମ୍ନୋକ୍ତ କେତୋଟି ପଦରୁ କବିଙ୍କ ଅନୁପ୍ରାସାଳଙ୍କାର ଓ ଉପମାଳଙ୍କାର ପ୍ରୟୋଗର ବୈଶିଷ୍ଟ୍ୟ ଲକ୍ଷ୍ୟ କରାଯାଇପାରେ ।

 

(କ)       “ଘନକୁ ଚାତକ ଆଶା କଲାପରି

ଆଶା ମୋର ପ୍ରତି ଦିନ

ଘେନୁ ନାହିଁ ଚିତ୍ତେ ଚିତ୍ତଜ ମୋହିନୀ

ଜଳକୁ ନ ଛାଡ଼େ ମୀନ ।୪।”

 

(ଖ)       “ଜଗି ବସି ଥାଇ ଯୋଗୀ ପରି ନିତି

ଯମୁନା ଘାଟରେ ଯାଇ

ଯୁବତୀ ରତନ ଯତନ ଶ୍ରୀମୁଖ

ଶୋଭା ଦରଶନ ପାଇଁ ।୮।”

 

(ଗ)       “ଝର ନଦୀ ପରି ଝୁରୁଛି ନିରତେ

ନୀର ନୟନୁ ମୋହର

ଝୁରୁଛି ବସି ଗୋରୀ ମୋଠାରେ

କରୁଛି ହୃଦ ପଥର ।୯।’’

 

(ଘ)       “ନାଗରୀ ମଣି ସହୃଦୟ ମଣି ମୁଁ

ହୃଦ ମଣି କରିଥିଲି

ନଥିଲା ମୋ ମନେ ଶିଶିରେ କମଳି

ଲତା ପରି ହେବ ବୋଲି ।୧୦।”

 

(ଙ)       “ଦରିଦ୍ର ହାତୁଁ ନିଧି ଗଲା ପ୍ରାୟତ ।

ଦଣ୍ଡେ ଥୟ ନୁହେଁ ମନ

ଦୁଃଖ ନ ଦେ ଏତେ ଭସାଇ ମୋତେ ତ

ମୋର ନ ବୋଲାଇ ଧନ ।୧୮।”

 

(ଚ)       “ଧରାରେ ଧନ୍ୟ ବୋଲାଉ ଥିଲି ବନ୍ଧୁ

ଅନୁରାଗ ଧନ ପାଇ

ଧରା ଲୋକ ପରି ଧରା ଚିରୁଛି ମୁଁ

କେବଳ ମହୀକୁ ଚାହିଁ ।୧୯।”

 

(ଛ)       “ମନେ କରିଥିଲି ମନ ମୋହନାର

ପ୍ରେମ ଧନ ନ ତୁଟିବ

ମୁଁ ଜାଣି ନ ଥିଲି ମିତ୍ର ତେଜେ ତୃଣ

ତୁଷାର ପରାୟ ଯିବ ।୨୫।”

 

(ଜ)       “ଯୋଗ ବିଯୋଗ ହେଲେ ଯାହା ବଞ୍ଚିବ

ଭଲ ତ ଜୀବ ଯିବାର

ଘୋଷା ରତ୍ନ ହୋଇ ଘୋଷା କରିଅଛି

ମୁଁ ହେବାକୁ ନାରଖାର ।୨୬।”

 

“କୃଷ୍ଣ ସିଂହଙ୍କ ଭାଷା ପଣ୍ଡିତ ଭାଷା” ବୋଲି ଶ୍ୟାମସୁନ୍ଦର ରାଜଗୁରୁ –‘ମହାଭାରତ’ ଆଲୋଚନା କାଳରେ ଯାହା କହିଛନ୍ତି (୨୩), ତାହା ତାଙ୍କ ଚଉତିଶା ପାଇଁ ମଧ୍ୟ ପ୍ରଯୁଜ୍ୟ । କିନ୍ତୁ ଏହି ଭାଷା ଅବୋଧ୍ୟ ନୁହେଁ, ସୁବୋଧ୍ୟ । ପୁଣି ଏହା ଯେପରି ମାର୍ଜିତ, ସେହିପରି ଭାବଗର୍ଭକ । ଏଥିରେ ତତ୍ସମ ଶବ୍ଦାବଳୀ ସହିତ ମଧୁର ସମନ୍ଵୟ ଘଟିଛି ତଦ୍ଭବ ଓ ଦେଶକ ଶବ୍ଦାବଳୀର । ଏଥିରେ ବ୍ୟବହୃତ କେତେକ ଶବ୍ଦପୁଞ୍ଜ ବେଶ୍ ଭାବୋଦ୍ଦୀପକ ଓ ସାଙ୍ଗୀତିକ, ଯାହା ଭାଷା ପ୍ରୟୋଗ କ୍ଷେତ୍ରରେ କବିଙ୍କ ଦକ୍ଷତାର ପରିଚାୟକ । ସେଗୁଡ଼ିକ ମଧ୍ୟରୁ କେତୋଟି ହେଲେ- ଦିବ୍ୟ ଅବକାଶ, ଗିରୀଶମୋହୀ, ଚିତ୍ତଳ ମୋହିନୀ, ଜଳକୁ ନ ଛାଡ଼େ ମୀନ, ଶୋଭା ପ୍ରଭା ଅନୁକ୍ଷଣେ, ଚିତ୍ତ ମୋହିନୀ, ଛ’ନବ ବୟସୀ, ବାସକ ଶେଯ, ଯତନ ଶ୍ରୀମୁଖ, ଝର ନଦୀପରି ଝରୁଛି ନିରତେ, ନାଗରୀମଣି ସହୃଦୟ ମଣି ମୁଁ ହୃଦମଣି କରିଥିଲି, କମଳି ଲତା, ଟହକହାସୀ, ସ୍ନେହଧନ, ପ୍ରୀତି ପଥର ଗାର, ଡମ୍ବରୁ ମଧ୍ୟମା, ଢାଳନେତ୍ରା, ଡକା ବାଜିଲାଣି, ତପନୀୟ ଅଙ୍ଗା, ସ୍ଥାଣୁମୋହୀ, ଧରା ଲୋକ, ନବ ଅନୁରାଗ ଗଛ, କିଣି ମୋତେ ଭାବ ଧନେ, ଘୋଷା ରତ୍ନ ହୋଇ ଘୋଷା କରିଅଛି, ଲେଖା ମୋହିନୀ, ଲାବଣ୍ୟନିଧି, ଶ୍ୟାମା କୋମଳ କଳାବତୀ, ଶିରଫୁଲ ଗଭା, କ୍ଷଣକାନ୍ତି ଇତ୍ୟାଦି-। ଏଗୁଡ଼ିକରେ କବିଙ୍କ ପାଣ୍ଡିତ୍ୟ ଓ ମଧୁମୟ କବିତ୍ଵ ମଧ୍ୟ ନିହିତ । ଏହାର କବିତ୍ଵ ମଧୁମୟ ଏବଂ ରାଧାକୃଷ୍ଣ ଭକ୍ତିଭାବରେ ଉଦ୍‍ବୁଦ୍ଧ ।

 

୨୩.

ଶ୍ୟାମସୁନ୍ଦର ରାଜଗୁରୁ, ପ୍ରବନ୍ଧାବଳୀ, ପୃ ୯୭ ।

 

ଉପସଂହାର :

ଚଉତିଶା ଏକ ଛନ୍ଦୋବନ୍ଧ ଗୀତିକବିତା, ଯାହା ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟରେ ଏକ ବିଶିଷ୍ଟ ସମ୍ପଦ । ସଙ୍ଗୀତ ଏହାର ମୁଖ୍ୟ ଆଧାର ଓ ଏଇଥି ପାଇଁ ହିଁ ଏହାର ଜନପ୍ରିୟତା । ଏପରି ଜନପ୍ରିୟ ରଚନା ଜନସାଧାରଣଙ୍କୁ ଭେଟି ଦେଇ ଜନପ୍ରିୟତା ହାସଲ କରିବା ପାଇଁ ତତ୍କାଳୀନ କବିମାନେ ଥିଲେ ବ୍ୟଗ୍ର । ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ-କବିତା ଓ ପୁରାଣମାନ ରଚନା କରି ମଧ୍ୟ ଚଉତିଶା ରଚନାରେ ବ୍ରତୀ ହେଉଥିଲେ । ଏହି ପରିପ୍ରେକ୍ଷୀରେ ବିଚାର କଲେ, କୃଷ୍ଣ ( ଚନ୍ଦ୍ର) ସିଂହ ‘ମହାଭାରତ’ ଅନୁବାଦ କରି ସପ୍ରଶଂସ ଜନପ୍ରିୟତାର ଅଧିକାରୀ ଥିଲେ ସୁଦ୍ଧା ଅଲୋଚ୍ୟ ଚଉତିଶାଟି ରଚନା କରି ନିଜର କାବ୍ୟ-ତୃଷ୍ଣା ମେଣ୍ଟାଇଛନ୍ତି । ଏତଦ୍‍ବ୍ୟତୀତ ପରମ ବୈଷ୍ଣବ ଥିବାରୁ ଏଥିରେ ରାଧାକାନ୍ତଙ୍କ ବିରହ ବର୍ଣ୍ଣନ କରି ନିଜ ଆଧ୍ୟାତ୍ମିକ ତୃଷ୍ଣାର ପ୍ରଶମନ ମଧ୍ୟ କରିଛନ୍ତି ।

 

 

ଘର ନଂ. - ଡି-୬/୨

ଇଉନିଟ୍ - ୮

ଭୁବନେଶ୍ୱର - ୭୫୧ ୦୧୨

 

***

 

Unknown

ଅନେକ ଚଉତିଶା ଚଉପଦୀ

ଡକ୍ଟର ତୀର୍ଥାନନ୍ଦ ମିଶ୍ର

 

୧. ମଧ୍ୟକାଳୀନ ଭାରତୀୟ ସାହିତ୍ୟରେ ଧର୍ମର ପ୍ରଭାବ ଅଧିକ । ଉଭୟ ସମାଜ ଓ ଜୀବନକୁ ଏହି ଧର୍ମ ମୁଖ୍ୟତଃ ନିୟନ୍ତ୍ରିତ କରୁଥିଲା । ବେଦଠାରୁ ଆରମ୍ଭକରି ଉପନିଷଦ ଏବଂ ପୁରାଣ ଆଦି ଗ୍ରନ୍ଥରେ ପଲ୍ଲବିତ ହୋଇଥିବା ଏହି ଧର୍ମ ସମଗ୍ର ସାହିତ୍ୟ ସୃଷ୍ଟିକୁ ମଧ୍ୟ ନିୟନ୍ତ୍ରିତ କରିଥିଲା । ଲୋକଚେତନାରେ ରୂପ ପାଇଥିବା ଗୀତିକା ଏବଂ କାହାଣୀଗୁଡ଼ିକ ମଧ୍ୟ ବିଭିନ୍ନ ସାମାଜିକ ଭାବବିଭବ ବହନ କରିବା ସହ ଧର୍ମୀୟ ଅନୁଚିନ୍ତନରୁ ମୁକ୍ତ ନଥିଲା । ଷୋଡ଼ଶ ଶତାବ୍ଦୀ ବେଳକୁ ଏହି ଧର୍ମ ସୁଗୁଣ ଓ ନିର୍ଗୁଣ ଭେଦରେ ଦୁଇ ଭାଗରେ ବିଭକ୍ତ ହୋଇ ଓଡ଼ିଆ ସାହିତ୍ୟରେ ଆପଣାର ଆସନ ସୁଦୃଢ଼ କରିଥିଲା । ସୁଗୁଣ ଅନୁଚିନ୍ତା ରାମ, କୃଷ୍ଣ, ଜଗନ୍ନାଥ ଏବଂ ଶ୍ରୀଚୈତନ୍ୟଙ୍କ ମଧ୍ୟରେ ପ୍ରବାହିତ ହୋଇଥିଲ ବେଳେ ନିର୍ଗୁଣ ଅନୁଚିନ୍ତା ଏ ସବୁ ବିଗ୍ରହଙ୍କ ସମନ୍ୱିତ ମୂର୍ତ୍ତି ଚେତନା ମଧ୍ୟରେ ପ୍ରମୂର୍ତ୍ତ ହୋଇଥିଲା । ଖ୍ରୀ: ୧୫୧୦ରେ ବଙ୍ଗ ଦେଶରୁ ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଆଗମନ ପରେ ସମଗ୍ର ଓଡ଼ିଶାର ବାତାବରଣ ବୈଷ୍ଣବ ଧର୍ମର ମଧୁର ପ୍ରେମ ବନ୍ୟାରେ ପ୍ଳାବିତ ହୋଇଗଲା-। ଦେବଦୁର୍ଲ୍ଲଭ, ଧନଞ୍ଜୟ, ଦୀନକୃଷ୍ଣ, ଅଭିମନ୍ୟୁ ଆଦି ଓଡ଼ିଆ କବି କଦମ୍ବ ଦୀର୍ଘ ତିନିଶହ ବର୍ଷରୁ ଅଧିକ କାଳ ଶ୍ରୀକୃଷ୍ଣ ଲୀଳାକୁ ମୁଖ୍ୟ ଉପଜୀବ୍ୟ କରି ଅନେକ କାବ୍ୟ ରଚନା କଲେ । ଏତଦ୍‍ବ୍ୟତୀତ ଶ୍ରୀକୃଷ୍ଣଙ୍କୁ ପ୍ରମୁଖ ସ୍ଥାନରେ ରଖି ଓଡ଼ିଆ ସାହିତ୍ୟରେ ଅନେକ ଗୀତିକା, ବୋଲି, ଚଉତିଶା, ଚମ୍ପୂ ଗୀତା, ଟୀକା, ପଦିଆ, ପୁରାଣ, ଗୁଜରୀ, ଚାଚର, କୀର୍ତ୍ତନ, ଅବକାଶ, ପୋଇ, ପାଲା ଆଦି ରଚିତ ହୋଇଥିଲା । ଏହା ସହିତ ଶ୍ରୀକୃଷ୍ଣଙ୍କୁ କେନ୍ଦ୍ର କରି ଅନେକ ବ୍ରତ ପାଳନ ହେଲା ଏବଂ ସେ ସମସ୍ତ ବ୍ରତ କଥା ମଧ୍ୟ ରଚିତ ହେଲା । ଏହି ସମୟରେ କେତେକ ମାହାତ୍ମ୍ୟ ଗ୍ରନ୍ଥ ମଧ୍ୟ ରଚିତ ହେଲା । ଶ୍ରୀଚୈତନ୍ୟଙ୍କ ଜୀବନକୁ ଆଧାର କରି ବଙ୍ଗୀୟ ଜୀବନୀକାରଗଣ ଯେଉଁ ପ୍ରସିଦ୍ଧ ଜୀବନୀ ଚରିତ ଗ୍ରନ୍ଥମାନ ରଚନା କଲେ ତା’ର ଅନୁସରଣରେ ଓଡ଼ିଆରେ କେତେକ ଜୀବନୀ-ଗ୍ରନ୍ଥ ମଧ୍ୟ ରଚିତ ହେଲା । କୃଷ୍ଣଙ୍କ ମଧୁର ଲୀଳା ବିଭବକୁ ଆଶ୍ରୟ କରି ଓଡ଼ିଆ ସାହିତ୍ୟରେ ମଧ୍ୟ କେତେକ ନାଟକ ଓ ତାମସାର ସୃଷ୍ଟି ହେଲା । ସଂକୀର୍ତ୍ତନର ପ୍ରବଳ ପ୍ରସାର ତଥା ଲୋକପ୍ରିୟତା ହେତୁ ସଙ୍ଗୀତ ତଥା ତାଳସୂଚକ କେତେକ ଗ୍ରନ୍ଥ ମଧ୍ୟ ପ୍ରଣୟନ କରାଗଲା । ଓଡ଼ିଆ ଚିତ୍ରକାବ୍ୟକୁ ଭିତ୍ତିକରି କତିପୟ କୃଷ୍ଣ ଲୀଳାତ୍ମକ ଚିତ୍ରକାବ୍ୟର ମଧ୍ୟ ସୃଷ୍ଠି ହେଲ। । ଏହି ସମସ୍ତ ବିପୁଳ ସାରସ୍ଵତ ସମ୍ଭାରକୁ ବ୍ୟବସ୍ଥିତ କରିବା ପାଇଁ କୃଷ୍ଣଲୀଳାକୁ ମୁଖ୍ୟ ଉପଜୀବ୍ୟ କରି ରଚିତ ହୋଇଥିବା ଏହି ଗ୍ରନ୍ଥମାନଙ୍କ ପାଇଁ ଶାସ୍ତ୍ରର ମଧ୍ୟ ସୃଷ୍ଟି ହେଲା ।

 

୨. ଶ୍ରୀକୃଷ୍ଣଙ୍କ ଲୀଳା ବିଳାସକୁ ମୁଖ୍ୟ ଉପଜୀବ୍ୟ କରି ରଚିତ ହୋଇଥିବା ଆପାତ କ୍ଷୁଦ୍ର ରଚନାମାନଙ୍କ ମଧ୍ୟରୁ ଗୀତିକା ଅନ୍ୟତମ । ଏହି ଗୀତିକାଗୁଡ଼ିକ ଆକାର ଦୃଷ୍ଟରୁ କ୍ଷୁଦ୍ରହେଲେ ମଧ୍ୟ ରଚନା ଶୈଳୀ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ପଞ୍ଚଦଶ ଶତକରୁ ଉନବିଂଶ ଶତକର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ପଦାବଳୀ ସାହିତ୍ୟର ଲୋକପ୍ରିୟତା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଜୟଦେବଙ୍କ ‘ଗୀତଗୋବିନ୍ଦ’ର ଲଳିତ କୋମଳ କାନ୍ତ ପଦାବଳୀ ସମଗ୍ର ଭାରତୀୟ ସାହିତ୍ୟରେ ଏହି ଧରଣର ରଚନାକୁ ଲୋକପ୍ରିୟ କରିଥିଲା । ଓଡ଼ିଆ ପଦାବଳୀର ପୃଷ୍ଠଭୂମିରେ ସଂସ୍କୃତ, ବଙ୍ଗଳା ଓ ବ୍ରଜବୋଲିର ଅବଦାନ ଅନସ୍ୱୀକାର୍ଯ୍ୟ । ରାଧାକୃଷ୍ଣଙ୍କ ରାସଲୀଳାକୁ ଭିତ୍ତିକରି ଓଡ଼ିଆ ପଦକର୍ତ୍ତାଗଣ ଅନେକ ଚମତ୍କାର ଗୀତିକା ରଚନା କରିପାରିଛନ୍ତି । ଏମାନଙ୍କ ମଧ୍ୟରେ ବନମାଳୀ, କବିସୂର୍ଯ୍ୟ ବଳଦେବ, ଗୋପାଳକୃଷ୍ଣ, ଗୌରହରି, ଗୌରଚରଣ ଆଦି ଉଲ୍ଲେଖଯୋଗ୍ୟ ।

 

୨:୧ ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ପଦାବଳୀର ସମୃଦ୍ଧ ପରମ୍ପରା ପ୍ରତିଷ୍ଠିତ ହୋଇଥିଲା । ଏହି ପଦକର୍ତ୍ତାମାନଙ୍କ ମଧ୍ୟରେ ବନମାଳୀ ଥିଲେ ଅଗ୍ରଜ । ତାଙ୍କର କତିପୟ ଗୀତ ଗଜପତି ବୀରକିଶୋର ଦେବଙ୍କ ନାମରେ ଭଣିତା ହୋଇଥିବାରୁ ସେ ତାଙ୍କ ସମସାମୟିକ ହୋଇଥିବାର ଅନୁମିତ ହୁଏ । ବୀରକିଶୋରଙ୍କ ରାଜତ୍ଵ କାଳ ଖ୍ରୀ: ୧୭୩୨ରୁ ଖ୍ରୀ- ୧୭୯୩ ହୋଇଥିବାରୁ ବନମାଳୀ ସେ ସମୟରେ ଆପଣାର କବି ପ୍ରତିଭା ବିକିରିତ କରିଥିବାର ଅନୁମିତ ହୁଏ । ଅଭିମନ୍ୟୁଙ୍କ ଦ୍ଵାରା ବନମାଳୀ ବହୁ ଭାବେ ପ୍ରଭାବିତ ହୋଇଥିବାର ତାଙ୍କ ପଦାବଳୀମାନଙ୍କରୁ ଜଣାଯାଏ । ଉଭୟ ବାତ୍ସଲ୍ୟ ଏବଂ ମଧୁର ରସର ଗୀତିକାର ଭାବେ ସେ ପ୍ରତିଷ୍ଠିତ। ଶ୍ରୀକୃଷ୍ଣଙ୍କ ପ୍ରେମାନୁରାଗରେ ବିଚଳିତା ଶ୍ରୀରାଧାଙ୍କ ବ୍ୟାକୁଳ ମନୋସିତି ବନମାଳୀଙ୍କ ଲେଖନୀରେ ଅତି ସାର୍ଥକଭାବେ ଉତ୍କୀର୍ଣ୍ଣ । ଉଦାହରଣ ଭାବେ ଶ୍ରୀରାଧାଙ୍କ ମୁରଲୀ ପ୍ରତି ଭକ୍ତିକୁ ଗ୍ରହଣ କରାଯାଇପାରେ ‘ତୋରେ ଶରଣ ଗଲି ରେ ମୁରଲୀ’ ଗୀତିକାରୁ, ଯେଉଁଥିରେ ସାମାନ୍ୟ ମାତ୍ର ବାଉଁଶ କଣି ଭିତରେ ନାରୀ ଗୁମାନଭରା ପଞ୍ଚମକାଣ୍ଡ ଗୁପ୍ତ ହୋଇ ରହିଥାଏ ବୋଲି ତାଙ୍କ ଅଭିମାନର ଅନ୍ତ ନଥାଏ ।

 

ଓଡ଼ିଆ ପଦାବଳୀ ସାହିତ୍ୟର ଅନ୍ୟ ଏକ ସଫଳ ସ୍ରଷ୍ଟା ହେଉଛନ୍ତି ଗୋପାଳକୃଷ୍ଣ । ବନମାଳୀଙ୍କ ଦ୍ଵାରା ପ୍ରଭାବିତ ଏହି କବି ମଧୁର ଲୀଳାରସର ଏକ ସାର୍ଥକ ସ୍ରଷ୍ଟା । ବାତ୍ସଲ୍ୟ ରସ ପରିବେଷଣରେ ତାଙ୍କର ସିଦ୍ଧି ମଧ୍ୟ ଅତୁଳନୀୟ । ‘ଉଠିଲୁ ଏଡ଼େ ବେଗି କାହିଁକିରେ’, ଅଥବା ‘ବ୍ରଜକୁ ତୋର ଆସିଛି ଘେନିଯିବ ଶୁଅ ତୁନି ହୋଇ’ ଆଦି ପଦ ଏହାର ଉଦାହରଣ । ମଧୁର ରସ ଚିତ୍ରଣରେ ବିଶେଷ କରି ଶ୍ରୀରାଧାଙ୍କ ବିରହ ଭାବଦଶା ବର୍ଣ୍ଣନାରେ ତାଙ୍କର ସିଦ୍ଧି ଅକଳ୍ପନୀୟ । ‘ବ୍ରଜବିଧୁପରି ମୋତେ କେ ଦିଶୁନାହିଁ’, ‘ଶ୍ୟାମକୁ ଜୁହାର’, ‘ଏକି ପରମାଦ ଆସି ପଡ଼ିଲା ମା’, ‘ଦେଲି ସହି କୁଳକୁ ଟେକି ଜଳାଞ୍ଜଳି’ ଅଥବା ‘ଶ୍ୟାମ ଅପବାଦ ମୋତେ ଲାଗିଥାଉ’ ଆଦି ଗୀତିକା ଏହାର ସ।ର୍ଥକ ଉଦାହରଣ ।

 

ଶ୍ୟାମସୁନ୍ଦରଙ୍କ ପ୍ରତି ଅନେକ ଆଡ଼ରୁଷା ଓ ଅଭିମାନ ଶେଷରେ ତାଙ୍କର ନିରର୍ଥକ ହୋଇଯାଇଛି । ପୂର୍ଣ୍ଣ ସମର୍ପଣର ହୋମାନଳରେ ତାଙ୍କ ପ୍ରତି ଦେଦୀପ୍ୟମାନ ବାରବାଣି ପୂରଟପରି ପ୍ରଦୀପ୍ତ ହୋଇଉଠିଛି ଅଭିନବ ବିରହ ବେଦିକାରେ । ସେତେବେଳେ ଅତି ସାର୍ଥକ ଭାବରେ ରାଧାଙ୍କ ମୁଖରେ ଗୋପାଳକୃଷ୍ଣ ବ୍ୟକ୍ତ କରିଛନ୍ତି - “ଦୟା ନକରନ୍ତୁ ମୁଁ ଦାସୀ ସିନାରେ/ଦୁଃଖ ଦେବା ଶ୍ୟାମକୁ ରାଧା ସୁଖୀ ହେବାକୁ ରଖିବ କଲୁ କି ଏ ଆଲୋଚନାରେ ।’ ପ୍ରକୃତରେ ସହଜ କବିତ୍ଵର ତଥା ଅପୂର୍ବ କାବ୍ୟ ପ୍ରତିଭାର ଅଧିକାରୀ ଥିଲେ ଗୋପାଳକୃଷ୍ଣ । ତାଙ୍କର ଯେକୌଣସି ଗୀତିକାରୁ ଏଇ ସ୍ୱଭାବସୁଲଭ କବିତ୍ଵ କଳା ପ୍ରମୂର୍ତ୍ତ ହୋଇଯାଏ ।

 

କବିସୂର୍ଯ୍ୟ ବଳଦେବ ରଥ ଓଡ଼ିଆ ପଦାବଳୀ ସାହିତ୍ୟର ଏକ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ୱ । ଜଣେ ସଂସ୍କୃତ ଭାଷାଭିଜ୍ଞ ବିଦ୍ୱାନ ହୋଇଥିବାରୁ ସଂସ୍କୃତ କାବ୍ୟର ସକଳ ନିୟମକୁ ସେ ଅତି ସଫଳ ଭାବେ ଅନୁସରଣ କରିଛନ୍ତି ତାଙ୍କ ସୃଷ୍ଟି ସମ୍ଭାରରେ । ଏକମାତ୍ର କାବ୍ୟ ‘ଚନ୍ଦ୍ରକଳା’କୁ ଅସମ୍ପୂର୍ଣ୍ଣ ରଖି ସେ ଗୀତିକା ରଚନାରେ ଆପଣାର ସକଳ ସମୟ ବିନିଯୋଗ କରିଥିଲେ । ଯଦିଓ ଲୌକିକ ପ୍ରେମପରକ କତିପୟ ସଙ୍ଗୀତ ତାଙ୍କ ଦ୍ଵାରା ରଚିତ ହୋଇଅଛି, ତଥାପି ରାଧାକୃଷ୍ଣଙ୍କ ପ୍ରଣୟ ଲୀଳାକୁ ଉପଜୀବ୍ୟ କରି ସେ ଅଧିକାଂଶ ଗୀତିକା ରଚନା କରିଛନ୍ତି । ଏହିପରି କେତେକ ସାର୍ଥକ ଗୀତିକାର ସଫଳ ତଥା ସୁସଂହତ ସମାହାର ହେଉଅଛି ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ । ଆଦ୍ୟ ଅନୁରାଗରେ ଘନସୁନ୍ଦରଙ୍କୁ ଆପଣାର ସର୍ବସ୍ଵ ସମର୍ପଣ କରିଥିବା ଶ୍ରୀ କିଶୋରୀମଣି ଲୋକାପବାଦର ଅନହୂତ ଦାବଦହନରେ ସନ୍ତୁଳିତ ହୋଇ ସଖୀ ପାଖରେ ଆପଣା ଦୁଃଖ କହିବସିଲା ବେଳେ କବିସୂର୍ଯ୍ୟଙ୍କ ଲେଖନୀ ବେଶ୍ ଭାବପ୍ରବଣ ହୋଇଯାଏ । ‘ଚାହିଁଛି ମାତ୍ର ଶିଖଣ୍ଡ ଲୋ ସଖୀ ମୁଁ’ ଏହାର ଉଦାହରଣ । ଯାବତୀୟ ଅପଖ୍ୟାତି ମଧ୍ୟରେ ସେ ଯେ ଶ୍ୟାମସୁନ୍ଦରଙ୍କ ପ୍ରୀତିକୁ ବିସ୍ତୃତ ହୋଇପାରିବେ ନାହିଁ, ଏହା କ୍ରମେ ସ୍ପଷ୍ଟଭାବେ କହି ବୁଲିବାରେ ତାଙ୍କର କୁଣ୍ଠା ନାହିଁ-। ଏପରିକି ‘ନିନ୍ଦିଲେ ନିନ୍ଦନ୍ତୁ ଜନେ ତା’ ପଛେ ମୁଁ ବନେବନେ ଶିରେ ଘେନି ବୁଲୁଥିବି ତା କଠଉ’ କହିବାକୁ ସେ ପଛାଇ. ନାହାନ୍ତି । ଅନୁରୂପ ଭାବରେ ଅନ୍ୟତମ ପଦକର୍ତ୍ତା ଗୌରହରିଙ୍କ ଶ୍ରୀରାଧା ନଟନାଗରଙ୍କ ପ୍ରୀତିକୁ ତ୍ୟାଗ ନକରିବାକୁ ସ୍ପଷ୍ଟ ଭାବେ କହିବସିଛି, ‘ନତେଜିବି ମୁରଲୀଧରା/ବାଜୁ ପଛେ ଅପବାଦ ନାଗରା’ । ଲକ୍ଷ୍ୟ କରିବାର କଥା କବି ସୂର୍ଯ୍ୟଙ୍କ ଗୀତିକାର ଭାଷା ତତ୍‍ସମ ଶବ୍ଦବହୁଳ ଏବଂ କ୍ଲୀଷ୍ଟ ଅଥଚ ଶ୍ରୁତିମଧୁର ହୋଇଥିଲା ବେଳେ ଗୌରହରିଙ୍କ ଭାଷା ଅତ୍ୟନ୍ତ ସରଳ-। ନିତିଦିନିଆ ଓଡ଼ିଆ ଭାଷାର ସୁନ୍ଦର ପ୍ରୟୋଗ ତାଙ୍କର ପ୍ରତ୍ୟେକ ଗୀତିକାରେ ସ୍ପଷ୍ଟ ହୋଇଯାଏ । ଯେମିତିକି ‘ଯାଅ ଯାଅ ମୋ ପାଶରୁ ଶ୍ୟାମ ତେଣିକି ହେ’ ଗୀତିକା ।

 

ଗୌରହରିଙ୍କର କିଞ୍ଚିତ୍ ପରବର୍ତ୍ତୀ କବି ଗୌରଚରଣ ପୂର୍ବସୂରୀଙ୍କ ଅନୁସରଣରେ ଆପଣାର ପଦମାନଙ୍କୁ ରଚନା କରିଛନ୍ତି ଶୁଦ୍ଧା ଭକ୍ତିମାର୍ଗର ଜଣେ ସାର୍ଥକ ବୈଷ୍ଣବ ହୋଇଥିବାରୁ ରାଧାକୃଷ୍ଣଙ୍କ ପ୍ରେମତତ୍ତ୍ୱକୁ ସେ ଅତି ସଫଳତାର ସହ ଆପଣା ଗୀତମାନଙ୍କରେ ସ୍ଥାନିତ କରିଛନ୍ତି । ତାଙ୍କର ଭାଷା, ଭାବ ଓ ରସାନୁସାରୀ । ବିଶେଷ କରି ପାତ୍ରମୁଖୀ ଭାଷା ପ୍ରୟୋଗରେ ତାଙ୍କର ବିଲକ୍ଷଣ ପ୍ରତିଭା ସହଜରେ ଲକ୍ଷଣୀୟ । ନବପ୍ରେମୋନ୍ମାଦ ବିହ୍ଵଳ ନଟବରଙ୍କ ଲୀଳା ଚିତ୍ରଣ କଲାବେଳେ ଗୌରଚରଣଙ୍କ ଗୋପିକା ଭାବବିହ୍ଵଳ ହୋଇଯାଏ । ଭାଷାରେ କିନ୍ତୁ ନାନା ଛଟକର ଅଠା ବୋଳା ହୋଇଥାଏ । ଯେମିତି ‘ନବଘନ କାଳିଆ ଚାନ୍ଦ ଭ୍ରୂଲତା ନଚାଇ ଚାହିଁଲାଣି ତ/ ନବୀନ ବୟସୀ ନାଗରୀମାନଙ୍କୁ ନବରଂଗ ବାଣୀ କହିଲାଣି ତ / ବାନ୍ଧିଲାଣି ଯତନେ ଚୂଳ / ପିନ୍ଧିଲାଣି ପୀତ ଦୂକୁଳ/ ମୋ ସେ ନନ୍ଦବାଳ / କୁଳବତୀ କୁଳ ବୁଡ଼ାଇବା ପାଇଁ ଢମାଳିଆ ଗୀତ ଗାଇଲାଣି ତ ।’ ଏହାର ଭାଷା ଅତ୍ୟନ୍ତ ସରଳ । କୌଣସି କ୍ଲୀଷ୍ଟ ତତ୍‍ସମ ଶବ୍ଦର ଘଟାଟୋପ ନାହିଁ-। ହୃଦୟର କଥା ଆଷାଢ଼ ଆକାଶର ମେଘଭଳି ଖସିପଡ଼ୁଛି ବିନା ଗୌରଚନ୍ଦ୍ରିକାରେ ॥ ଲକ୍ଷ୍ୟ କରିବାର କଥା ଓଡ଼ିଆ ସାହିତ୍ୟରେ ରାଧାକୃଷ୍ଣ ପ୍ରେମଲୀଳାକୁ ଉପଜୀବ୍ୟ କରି ଗୀତିକା ରଚନା କରିଥିବା ପ୍ରତ୍ୟେକ କବି ଶ୍ରୀକୃଷ୍ଣ ଏବଂ ଶ୍ରୀରାଧାଙ୍କର ତଥା ଏମାନଙ୍କ ପ୍ରେମାନୁରାଗର ଅନ୍ୟତମା ସହାୟିକା ଶ୍ରୀମତୀଗତ ପ୍ରାଣା ଗୋପୀକାଙ୍କର ପ୍ରେମ ଭକ୍ତି ତତ୍ତ୍ଵକୁ ଯଥାର୍ଥ ଉପଲବ୍ଧି କରି ଆପଣାର ଲେଖନୀକୁ ଅତି ସଫଳ ଭାବରେ ଚାଳନା କରିଛନ୍ତି । ମୁକ୍ତି ଅପେକ୍ଷା ପରିକର ଭାବନାରେ ଅହରହ ଭାବିତ ହୋଇ ଶ୍ରୀକୃଷ୍ଣଙ୍କୁ ଆପଣାର ସର୍ବସ୍ଵ ଅର୍ପଣ କରିବାର ପ୍ରତିଜ୍ଞାରେ ଆପଣାର କବିପଣର ଯାବତୀୟ ଅହମିକାକୁ ଶେଷରେ ସମର୍ପଣ କରିବସିଛନ୍ତି । ଏଣୁ ଅଧିକାଂଶ କବି ଆପଣାର ପଦମାନଙ୍କର ଶୁଦ୍ଧ ସଂକଳନ କରି ନାହାନ୍ତି । କେବଳ ଯାହା ସ୍ପଷ୍ଟ ଭାବରେ ଛାଡ଼ିଯାଇଛନ୍ତି ପରବର୍ତ୍ତୀକାଳରେ ତାହା ସଙ୍କଳିତ ହୋଇଛି । ବେଳେବେଳେ ‘ମନ୍ଦକବି ଯଶପ୍ରାର୍ଥୀ’ କେହି କେହି ପୂର୍ବସୁରୀଙ୍କ ପଦକୁ ନିଜ ପଦ ବୋଲି କହି ଆପଣାର ଡିଣ୍ଡିମ ପିଟିବାକୁ ଭୁଲି ନାହାନ୍ତି-। ହିନ୍ଦୀ ସାହିତ୍ୟର ରାମଗୀତାବଳୀ, କୃଷ୍ଣ ଗୀତାବଳୀ ଓ ବିନୟାବଳୀ ପରି ଓଡ଼ିଆ ସାହିତ୍ୟରେ ସେପରି କୌଣସି ସଙ୍କଳନ ଯଦିଓ ସେତେବେଳେ ନଥିଲା ତଥାପି ପରବର୍ତ୍ତୀକାଳରେ ଏହା ସଙ୍କଳିତ ହୋଇ ମଧ୍ୟକାଳୀନ ଓଡ଼ିଆ ପ୍ରକୀର୍ଣ୍ଣ ବିଭାଗକୁ ସମୃଦ୍ଧ କରିଅଛି ।

 

ଷୋଡ଼ଶ ଶତାବ୍ଦୀରେ ବଙ୍ଗଳା ସାହିତ୍ୟରେ କେତେକ ପଦାବଳୀ ସଂକଳନ ଉପଲବ୍ଧ ହୁଏ-। ଗୋବିନ୍ଦ ଦାସ ନିଜ ପଦମାନଙ୍କୁ ‘ଗୀତାମୃତ’ ନାମକ ସଙ୍କଳନରେ ସଂକଳିତ କରିଥିଲେ । ସେହିପରି ପ୍ରତ୍ୟେକ ଦଣ୍ଡରେ ରାଧାକୃଷ୍ଣଙ୍କ ସେବା ସମ୍ବନ୍ଧୀୟ ଲୀଳାସ୍ମରିତ ନିଜ ପଦମାନଙ୍କ ସକଳନ କରିଥିଲେ କବି ଶେଖର । ଷୋଡ଼ଶ ଶତାବ୍ଦୀ ପରେ ବଙ୍ଗଳା ସାହିତ୍ୟରେ ଅନେକ ପଦାବଳୀ ସଙ୍କଳନ ଦେଖାଯାଏ । ଏମାନଙ୍କ ମଧ୍ୟରୁ ସତୀଶ ଚନ୍ଦ୍ର ରାୟଙ୍କ ପଦରତ୍ନାବଳୀ, ନରହରି ଚକ୍ରବର୍ତ୍ତୀଙ୍କ ଗୀତ ଚନ୍ଦ୍ରୋଦୟ, ଜଗତ୍‍ବନ୍ଧୁ ଭଦ୍ରଙ୍କର ଗୌରପଦ ତରଙ୍ଗିଣୀ, ରାଧାମୋହନ ଠାକୁରଙ୍କ ପଦାମୃତ ସମୁଦ୍ର, ଗୌରୀମୋହନ ଦାସଙ୍କର ପଦକଳ୍ପ ଲତିକା, କମଳାକାନ୍ତ ଦାସଙ୍କର ପଦରତ୍ନାକର, ବାଉଲ ମନୋହର ଦାସଙ୍କର ପଦସମୁଦ୍ର, ଗୌରସୁନ୍ଦର ଦାସଙ୍କର କୀର୍ତ୍ତନାନନ୍ଦ । ରଘୁନନ୍ଦନଙ୍କର ଗୀତମାଳା, ଦୀନବନ୍ଧୁ ଦାସଙ୍କର ଗୌରାଙ୍ଗ ପଦାବଳୀ, ବୈଷ୍ଣବ ଦାସଙ୍କର ପଦକଳ୍ପତରୁ, ପ୍ରସାଦ ଦାସଙ୍କର ପଦ ଚିନ୍ତାମଣି ମାଳା, ନିମାନନ୍ଦ ଦାସଙ୍କର ପଦରସ ସାର ଏବଂ ଦୀନବନ୍ଧୁ ଦାସଙ୍କର ସଂକୀର୍ତ୍ତନାମୃତ ଅନ୍ୟତମ । ଷୋଡ଼ଶ ଶତାବ୍ଦୀର ହିନ୍ଦୀ ସାହିତ୍ୟରେ ମଧ୍ୟ ତୁଳସୀ ଦାସ, ସୁରଦାସ ଏବଂ ହରିଦାସଙ୍କର କେତେକ ପଦାବଳୀର ସଙ୍କଳନ ହୋଇଥିଲା । ତୁଳସୀ ଦାସଙ୍କ କୃଷ୍ଣ ଗୀତାବଳୀ, ସୁର ଦାସଙ୍କ ସୁରସାଗର, ଗଦାଧର ଭଟ୍ଟଙ୍କର ମୋହିନୀ ବାଣୀ ଏବଂ ମାଧୁରୀଜୀଙ୍କ ମାଧୁରୀବାଣୀ ଏ ସମୟର ଶ୍ରେଷ୍ଠ ସଙ୍କଳନ । ଓଡ଼ିଆ ଭାଷାରେ ପ୍ରଥମେ ପଦାବଳୀ ମୁଖ୍ୟତଃ ବ୍ରଜ ବୋଲି ଓ ବଙ୍ଗଳା ଭାଷାରେ ରଚିତ ହୋଇଥିଲା। । ମାଧବୀଦାସୀ, ସାଲବେଗ ଏପରିକି ବନମାଳୀ ଏହି ମିଶ୍ରଭାଷାରେ ଅନେକ ପଦ ରଚନା କରିଛନ୍ତି । ଶ୍ରୀଚୈତନ୍ୟଙ୍କ ସହ ଉଜ୍ଜ୍ଵଳ ଭକ୍ତିରସର ସିଦ୍ଧାନ୍ତ ଆଲୋଚନା କରିଥିବା ଓଡ଼ିଶାର ରାଗମାର୍ଗୀ ବୈଷ୍ଣବ ରାୟରାମାନନ୍ଦ ମଧ୍ୟ ଏହି ମିଶ୍ର ଭାଷାରେ ଆପଣାର ପଦମାନ ରଚନା କରିଥିଲେ । ଏହାର ପ୍ରମୁଖ କାରଣ ଥିଲା ସଂସ୍କୃତ ଭଳି ଶ୍ରୀଚୈତନ୍ୟଙ୍କ ଜନ୍ମଭୂମି ବଂଗଦେଶର ଭାଷାକୁ ଗୀର୍ବାଣ ବା ଦେବଭାଷାର ସମ୍ମାନ ଉତ୍କଳରେ ଦିଆଯାଉଥିଲା । ଯେଉଁ ପଦକର୍ତ୍ତାମାନେ ଆପଣାର ଗୀତିକା ପାଇଁ ଓଡ଼ିଶାରେ ସୁପରିଚିତ ଥିଲେ ସେମାନଙ୍କ ମଧ୍ୟରୁ ଉପରୋକ୍ତ ପଦ- କର୍ତ୍ତାମାନଙ୍କୁ ଛାଡ଼ି ଦେଲେ ରଘୁନାଥ ପରିଚ୍ଛା, କିଶୋର ଚନ୍ଦ୍ର ରାଜେନ୍ଦ୍ର, ନଟବର ଭ୍ରମରବର, ଶ୍ରୀନିବାସ ରାଜମଣି, ସାଲବେଗ, ରଘୁ ଅରକ୍ଷିତ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା, ଦିବ୍ୟସିଂହ ଦେବ, ରାମଚନ୍ଦ୍ର ଛୋଟରାୟ, ନାରାୟଣ ଶୂର ଏବଂ ଶ୍ୟାମସୁନ୍ଦର ଭଞ୍ଜ ଆଦିଙ୍କ ନାମ ଭଲ୍ଲେଖଯୋଗ୍ୟ ।

 

ଚଉପଦୀ ରତନା ଓଡ଼ିଆ ମଧ୍ୟକାଳୀନ ସାହିତ୍ୟର ଏକ ଲୋକପ୍ରିୟ ବିଭାବ । ଏହି ଚଉପଦୀ ଯେତେବେଳେ ପ୍ରାକୃତ ରସକୁ ଗ୍ରହଣ ନକରି ରାଧାକୃଷ୍ଣଙ୍କ ଲୀଳାବିଳାସର ଚିତ୍ରଣ କରେ, ସେତେବେଳେ ତାହା ପଦାବଳୀ ହୋଇଯାଏ । ମଧ୍ୟଯୁଗରେ ଓଡ଼ିଆ ସାହିତ୍ୟରେ ଯେଉଁ କେତୋଟି ଚଉପଦୀ ସଂକଳନ ଦେଖାଯାଏ ସେମାନଙ୍କ ମଧ୍ୟରେ ଦ୍ଵିଜ କୁଳମଣିଙ୍କ ‘ଚଉପଦୀ ଓ ଅନ୍ୟାନ୍ୟ’ (O.L./327) କବିସୂର୍ଯ୍ୟ ବଳଦେବ ଓ ଅନ୍ୟମାନଙ୍କ ‘ଚଉପଦୀ’, (O.L./502), ନରେନ୍ଦ୍ର ଦେବ ଏବଂ ଅନ୍ୟମାନଙ୍କର ଚଉପଦୀ (O.L./532), ସତ୍ୟବାଦୀ ହରିଚନ୍ଦନ ଓ ଅନ୍ୟମାନଙ୍କର ଚଉପଦୀ (OL./643A), ଉପେନ୍ଦ୍ର ଭଞ୍ଜ ଓ ଅନ୍ୟମାନଙ୍କର ଚଉପଦୀ (OL/683), ସାଧୁଚରଣ ଓ ଅନ୍ୟମାନଙ୍କର ଚଉପଦୀ (OL/743), କିଶୋରଚନ୍ଦ୍ର ରାଜେନ୍ଦ୍ରଙ୍କ ଚଉପଦୀ (Or.Ms/56B), ପଦ୍ମନାଭ ଦେବଙ୍କର ଚଉପଦୀ (Or.Ms/56C), ଦୀନବନ୍ଧୁ ରାୟ ଓ ଅନ୍ୟମାନଙ୍କର ଚଉପଦୀ (OL /758), ରାମଚନ୍ଦ୍ର ଓ ଅନ୍ୟମାନଙ୍କର ଚଉପଦୀ (OL/893), ଉପେନ୍ଦ୍ର ଭଞ୍ଜ ଓ ଅନ୍ୟମାନଙ୍କର ଚଉପଦୀ (OL/1031B) ମହୀନ୍ଦ୍ର ଏବଂ ଅନ୍ୟମାନଙ୍କର ଚଉପଦୀ (OL/1165), ଲକ୍ଷ୍ମୀଶରଣ ଭଞ୍ଜ ଓ ଅନ୍ୟମାନଙ୍କର ଚଉପଦୀ (OL/1388), ଯଦୁମଣି ଏବଂ ଅନ୍ୟମାନଙ୍କର ଚଉପଦୀ (OL/1432), ଉପେନ୍ଦ୍ର ଭଞ୍ଜଙ୍କ ଚଉପଦୀ ଚନ୍ଦ୍ର ଏବଂ କବିସୂର୍ଯ୍ୟ ବଳଦେବ ଓ ଅନ୍ୟମାନଙ୍କ ‘ଚଉପଦୀ ଚନ୍ଦ୍ରୋଦୟ’ (OL/79), ଆଦି ଅନ୍ୟତମ (ଗ୍ରନ୍ଥଗୁଡ଼ିକ ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ।)

 

୨:୨ ବୋଲି ଓଡ଼ିଆ କୃଷ୍ଣ ଭକ୍ତିମୂଳକ ଗୀତିକାର ଏକ ଅନବଦ୍ୟ ଉପାଦାନ । ମଧ୍ୟକାଳୀନ ଓଡ଼ିଆ କୃଷ୍ଣଭକ୍ତି ସାହିତ୍ୟରେ ଏହି ବୋଲିମାନଙ୍କର ସ୍ଵତନ୍ତ୍ର ଭୂମିକା ଥିଲା । ରାସେଶ୍ୱରୀ ଶ୍ରୀରାଧାଙ୍କ ପ୍ରୀତି ଲାଭ କରିବା ପାଇଁ ନବୀନ ନଟବର ଶ୍ରୀକୃଷ୍ଣ ବିଭିନ୍ନ ବେଶ ଧାରଣ କରି ଶ୍ରୀରାଧାଙ୍କ ନିକଟକୁ ଯାଇ ପ୍ରେମଭିକ୍ଷା କରିବା ଏହି ବୋଲିମାନଙ୍କର କଥାବସ୍ତୁ ଥିଲା । ବେଳେବେଳେ ଶ୍ରୀମଦ୍‍ଭାଗବତରେ ବର୍ଣ୍ଣିତ ଶ୍ରୀକୃଷ୍ଣ ଚରିତ୍ରର ଉପସ୍ଥାପନ ମଧ୍ୟ ଏଥିରେ ହୋଇଥାଏ । କୃଷ୍ଣରସାତ୍ମକ ବୋଲି-ସାହିତ୍ୟ ମଧ୍ୟରେ ବଳରାମ ଦାସଙ୍କ ପଣସ ବୋଲି ସମସ୍ତଙ୍କ ଠାରୁ ପ୍ରାଚୀନ ବୋଲି ମନେହୁଏ । ଅଚ୍ୟୁତାନନ୍ଦ ଦାସଙ୍କ ବଣଭୋଜୀ-ବୋଲି ଅଦ୍ୟାବଧି ପ୍ରକାଶିତ ହୋଇନାହିଁ । ଓଡ଼ିଆ ସାହିତ୍ୟ ଇତିହାସର ତୃତୀୟ ଖଣ୍ଡରେ ସ୍ୱର୍ଗତ ଡକ୍ଟର ବଂଶୀଧର ମହାନ୍ତି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଦୁଇଶହ ଅଠାବନ ପଦ ବିଶିଷ୍ଠ ଏହି ରଚନାରେ ଅଚ୍ୟୁତାନନ୍ଦଙ୍କ ଅପୂର୍ବ କବିତ୍ୱ ଏବଂ ଅସାମାନ୍ୟ ଭକ୍ତିଭାବ ସ୍ପଷ୍ଟ ପ୍ରକାଶିତ । ଶ୍ରୀକୃଷ୍ଣଙ୍କ ପ୍ରତି ଆପଣାର ସର୍ବସ୍ଵ ସମର୍ପଣ କରି ଅନନ୍ୟ ଚିତ୍ତରେ ସେବା କରୁଥିବା ଗୋପୀମାନେ ଯେ ସକଳ ଜୀବଙ୍କ ଠାରୁ ଉତ୍କୃଷ୍ଟ ଏହା ଏଥିରେ ପ୍ରତିପାଦନ କରାଯାଇଛି । ଦଧି ବିକିବାକୁ ଯିବା ଅବସରରେ ନିଜ ବିକ୍ରୟ ଦ୍ରବ୍ୟର ମାହାତ୍ମ୍ୟ ନକହି କୃଷ୍ଣଙ୍କ ଗୁଣକୀର୍ତ୍ତନ କରୁଥିବା ଗୋପୀମାନଙ୍କୁ ବେଦ କର୍ମକାଣ୍ଡ ଅଧ୍ୟୟନକାରୀ ବ୍ରାହ୍ମଣମାନଙ୍କ ପତ୍ନୀମାନେ ତାଚ୍ଛଲ୍ୟ କରିବାରୁ ଗୋପୀମାନେ ସେ ସମସ୍ତ କିଛି ନଶୁଣି ତନ୍ମୟ ହୋଇ ଶ୍ରୀକୃଷ୍ଣଙ୍କ ଲୀଳାକୀର୍ତ୍ତନ କରିଛନ୍ତି । ଅଚ୍ୟୁତାନନ୍ଦଙ୍କ ଲଳିତ ପଦବିନ୍ୟାସ ଏହିପରି ।

 

“କେ ବୋଲେ ଆମ୍ଭଙ୍କୁ ଚାରିବା ପାଇଁ

ଗୋପେ ଜନମ ହୋଇଲେ କହ୍ନାଇ ।

ଦୀନ ଜନଙ୍କର ତାପ ହରିବେ

ପୃଥିବୀର ଭାରା ଉଶ୍ୱାସ କରିବେ ।

ସମ୍ପୂର୍ଣ୍ଣାନନ୍ଦ ସହଜ ମୂରତି

ଗୋପରେ ଦେହଧରି ଉତପତ୍ତି ।

ଆମ୍ଭେମାନେ ତାଙ୍କୁ ଦେଖିଲୁ ଡୋଳେ

ତାହାଙ୍କ ଭାବେ ବୁଡ଼ିଲୁ ଅଥଳେ ।”

 

ଗୋପୀମାନଙ୍କର ଏ ପ୍ରେମୋନ୍ମାଦ ସ୍ଥିତି ଦେଖି ବ୍ରାହ୍ମଣୀମାନେ ବିସ୍ମିତା ହୋଇଛନ୍ତି ଏବଂ ଏହି ଅପୂର୍ବ ପ୍ରେମଭାବ କିପରି ଲାଭ କରିହେବ ଗୋପୀମାନଙ୍କୁ ତାହା ପ୍ରାର୍ଥନା କରିଛନ୍ତି । ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଭକ୍ତି କରିବାକୁ ପରାମର୍ଶ ଦେବାପରେ ବ୍ରାହ୍ମଣୀମାନେ ଶ୍ରୀକୃଷ୍ଣଙ୍କ ଭାବନାରେ ପ୍ରତି ମୁହୂର୍ତ୍ତ ମଗ୍ନ ରହିଛନ୍ତି । ଶେଷରେ ସେମାନଙ୍କ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ବ୍ରାହ୍ମଣମାନଙ୍କ ବାସସ୍ଥାନ ନିକଟବର୍ତ୍ତୀ ଅରଣ୍ୟକୁ ସଖାମାନଙ୍କ ମେଳରେ ଗୋଚାରଣ କରିବାକୁ ଆସିଛନ୍ତି ଏବଂ ବ୍ରାହ୍ମଣୀମାନଙ୍କ ମନୋରଥ ସଫଳ କରିଛନ୍ତି । ଏତଦ୍‍ବ୍ୟତୀତ ବ୍ରଜଦାସଙ୍କ ଘାଟ-ବୋଲି, ମହାଦେବ ଦାସଙ୍କ କାଚ-ବୋଲି ଓ କାଞ୍ଚନ ବୋଲି, ବାଲୁଙ୍କେଶ୍ୱର ଦାସଙ୍କ ବସନ-ବୋଲି ଓ ରମଣୀ ବୋଲି, ନୃସିଂହ ଭ୍ରମରବରଙ୍କ ଦଶବୋଲି, କୃଷ୍ଣଦାସଙ୍କ ସଜବୋଲି ଓ ଅଳଙ୍କାର ବୋଲି, ଦ୍ୱିଜ ବନମାଳୀଙ୍କର ରାଧିକା ବୋଲି, ନିଧି ଦାସଙ୍କର ବ୍ୟାଘ୍ର ବୋଲି, ରଥି ଦାସଙ୍କର ଅଳଙ୍କାର ବୋଲି ଓ ରସ ବୋଲି ହରେକୃଷ୍ଣ ଦାସଙ୍କର କଂସ ବୋଲି, ବ୍ରଜନାଥ ବଡ଼ଜେନାଙ୍କ ଗୋପୀ ବୋଲି, ଭଗବାନ ଦାସଙ୍କର କୋଳି ବୋଲି, ଅର୍ଜୁନ ଦାସଙ୍କର ଦଧିମନ୍ଥନ ବୋଲି, ଜଗନ୍ନାଥ ଦାସଙ୍କର ଅଳଙ୍କାର ବୋଲି ଏବଂ ବାମଦେବ ପଟ୍ଟନାୟକଙ୍କର ଗୋପୀଚିନ୍ତା ବୋଲି ଶ୍ରୀକୃଷ୍ଣଙ୍କ ପ୍ରଣୟ ଲୀଳା ବର୍ଣ୍ଣନା କରି ରଚିତ ହୋଇଛନ୍ତି ।

 

ନୃସିଂହ ଭ୍ରମର ବରଙ୍କ ‘ଦଶ ବୋଲି’ ଶ୍ରୀକୃଷ୍ଣ ଲୀଳା ବର୍ଣ୍ଣନାତ୍ମକ ଏକ କ୍ଷୁଦ୍ରକାୟ ରଚନା । କବି ଖୋର୍ଦ୍ଧାରାଜା ମୁକୁନ୍ଦ ଦେବଙ୍କ ସମସାମୟିକ ବୋଲି ବିଶିଷ୍ଟ ଗବେଷକ କେଦାରନାଥ ମହାପାତ୍ର ମତ ଦିଅନ୍ତି (ଖୁରୁଧା ଇତିହାସ : ପୃ-୧୧୧) । ଏହି ମୁକୁନ୍ଦ ଦେବଙ୍କ ରାଜତ୍ଵକାଳ ହେଉଅଛି ଖ୍ରୀ: ୧୬୫୭ରୁ ଖ୍ରୀ: ୧୬୮୯ । ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ କଂସବଧ ପର୍ଯ୍ୟନ୍ତ ଲୀଳାକୁ ସେ ଏହାର କଥାବସ୍ତୁଭାବେ ଗ୍ରହଣ କରିଛନ୍ତି । ଏ ସମ୍ପର୍କରେ କବି ନିଜେ କହନ୍ତି,

 

“କୃଷ୍ଣ ଚରଣେ ଯେଣୁ ରହିଲା ଚିତ୍ତ ।

ସେହି ବିଷୟେ ଆରମ୍ଭ କଲି ଗୀତ ।।

ହରି.ଜନମଠାରୁ ଏ ଦଶ ବୋଲି ।

କଂସ ନାଶ ଯାଏ ଇଷ୍ଟ କରିଥିଲି ।।

ଆହେ ସାଧୁଜନେ ଦୋଷ କ୍ଷମାକର ।

ଦେଶ ଭାଷା ବୋଲି ମନେ ନ ବିଚାର ।।

ନନ୍ଦନନ୍ଦନ ଚରଣ ସରସିଜେ ।

ନୃପ ନୃସିଂହ ଭ୍ରମରବର ଭଜେ ॥”

 

ବ୍ରଜଦାସଙ୍କର ଘାଟ ବୋଲି ଶ୍ରୀକୃଷ୍ଣ ଲୀଳାତ୍ମକ ଏକ କ୍ଷୁଦ୍ର ରଚନା । ମାତ୍ର ଲକ୍ଷ୍ୟ କରିବାର କଥା କବି ଶ୍ରୀକୃଷ୍ଣଙ୍କ ସହ ଶ୍ରୀଚୈତନ୍ୟଙ୍କୁ ଏକ ଧରାତଳରେ ଅବସ୍ଥାପିତ କରିଛନ୍ତି ଏହି ରଚନାରେ । ତାଙ୍କ ଦୃଷ୍ଟିରେ ଯେ ଶ୍ରୀକୃଷ୍ଣ ସେ ହିଁ ଶ୍ରୀଚୈତନ୍ୟ । ଗୋଟିଏ ଭଉଦାହରଣରୁ ଏହା ସ୍ପଷ୍ଟ ହେବ । ଏକ ଭଣିତା ପଦରେ କବି ବ୍ରଜଦାସ କହନ୍ତି, ‘ଶ୍ରୀଧର ହଟନାଗର ବର ସୁନ୍ଦର ବରଜ ସେବେ ଶ୍ୟାମ ଗୋରା’ । ଏଥିରେ ‘ଶ୍ୟାମଗୋରା’ ଶବ୍ଦର ଅର୍ଥ ଯେ ହିଁ ଶ୍ୟାମ ସେହିଁ ଗୋରା ବା ଗୌରାଙ୍ଗ । ଗୀତିକାବ୍ୟର ଅନ୍ୟାନ୍ୟ ବିଭାଗ ପରି ଶ୍ରୀକୃଷ୍ଣଙ୍କ ଲୀଳାରସ ବର୍ଣ୍ଣନାରେ ‘ବୋଲି’ର ଏହି ଦୃଷ୍ଟିରୁ ଏକ ବିଶେଷ ଭୂମିକା ରହିଅଛି ।

 

୨:୩ ଶ୍ରୀକୃଷ୍ଣ ଭକ୍ତିମୂଳକ ଗୀତିକବିତାର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଭାଗ ହେଉଛି ଚଉତିଶା । ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣର ଚଉତିରିଶ ଗୋଟି ଅକ୍ଷରକୁ କ୍ରମାନ୍ଵୟରେ ଆଦ୍ୟରେ ରଖି ଏହି ରଚନା ପ୍ରସ୍ତୁତ ହୋଇଥାଏ । ଶ୍ରୀକୃଷ୍ଣଙ୍କର ସମଗ୍ର ଜୀବନ ଚରିତର ବିଭିନ୍ନ ପର୍ଯ୍ୟାୟକୁ ଗ୍ରହଣ କରି ମଧ୍ୟକାଳୀନ ଓଡ଼ିଆ କବିମାନେ ଅନେକ ଚଉତିଶା ରଚନା କରିଛନ୍ତି । ମଥୁରାକୁ ବିଜୟ କରିବା ବେଳେ ଶ୍ରୀକୃଷ୍ଣ ବଳରାମଙ୍କ ଅପୂର୍ବ ଶୋଭା ସନ୍ଦର୍ଶନରେ ମଧୁନଗର ନରନାରୀଙ୍କ ମନୋସ୍ଥିତିକୁ ନେଇ ଭକ୍ତଚରଣ ଦାସ ‘କଳାକଳେବର ଚଉତିଶା’ ନାମରେ ଏକ ଚମତ୍କାର ଚଉତିଶା ସୃଷ୍ଟି କରିଛନ୍ତି । ଏହାର ପଦ ସଂଯୋଜନା, ଶବ୍ଦ ମାଧୁର୍ଯ୍ୟ ଏବଂ ଅର୍ଥଦ୍ୟୋତନା ବାସ୍ତବିକ ଅନନ୍ୟ ଓ ଅନୁପମ । ଉଦାହରଣ ଭାବେ ଏହି ପଂକ୍ତି କେତୋଟିକୁ ଗ୍ରହଣ କରାଯାଇ ପାରେ :

 

“ଦୁଃଖୀ ଲୋକଙ୍କର ସଙ୍ଖାଳି ସେ ତ ଦରିଦ୍ର ଧନ

ଦହି ଦୁଧ ସର ଖିଆ ଗୋ ତେଣୁ ବଡ଼ ଲାବଣ୍ୟ ।

ଧରଣୀ ମଣ୍ଡିଲା ପରାୟେ ହୋଇଛନ୍ତି କି ଉଭା

ଧଳାକଳା ବେନି ଭାଇଗୋ ଦୁହେଁ ଦୁହିଁଙ୍କ ଶୋଭା ।”

 

ଶ୍ରୀକୃଷ୍ଠ ଲୀଳାମୂଳକ ଚଉତିଶା ଭାବରେ ଚାନ୍ଦ ଦାସଙ୍କ ଗୋପୀଜୀବନ ଚୌତିଶା, ଲୋକନାଥ ବିଦ୍ୟାଧରଙ୍କର ଗୋପଲୀଳା ସପ୍ତରାଗ ଚଉତିଶା ଓ କୃଷ୍ଣବିଳାପ ଚଉତିଶା, ବଂଶୀଦାସଙ୍କର ଉଦ୍ଧବ ଚଉତିଶା, ରଘୁ ଅରକ୍ଷିତଙ୍କର ମଥୁରା ବିଜେ ଚଉତିଶା, କୃଷ୍ଣ ଦାସଙ୍କର ଶ୍ୟାମ ଚଉତିଶା, ଦନାଇ ଦାସଙ୍କର ବଡ଼ ଉଦ୍ଧବ ଚଉତିଶା, ହରି ଦାସଙ୍କର ମଥୁରା ବିଜେ ଚଉତିଶା, ହରିପ୍ରିୟା ଦାସୀଙ୍କର କୃଷ୍ଣବିରହ ଚଉତିଶା, ସଦାନନ୍ଦଙ୍କର ଦୂତୀ ଚଉତିଶା ଓ ଶିଶୁ ଯଦୁ ଦାସଙ୍କର ହଂସଦୂତ ଚଉତିଶା ଆଦି ଅନ୍ୟତମ । ଏତଦ୍‍ବ୍ୟତୀତ ସୁପ୍ରସିଦ୍ଧ ସାଧକ ବୀରସିଂହଙ୍କର ଶିଷ୍ୟ ଲକ୍ଷ୍ମୀଧର କେତେକ ଚଉତିଶା ରଚନା କରିଥବା ଡଃ ବଂଶୀଧର ମହାନ୍ତି ତାଙ୍କ ଓଡ଼ିଆ ସାହିତ୍ୟର ଇତିହାସର ତୃତୀୟ ଖଣ୍ଡରେ କହିଛନ୍ତି, ସେ ଲକ୍ଷ୍ମୀଧରଙ୍କ କବିତାରେ ଶ୍ରୀଚୈତନ୍ୟ ଏବଂ ପଞ୍ଚସଖାଙ୍କ ସମ୍ପର୍କିତ କୌଣସି ତଥ୍ୟ ନଥିବାରୁ ତାଙ୍କୁ ପଞ୍ଚସଖାଙ୍କ ପୂର୍ବବର୍ତ୍ତୀ ଅର୍ଥାତ୍ ପଞ୍ଚଦଶ ଶତକର ବ୍ୟକ୍ତି ବୋଲି ମତ ଦେଇଛନ୍ତି । ଗୋପୀଭକ୍ତି ଚଉତିଶା ଏକ କୃଷ୍ଣତତ୍ତ୍ୱମୂଳକ ଚଉତିଶା । ମାତ୍ର ଏହା ଦେହରେ ରାଧାକୃଷ୍ଣ ଅଥବା ଗୋପୀମାନଙ୍କ ସହ ଶ୍ରୀକୃଷ୍ଣଙ୍କ ଲୀଳାବିଳାସର ବର୍ଣ୍ଣନା ହେବା ବଦଳରେ ବ୍ରହ୍ମଜ୍ଞାନ ଏବଂ ଆମ୍ବତତ୍ତ୍ଵର ଆଲୋଚନା କରାଯାଇଛି । ଉଦାହରଣ ଭାବେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଆରାଧନା କଲାବେଳେ ଜଣେ ବ୍ରହ୍ମଜ୍ଞାନ ନିରତ ସାଧକର ସାଧନା ପଦ୍ଧତିକୁ ହିଁ ଚିତ୍ରଣ କରାଯାଇଛି । ଯେପରି ‘ଘୃତ ଦଧି ବିକା କିଣା ସବୁ ପାଶୋରିଲେ । ଘୋର ନିଶି ଅନ୍ଧାରେ ମନ ଦୀପକୁ ଧଇଲେ ।’ ଏଠାରେ ମନକୁ ଦୀପ କହିବା ମୂଳରେ ଅଧ୍ୟାତ୍ମ ସାଧନାକୁ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି । ପୁଣି ସାଧ୍ୟ ପୁରୁଷଙ୍କ ସ୍ଵରୂପ ଅଙ୍କନ କଲାବେଳେ ଲକ୍ଷ୍ମୀଧର କହନ୍ତି, ‘ଗୋପୀ ଅଣାକାର ବ୍ରହ୍ମକୁ ଆକାର କଲେ ଠାବ / ଅହର୍ନିଶ ନେଇ ଲଗାଇଲେ ପ୍ରୀତି ଭାବ ।’ ଏଣୁ ଏଠାରେ ଗୋପୀମାନେ ରୂପ ପାଇଁ ପାଗଳିନୀ ନହୋଇ ଅରୂପ ତତ୍ତ୍ଵରେ ନିତ୍ୟ ବିଳାସ କଲେ । ଏହାର ଅଧିକ ସଂହତ ସ୍ୱରୂପ ଏହିପରି :

 

“ଗୋପୀ ରବିକି ଚନ୍ଦ୍ରମା ଘରେ ନେଇ ପୂରୋଇଲେ

ରାଧାକୃଷ୍ଣ ପୀରତି ଅଭେଦ କରାଇଲେ ।

ରସ ସୁଧା ସୁହୃଦେ ଛଛନ୍ଦେ ଦେଲେ ଝାସ

ରୂପ ଥାଉ ଥାଉଁ ଗୋପୀ ଅରୂପେ କଲେ ବାସ ।”

 

ଅଜ୍ଞାତନାମା କବିଙ୍କ ‘ଦୂତୀ ଚଉତିଶା’ରେ ଗୋପୀକୃଷ୍ଣ ତତ୍ତ୍ଵର ଆଧ୍ୟାମ୍ବିକ ବ୍ୟାଖ୍ୟା ପ୍ରଦାନ କରିଛନ୍ତି କବି । ଗୋପୀ ଗୋପାଳ ଏବଂ ଗୋବତ୍ସା ହୋଇଯା’ନ୍ତି ଗୋଲାହାଟ, କଦମ୍ବ ବୃକ୍ଷ ହୋଇଯାଏ ଉଲଟ କଦମ୍ବ ଆଉ ଶ୍ରୀକୃଷ୍ଣଙ୍କ ସ୍ଵରୂପ ଏହିପରି ଦିଶିଯାଏ -

 

“ଛଡ଼ ଚକ୍ରପରେ ଛଇଳବର ।

ଛଛନ୍ଦ୍ରେ ହୋଇଛି ଛାଇ ଆକାର

ଦୂତୀ ଗୋ, ଛନ୍ଦ ମୁରଲୀସିନା ।

ଛନ୍ଦ ଭିତରେ ଅବାଡ଼ ପ୍ରତିମା ।

 

(ଚଉତିଶା ସଞ୍ଚୟନ : ପ୍ରଥମ- ପର୍ଯ୍ୟଟନ ଓ ସାଂସ୍କୃତିକ ବ୍ୟାପାର ବିଭାଗ, ପୃ-୮୨)

 

ନନ୍ଦାବାଈଙ୍କ ରଚିତ ‘ନନ୍ଦାବାଈ ଚଉତିଶା’ରେ ଶ୍ରୀରାଧା ନିଜେ ଶ୍ରୀକୃଷ୍ଣଙ୍କ ସ୍ଵରୂପ ଦୂତୀକୁ କହିବା ବେଳେ ‘ମହାଗୁପତ କଥା’କୁ ଅତି ସାବଧାନ ଭାବରେ ବ୍ୟକ୍ତ କରିଛନ୍ତି । ସେହି ଅପରୂପ ଅରୂପ ପୁରୁଷଙ୍କୁ ଦର୍ଶନ କରିବା ପାଇଁ ତାଙ୍କୁ ବଙ୍କୁନାଳ ଦ୍ୱାରରେ ଛଡ଼ ଚକ୍ରରେ ପଚାଶ ଅକ୍ଷର ଯୁକ୍ତ କରି ମନକୁ ଛନ୍ଦିବାକୁ ପଡ଼ିଛି । ଅଣ ଅକ୍ଷରରେ ଗଣ୍ଠି ଜିଣି ସାରିଲା ପରେ ଯାଇ ସେ ‘ଅଣ ଅଇଶ୍ଵର୍ଯ୍ୟ ରୂପ’ ପ୍ରକଟିତ ହୋଇଅଛି । ତାହାଙ୍କୁ ଦର୍ଶନ କରିବାର ଉପାୟ ମଧ୍ୟ ଅତି ସୂକ୍ଷ୍ମରେ ଦୂତୀକୁ କହିଦିଅନ୍ତି ସେ :

 

“ସହସ୍ର ଦଳକମଳ ଉପରେ । ସକାର ନାମ କାରଣ କରରେ ।

ସାମ ଋକ ଯଜୁ ଅଥର୍ବ ଚାରି । ସଙ୍ଗତେ ଅଛନ୍ତି ଅଷ୍ଟପ୍ରହରୀ ।

ସତ କହୁଅଛି ତୋତେ

ସ୍ୱରୂପ ତୁହି ତୋତେ ମଜି ମିତଣୀ କୃଷ୍ଣ ସଙ୍ଗେ ଦେଖ ମୋତେ ।”

 

କେବଳ ତତ୍ତ୍ଵ ନୁହେଁ କଥାକୁ ଭିତ୍ତିକରି ଅନେକ କୃଷ୍ଣଲୀଳାମୂଳକ ଚଉତିଶା ରଚିତ ହୋଇଅଛି । ଦାମୋଦର ଦାସଙ୍କ ‘ରସକୂଲ୍ୟା ଚଉତିଶା’ ଏହି ଚଉତିଶାମାନଙ୍କ ମଧ୍ୟରେ ପ୍ରାଚୀନ ବୋଲି ଅନୁମିତ ହୁଏ । ଏହାର ଭାଷା ବିଶେଷ କରି ରାଧାକୁ ‘ରାହୀ’ ବୋଲି କହିବାକୁ ଦାମୋଦରଙ୍କୁ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ପଞ୍ଚସଖାଙ୍କ ପୂର୍ବବର୍ତ୍ତୀ ବୋଲି କହିଛନ୍ତି, କବିଙ୍କ ଭାଷାରେ :

 

“କହଇ ରାହୀ ସଖା ଦୂତିକାକୁ । କଦମ୍ବ ମୂଳେ ଦେଖିଲି କୃଷ୍ଣକୁ ।

କଳାକଳେବର ରଙ୍ଗା ଅଧର । କପାଳେ କସ୍ତୁରୀ ଚିତା ସୁନ୍ଦର ସେ ।

କୁବଳୟ ଫଳ ନାସେ ସେ

କାମ ବିକାର କଲାକ ପ୍ରାଣବନ୍ଧୁ ଦେଖି ସୁଧାନନ୍ଦ ହାସେ ଯେ ।”

 

୨:୪ ଚଉତିଶା ଭଳି ମଧ୍ୟକାଳୀନ ଓଡ଼ିଆ କୃଷ୍ଣଭକ୍ତି ସାହିତ୍ୟରେ ଚମ୍ପୂ ଏକ ଲୋକପ୍ରିୟ ରଚନା । ଶ୍ରୀକୃଷ୍ଣ ଲୀଳା ବିଳାସକୁ କେନ୍ଦ୍ର କରି କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ’ ଓଡ଼ିଆ ସାହିତ୍ୟର ଏକ ବିଶିଷ୍ଟ କୀର୍ତ୍ତି । ଗଦ୍ୟ ଏବଂ ପଦ୍ୟର ମିଶ୍ରଣରେ ଏହି ଚମ୍ପୂ ରଚନା ପରମ୍ପରା ବଳଦେବଙ୍କ ପିତା ଉଜ୍ଜ୍ଵଳ ରଥ ମଧ୍ୟ ଜାରି ରଖିଥିଲେ । ‘କବିସୂର୍ଯ୍ୟ ଗ୍ରନ୍ଥାବଳୀ’ (କଟକ ପବ୍ଲିଶିଂ ହାଉସ୍, ୧୯୬୫)ର ଜୀବନ ବୃତ୍ତାନ୍ତରେ ପଣ୍ଡିତ କୁଳମଣି ଦାଶ କାବ୍ୟତୀର୍ଥ, ଯେ ସଂସ୍କୃତ ଭାଷାରେ ପରମ ବିଦ୍ଵାନ ଥିଲେ ସେ ‘ସଜ୍ଜନାନନ୍ଦ ଚମ୍ପୂ’ ଓ ‘ରାମଚମ୍ପୂ’ ନାମକ ଦୁଇଟି ଚମ୍ପୂକାବ୍ୟ ପ୍ରଣୟନ କରି ବଡ଼ଖେମଡ଼ି ରାଜାଙ୍କୁ ଗ୍ରନ୍ଥ ଦୁଇଟି ଉତ୍ସର୍ଗ କରି ‘କବିରାଜ ବ୍ରହ୍ମା’ ଉପାଧି ଲାଭ କରିଥିଲେ । (ପୃ-୭) ଚମ୍ପୂକାବ୍ୟରେ ଗଦ୍ୟ ଓ ପଦ୍ୟ ଉଭୟର ପ୍ରୟୋଗ ହୋଇଥାଏ । (ଗଦ୍ୟ ପଦ୍ୟମୟଂ କାବ୍ୟଂ ଚମ୍ପୂରିତ୍ୟ- ଭିଧୀୟତେ) । ଏହା ସଂସ୍କୃତ ସାହିତ୍ୟରେ ଖଣ୍ଡକାବ୍ୟ ଶ୍ରେଣୀୟ । ବଳଦେବଙ୍କ କିଶୋରଚନ୍ଦ୍ରାନନ୍ଦ ଚମ୍ପୂର ଗଦ୍ୟ ସଂସ୍କୃତର, ପଦ୍ୟ କିନ୍ତୁ ଓଡ଼ିଆ ଭାଷାରେ ରଚିତ । ଏଥିରେ ‘କ’ ରୁ ଆରମ୍ଭ କରି ‘କ୍ଷ’ ପର୍ଯ୍ୟନ୍ତ ‘ଚଉତିଶା ରୀତିରେ ଚଉତିରିଶ ଗୋଟି ଗୀତ ରହିଅଛି । ଶ୍ରୀକୃଷ୍ଣ ଏବଂ ଶ୍ରୀରାଧା ଏହାର ନାୟକ ନାୟିକା । ଏମାନଙ୍କ ମଧ୍ୟରେ ପୂର୍ବରାଗରୁ ସମ୍ଭୋଗ ପର୍ଯ୍ୟନ୍ତ ପ୍ରଣୟର ସକଳ ପର୍ଯ୍ୟାୟ ଅତି ସାର୍ଥକଭାବେ ଅତିବାହିତ ହୋଇଛି ଏବଂ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ପ୍ରିୟସଖୀ ଲଳିତା । ସେ କେବଳ ଶ୍ରୀରାଧାଙ୍କ ସଖୀ ନୁହେଁ, ଉଭୟ ପ୍ରେମିକ ପ୍ରେମିକାଙ୍କ ମିଳନ ପାଇଁ ସେ ଦୂତୀ ସାଜି ଆପଣାର ସବୁକିଛି ସମର୍ପଣ କରି ଶେଷରେ ସଫଳ ହୋଇଅଛି । କବିତ୍ଵର ଅପୂର୍ବ ବିଳାସ ଏହି ଗ୍ରନ୍ଥର ଛତ୍ରେ ଛତ୍ରେ ପ୍ରତିଫଳିତ । ଉଦାହରଣ ସ୍ଵରୂପ ଶ୍ରୀରୀଧାଙ୍କ କୃଷ୍ଣାନୁସରଣକୁ ଲଳିତା ଉଚିତ ନୁହେଁ ବୋଲି କହିଲା ବେଳେ ଚମତ୍କାର ଉପମା ପ୍ରୟୋଗ କରିଛି ‘ଖ’ ଗୀତରେ । ଯେପରି -

 

“ଖର୍ବ ହୋଇ ସୁର ତରୁ କୁସୁମ ବାଞ୍ଛିଲୁରେ

ଖେଦବୀଜ ନିଜ ହୃଦ କେଦାରେ ବିଞ୍ଚିଲୁରେ”

ଖଳିକାର ନୋହି କଳା ନାଗକୁ ଚାଳିଲୁରେ

ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁରେ

ଖମଣି ମଣ୍ଡଳକୁ ତୁ କର ବଢ଼ା ବନ୍ଧୁରେ

ଖାଇଦେଇ କି ଅମଳ ଅଚେତ ହୋଇଲୁରେ

ଖାରା ଖଣ୍ଡାଧାରା ଖଟ ବିଚାରି ଶୋଇଲୁରେ ”

 

ଶ୍ରୀକୃଷ୍ଣଙ୍କୁ ଭଲପାଇ ବସିବା ଶ୍ରୀରାଧାଙ୍କର ଉଚିତ ହୋଇନାହିଁ - ଏତିକି ମାତ୍ର କଥା କହିବାକୁ କବିସୂର୍ଯ୍ୟ ଲଳିତା ମୁଖରେ ଯେତେ ଉପମାନର ପ୍ରୟୋଗ କରିଛନ୍ତି ତାହାକୁ ବିଶ୍ଳେଷଣ କଲେ ତାଙ୍କ ବିଲକ୍ଷଣ କବି ପ୍ରତିଭା ସ୍ପଷ୍ଟ ହୋଇଯାଏ । ପ୍ରେମ ଯେ ପରୀକ୍ଷା ପାଇଁ ପ୍ରେମିକ ପ୍ରେମିକା ଉଭୟଙ୍କୁ କେବଳ ଯନ୍ତ୍ରଣା ଦେଇଚାଲେ - ଏହା ଉଦାହରଣରୁ ସ୍ପଷ୍ଟ ହୋଇଯାଇଛି । ଦ୍ୱିତୀୟତଃ ଲଳିତା ଏହି ସମସ୍ତ ଉଦାହରଣ ଦେଇ ଶ୍ରୀରାଧାଙ୍କ ମାନସିକ ଦୃଢ଼ତାର ମଧ୍ୟ ପରୀକ୍ଷା କରିଛନ୍ତି ।

 

କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ବ୍ୟତୀତ ରାଧାକୃଷ୍ଣଙ୍କ ପ୍ରଣୟ ଲୀଳାକୁ ମୁଖ୍ୟତଃ ଗୁରୁତ୍ଵ ଦେଇ ସେ ‘ରତ୍ନାକର ଚମ୍ପୂ’ ନାମରେ ଅନ୍ୟ ଏକ ଗ୍ରନ୍ଥରଚନା କରିଛନ୍ତି । ମାତ୍ର ଏହା ଗଦ୍ୟ ପଦ୍ୟ ମିଶ୍ରିତ ନୁହେଁ, କେବଳ କ ଠାରୁ କ୍ଷ ଅକ୍ଷର କ୍ରମରେ ଚଉତିଶା ରୀତିରେ ଚଉତିରିଶ ଗୋଟି ଚଉପଦୀର ସମାହାର । ଏହାର ଅନ୍ୟନାମ ଚୌପଦୀ ରତ୍ନାକର । ଉନବିଂଶ ଶତାବ୍ଦୀର ଶେଷ ପାଦରେ ଚିକିଟି ରାଜ୍ୟର ଅଧୀଶ୍ଵର କିଶୋର ଚନ୍ଦ୍ର ରାଜେନ୍ଦ୍ର ‘ଝୁଲଣ ଚମ୍ପୁ’ ନାମକ ଏକ ଚମ୍ପୂକାବ୍ୟ ରଚନା କରିଥିଲେ । ସେ ଥିଲେ ବିଶ୍ଵମ୍ଭର ରାଜେନ୍ଦ୍ରଙ୍କ ଚାରିଗୋଟି ପୁଅଙ୍କ ମଧ୍ୟରୁ ଜ୍ୟେଷ୍ଠ । ଏହା ଏକାଧାରରେ ଗଦ୍ୟ ତଥା ପଦ୍ୟାଶ୍ରିତ । ଗ୍ରନ୍ଥର କଥାବସ୍ତୁ ମଧ୍ୟ ଅତ୍ୟନ୍ତ ରୋଚକ । ଶ୍ରୀରାଧା ଏକଦା ସଖୀମାନଙ୍କ ଗହଣରେ ବନରୁ ପୁଷ୍ପଚୟନ କରୁଥିବା ବେଳେ ଶ୍ରୀକୃଷ୍ଣଙ୍କ ସହ ସାକ୍ଷାତ ହୋଇଛି ତାଙ୍କର । ପ୍ରେମ ବିଦଗ୍ଧ କିଶୋରୀ ଶ୍ରୀକୃଷ୍ଣଙ୍କୁ ବନଫୁଲରେ ମଣ୍ଡନ କରିଛନ୍ତି ଏବଂ ଏକ ସୁଦୃଶ୍ୟ ପୁଷ୍ପ ଦୋଳାରେ ବସାଇ ଧୀରେ ଧୀରେ ଝୁଲାଇଛନ୍ତି । ରାଧାକୃଷ୍ଣଙ୍କ ପ୍ରଣୟଲୀଳାକୁ ଉପଜୀବ୍ୟ କରି ଏହି ରଚନାରେ ଚମ୍ପୂର ସ୍ଵରୂପ ଧର୍ମ ଯେତେ ନାହିଁ, ସେତେ ପରିମାଣରେ ଏହାର ସଂଗୀତ ପାଠକ ଏବଂ ଶ୍ରୋତାଙ୍କୁ ମୁଗ୍ଧ କରିଦିଏ ।

 

୨:୫ କୋଇଲି ମଧ୍ୟକାଳୀନ ଓଡ଼ିଆ କୃଷ୍ଣ ଭକ୍ତି ସାହିତ୍ୟରେ ଚଉତିଶାପରି ଏକ ଲୋକପ୍ରିୟ ରଚନା । ଚଉତିଶା ଭଳି ଏହା ଚଉତିରିଶ ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ କ୍ରମାନ୍ଵୟରେ ଆଦ୍ୟରେ ରଖି ରଚିତ ହୋଇଥାଏ । ଶେଷରେ ‘କୋଇଲି’ ବୋଲି ସମ୍ବୋଧନ ଥାଏ ପ୍ରତିପଦର ଶେଷରେ । ଏହା ସଂସ୍କୃତ ଦୂତକାବ୍ୟର ଅନୁସରଣରେ ଲିଖିତ ଏକ କ୍ଷୁଦ୍ରାବୟବ ବିଶିଷ୍ଟ ରଚନା । ଶ୍ରୀକୃଷ୍ଣଙ୍କ ଲୀଳାକୁ ଉପଜୀବ୍ୟ କରି ଓଡ଼ିଆ ସାହିତ୍ୟରେ ରଚିତ ହୋଇଥିବା କୋଇଲିମାନଙ୍କ ମଧ୍ୟରେ ମାର୍କଣ୍ଡଦାସଙ୍କ କେଶବ କୋଇଲି ସର୍ବ ପ୍ରାଚୀନ । ଅବଶ୍ୟ ମାର୍କଣ୍ଡେୟ ଦାସ ଥିବାର ପ୍ରମାଣ ନିଜେ କେଶବ କୋଇଲିର ଭଣିତାରେ କବି କରିନାହାନ୍ତି । ଅପର ପକ୍ଷରେ ପ୍ରାକୃତ ସର୍ବସ୍ଵ ଏବଂ ଦଶଗ୍ରୀବ ବଧ ମହାକାବ୍ୟମ୍‍ର ପ୍ରଣେତା ମାର୍କଣ୍ଡେୟ ମିଶ୍ର ସମ୍ଭବତଃ କେଶବ କୋଇଲିର ରଚୟିତା । ଏହାର ଭାଷା ଅତ୍ୟନ୍ତ ସରଳ ଓ ଆବେଗପ୍ରବଣ । ଅକ୍ରୁରଙ୍କ ସହ ଶ୍ରୀକୃଷ୍ଣ ମଥୁରା ପୁରକୁ ଯାତ୍ରା କରିବା ପରେ ଜନନୀ ଯଶୋଦା ପୁତ୍ରର ବିଚ୍ଛେଦରେ ଲଭିଥିବା ଦାରୁଣ ଦୁଃଖ କଥା ଏକ କୋଇଲି ନିକଟରେ ବ୍ୟକ୍ତ କରିଛନ୍ତି । କୃଷ୍ଣଙ୍କ ସହ କୋକିଳର ବର୍ଣ୍ଣସାମ୍ୟ ଥିବାରୁ ଏବଂ କାକ ବସାରେ ପିଲାଦିନୁ ପ୍ରତିପାଳିତ ହୋଇଥିବା କୋକିଳ ପର ଲାଗିଲେ ଗୋତ୍ର ସୁମରି ଆପଣା ଦଳକୁ ଉଡ଼ିଯାଉଥିବାରୁ କୋଇଲିକୁ ଯଶୋଦା ଆପଣାର ଏକୋଇରବଳା ବିଶିକେଶନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରି ବସିଛନ୍ତି । ଆପଣାର ଭାବି ଦୁଃଖ କଥା ଜଣାଇ ବସିଛନ୍ତି ସେ ।

 

ଶ୍ରୀକୃଷ୍ଣ ଲୀଳାମୂଳକ ଅନ୍ୟ କୋଇଲିମାନଙ୍କ ମଧ୍ୟରେ ଚୈତନ୍ୟ ଦାସଙ୍କ ‘କୋଇଲି’, ଜଗନ୍ନାଥ ଦାସଙ୍କ ‘ଯଶୋଦା କୋଇଲି’, ରାମକୃଷ୍ଣଙ୍କ ‘ଯଶୋଦା କୋଇଲି’, ଗୋପାଳକୃଷ୍ଣ ତଥା ଭାଗୀରଥି ଦାସଙ୍କ ‘କୋଇଲି’, ଓଡ଼ିଶାର ପୁରପଲ୍ଲୀରେ ବିଶେଷଭାବେ ଆଦୃତ ହୋଇଅଛି । ଚଇତନ ଦାସଙ୍କ ‘କୋଇଲି’ର କଥାବସ୍ତୁ କେଶବ କୋଇଲିର ଅନୁରୂପ । ‘ମଧୁପୁର’କୁ ଯାଇଥିବା ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ଉଚ୍ଛନ୍ନ ହେଉଥିବା ଏକ ଦୁଃଖିନୀ ମାଆର ଦୁଃସହ ବେଦନା କୋଇଲି ଆଗରେ ନିଜେ ମାଆଙ୍କ ଦ୍ଵାରା ବର୍ଣ୍ଣିତ ହୋଇଅଛି । ଏହି ସ୍ମୃତିଚାରଣ ଠିକ୍ କେଶବ କୋଇଲି ଭଳି, ଅତୀତର କେତେକ ଛନ୍ଦ ଚପଳ ଲୀଳା, ପୁଅଙ୍କ ରୂପ ବର୍ଣ୍ଣନା, ଆପଣା କର୍ମ ପ୍ରତି ଦୋଷ ଓ ଅକ୍ରୁରର ଆଗମନ ପ୍ରତି ଦୋଷାରୋପ ଆଦିରେ ସୀମିତ । ଶ୍ରୀକୃଷ୍ଣଙ୍କ ଅପରୂପ ରୂପଶୋଭାର ବର୍ଣ୍ଣନା ଚଇତନଙ୍କ ଲେଖନୀରେ ଏହିପରି :-

 

“କୋଇଲି, ଚରଣେ ତା’ ନୂପୁର ଶୋଭନ

ଆଲୋ ଚାଲନ୍ତେ ଶ୍ୟାମ ସୁନ୍ଦର ବାଳେ ରୁଣ ଝୁଣ ଲୋ ! + +

କୋଇଲି, ଫୁଲ୍ଲେନ୍ଦୀବର ତନୁ ଶୋଭନ

ଆଲୋ ଫୁଟିଲା ପଙ୍କଜ ପ୍ରାୟେ ଦିଶଇ ଲପନଲୋ ॥

କୋଇଲି, ବର୍ତ୍ତୁଳ ମୁକୁତାନାସା ଶୋହେ

ଆଲୋ, ବିକତ କମଳ ନେତ୍ର ଜଗଜ୍ଜନ ମୋହେଲୋ ॥

କୋଇଲି, ଭାଲପଟେ ଚନ୍ଦନର ବିନ୍ଦୁ

ଆଲୋ ଭଲାକି ମର୍କତ ଗିରି ଶିଖରରେ ଇନ୍ଦୁଲୋ ॥

 

(ଓ. କୋଇଲି ସାହିତ୍ୟ : ରାଜ୍ୟ ସଂଗ୍ର. ୧୯୭୩, ପୃ. ୧୭୬-୧୮୧)

 

କବି ରାମକୃଷ୍ଣଙ୍କ ‘ଯଶୋଦା କୋଇଲି’ ଏହି ପର୍ଯ୍ୟାୟର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ରଚନା । ଏହାର ଅନ୍ୟ ଏକ ନାମ ‘ଶୋକ କୋଇଲି’ ବୋଲି ’ଓଡ଼ିଆ କୋଇଲି ସାହିତ୍ୟ’ ସଂକଳନର ପଦଟୀକାରେ ପଣ୍ଡତ ନୀଳମଣି ମିଶ୍ର କହିଛନ୍ତି । ଏହାର କଥାବସ୍ତୁ ମଧ୍ୟ ଅନ୍ୟ ଦୁଇଟି କୋଇଲିର ଅନୁରୂପ । ବିଷୟ ବିନ୍ୟାସ ଏବଂ ଅନ୍ତରୀଣ ବିଭାବ ମଧ୍ୟ ଏକାପରି, ମାତ୍ର ଅଙ୍ଗ ସଜ୍ଜାରେ କେତେକ ପାର୍ଥକ୍ୟ ମିଳେ । ଏଠାରେ ଦୁଇ ପାଦରେ ଏକ ପଦ ନହୋଇ ଛଅପାଦରେ ଏକ ପଦ ହୋଇଅଛି । ଏହାର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ସମାନ ନୁହେଁ । ପ୍ରଥମ, ଚତୁର୍ଥପାଦ ଏବଂ ଷଷ୍ଠପାଦର ଆଦ୍ୟରେ କୋଇଲି ସମ୍ବୋଧନ ରହିଅଛି । ଏକଇରବଳା ବିଶିକେଶନ ଗଣ୍ଠିଧନ ଶ୍ରୀକୃଷ୍ଣ ଦେଇଯାଇଥିବା ‘ଗୁଣପୋଥ’କୁ ଗାନ କରିବା ବ୍ୟତୀତ ମା’ ଯଶୋଦାଙ୍କର ଗତ୍ୟନ୍ତର ନାହିଁ । ଏହି ଗୁଣ ଚିନ୍ତନ ଭିତରେ ଏକ ବିଶେଷ କଥା ଲକ୍ଷଣୀୟ, ତାହା ହେଉଛି – ତଦ୍‍ଗଚପ୍ରାଣା ଜନନୀର ମଥୁରା ପୁରରେ କିଏ ପୁଅର ମନ ଜାଣି ସେବା କରୁଥିବା ଏହି କଥା ସ୍ମରଣ । ରାମକୃଷ୍ଣଙ୍କ ଲେଖନୀ ଏଠାରେ ବେଶ୍ ସଫଳ । ଯେପରି –

 

‘‘ମଥା କେ ବାନ୍ଧିବ ତା’ର

ମନ ଜାଣି କେ ଯାଚିବ ସର ।

ମଲ୍ଲୀ ଚମ୍ପା ନାଗେଶ୍ୱର ମାଳା

କୋଇଲି, ମଣ୍ଡିବ କେହୁ ମୋ ମାଧୋଇ ଗଳାଲେ !

ମଧୁରେ କେହୁ ଗୀତ ବୋଲିବ

କୋଇଲି, ମଧୁସୂଦନ କା’ କୋଳେ ଶୋଇବଲେ !

(ଓ. କୋଇଲି ସା, ପୂ. ୧୯୧)

 

ସଫଳ ବିମ୍ବଯୋଜନାରେ କବିଚାର କେତେକ ପଂକ୍ତି ଅତ୍ୟନ୍ତ ରମଣୀୟ ହୋଇ ପାରିଛି । ଶ୍ରୀକୃଷ୍ଣଙ୍କ ବିରହରେ ଗୋପୀ ଗୋପାଳ ଏବଂ ଗୋପପୁରର ସାମଗ୍ରିକ ଚିତ୍ର ଦେବାବେଳେ ରାମ କୃଷ୍ଣ ଅତି ସଂକ୍ଷେପରେ ଶିଶିରରେ ସନ୍ତୁଳିତ ହେଉଥିବା ପଦ୍ମର ଚିତ୍ର ଥୋଇଦେଇଛନ୍ତି (ଶିଶିରେ ଯେହ୍ନେ କମଳ ଲୋଳେ / କୋଇଲି, ସେହିମତି ସର୍ବେ ଲୋଟନ୍ତି ଢଳେଲୋ !) ଅନ୍ୟ ଏକ ସ୍ଥଳରେ ପୁତ୍ରକୁ ହରାଇବାର ଭାଗ୍ୟହୀନତାର ଚିତ୍ର ଦେଲାବେଳେ ଦୁଇ ତିନୋଟି ଉପମାନକୁ ଏକତ୍ର କରିଛନ୍ତି । ମାତ୍ର ଲକ୍ଷ୍ୟ କରିବାର କଥା ଏହା ମାଳୋପମାର ପର୍ଯ୍ୟାୟବାଚୀ ନୁହେଁ । ମାତ୍ର ଭାବ ସଂଗତି ଅତି ମନୋଜ୍ଞ ଭାବରେ ଏଥିରେ ସଂରକ୍ଷିତ ରହିଛି । ତାହାହେଲା ଶିଳା ପକାଇ ଶିର ପାଚିବା, ଅମୃତ ବୋଲି ବିଷ ଆହାର କରିବା ଏବଂ ସ୍ୱପ୍ନ କଥାକୁ ସତ ମଣିବା (ଶିଳା ପକାଇ ପାତିଲି ଶିର/କୋଇଲି, ସୁଧା ବୋଲି ବିଷ କଲି ଆହାର ଲୋ ! ସପନ କଥା ସତ ମଣିଲି କୋଇଲି, ସରୋଜନେତ୍ରକୁ ଯାହା ତେଜିଲି ଗୋ, ପୃ. ୧୯୩) କୋଇଲିରେ ଅନ୍ୟ ଦୁଇ କୋଇଲି ଅପେକ୍ଷା ଗୋଟିଏ ନୂଆକଥା ମିଳେ । ତାହା ହେଉଛି ଶ୍ରୀକୃଷ୍ଣ ମଥୁରା ଯିବାର ବ୍ୟାପଦେଶରେ ମା’ ଯଶୋଦାଙ୍କୁ ଯେପରି ଯୋଗଶିକ୍ଷା ଦେଇ ଯାଇଛନ୍ତି । ଶ୍ରୀକୃଷ୍ଣଙ୍କ ସହ ଶାରୀରିକ ସ୍ତରରେ ବିୟୋଗସ୍ଥିତି ମାନସିକ ସ୍ତରରେ ଶ୍ରୀକୃଷ୍ଣଙ୍କ ସହ ଯୋଗର କାରଣ ହୋଇଅଛି । ଯେପରି -

 

‘‘କୋଇଲି, ଜଗତରେ କୃଷମାତ,/ଯୋଗ ଆସିହେଲା ଉପଗତ ! / ଯୋଗ ବିଭୁତିକି ମୋତେ ଦେଇ, /କୋଇଲି, ଯତନେ ଗଲା କୃଷ୍ଣ ଯୋଗ ଶିଖାଇଲେ ! /ଯେଣିକି ଚାହିଁଦିଏ ମୁଁ ଖରେ, । କୋଇଲି, ଜଳୁଛି ଅଗ୍ନି ବାହାର ଭିତରେ ଲୋ !’’ (ପୃ.୧୯୧)

 

ରାଗମାର୍ଗୀୟ ପ୍ରେମଧର୍ମ ସହ ଯୋଗମଣ୍ଡିତ ଆଧ୍ୟାତ୍ମିକ ସାଧନାର ବିଚିତ୍ର ସମନ୍ୱୟ ଏହି ପଦରେ ସ୍ଵଷ୍ଟ ପ୍ରକଟିତ ହୋଇଅଛି ।

 

କବି ଜଗନ୍ନାଥଙ୍କ ‘ଯଶୋଦା କୋଇଲି’ ମଧ୍ୟ ପୂର୍ବୋକ୍ତ କୋଇଲିମାନଙ୍କ କଥାବସ୍ତୁ ଉପରେ ଆଧାରିତ । ରାମକୃଷ୍ଣଙ୍କ ଯଶୋଦା କୋଇଲିର ଆଙ୍ଗିକ ବିଭବ ସହ ଏହା ପ୍ରାୟ ସମାନ । ବିଷୟ ଚିତ୍ରଣ ମଧ୍ୟ ପ୍ରାୟ ସବୁ କୋଇଲିର ଏକା ମାତ୍ର ଅପୂର୍ବ କବିତ୍ୱର ବିଲକ୍ଷଣ ପ୍ରକାଶ ସ୍ଥାନେ ସ୍ଥାନେ ପରିଲକ୍ଷିତ । ଶ୍ରୀକୃଷ୍ଣଙ୍କ ଅଙ୍ଗଶୋଭା ବର୍ଣ୍ଣନା କଲାବେଳେ କବି ଯଶୋଦାଙ୍କୁ ଅତ୍ୟନ୍ତ ଭାବପ୍ରବଣ କରିଦେଇଛନ୍ତି । ଯଦିଓ ‘ଲଳିତ ଅଧର’ ଏବଂ ‘ମୁରଲୀ’ ଏହି ଦୁଇଟି ଶବ୍ଦ ଦୁଇଥର ପ୍ରଯୁକ୍ତ ହୋଇ ସାମାନ୍ୟ ଶ୍ରୁତିକଟୁ ହେଉଅଛି, ତଥାପି ଏହାର ସୌକୁମାର୍ଯ୍ୟ ଅନ୍ୟ ପାଦମାନଙ୍କରେ ଅବ୍ୟାହତ ରହିଛି । ପଦଟି ଏହିପରି :-

 

“କୋଇଲି, ଲାବଣ୍ୟ ଶ୍ରୀ ଅଙ୍ଗ ତା’ର / ଲାଗି ଗୋଧୂଳି ଦିଶେ ସୁନ୍ଦର । /

ଲମ୍ବିଥାଇ ଉରେ ବନମାଳ / କୋଇଲି, ଲଳିତ ଅଧରେ ମୁରଲୀଧରଲୋ ! |

ଲପନ ଶଶଧରକୁ ଜିଣି / କୋଇଲି ଲଳିତ ଅଧରେ ମୁରଲୀଧୁନିଲୋ !’’ (ପୃ. ୨୨୫)

 

ଉପମା ପ୍ରୟୋଗରେ ଜଗନ୍ନାଥ ଆପଣାର ପ୍ରତିଭା ସ୍ଥାନେ ସ୍ଥାନେ ପ୍ରଦର୍ଶନ କରିଛନ୍ତି । ମାତ୍ର ଏ ସମସ୍ତ ଉପମା କବିକୃତ ନୂତନ ଉପମା ନୁହେଁ । ଗଚ୍ଛିତ ଉପମାକୁ ଠିକ୍ ସ୍ଥାନରେ ପ୍ରୟୋଗ କରିଛନ୍ତି ମାତ୍ର । ଉଦାହରଣ ସ୍ୱରୂପ ଆପଣାର ସ୍ଥିତିର ଚିତ୍ର ଦେଲାବେଳେ ଜୀବନ ବିହୀନ ଦେହ ଏବଂ ଜଳ ବିହୀନ ମୀନର ଚିତ୍ର କବି ଦେଇଛନ୍ତି (କୋଇଲି, ଜୀବନ ବିନୁ ଶରୀର/ଯେହ୍ନେ ନଦିଶଇ ସେ ସୁନ୍ଦର/ଜଳ ବିହୁନେ ମୀନ ଯେସନ /କୋଇଲି ଯଶୋଦା ଜୀବନ ହେଲା ତେସନଲୋ ! ଓ.କୋ.ସାହିତ୍ୟ.ପୃ.୨୨୪) । ଶ୍ରୀକୃଷ୍ଣ ବିହୀନ ମାତା ଯଶୋଦାଙ୍କ ସ୍ଥିତି ଏହି ପଂକ୍ତିମାନଙ୍କରେ ଅତି ସଫଳ ରୂପେ ଚିତ୍ରିତ ହୋଇଅଛି ।

 

ସୁଦୂର ପ୍ରବାସକୁ ନେଇ ଏହି ସମସ୍ତ କୋଇଲିର କଥାବସ୍ତୁ ପରିକଳ୍ପିତ ହୋଇଥିବାବେଳେ ଅଦୂର ପ୍ରବାସକୁ ନେଇ ଓଡ଼ିଆ ସାହିତ୍ୟରେ ଦୁଇଗୋଟି କୃଷରସାତ୍ମକ କୋଇଲି ରଚିତ । ତାହା ହେଉଛି କବିକଳହଂସ ଗୋପାଳକୃଷ୍ଣଙ୍କ ‘କୋଇଲି’ ଏବଂ ବିପ୍ର ଭାଗୀରଥଙ୍କର ‘ବାତ୍ସଲ୍ୟ କୋଇଲି’-। ବାତ୍ସଲ୍ୟ କୋଇଲି ଆଧୁନିକ କାଳର ରଚନା ବୋଲି ପାଦଟୀକାରେ ପଣ୍ଡିତ ନୀଳମଣି ମିଶ୍ର ଅନୁମାନ କରିଛନ୍ତି । ଉଭୟ କୋଇଲିର କଥାବସ୍ତୁ ଏକ । ଗୋଚାରଣ ଉଦ୍ଦେଶ୍ୟରେ ବନକୁ ଯାତ୍ରା କରିଥିବା ଶ୍ରୀକୃଷ୍ଣ ନିର୍ଦ୍ଧାରିତ ସମୟ ମଧ୍ୟରେ ଅରଣ୍ୟରୁ ଫେରି ନାହାନ୍ତି । ଗୋପାଳକୃଷ୍ଣଙ୍କ ଯଶୋଦାଙ୍କର ଏଥିପାଇଁ ଚିନ୍ତାର ଅନ୍ତ ନାହିଁ । କ୍ଷୁଧା ଏବଂ ଖରାରେ ଶ୍ରୀକୃଷ୍ଣ ଅରଣ୍ୟରେ ଅସହ୍ୟ ଦୁଃଖ ଭୋଗୁଥିବେ ବୋଲି ଚିନ୍ତାକରି ଦୁଃଖିତା ହୋଇଛନ୍ତି ସେ । ଏହାର କାରଣ ମଧ୍ୟ ଖୋଜିଛନ୍ତି ସେ । ପ୍ରଥମେ ଦୋଷ ଦେଇଛନ୍ତି ଶ୍ରୀକୃଷ୍ଣଙ୍କର ଜନମ ଯୋଗକୁ । ଏକ ବିଚିତ୍ରଯୋଗରେ ଜନ୍ମଗ୍ରହଣ କରିଥିବା ଏହି ପୁଅ ‘ଜଗତ ସୁତ’ଙ୍କ ପରି ନହୋଇ ସ୍ୱତନ୍ତ୍ର ଗୁଣର ଅଧିକାରୀ ହେଲା । ଜଗତର ସୁଖଦୁଃଖରେ ଆତଯାତ ହେଉଥିବା ମାଆଟିଏ ତେଣୁ ଏ ଅକଳ୍ପନୀୟ ଚରିତ୍ରର ଆକଳନ ଠିକ୍ ଠିକ୍ କରିପାରୁନାହାନ୍ତି । ମାତ୍ର ଶ୍ରୀକୃଷ୍ଣଙ୍କର ବିଭିନ୍ନ ଅଲୌକିକ ଲୀଳା ସନ୍ଦର୍ଶନରେ ତାଙ୍କୁ ଜଣେ ଅଦ୍ଭୁତକର୍ମା ଚରିତ୍ର ବୋଲି ଅନୁଭବ କରି ସାରିଥାନ୍ତି ସେ । ତାଙ୍କର କୋଟି ଜନ୍ମର ସଞ୍ଚିତ ପୁଣ୍ୟଫଳରୁ ଯେ ଏଭଳି ଏକ ସନ୍ତାନ ତାଙ୍କ ଘରେ ଜନ୍ମନେଇଛି, ଏଥିରେ ସେ ଦୃଢ଼ନିଶ୍ଚିତା, (କୋଇଲି, ଠୁଳ ହୋଇ ପୁଣ୍ୟମୋର ବାତ୍ସଲ୍ୟ କୋଇଲି/ଠାକୁର ନାରାୟଣ ସେବାର/ଠିକ୍ ଫଳହେଲେ ଲଭ୍ୟ ହେଲା । ପୃ.୨୩୩) ମାତ୍ର ଘରେ ଘଡ଼ିଏ ହେଲେ ନରହିବା ଦେଖି ତାଙ୍କ ଦୁଃଖର ଅନ୍ତନାହିଁ । ଅମାନିଆ ପଣରେ କଠଉ ଛତା ନନେଇ ବଣରେ ସାରାଦିନ ଗାଈ ବାଛୁରୀଙ୍କ ପଛରେ ଘୂରିବୁଲିବା କାମକୁ ପୁଅର ପସନ୍ଦ କରିପାରୁ ନାହାନ୍ତି ମାଆ । ଗୋପାଳକୃଷ୍ଣ ଏହାର ଚିତ୍ର ଅତ୍ୟନ୍ତ ସାର୍ଥକ ଭାବେ ପ୍ରଦାନ କରନ୍ତି,-

 

‘‘କୋଇଲି, ନଳିନ ମୃଦୁଚରଣ ନବ ବନେ କଣ୍ଟକ ପାଷାଣ । ନିରନ୍ତରେ

ବାଜୁଥିବ ବୁଲୁ, ଆଲୋ ! / ନ ନେଲା ପାଦୁକା ନିଅ ମୁଁ ବୋଲୁଲୋ ।

ନିରେଖ ଜନ ପ୍ରାୟେ ବୁଲୁଛି, ଆଲୋ/ନିର୍ଦ୍ଦୋଷେ ମୋତେ ଏ ଦଣ୍ଡ ଦେଇଛିଲୋ ।”

 

ଶ୍ରୀକୃଷ୍ଣଙ୍କର ଏ ଅଭାବିତ ବନଗମନ ଏବଂ ଅହେତୁକ ବିଳମ୍ବର କାରଣ ଖୋଜୁ ଖୋଜୁ ଏକ ବିଚିତ୍ର ଚିନ୍ତାରେ ସନ୍ତୁଳିତା ହୋଇ ପଡ଼ିଛନ୍ତି ଯଶୋଦା । ଏହି ଚିନ୍ତାଟି ଯେତିକି ଅଭାବିତ ସେତିକି ହାସ୍ୟକର ମଧ୍ୟ । କୌଣସି କୋଇଲିରେ ଏ ଧରଣର ଚିନ୍ତା ମିଳେନାହିଁ । ଏହା ଗୋପାଳକୃଷ୍ଣଙ୍କ ନିଜସ୍ୱ କଳ୍ପନା । ତାହା ହେଲା ସମ୍ଭବତଃ ଶ୍ରୀକୃଷ୍ଣଙ୍କର ମା’ଙ୍କଠାରୁ କ୍ଷୀରପାନ କରିବାକୁ ଇଚ୍ଛା ଅଛି, ମାତ୍ର ସଖାମାନଙ୍କ ଉପସ୍ଥିତିରେ ଲାଜରେ ଏକଥା ପ୍ରକାଶ ନକରି ଅଭିମାନରେ ଅରଣ୍ୟକୁ ଯାଇ ଫେରିବାକୁ ଅଯଥା ବିଳମ୍ବ କରୁଛନ୍ତି । ଏହାକୁ କବି ଏହିପରି ସଜାନ୍ତି,-

 

“କୋଇଲି, ଫେଡ଼ି, ବୋଲୁ ନାହିଁ ମୋତେ ଫରଚାରେ ମୁଁ ଜାଣୁଛି ଏବେ

ଫଣି ମର୍ଦ୍ଦନ ମୋ ସ୍ତନପାନ ଆଲୋ/ଫରମାଶ କଲେ କରନ୍ତା ଘେନଲୋ

ଫନ୍ଦା ମୋହର ସଖା ଭୟରେ ଆଲୋ/ଫିଟାଇ କହୁ ନାହିଁ ମଦାକ୍ଷରେ ଲୋ! !’’ (ପୃ.୨୩୬)

 

କୋଇଲିଟିରେ ଗୋପାଳକୃଷ୍ଣ ଶ୍ରୀରାଧାଙ୍କୁ କେବଳ ଉପସ୍ଥିତ କରାଇ ନାହାନ୍ତି, ଶ୍ରୀକୃଷ୍ଣଙ୍କ ପତ୍ନୀ ଭାବେ ରାଧାଙ୍କୁ ଦେଖିବା ପାଇଁ ଅଭିଳାଷ ମଧ କରିଛନ୍ତି । (ମୋ କୃଷ୍ଣ ଚନ୍ଦ୍ରମାକୁ ଅନୁରୂପ ଲୋ/ମନ୍ଦ ବିଧାତା ମୋତେ ନଦେଲା ଆଲୋ/ମନ ମୋ ବଧୂ ସଧେ ଘାରି ହୋଇଲା ଲୋ । ଅନ୍ତିମ ପର୍ଯ୍ୟାୟରେ ଯଶୋଦାଙ୍କ ବ୍ୟାକୁଳିତ ଉତ୍କଣ୍ଠାର ପରିସମାପ୍ତି ଘଟିଛି ଶ୍ରୀକୃଷ୍ଣଙ୍କ ବନରୁ ଆଗମନ ପରେ । ଶ୍ରୀକୃଷ୍ଣଙ୍କୁ ନିକଟରେ ପାଇ ଯଶୋଦା ଆପଣାର ସବୁଦୁଃଖ ଭୁଲି ଯାଇଛନ୍ତି ।

 

ଅପରପକ୍ଷରେ ବିପ୍ର ଭାଗୀରଥିଙ୍କ ‘ବାତ୍ସଲ୍ୟ କୋଇଲି’ ଅନୁରୂପ ଭାବରେ ଗୋଚାରଣକୁ ଯାଇଥିବା ଶ୍ରୀକୃଷ୍ଣଙ୍କ ଅକାରଣରେ ବିଳମ୍ବ ହେଉଥିବାରୁ ଜନନୀ ଯଶୋଦାଙ୍କ ଦୁଃଖର ଚିତ୍ର ପ୍ରଦାନ କରିଛି । ଅରଣ୍ୟରୁ ଫେରିବା ବେଳର କୌଣସି ସଙ୍କେତ ବିଶେଷକରି ଗୋରୁ ଖୁରାର ଧୂଳି ନଦେଖି ଏବଂ ହମ୍ୱାରାବ ଓ ବଂଶୀଧ୍ୱନି ନଶୁଣି ଯଶୋଦା ବିଚଳିଚା ହୋଇପଡ଼ିଛନ୍ତି । ଅରଣ୍ୟରେ ଶ୍ରୀକୃଷ୍ଣଙ୍କୁ ଭୋଗୁଥିବା କଷ୍ଟର କଳ୍ପନା ମା’ ଏହିପରି କରନ୍ତି ।

 

‘‘କୋଇଲି, ବଂଶୀ ରବ ଶୁଭୁ ନାହିଁ । ବହୁ ଦୂର ଗମିଲାକି ସେହି । ବସିଥିବ ପାଇ ବଇରାଗ / ବଳେ ତେଜ୍ୟା କରି ସଖାଙ୍କ ସାଙ୍ଗ ଲୋ / ବନଜନେତ୍ରେ ଖେଳାଇ ବନ / ବିକଳେ ମୋତେ ଲୋଡ଼ୁଥିବ ଧନ ଲୋ । (ପୃ-୨୪୮)

 

ଶେଷରେ ଭାଗୀରଥି ମା’ଙ୍କ ନିକଟକୁ ପୁଅକୁ ଘେନି ଆସି ଏକ ମିଳନାନ୍ତକ ସ୍ଥିତିରେ କୋଇଲିର ଉପସଂହାର କରିଛନ୍ତି । ଏଥିରେ କେତେକ ଶବ୍ଦଧନ୍ଦା ଭିଚରେ ପ୍ରକୃତ ଭାବକୁ ପ୍ରକାଶ କରିବାକୁ ପ୍ରୟାସ କରାଯାଇଛି । ବେଳେବେଳେ ଅକ୍ଷରକ୍ରମକୁ ରକ୍ଷା କରିବାକୁ ଯାଇ ଏହା କରାଯାଇଥିବା ବେଳେ ଅନ୍ୟ ସମୟରେ ନିରୋଳ ପାଣ୍ଡିତ୍ୟ ପ୍ରଦର୍ଶନ ପାଇଁ ଏହା ବ୍ୟବହୃତ ହୋଇଛି । ଅରବିନ୍ଦ ବନ୍ଧୁ (ସୂର୍ଯ୍ୟ) ଧରସୁତା ବଲ୍ଲଭ (ଶିବ), ହନୁଭଣ୍ଡାର (ଗଣ୍ଡ), କ୍ଷିତିଜାପତି (ରାମଚନ୍ଦ୍ର) ଓ କ୍ଷିତିସୁର (ବ୍ରାହ୍ମଣ) ଆଦି ଏହାର ଉଦାହରଣ । ଓଡ଼ିଆ କୃଷ୍ଣଭକ୍ତି ସାହିତ୍ୟରେ ଏହି କୋଇଲିମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

 

୨:୬ ପଦିଆ ଓଡ଼ିଆ କୃଷ୍ଣଭକ୍ତି ଗୀତିକାମାନଙ୍କ ମଧ୍ୟରେ ଏକ ଅନ୍ୟତମ ବିଭାବ । ଏହା କେତେକ ପଦରେ ସୀମିତ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଅଛି । ବଡ଼ମ୍ବାର ରାଜା ପୁଣ୍ଡରୀକ ବୀରବର ମଙ୍ଗରାଜଙ୍କ ‘ଶହେପଦିଆ’ କୃଷ୍ଣକଥାକୁ ଉପଜୀବ୍ୟ କରି ରଚିତ । ଲେଖକ ଗ୍ରନ୍ଥର ଆରମ୍ଭରେ ଏହା ବାସୁଦେବ ଦାଶଙ୍କ ‘ପଚାଶ ପଦିଆ’ ଦିଶର ଅନୁସରଣରେ ରଚିତ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଏହା କୃଷ୍ଣଲୀଳାକୁ ଉପଜୀବ୍ୟ କରି ରଚିତ । କୃଷ୍ଣଙ୍କ ଜନ୍ମଠାରୁ ଆରମ୍ଭ କରି ଶହେଗୋଟି ପଦରେ ତାଙ୍କର ସାମଗ୍ରିକ ଲୀଳାର ବର୍ଣ୍ଣନା ହୋଇଥିବାରୁ ଏହାର ଏହିପରି ନାମକରଣ ହୋଇଅଛି । ରାଧାକୃଷ୍ଣଙ୍କ ମଧୁର ପ୍ରଣୟଲୀଳା ଏହାର ମୁଖ୍ୟ ଉପଜୀବ୍ୟ । ଏହାର ଭାଷା ଅତ୍ୟନ୍ତ ସରଳ ଓ ସଙ୍ଗୀତମୟ । ଉଦାହରଣ ଭାବେ ଏହି ପଦଟିକୁ ଗ୍ରହଣ କରାଯାଇପାରେ ।

 

‘‘ଏମନ୍ତ ବେଳେ ଅଇଲେ ରାଧିକା । ସବୁ ସୁନ୍ଦରୀରୁ ସେହୁ ଅଧିକା

କୃଷ୍ଣ ମୁଖକୁ ଚାହିଁ ବନ୍ଦାଇଲେ । ଚାରି ଚକ୍ଷୁ ଭେଟ ସେଠାରେ ହେଲେ

ଉପୁଜିଲା ଯାହା ମୋହଛାରନିକି କହିବ ତାହା ।’’

 

ଏହି ‘ଶହେପଦିଆ’ ବ୍ୟତୀତ ଅନ୍ୟ କେତେକ ପଦିଆ ଓଡ଼ିଆ ସାହିତ୍ୟରେ ଦୃଷ୍ଟିଗୋଚର ହୁଏ । ଏମାନଙ୍କ ମଧ୍ୟରେ ବିପ୍ର ନୀଳକଣ୍ଠ ଖାଡ଼ଙ୍ଗାଙ୍କ ‘ଶହେପଦିଆ’, ଭାରତ କବିଙ୍କ ‘ଷାଠିଏ ପଦିଆ, ବ୍ରଜ ସୁନ୍ଦର ପଟ୍ଟନାୟକଙ୍କ ‘ଛପନ ପଦିଆ', କୃଷ୍ଣ ସିଂହଙ୍କ ‘ଛପନ ପଦିଆ, କୃପାସିନ୍ଧୁ ସାମନ୍ତଙ୍କ ‘ଛପନ ପଦିଆ’ ଏବଂ ଅଜ୍ଞାତ କବିଙ୍କ ‘ଛବିଶ ପଦିଆ’ ଆଦି ଉଲ୍ଲେଖଯୋଗ୍ୟ ।

 

୨:୭ ପଦିଆ ପରି ପୋଈ ମଧ୍ୟ ଓଡ଼ିଆ କୃଷ୍ଣ ଭକ୍ତି ଗୀତିକାମାନଙ୍କ ମଧ୍ୟରେ ଏକ ବିଶେଷ ରଚନା । ପଞ୍ଚସଖାଙ୍କ ସମୟକୁ ଏହି ଧରଣର ରଚନା ଓଡ଼ିଆ ସାହିତ୍ୟରେ ପ୍ରତିଷ୍ଠିତ ହୋଇସାରିଥିଲା । ସଂସ୍କୃତ ‘ପଦୀ’ ଶବ୍ଦରୁ ପୋଈ ଶବ୍ଦ ସୃଷ୍ଟି ହୋଇଥିଲା ପରି ଜଣାଯାଏ । ସଂସ୍କୃତ ସାହିତ୍ୟରେ ଥିବା ଚତୁଷ୍ପଦୀ, ଷଟପଦୀ ଓ ଅଷ୍ଟପଦୀ ଆଦି ଲୋକପ୍ରିୟ ରଚନାର ଅନୁସରଣରେ ଏହି ପୋଈ ରଚିତ ହୋଇଥିଲା । କୃଷ୍ଣକଥାକୁ ପ୍ରମୁଖସ୍ଥାନ ଦେଇ ରଚିତ ହୋଇଥିବା ପୋଈମାନଙ୍କ ମଧ୍ୟରେ କଣ୍ଠ ଦାସଙ୍କ ‘ନପୋଈ' ସର୍ବପ୍ରାଚୀନ ବୋଲି ଜଣାଯାଏ । ପଣ୍ଡିତ ନୀଳମଣି ମିଶ୍ର ‘ଓଡ଼ିଆ ପୋଈ ସାହିତ୍ୟ’ରେ ତାଙ୍କୁ ଖ୍ରୀ: ୧୬୬୦ରୁ ଖ୍ରୀ: ୧୭୨୦ ମଧ୍ୟର କବି ବୋଲି କହିଛନ୍ତି (ପୃ-୧୮) I ଯଦି ଓ ତାଙ୍କ ନ’ ପୋଈରୁ ତାଙ୍କ ବଂଶ ପରିଚୟ ଅଥବା ସମୟ ସୀମା ମଧ୍ୟରେ କୌଣସି ତଥ୍ୟ ମିଳେ ନାହିଁ, ତଥାପି ତାଙ୍କ ଶିଷ୍ୟ ଦାଶରଥି ଦାସ ଆପଣା ‘ବ୍ରଜ ବିହାର’ ଗ୍ରନ୍ଥରେ କଣ୍ଠ ଦାସଙ୍କ ନାମକୁ ଅତି ଶ୍ରଦ୍ଧା ତଥା ଭକ୍ତିର ସହିତ ଗ୍ରହଣ କରିଛନ୍ତି । କେଦାର ନାଥ ମହାପାତ୍ରଙ୍କ ଖୁରୁଧା ଇତିହାସରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି (ପୃ. ୧୪୧) । ବ୍ରଜବିହାରର ଚତୁର୍ଥ ବୋଲିର ଶେଷରେ ଦାଶରଥି କହନ୍ତି, ‘କଣ୍ଠଦାସ ଗୋସାଇଁଙ୍କ ଚରଣ ଆଶ୍ରୟେ । ଦାଶରଥି ଦାସ ଯେ ସ୍ଫୁରିତ ହୃଦୟେ ।

 

କଣ୍ଠ ଦାସଙ୍କ ନଅପୋଈର କଥାବସ୍ତୁ ହେଉଛି ଯମୁନାରେ ରାଧା ସ୍ନାନ କରିବା ସମୟରେ କୂଳରେ ରଖି ଦେଇଥିବା ମୁକ୍ତାମାଳାକୁ ଚିଲ ଝାମ୍ପିନେଇ ଆକାଶ ମାର୍ଗରେ ଉଡ଼ିଯାଇଛି । ଗୋଚାରଣ କରୁଥିବା ଶ୍ରୀକୃଷ୍ଣ ବିଲଠାରୁ ମୁକ୍ତାମାଳା ଆଣି ଶ୍ରୀରାଧାଙ୍କୁ ଦେଇଛନ୍ତି ଏବଂ ପ୍ରତିବଦଳରେ ଶ୍ରୀରାଧାଙ୍କୁ ପ୍ରଣୟ ପ୍ରାର୍ଥନା କରିଛନ୍ତି ।

 

ରାଧା ଏହାକୁ ସାମାଜିକ କଳଙ୍କ କହି ପ୍ରତ୍ୟାଖ୍ୟାନ କରନ୍ତେ ଶ୍ରୀକୃଷ୍ଣ ହଟ କରି ବାରମ୍ବାର ପ୍ରେମ ନିବେଦନ କରିଛନ୍ତି । ଶେଷରେ ରାଧା ତାଙ୍କ କପାଳରେ ଗୋଇଠା ମାରିଛନ୍ତି ଓ ପାଦର ଝୁଣ୍ଟିଆ ବାଜି ଶ୍ରୀକୃଷ୍ଣଙ୍କ କପାଳରୁ ରକ୍ତ ଝରିଛି । ଅପମାନିତ ଶ୍ରୀକୃଷ୍ଣ ପରେ ବେଣୁ ଧ୍ୱନିରେ ଶ୍ରୀରାଧାଙ୍କ ହୃଦୟ ପରିବର୍ତ୍ତନ କରିଛନ୍ତି ଏବଂ ଉଭୟଙ୍କ ମିଳନ ହୋଇଅଛି । ଚିଲ ମୁକ୍ତାମାଳ ନେବା ଏବଂ ଶ୍ରୀକୃଷ୍ଣ ଚିଲଠାରୁ ମୁକ୍ତାମାଳ ଆଣିବା ପ୍ରସଙ୍ଗ ସମ୍ପୂର୍ଣ୍ଣ ନୂତନ । କୌଣସି ଘଟାଟୋପ ତଥା ଅବାଞ୍ଚିତ ଶବ୍ଦଙ୍କ ଆଡ଼ମ୍ବର ନଥାଇ ଅତି ସରଳ ଭାବରେ କଣ୍ଠ ଦାସ ଆପଣାର ବକ୍ତବ୍ୟ ନଅପୋଈରେ ବ୍ୟକ୍ତ କରିଛନ୍ତି ।

 

ନଅପୋଈର ପରବର୍ତ୍ତୀ ରଚନା ଭାବେ କବି ଯୁବଭଞ୍ଜଙ୍କ ‘ବାରପୋଈ' ଏବଂ ଯୁଗଭଞ୍ଜଙ୍କ ଦଶପୋଈକୁ ଗ୍ରହଣ କରାଯାଏ । ଏହି ଯୁଗଭଞ୍ଜ ଓ ଯୁବଭଞ୍ଜ ଏକ ବ୍ୟକ୍ତି ଭଳି ଅନୁମିତ ହୁଅନ୍ତି । ସମ୍ଭବତଃ ସେହିଁ ଥିଲେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ । ପଣ୍ଡିତ ନୀଳମଣି ମିଶ୍ରଙ୍କର ଏହି ମତ (ଓ.ପୋଈ ସାହିତ୍ୟ ପୃ.୫୧) କେତେକାଂଶରେ ସତ । ବାରପୋଈର କଥାବସ୍ତୁ ଗତାନୁଗତିକ । ମାତ୍ର ଏହାର ନାୟିକା ରାଧା ନୁହନ୍ତି, ବୃନ୍ଦାବତୀ । ଅପରପକ୍ଷରେ ଦଶପୋଈରେ ଶ୍ରୀରାଧା ବସନ୍ତକାଳରେ ବୃନ୍ଦାବନରେ ଭ୍ରମଣ କରୁଥିବା ବେଳେ ଶ୍ରୀକୃଷ୍ଣ ତାଙ୍କୁ ପ୍ରଣୟ ପ୍ରାର୍ଥନା କରିଛନ୍ତି । ଆକସ୍ମିକ ଭାବେ ଏହା ଯଶୋଦା ଦେଖି ଶ୍ରୀକୃଷ୍ଣଙ୍କ ପ୍ରତି କ୍ରୋଧ ପ୍ରକାଶ କରନ୍ତେ ଶ୍ରୀକୃଷ୍ଣ ଲୁଚି ପଳାଇ ଯାଇଛନ୍ତି ଏବଂ ରାଧା ନିଜ ଘରକୁ ଯାଇଛନ୍ତି, ମାତ୍ର ମନରୁ ଶ୍ରୀକୃଷ୍ଣଙ୍କ ମୋହିନୀ ମୂର୍ତ୍ତିକୁ ଦୂର କରି ପାରିନାହାନ୍ତି ଓ ପରେ ଦୂତୀ ସହ କୃଷ୍ଣ ରାତ୍ରିରେ ଶ୍ରୀରାଧାଙ୍କ କେଳି ପୁରରେ ପହଞ୍ଚିଛନ୍ତି । ରାଧା କ୍ରୋଧରେ ପଦ ପ୍ରହାର କରନ୍ତେ ତାଙ୍କ ପାଦଧୂଳି ନେଇ ନିଜ ପ୍ରଣୟ ଜ୍ୱାଳା ଉପଶମ କରିଛନ୍ତି । ଏତିକିବେଳେ ରାଧାଙ୍କ ଶାଶୂ ସେଠାରେ ପହଞ୍ଚିବାରୁ ସେ ଲୁଚି ପଳାଇ ଆସି କାମଦେବଙ୍କୁ ପୂଜା କରି ମୋହନ ବେଣୁବାଦନ କରି ଶ୍ରୀରାଧାଙ୍କୁ ଆପଣାର କରିଛନ୍ତି ଏବଂ ଶେଷରେ ରାଧାକୃଷ୍ଣଙ୍କ ମିଳନ ହୋଇଅଛି ।

 

ବ୍ରଜନାଥ ବଡ଼ଜେନାଙ୍କ ‘ଦଶପୋଈ’ କୃଷ୍ଣଲୀଳାତ୍ମକ ଏକ ଉଲ୍ଲେଖଯୋଗ୍ୟ ସୃଷ୍ଟି । ଏହି ଗ୍ରନ୍ଥରେ ରାଧାକୃଷ୍ଣଙ୍କ ଶୃଙ୍ଗାର ଲୀଳା ଅତି ମାତ୍ରାରେ ବର୍ଣ୍ଣିତ ହୋଇଥିବାରୁ ଆଲୋଚକମାନେ ଏହାକୁ କୃଷ୍ଣକଥାତ୍ମକ ଗ୍ରନ୍ଥ ଭାବରେ ଗ୍ରହଣ କରିବାକୁ କୁଣ୍ଠିତ ହୁଅନ୍ତି । ରାଧାକୃଷ୍ଣଙ୍କ ନାମ କାଢ଼ିଦେଇ ଯେକୌଣସି ନାୟକ ନାୟିକାଙ୍କ ନାମ ଦେଇଦେଲେ ଏହା ଅଷ୍ଟାଦଶ ଶତାବ୍ଦୀର ଯେକୌଣସି କାଳ୍ପନିକ କାବ୍ୟର ସମସ୍ତ ବିଭାବକୁ ଆପଣାର କରିନେବ । ଶୃଙ୍ଗାରିକତାର ନିଟୋଳ ନଗ୍ନ ବର୍ଣ୍ଣନା ଏହିପରି :

 

“ଦେଖ ପଥିକ ପଥରେ କେ ମନମଥରେ ଦୂତୀ ରୀତି କରି ରତି ଦେଲା

ନୂଆ ନୂଆ ବନ୍ଧ ରୀତି ରତିରେ ଯୁବତୀ ବତିଶ ଦ୍ୱିଗୁଣ ଗୁଣ କଲା

ଊର ପରୁ ପୟୋଧର ଗଣ୍ଡରୁ ଆଦର ଗଳାରୁ ଗଳା ନକରି ଭିନ୍ନ

କଉଁ କାନ୍ତାକାନ୍ତ ତୋଷେ ଦିଗମ୍ବର ବେଶେ କଲେ ନାନା ରସେ କେଳିମାନ ।’’

 

ଅଷ୍ଟାଦଶ ଶତକର ଅନ୍ୟ ଜଣେ କବି ଅଚ୍ୟୁତ ଗୋକୁଳଙ୍କ ‘ଦଶପୋଈ' ଓଡ଼ିଆ କୃଷ୍ଣ ଲୀଳାତ୍ମକ ପୋଈ ସାହିତ୍ୟର ଏକ ଅନବଦ୍ୟ ସୃଷ୍ଟି । ଏକ ବାସନ୍ତୀ ରାତ୍ରିରେ ରାଧାଙ୍କ ପ୍ରଣୟ ଆଶାରେ ଶ୍ରୀକୃଷ୍ଣ ତାଙ୍କ କେଳିପୁରକୁ ଯାତ୍ରା କରିଛନ୍ତି । ବଜ୍ର ଅର୍ଗଳ ଦେଇ ଭିତରେ ଶୋଇଥିବା ରାଧାଙ୍କୁ ପାଇବା ପାଇଁ କବାଟକୁ ମୁଣ୍ଡରେ ଠେଲି ଫିଟାଇବାକୁ ଚେଷ୍ଟା କରନ୍ତେ ତାଙ୍କ କପାଳରୁ ରକ୍ତ ଝରିଛି । ରାଧାଙ୍କ ପାଖରେ ରକ୍ତାକ୍ତ ଅବସ୍ଥାରେ ପହଞ୍ଚି ଶ୍ରୀକୃଷ୍ଣ ପ୍ରଣୟ ନିବେଦନ କଲାବେଳେ ରାଧା ଚୋର ଚୋର ବୋଲି ରଡ଼ି ଛାଡ଼ିଛନ୍ତି ଏବଂ ଶ୍ରୀ କୃଷ୍ଣଙ୍କୁ ପଦ ପ୍ରହାର କରିଛନ୍ତି । କୃଷ୍ଣ ଶେଷରେ ନିରୂପାୟ ହୋଇ ବୃନ୍ଦାବନରେ ବ୍ରହ୍ମାଙ୍କୁ ସ୍ତୁତି କରିଛନ୍ତି ଏବଂ ତାଙ୍କଠାରୁ ମୋହନ ମୂରଲୀ ପାଇ ଏହି ଧ୍ୱନି ମାଧ୍ୟମରେ ରାଧାକୁ ଆକର୍ଷଣ କରିଛନ୍ତି । ଉଭୟଙ୍କର ମିଳନରେ ଗ୍ରନ୍ଥର ପରିସମାପ୍ତି ଘଟିଛି । ଅଷ୍ଟାଦଶ ଶତାବ୍ଦୀର ଅନ୍ୟତମ କବି ଦ୍ୱିଜ ସତ୍ୟବାଦୀଙ୍କ ‘ସାତପୋଈ’ରେ କୃଷ୍ଣଙ୍କର କୌଣସି : ଲୀଳାତ୍ମକ ବର୍ଣ୍ଣନାର ଉଲ୍ଲେଖ ନାହିଁ । କେବଳ ବିଷ୍ଣୁଙ୍କ ମହିମାର ବର୍ଣ୍ଣନା କରାଯାଇ ରାମକୃଷ୍ଣଙ୍କ ଅବତାର ଆଦିର ଉଦ୍ଦେଶ୍ୟ ଏଥିରେ ବର୍ଣ୍ଣନା କରାଯାଇଛି ।

 

ରାମଚନ୍ଦ୍ର ଭ୍ରମରବର ରାୟ ବା ଭୃଙ୍ଗବର ରାୟଙ୍କ ‘ଛ’ ପୋଈ’ରେ କୃଷ୍ଣଙ୍କ ଲୀଳାମୟ ବର୍ଣ୍ଣନା ନାହିଁ । ଏଥିରେ ଜଣେ ଦୀନ ବ୍ୟକ୍ତି ଆପଣାର ଦୁଃଖ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ନିବେଦନ କରିଛନ୍ତି । ବିପ୍ର ଗିରିଧର ଦାସଙ୍କ ବାରପୋଈରେ ଶ୍ରୀକୃଷ୍ଣଙ୍କ ବସନ୍ତକାଳୀନ ଲୀଳା ବର୍ଣ୍ଣିତ ହୋଇଅଛି । ପ୍ରତ୍ୟେକ ପୋଈର ଆରମ୍ଭରେ ଏକ ଗୀତ ବା ‘ଚଣ୍ଡକ’ କବି ରଚନା କରିଛନ୍ତି, ଯେଉଁଥିରେ ସେହି ପୋଈର କଥାବସ୍ତୁ ଅତି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି । ଥରେ ରାଧା ଫୁଲ ତୋଳିବାକୁ ସଖୀମାନଙ୍କ ମେଳରେ ଆସିବା ବେଳେ ସଖୀମାନଙ୍କୁ ହରାଇ ଏକାକିନୀ ହୋଇ ଯମୁନାରେ ସ୍ନାନ କରିଛନ୍ତି । ଏହି ସ୍ନାନବେଳେ ନିଜର ମଥାମଣିକୁ ଜଳ ଭିତରେ ହଜାଇ ବସିଛନ୍ତି ସେ । ଶ୍ରୀକୃଷ୍ଣ ଏତେବେଳେ ରାଧାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଛନ୍ତି ଏବଂ ସେ ମଥାମଣି ଖୋଜିଦେଲେ ଯାହା ମାଗିବେ ତାହା । ରାଧା ଦେବେ ବୋଲି ପ୍ରତିଜ୍ଞା କରାଇ ମଥାମଣି ଖୋଜି ଦେଇଛନ୍ତି ଏବଂ ପ୍ରତିବଦଳରେ ପ୍ରୀତି ଭିକ୍ଷା କରିଛନ୍ତି । ଏ ଅଭାବିତ କଥା ଶୁଣି ରାଧା ଶ୍ରୀକୃଷ୍ଣଙ୍କୁ ଗାଳିଦେଇ ବିଦା କରିଦେଇଛନ୍ତି । ଶ୍ରୀକୃଷ୍ଣଙ୍କ ଦୁଃଖ ଦୂର ପାଇଁ ପୌର୍ଣ୍ଣମାସୀ ଆସି ପହଞ୍ଚିଛନ୍ତି ଏବଂ ଶ୍ରୀକୃଷ୍ଣଙ୍କ ଠାରୁ ସବୁ କଥା ଶ୍ରବଣ କରି ତାଙ୍କୁ ସାନ୍ତ୍ୱନା ଦେଇ ରାଧାଙ୍କ ନିକଟରେ ଶ୍ରୀକୃଷ୍ଣଙ୍କ ପରଂବ୍ରହ୍ମତ୍ୱ ଜଣାଇଛନ୍ତି । ରାଧା ଆପଣାର କୃତକର୍ମ ପାଇଁ ପଶ୍ଚାତ୍ତାପ କରିଛନ୍ତି । ଶେଷରେ ଉଭୟଙ୍କର ମିଳନ ହୋଇଛି ।

 

କବି କୃଷ୍ଣକରଙ୍କର ‘ପନ୍ଦର ପୋଈ' ଏକ ସାର୍ଥକ କୃଷ୍ଣଲୀଳାତ୍ମକ ରଚନା । ୧୮୦୧ ଖ୍ରୀ:ରେ ସେ ସମ୍ବଲପୁରର କୁମ୍ଭାରି ଅନ୍ତର୍ଗତ ବାଦୀପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବାର ଜଣାଯାଏ ଏବଂ ପରିଣତ ବୟସରେ ‘ପନ୍ଦର ପୋଈ' ରଚନା କରିଥିବାର ଅନୁମିତ ହୁଏ (ଓ. ପୋଈ ସା.ନୀଳମଣି ପୃ.୧୧୧) । ଏଥିରେ କୃଷ୍ଣଙ୍କ କୈଶୋର ଲୀଳାର ବର୍ଣ୍ଣନା ପରିବର୍ତ୍ତେ ଜନ୍ମଠାରୁ କଂସ ବଧ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗ ବର୍ଣ୍ଣିତ ହୋଇଅଛି । ଏହି ସମୟର ଅନ୍ୟ ଏକ କୃଷ୍ଣ କଥାତ୍ମକ ପୋଈ ହେଉଛି କବି ଗୋବିନ୍ଦଙ୍କ ‘ରସପୋଈ’ । ଏହାର କଥାବସ୍ତୁ ହେଉଛି ଥରେ ଜଳ ଆଣିବାକୁ ଯାଉଥିବା ବୃନ୍ଦାବତୀଙ୍କୁ ଶ୍ରୀକୃଷ୍ଣ ଯମୁନା କୂଳରେ ‘ଘାଟ ମାହାସୁଲ’ ମାଗିଛନ୍ତି ! ମାହାସୁଲ ବଦଳରେ ସୁରତି ଦେଲେ ସେ ତାଙ୍କୁ ଛାଡ଼ିଦେବେ କହିଲା ବେଳେ ବୃନ୍ଦା ତାଙ୍କୁ ଏହା ପାପ କଥା କହି ଦୂରେଇ ଦେଇଛନ୍ତି । ମାତ୍ର ଅଝଟପଣ କରି ଶ୍ରୀକୃଷ୍ଣ ତାଙ୍କ ବକ୍ଷ ଦେଶରେ ହସ୍ତ ସଞ୍ଚାଳନ କରନ୍ତେ ବୃନ୍ଦା ତାଙ୍କୁ ଆକଟ କରିଛନ୍ତି ଏବଂ ସରଲବଣୀ ଦେବାର ପ୍ରଲୋଭନ ଦେଖାଇଛନ୍ତି । ଶ୍ରୀକୃଷ୍ଣ କିନ୍ତୁ ବ୍ୟଞ୍ଜନା ରୀତିରେ ଚାଙ୍କ ଈପ୍ସିତ କ୍ଷୀର ସର ଲବଣୀର ଚିତ୍ର ଏହିପରି ଦିଅନ୍ତି -

 

‘‘ତୋ କୁଚ ଯୁଗଳ ଲବଣୀଟି ସର ମୁଖେ ତୋ ଅମୃତ ପୂରି ଅଛି

ଛାଡ଼ୁ ଅଙ୍ଗୁ କ୍ଷୁଧା ଯାଉ କାମ ବାଧା ହରଷେ ଚୁମ୍ବନ ଦିଅ ସଖୀ ।

ତୁମ୍ଭରି ନିମନ୍ତେ ଜନମ ଗୁପତେ ବିଧାତା ସର୍ଜିଣ ଅଛି ଯେତେ

ଦୁଷ୍ଟ ନିବାରିବି ଗୋକୁଳ ରଖିବି ଷୋଳ ସହସ୍ରନାରୀ ଭୋଗ୍ୟ ମୋତେ ।’’

 

ଅନନ୍ୟୋପାୟା ବୃନ୍ଦାବତୀ ନିଜ ସୁବର୍ଣ୍ଣ ବାହିରେ ଶ୍ରୀକୃଷ୍ଣଙ୍କ ବକ୍ଷ ଦେଶକୁ ଆଘାତ କରି ପଳାଇ ଆସିବା ପରେ ବିରହୀ ଶ୍ରୀକୃଷ୍ଣ ବ୍ରହ୍ମା ପ୍ରଦତ୍ତ ମୋହନ ମୁରଲୀରେ ବୃନ୍ଦାଙ୍କ ନାମ ଧରି ଡାକିଛନ୍ତି । ବୃନ୍ଦା ଆଉ ଦମ୍ଭ ଧରି ପାରିନାହାନ୍ତି । ଦୂତୀର ସହାୟତାରେ ଉଭୟଙ୍କ ମିଳନ ସଂସାଧିତ ହୋଇଛି ।

 

ଶ୍ୟାମ ସୁନ୍ଦରଙ୍କ ‘ଅନୁରାଗ କଳ୍ପଲତା’ରେ ଆଠଗୋଟି ପୋଈର ଉପସ୍ଥିତି ଦେଖାଯାଏ । ଏହାର ଆଠଗୋଟି ସ୍ତବକରେ ଥିବା ଏହି ଆଠ ପୋଈରେ ନିତ୍ୟ ଗୋଲୋକ ସ୍ଥଳର ବର୍ଣ୍ଣନା, ଶ୍ରୀକୃଷ୍ଣଙ୍କ ଜନ୍ମଲୀଳା, ଶ୍ରୀକୃଷ୍ଣଙ୍କ ବେଶ ବର୍ଣ୍ଣନା ଏବଂ ଗୋପୀଙ୍କ ସହ କ୍ରୀଡ଼ା, ନାୟିକା ତଥା ନାୟକର ବିରହ ବର୍ଣ୍ଣନା ଏବଂ ବସନ୍ତ ତଥା ବର୍ଷା ଋତୁର ବର୍ଣ୍ଣନା ଅତିକଳାତ୍ମକ ଭାବରେ କରାଯାଇଅଛି ।

 

କୃଷ୍ଣ କଥାତ୍ମକ ଏହି ପୋଈମାନଙ୍କୁ ବିଶ୍ଳେଷଣ କଲେ ଜଣାଯାଏ ଅଧିକାଂଶ ପୋଈର କଥାବସ୍ତୁ ଏକ । ରାଧା ବା ଚନ୍ଦ୍ରାବଳୀ ପ୍ରତି କୃଷ୍ଣଙ୍କ ଆକର୍ଷଣ, ପ୍ରେମ ନିବେଦନ, ନାୟିକା ଦ୍ଵାରା ପ୍ରତ୍ୟାଖ୍ୟାନ, ହତାଶ ପ୍ରେମିକଙ୍କର ଅନୁଚିନ୍ତା ଏବଂ ଶେଷରେ ବ୍ରହ୍ମା, ପୌର୍ଣ୍ଣମାସୀ ଆଦିଙ୍କ ସହାୟତାରେ ମୁରଲୀ ପ୍ରାପ୍ତି, ବଂଶୀବାଦନ, ନାୟିକାଙ୍କ ଦମ୍ଭ ଭଙ୍ଗ ଏବଂ ମିଳନ । ଏଥିରେ ବେଳେବେଳେ ନୂତନ କଥାବସ୍ତୁର ସଂଯୋଜନାରେ ଚମତ୍କାରିତା ସୃଷ୍ଟି କରାଯାଇଛି । ମୁକ୍ତାମାଳା ଚିଲ ଦ୍ୱାରା ହରଣ ଅଥବା ଜଳରେ ହାର ପଡ଼ିଯିବା ଆଦି ଏହାର ଉଦାହରଣ । ଏତଦ୍‌ବ୍ୟତୀତ ଏହାର ଉପମା ମଧ୍ୟ ବେଶ୍ କଳାତ୍ମକ । ଉଦାହରଣ ସ୍ଵରୂପ ନଅପୋଈର କବି କଣ୍ଠଦାସ ରାଧାକୃଷ୍ଣଙ୍କ ମିଳନ ଚିତ୍ର ଦେବାକୁ ଯାଇ ଦୁଇଟି ସୁନ୍ଦର ପ୍ରତୀକ ଖଞ୍ଜି ଦେଇଛନ୍ତି । ତାହା ହେଲା –

 

‘‘କନକ ନିର୍ମିତ ଘନେକି ଜଡ଼ିତ ଗଙ୍ଗା ସାଗର କି ମିଶାମିଶି

ବେନି ମନତାପ ଘେନିତା କନ୍ଦର୍ପ ସଳାବନ୍ତେ ମନ ସୁଖେ ରସି ।’’

 

ଏତଦ୍‌ବ୍ୟତୀତ ଭକ୍ତିମାର୍ଗୀୟ କେତେକ ସାଧନା ପଦ୍ଧତି ସମ୍ପର୍କରେ ମଧ୍ୟ ଭୃଙ୍ଗବର ରାୟଙ୍କ ଛ’ ପୋଈରେ ବର୍ଣ୍ଣନା କରାଯାଇଛି । ସଂସାରାସକ୍ତି (ଘର ଜଂଜାଳେ ମୁଁ ଛନ୍ନ ହେଲି ଅବିଚ୍ଛନ୍ନ ସଂଖ୍ୟାକେ କରିବ ମୋ ଅଘର), ସଂସାରାସକ୍ତି ପାଇଁ ପଶ୍ଚାତ୍ତାପ (ତବ ଚରଣ ବନ୍ଦନ ସ୍ମରଣ ଭଜନ ନ କଲଇଁ ସନ୍ତତ), ପରିକର ଭାବନା (କର କରୁଣା ବହନ ହେ ରାଧା ମୋହନ ହେବି ପଦ୍ମପାଦେ ପରିକର) । ଈଷ୍ଟଦେବଙ୍କ ପଦରଜ ପ୍ରାର୍ଥନା (ଦରଧର ନରକର ଭୟ ଭ୍ରଷ୍ଟକର ଦତ୍ତକର ତବ ପଦରଜ) ଏବଂ ଆତ୍ମ ସମର୍ପଣ (ଯତନେ ଦମ୍ଭ ତେଜିବ ଏ ମୋ ମୃଢ଼ ଜୀବ ଭଜନେ ରହିବ ଅବିରଚ) । ସୁବର୍ଣ୍ଣପୁର ଭୂଗଙ୍କ ଚଉଦପୋଈରେ ନାମ ମହାତ୍ମ୍ୟ ସମ୍ପର୍କରେ ସୁନ୍ଦର ପଂକ୍ତି ରହିଅଛି । ଅମୃତରୁ ଅଧିକ ମଧୁର ଶ୍ରୀକୃଷ୍ଣଙ୍କର ନାମ । ଶ୍ୟାମ ନାମରୁ ଅଧିକ କୌଣସି ବସ୍ତୁ ଏ ବିଶ୍ୱରେ ନାହିଁ, ଏହା ଶ୍ରୀରାଧା ସୃଷ୍ଟି କରି କହନ୍ତି -

 

‘‘ଯେବେ ଶ୍ୟାମନାମ ସମ ସ୍ୱରୂପ ସୁଷମ ଅଛି ଦେଖାଇଣ ମୋତେ ରଖ

ଯଶ ଅଶେଷ ମହୀରେ ପ୍ରଚାର ସହୀରେ ଦୁଃଖ ନେତ୍ରକୁ ମୋ ଦେଇ ସୁଖ ।’’

 

ଏହି ପୋଈମାନଙ୍କରେ ନାୟକ ନାୟିକାଙ୍କ ଅନୁରାଗ ବ୍ୟଞ୍ଜନା କାବ୍ୟମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ । ଏଠାରେ ନାୟିକା ପ୍ରଥମେ ନାୟକର ଅବଲୋକନରେ ଅନୁରାଗ ପ୍ରକାଶ କରିନାହିଁ । କାରଣ ପୋଈ ସାହିତ୍ୟର ନାୟିକାମାନେ ମୁଖ୍ୟତଃ ଇଚ୍ଛାବତୀ । ଓଡ଼ିଆ ଘରର ବୋହୁ ଭୁଆସୁଣୀଙ୍କ ଭଳି ସେ ପ୍ରଥମେ କୌଣସି କଥା ପ୍ରକାଶ କରି ନାହାନ୍ତି । ଅଭିମାନିନୀ ଅଥବା ସ୍ଥଳ ବିଶେଷରେ କୋପିତା ନାୟିକାର ମାନଭଞ୍ଜନ ପାଇଁ ଶ୍ରୀକୃଷ୍ଣ ଚାଟୁ କରିବାରେ ଅତ୍ୟନ୍ତ ଦକ୍ଷ । ଯୁଗ ଭଞ୍ଜଙ୍କ ଦଶପୋଈରୁ ଏକ ଉଦାହରଣ ଏ ପ୍ରସଙ୍ଗରେ ଦିଆଯାଇପାରେ -

 

‘‘ଲେଖି ଲଲାଟେ ତିଳକ ସଖୀ ମୁଁ କାଳକ ମୁଖକୁ ଦର୍ପଣ ଦେଖାଇବି

ରାମା ରତନ ବର୍ତ୍ତନ ଦେଲେ ଚୁମ୍ବଦାନ ଦୁଃଖକୁ ପଛକୁ ପକାଇବି ।

ଚାରୁ ଚରଣ ମାଜିବି ଅଳତା ରଞ୍ଜିବି ନାପିତ ଠାରୁ ଅଧିକ ମୁହିଁ ।

କରି ମୁଁ ସୁପାଚି ଛାତି ଦେବି ପାତି ଜୀବିତେ ଦୋଷ କରିବି ନାହିଁ ।’’

 

ମିଳନକୁ ଅଧିକ ମନୋଜ୍ଞ ଓ ମଧୁମୟ କରିବା ପାଇଁ ପୋଈର କବିମାନେ ସ୍ଥଳବିଶେଷରେ ଲଘୁ ବିପ୍ରଲୟର ବର୍ଣ୍ଣନା କରିଛନ୍ତି । ମାତ୍ର ଏମାନେ ଏତେ ପ୍ରଭାବଶାଳୀ ନୁହଁନ୍ତି ।

 

ପୋଈ ସାହିତ୍ୟର ଏକ ବିଲକ୍ଷଣ ବିଶେଷତ୍ୱ ହେଲା ନାୟକ ନାୟିକାଙ୍କ ଉକ୍ତି ପ୍ରତ୍ୟୁକ୍ତି ମଧ୍ୟରେ ବଚନ ବିନୋଦ । ଗିରିଧର ଦାସଙ୍କ ବାରପୋଈରୁ ଏହାର ଏକ ଚମତ୍କାର ଉଦାହରଣ ଦିଆଯାଇ ପାରେ । କାଳେ ଶ୍ରୀକୃଷ୍ଣଙ୍କୁ କଳାରଙ୍ଗର ଲୋକ ବୋଲି ଭାବି ରାଧା ତାଙ୍କ ପ୍ରତି ପ୍ରୀତିପୂର୍ଣ୍ଣା ହେବେନାହିଁ, ଏଥିପାଇଁ ଶ୍ରୀକୃଷ୍ଣ କଳାବସ୍ତୁର ମହାତ୍ମ୍ୟ ରାଧାଙ୍କୁ କହିବସନ୍ତି -

 

‘‘କଳା କସ୍ତୁରୀ କପୋଳ ଭ୍ରୂଲଚା ଯୁଗଳ ନୟନେ କଜ୍ଜଳ କେଡ଼େ ଶୋଭା

କଳା ଅଟଇ ଚିକୁର ଜୁଡା ମନୋହର ତହିଁକି ସୁନ୍ଦର ଫୁଲଗଭା ।

ତୋର ତଡ଼ିତ୍ ଶରୀର ଜୁଡ଼ା ମନୋହର ଏଥିକି ସୁନ୍ଦର ନିକି ନୋହେ

ଘନଶ୍ୟାମେ ତୋର ଯୋଗ କୁଚ ଗିରିଅଗ୍ର ବିଧାତା ସଂଯୋଗ ଘନ ରହେ ।’’

 

ଶ୍ରୀକୃଷ୍ଣଙ୍କର ଏ ପ୍ରକାର ଆତ୍ମପକ୍ଷ ପ୍ରଶଂସାସୂଚକ କଥନ କିନ୍ତୁ ଶ୍ରୀରାଧାଙ୍କୁ ପ୍ରଭାବିତ କରିପାରି ନାହିଁ । କଳାରଙ୍ଗର ପ୍ରତିଟି ବସ୍ତୁକୁ ବ୍ୟାଜ ବିରୋଧ କରି ରାଧା କହନ୍ତି –

 

‘‘ରାଧା ବୋଲେ କଳା ହୋଇ ଭଲନୋହେ କେହି କଳଙ୍କ ସେ ହୋଇ ଚନ୍ଦ୍ରେ ରହି

ରାହୁ ଚନ୍ଦ୍ରଗ୍ରାସ କରେ କ୍ଷମକି ନକରେ କଦାକାର ନରେ ପ୍ରାଣ ଯାଇ ।

ଦେବଯୋଗ୍ୟ ଫୁଲେ ଯାଇ ଭ୍ରମର ବସଇ ପିକକାମୀ ଦହେ ଧୁନିଦେଇ

ତୁମ୍ଭେ ଗୋପେ କଳାଚୋର ଖାଅ ଦୁଧସର କୁଳସ୍ତିରୀ ହରବଳେଯାଇ ।’’

 

ପୋଈ ସାହିତ୍ୟରେ ଶ୍ରୀକୃଷ୍ଣ ଅଲୌକିକ ଶକ୍ତି ସମ୍ପନ୍ନ ପରଂବ୍ରହ୍ମ ନୁହଁନ୍ତି, ବରଂ ଏକ ନାରୀ ଲୋଲୁପ ସାଧାରଣ ପ୍ରେମିକଟିଏ ଯେ ବାରମ୍ବାର ବିଭିନ୍ନ ଗୋପୀଙ୍କୁ ପ୍ରେମ ନିବେଦନ କରି ଲାଞ୍ଚନା ଭୋଗିଛନ୍ତି । କେତେବେଳେ ଗାଳି ଶୁଣିଛନ୍ତି ତ କେତେବେଳେ ପଦାଘାତ ସହିଛନ୍ତି । ଏହି ଗାଳି ଭିତରେ ତାଙ୍କ ଚରିତ୍ରର ବିଶେଷ ଦିଗଟି ମଧ୍ୟ ବାରି ହୋଇପଡ଼େ ।

 

‘‘ବାଛୁରୀ ଚରାଉ ବନେ ଭାତ ଖାଉ ନନ୍ଦ ଘରେ ରଖୁଆଳ ପଣେ

ମାଗୁ ଯା ବଚନେ ଜାଣୁ କି ସପନେ ହୋଇଛୁ ନାଗର ଗୋପେ ଜଣେ ।’’

(ନଅପୋଈ : କଣ୍ଠ ଦାସ)

 

ଶ୍ରୀକୃଷ୍ଣଙ୍କ ମଧୁର ମନୋହର ବେଶ ପୋଈମାନଙ୍କରେ ଅତି ମନୋଜ୍ଞ ରୂପରେ ଚିତ୍ରଣ କରାଯାଇଛି । କବି କୃଷକରଙ୍କର ‘ପନ୍ଦର ପୋଈ’ରେ ଶ୍ରୀକୃଷ୍ଣଙ୍କର ମଧୁର ବେଶ ଅତ୍ୟନ୍ତ ହୃଦୟସ୍ପର୍ଶୀ । କଳ୍ପନା ଚମତ୍କାର ଏବଂ ସାର୍ଥକ ଶବ୍ଦ ସଂଯୋଜନା ହେତୁ ଏହା ବିଦଗ୍ଧ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଉଦାହରଣ ସ୍ଵରୂପ :

 

‘‘କଣ୍ଠ ଦେଶରେ ମୁକୁତା ନକ୍ଷତ୍ରକୁ ଜିତା ବାରଣ ଶୁଣ୍ଢକୁ ଜିଣିବାହୁ

ହରିକଟିରେ ଶୋଭନ କନକବସନ କୋଟି ବଳାହକ ସମ କାହୁଁ ।

କରି କର ବୃଷାଳଚା ଯାନୁ କି ଶୋଭିତା ଚରଣେ ଅଷ୍ଟରତ୍ନ ମଞ୍ଜରୀ

ଧୀର ଗତିକି ସୁସ୍ୱର ବାଜଇ ମଧୁର ଭକ୍ତଙ୍କର ଅଟେ ସେ ଗଞ୍ଜରୀ ।”?

 

ପୋଈ ସାହିତ୍ୟର ନାୟିକା ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରଥମେ ଯଦିଓ ଆପଣାର ଅନୁରାଗ ପ୍ରକାଶ କରିନାହାନ୍ତି ପରେ ଶ୍ରୀକୃଷ୍ଣଙ୍କ ଚାଟୁ ଅଥବା ଅନ୍ୟ ଉପଚାର ଦ୍ଵାରା ବଶୀଭୂତା ହୋଇଛନ୍ତି । ସ୍ଥଳବିଶେଷରେ ନାୟିକା ହୋଇଛନ୍ତି ଚନ୍ଦ୍ରାବଳୀ । ପ୍ରଥମ ପର୍ଯ୍ୟାୟରେ ଏମାନେ ‘ନବ କୁଳବତୀ ପତିବ୍ରତା ସତୀ’ ହୋଇଥିଲା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣାର ସ୍ୱଭାବ ପରିବର୍ତ୍ତନ କରିଛନ୍ତି । ବ୍ରଜନାଥଙ୍କ ଦଶପୋଈର ନାୟିକା ରାଧା ସ୍ତମ୍ଭନ, ମୋହନ, ବଶୀକରଣ ଓ ଉଚ୍ଚାଟନ ପ୍ରଭୃତି ଗୁଣର ଅଧିକାରିଣୀ (ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ଘଟନ ଧୃତି ଲୁଂଠନ ଛବି) । ସୌନ୍ଦର୍ଯ୍ୟରେ ସେ ଯୋଗୀମାନଙ୍କର ଯୋଗ ଭଙ୍ଗକାରିଣୀ । ସେତେବେଳେ ସେ ହ୍ଳାଦିନୀ ଶକ୍ତି ସ୍ୱରୂପିଣୀ ନୁହଁନ୍ତି ବରଂ ‘ବାରପୋଈ’ର କବି ଗିରିଧର ଦାସଙ୍କ ଭାଷାରେ ‘ଘନ ପୀନ ଯଉବନୀ ଚନ୍ଦ୍ରମା ବଦନୀ ସୁକୁନ୍ଦରଦନୀ ରାମାବର / ++ ଉରୁ ମଦନକମାଣ ନେତ୍ର ଯୁଗବାଣ ଯହିଁ ଯୋଗୀଗଣ ଯୋଗ ଭଙ୍ଗ’ । ପୋଈର ନାୟିକା ଯେତିକି ଶରୀର ସୁନ୍ଦରୀ ସେତିକି ସମାଜର ଦ୍ରୁତ ନିୟମରେ ଆବଦ୍ଧ । ଶାଶୁ ନଣନ୍ଦଙ୍କ ଗଞ୍ଜଣାରେ ସେ ଅହରହ ଶଙ୍କିତା । ନପୋଈର ନାୟିକା ଆପଣାର ହାର ହରାଇବାବେଳେ ନଣନ୍ଦ ଦ୍ୱନ୍ଦରୁ ରକ୍ଷା ପାଇବା ପାଇଁ ଶ୍ରୀକୃଷ୍ଣଙ୍କ କଥା ମାନିନେବ ବୋଲି ପ୍ରତିଜ୍ଞା କରିବସିଛି । (ସତ୍ୟ କଲି ମୁହିଁ ହାର ମୋତେ ଦେଇ ନଣନ୍ଦ ଦ୍ୱନ୍ଦରୁ ପାରିକର) । ବାରପୋଈର ନାୟିକା ମଣି ହଜାଇ ଶ୍ରୀକୃଷ୍ଣଙ୍କୁ କହିଛି ଯେ, ତା’ର ନଣନ୍ଦର ମଣି ନମିଳିଲେ ସେ ତାଙ୍କ ସହ କଳିକରିବ । କୁନ୍ତରୁ ବଳି ତୀକ୍ଷଣ ଏବଂ ଶାଣିଚ ତା’ର ବାକ୍ୟବାଣକୁ ସେ ସହଜରେ ସହ୍ୟ କରିପାରିବ ନାହିଁ । (ମଣି ଦେଇଛି ନଣନ୍ଦ କରିବ ସେ ଦ୍ୱନ୍ଦ ତା’ର ପରା ମନ୍ଦ ନାହିଁ କେହି / ଭାଷା କୁନ୍ତରୁ ବଳଇ କହିତା ନୁହଇ ନିରତେ ଚଳଇ ମୋତେ ଚାହିଁ ।)

 

ନାୟିକାକୁ ଲାଭ କରିବାକୁ ଶ୍ରୀକୃଷ୍ଣଙ୍କର ଉପାୟର ଅନ୍ତନାହିଁ । କଣ୍ଠଦାସଙ୍କ ଶ୍ରୀକୃଷ୍ଣ କାମଦେବଙ୍କୁ ବୃନ୍ଦାବନରେ ବିଭିନ୍ନ ଉପଚାରରେ ପୂଜା କରିଛନ୍ତି । ପୂଜାରେ ତାଙ୍କର ଉଦ୍ଦେଶ୍ୟ ସଫଳ ହେବାର ସିଦ୍ଧି ଲାଭ କରିବାପରେ ମଧୁର ସ୍ୱରରେ ବଂଶୀବାଦନ କରି ନାୟିକା ଶ୍ରୀରାଧାଙ୍କ ହୃଦୟ ବିଦ୍ରବିତ କରିଛନ୍ତି । ପୋଈ ସାହିତ୍ୟରେ ନାୟିକାକୁ ବଶ କରିବା ପାଇଁ ଶ୍ରୀକୃଷ୍ଣ ପ୍ରଥମେ ବିଭିନ୍ନ ଅଲୌକିକ ଘଟଣା (ହାର ଏବଂ ମଥାମଣି ଆଣିଦେବା)ର ଆଶ୍ରୟ ନେଇଛନ୍ତି । ଏଥିରେ ସଫଳ ନହେବା ପରେ ଚାଟୁ କରିଛନ୍ତି । ଚାଟୁରେ ସଫଳ ନହେବା ପରେ ନାନା ମତେ ଅନୁସରଣ କରିଛନ୍ତି । ତାହା ଫଳପ୍ରଦ ନହେବାରୁ ଦୂତୀକୁ ମାଧ୍ୟମ କରି ପଠାଇଛନ୍ତି । ତାହା କୌଣସି କାମରେ ନଆସିବାରୁ ମନଦୁଃଖରେ ବୃନ୍ଦାବନରେ କେତେବେଳେ ବସିଛନ୍ତି ତ କେତେବେଳେ କାମଦେବଙ୍କୁ ପୂଜା କରିଛନ୍ତି । ମନଦୁଃଖରେ ବସିବା ପରେ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ବଂଶୀ ଦେଇଛନ୍ତି ଏବଂ ତାହା ବଜାଇ ନାୟିକାକୁ ଡାକିବା ପାଇଁ ଉପଦେଶ ଦେଇଛନ୍ତି । କେତେକ ପୋଈରେ ଶ୍ରୀକୃଷ୍ଣଙ୍କ ଦୁଃଖ ଜାଣି ରାଧାକୃଷ୍ଣଙ୍କ ପ୍ରଣୟଲୀଳା ସମ୍ପାଦନକାରିଣୀ ପୌର୍ଣ୍ଣମାସୀ ଆସି ପହଞ୍ଚିଯାଇଛନ୍ତି ଏବଂ ଶ୍ରୀକୃଷ୍ଣଙ୍କ ଗୁଣକୀର୍ତ୍ତନ କରି ନାୟିକା ରାଧାଙ୍କ ମଧ୍ୟରେ କାମଦଶା ଜାଗ୍ରତ କରିଛନ୍ତି । ଗିରିଧର ଦାସଙ୍କ ବାରପୋଈ ଏହାର ଉଦାହରଣ ।

 

ଏହି ପୋଈମାନଙ୍କର କାବ୍ୟିକ ମୂଲ୍ୟବୋଧ ମଧ୍ୟ ଉପେକ୍ଷଣୀୟ ନୁହେଁ । ଉପମା ଚୟନରେ କବିଗଣ ଆପଣାର ସମସ୍ତ ଶକ୍ତିକୁ ଅତି ଉତ୍ତମ ରୂପେ ବିନିଯୋଗ କରିଥିବାର ମନେହୁଏ । ଉଦାହରଣ ସ୍ଵରୂପ ରାଧାକୃଷ୍ଣଙ୍କ ମିଳନ ଚିତ୍ର ଆଙ୍କିଲାବେଳେ ଏହି କବିଗଣ ବିଭିନ୍ନ ଉପମା ଖୋଜିଛନ୍ତି । ସେମାନେ ହେଲେ ମେଘରେ ସୁନାମିଶିବା (କଣ୍ଠଦାସ : ନ’ ପୋଈ), ମେଘ କୋଳରେ ବିଜୁଳି (ବ୍ରଜନାଥ : ଦଶପୋଈ), ମେଘ ଦେହରେ ଲୁଚି ଯାଉଥିବା ଚନ୍ଦ୍ର (ଯୁଗଭଞ୍ଜ : ଦଶପୋଈ, ବ୍ରଜନାଥ : ଦଶପୋଈ), ଗଙ୍ଗାସାଗର ସଙ୍ଗମ (କଣ୍ଠଦାସ : ନ’ପୋଈ), ଯମୁନା ଜଳରେ ପଦ୍ମ (ଯୁଗଭଞ୍ଜ : ଦଶପୋଈ), ପଦ୍ମ କୋଳରେ ଭ୍ରମର (ବ୍ରଜନାଥ : ଦଶପୋଈ ଓ କଣ୍ଠଦାସ : ନ’ପୋଈ), ଗୌରବର୍ଣ୍ଣର । ବକ୍ଷୋଜରେ କୁଷ୍ଣରଙ୍ଗର ଚୁଚୁକ (କଣ୍ଠଦାସ : ନ’ ପୋଈ), ଗୋରା ରଙ୍ଗର ଦେହକୁ କଳା । ରଙ୍ଗର ଶାଢ଼ୀ (ଯୁଗଭଞ୍ଜ : ଦଶପୋଈ), କଷଟି ପଥରରେ ସୁବର୍ଣ୍ଣରେଖା (ଯୁଗଭଞ୍ଜ : ଦଶପୋଈ) ଓ କୋମଳ ତମାଳ ଲତାରେ କେତକୀ ଫୁଟିବା (ବ୍ରଜନାଥ : ଦଶପୋଈ) ଆଦି । ଲକ୍ଷ୍ୟ କରିବାର କଥା ଏହି ସମସ୍ତ ଉପମା ବିଭିନ୍ନ କବିଙ୍କ ଲେଖନୀରେ ଭିନ୍ନ ଭିନ୍ନ ଭାବେ ବର୍ଣ୍ଣିତ । ଏତଦ୍ ବ୍ୟତୀତ ବର୍ଷା ବର୍ଣ୍ଣନା ଏବଂ ବସନ୍ତ ବର୍ଣ୍ଣନାରେ ପୋଈ ପ୍ରଣେତାମାନଙ୍କ ବିଦଗ୍ଧ କବିତ୍ୱର ସ୍ୱର ସ୍ପଷ୍ଟ ହୋଇଯାଏ । ବସନ୍ତର ଚିତ୍ର ପ୍ରାୟ ଅଧିକାଂଶ ପୋଈରେ ଚିତ୍ରିତ । ମାତ୍ର ସମସ୍ତଙ୍କର ବକ୍ତବ୍ୟ ଭିନ୍ନ ଭିନ୍ନ । ଉଦାହରଣ ସ୍ଵରୂପ ଯୁଗଭଞ୍ଜଙ୍କ ଦଶପୋଈରେ ବସନ୍ତର ବ୍ୟାପ୍ତିର ଚିତ୍ର ସ୍ପଷ୍ଟ । କୁହୁକୁହୁ କରି ପିକ ଡାକିବା, ମଳୟପବନ ବହିବା, ବନ ପଲ୍ଲବିତ ହେବା, ଆମ୍ବ ବଉଳିବା ଆଦିରେ ବସନ୍ତର ଆଗମନର ଉଦ୍‌ଘୋଷଣା କରାଯାଇଛି । ମାତ୍ର ବ୍ରଜନାଥଙ୍କ ଦଶପୋଈରେ ଏପରି ବିସ୍ତୃତ ବର୍ଣ୍ଣନା ନାହିଁ, ମାତ୍ର ଚନ୍ଦ୍ର ଏହି ଗୋଟିଏ ଉପମା ମାଧ୍ୟମରେ ସେ ବସନ୍ତର ବୈଶିଷ୍ଟ୍ୟ ଅତି ଚମତ୍କାର ଭାବେ ପ୍ରତିପାଦନ କରିଛନ୍ତି ପଦଟିରେ :

 

‘‘ହେଲା ବସନ୍ତ ସମୟ କାମୁକ ହୃଦୟ କୁମୁଦ ଉଦୟ ପୂର୍ଣ୍ଣ ସୋମ

ପ୍ରୀତି ବଣିକ ଦମ୍ପତି ସୁରତ ସମ୍ପତ୍ତି କଳନ୍ତର ମୂଳଧନ ସମ ।”

 

ଏଠାରେ ମାତ୍ର ଗୋଟିଏ ଉପମାନ ମାଧ୍ୟମରେ ବସନ୍ତର ଐଶ୍ଵର୍ଯ୍ୟ ବ୍ୟଙ୍ଗାତ୍ମକ ଭାବେ ବର୍ଣ୍ଣିତ । ଯୁଗଭଞ୍ଜଙ୍କ ଦଶପୋଈରେ ବସନ୍ତର ଚିତ୍ର କିନ୍ତୁ ଭିନ୍ନ । ବସନ୍ତକାଳୀନ ବୃନ୍ଦାବନର ଶୋଭା ବର୍ଣ୍ଣନା କଲାବେଳେ ବିବାହର ଏକ ପୂର୍ଣ୍ଣ ଚିତ୍ର କବି ଉପସ୍ଥାପନ କରିଛନ୍ତି । ପବନରେ ପୁନ୍ନାଗ (ପୁଂନାଗଙ୍କ ପୁରୁଷ ଶ୍ରେଷ୍ଠ) ଓ ଚମ୍ପା (ବର୍ଣ୍ଣ ସାମ୍ୟରେ ନାରୀ) ଗଛ ଏକାଠି ହୋଇଯିବାର ଶୋଭାରେ ନାରୀ ପୁରୁଷଙ୍କ ବିବାହ, ମଲ୍ଲୀଫୁଲରେ ବସିଥିବା ଭ୍ରମର ଚିତ୍ରରେ ଶଙ୍ଖ ଫୁଙ୍କୁଥିବା ଶଙ୍ଖୁଆ, କୋକିଳର କୁହୁଧ୍ୱନି ମଧ୍ୟରେ ବ୍ରାହ୍ମଣର ମନ୍ତ୍ରପାଠ, ବୃକ୍ଷମୂଳରେ ଝଡ଼ି ପଡ଼ିଥିବା ଗଙ୍ଗଶିଉଳି ଫୁଲ ଦେହରେ ମଧୁଶଯ୍ୟାର ଫୁଲଶେଯକୁ ଅତି ବ୍ୟଞ୍ଜନାତ୍ମକ ଭାବେ ଉପସ୍ଥାପନ କରିଛନ୍ତି କବି । ଗିରିଧର ଦାସଙ୍କ ‘ବାରପୋଈ’ରେ ବସନ୍ତର ଗତାନୁଗତିକ ବର୍ଣ୍ଣନାତ୍ମକ ଚିତ୍ର ଖୁବ୍ କମ୍ । ବରଂ ପାରମ୍ପରିକ ଏକ ଉପମାନ କନ୍ଦର୍ପର ପଞ୍ଚଶର ପ୍ରସଙ୍ଗକୁ ଅଧିକ ଯୁକ୍ତି ସଙ୍ଗତ ବିଶ୍ଳେଷଣ କରିଛନ୍ତି କବି । ‘ନିଆଳି କମଳ ଅଶୋକ ରସାଳ ନୀଳ ଉତ୍ପୋଳ’ ଏହି ପାଞ୍ଚଗୋଟି ଶରକୁ ମାଧବୀ ରୂପକ କମାଣରେ ସଂଯୋଗ କରିଛି କନ୍ଦର୍ପ । ଯାହାର ଗୁଣ ଚଢ଼ାଇବାର ଧ୍ଵନି ହେଉଛି ଭୃଙ୍ଗଗଣଙ୍କ ଶବ୍ଦ (ମାଧବୀ କମାଣ ପୁଣ ଭୃଙ୍ଗ ଗଣ ଧୁନି ଘୋଷ ଗୁଣ ଚଢ଼ାଇ) ।

 

ଶବ୍ଦାଳଙ୍କାରର ପ୍ରୟୋଗ ଏହି ପୋଈମାନଙ୍କରେ ବହୁଳ ଭାବରେ ପରିଲକ୍ଷିତ ନହେଲେ ମଧ୍ୟ ଅତ୍ୟଳ୍ପ ନୁହେଁ । ଭ୍ରମରବର ରାୟ ନିଜ ରଚିତ ‘ଛପୋଈ’ର କାବ୍ୟାଦର୍ଶ ସମ୍ପର୍କରେ କହନ୍ତି ପ୍ରଥମ ପୋଈରେ ଆଦ୍ୟ ପ୍ରାନ୍ତ ଯମକ ଓ ମଧ୍ୟାନୁପ୍ରାସ, ଦ୍ୱିତୀୟ ପୋଈରେ ଅନୁପ୍ରାସ ସହ ପ୍ରାନ୍ତ ଯମକ, ତୃତୀୟ ପୋଈରେ ଅବନା ସହ ଅନୁପ୍ରାସ, । ଚତୁର୍ଥ ତଥା ପଞ୍ଚମ ପୋଈରେ ଶୃଙ୍ଖଳା, ଷଷ୍ଠ ପୋଈରେ ମଧ୍ୟ, ପ୍ରାନ୍ତ ଯମକ ଓ ଛେକାନୁପ୍ରାସ ଶୋଭିତ ହୋଇ କାବ୍ୟର ଶୋଭାକୁ ବହୁଗୁଣିତ କରିବ । ଅବନା ଯୁକ୍ତ ମଧ୍ୟାନୁପ୍ରାସର ଉଦାହରଣ ଏହିପରି -

 

‘‘ଦରଧର ନରକର ଭୟଭ୍ରଷ୍ଟକର ଦତ୍ତକର ତବ ପଦରଜ

ଦଣ୍ଡ ଖଣ୍ଡ ଶମନର କହଇ ଶମର ନଗ୍ରନରବର ଅଗରଜ ।’

 

ମଧ୍ୟକାଳୀନ କାବ୍ୟଭଳି ପୋଈମାନଙ୍କରେ ଶବ୍ଦ ଖେଳର ପ୍ରୟୋଗ ପରିଲକ୍ଷିତ ହୁଏ । ଯୁଗଭଞ୍ଜଙ୍କ ଦଶପୋଈରେ ବସନ୍ତର ଆକ୍ରମଣରେ ଯୋଗୀମାନେ ‘ରାମ’ରେ ଆକାର ଦେଇ ଉଚ୍ଚସ୍ୱରରେ ଡାକିବା (ଯୋଗୀ ନିକର ଡରିଲେ ଉଚ୍ଚେ ଉଚ୍ଚାରିଲେ ରାମନାମରେ ଆକାର ଦେଇ) ଏବଂ କୃଷ୍ଣକରଙ୍କ ପନ୍ଦରପୋଈରେ ବକ୍ଷୋଜକୁ ଶିବଙ୍କ ସହ ସମାନ କରି ଏକାଦଶ ରୁଦ୍ର ଏହି ନ୍ୟାୟରେ ‘ଏକାଦଶସ୍ତନୀ’ କହି ବା ଦୁଇଟି ଉଦାହରଣ । କୃଷ୍ଣ କଥାତ୍ମକ ମଧ୍ୟଯୁଗୀୟ କାବ୍ୟୋତ୍ତର ସାହିତ୍ୟ ମଧ୍ୟରେ ପୋଈର ସ୍ଥାନ ଏଇ ପାଇଁ ସ୍ୱତନ୍ତ୍ର ଓ ଅନନ୍ୟ । (କ୍ରମଶଃ)

 

 

ଚିଦାନନ୍ଦ ବିହାର,

ଫୁଲବାଣୀ

 

***

 

ଆଦିବାସୀ ସମାଜ ଓ ସଂସ୍କୃତି

ପ୍ରଫେସର ଜଗନ୍ନାଥ ମହାନ୍ତି

 

ଆଦିବାସୀମାନେ ଆମର ଆଦିମ ଅଧିବାସୀ । ସେମାନଙ୍କର ପ୍ରାଚୀନତା କଳିବା କଷ୍ଟକର ହେଲେହେଁ ଅନେକ ପଣ୍ଡିତ ଏ ସଂପର୍କରେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥାଆନ୍ତି । ଖ୍ରୀଷ୍ଟପୂର୍ବ ପାଞ୍ଚ ହଜାରରୁ ଅଢ଼େଇ ହଜାର ବର୍ଷ ମଧ୍ୟରେ ଏମାନଙ୍କର ଉତ୍ପତ୍ତି ବୋଲି ପ୍ରାୟ ଅଧିକାଂଶ ଏକମତ । ଆର୍ଯ୍ୟମାନେ ସେମାନଙ୍କୁ ଅସୁର, ଦାନବ, ଶବର, ନିଶାଦ ଆଦି ବିଭିନ୍ନ ନାମ ଦେଇଥିଲେ । କେତେକ ଏମାନଙ୍କୁ ଅନାର୍ଯ୍ୟ ତ କେତେକ ଦ୍ରାବିଡ଼ ବୋଲି କହିଥାନ୍ତି । ମାତ୍ର ଆର୍ଯ୍ୟ ଓ ଅନାର୍ଯ୍ୟ ବା ଦ୍ରାବିଡ଼ ଭେଦଭାବର କୌଣସି ଯଥାର୍ଥ ନାହିଁ । ଏଥିପାଇଁ କୌଣସି ବିଜ୍ଞାନସମ୍ମତ ସୀମାରେଖା ଟାଣିବା କଷ୍ଟକର କିମ୍ବା ଭ୍ରମାତ୍ମକ । ଡକ୍ଟର ସୁନୀତି କୁମାର ଚାଟାର୍ଜୀଙ୍କ ମତରେ ମଧ୍ୟ ପୂର୍ବ ୟୁରୋପ ତଥା ଋଷଦେଶ ୟୁରାଲ ପାର୍ବତ୍ୟ ଶ୍ରେଣୀର ଅରଣ୍ୟପୁଞ୍ଜ ମଧ୍ୟରେ ୟୁରୋପୀୟ ତଥା ଆଦି ଆର୍ଯ୍ୟ ଗୋଷ୍ଠୀର ଉତ୍ପତ୍ତି ଖ୍ରୀଷ୍ଟପୂର୍ବ ପାଞ୍ଚ ହଜାରରୁ ତିନି ହଜାର ବର୍ଷ ମଧ୍ୟରେ ସମ୍ଭବ ହୋଇଥିଲା । ତଦ୍‍ବିତ୍‍ମାନଙ୍କର ଧାରଣା, ଅତିରିକ୍ତ ଶୀତରୁ ରକ୍ଷା ପାଇବା ନିମନ୍ତେ ଏମାନେ ଉତ୍ତରାଞ୍ଚଳରୁ ଦକ୍ଷିଣର ସମଶୀତୋଷ୍ଣ ଅଞ୍ଚଳକୁ ଆଗମନ କରିଥିଲେ । କାଳକ୍ରମେ ସେମାନେ ବାସ ସ୍ଥାନ ଓ ପ୍ରାକୃତିକ ପରିବେଶ ଅନୁସାରେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଯେଉଁମାନେ ଟାଇଗ୍ରିସ୍ ଓ ଇଉପ୍ରେଟିସ ତଥା ନୀଳନଦୀର ଉପତ୍ୟକାରେ ବାସ କଲେ, ସେମାନେ ପରେ ମେସୋପଟାମିଆ ଓ ମିଶରର ଅଧିବାସୀ ହେଲେ । ସେମାନଙ୍କ ମଧ୍ୟରୁ ଯେଉଁମାନେ ଆସି ଭାରତବର୍ଷର ସିନ୍ଧୁନଦୀ କୂଳରେ ଅବସ୍ଥାନ କଲେ, ସେମାନେ ଆର୍ଯ୍ୟ ଭାବରେ ତ ପରିଚିତ ହେଲେ । କାଳକ୍ରମେ ସିନ୍ଧୁନଦୀର ଅଧିବାସୀ ହୋଇଥିବାରୁ ସେମାନଙ୍କୁ ସମସ୍ତେ ‘‘ହିନ୍ଦ୍’’ ବା ‘‘ହିନ୍ଦୁ’’ ଭାବରେ ସମ୍ବୋଧନ କଲେ । ପ୍ରଥମେ ସେମାନେ ସିନ୍ଧୁ ତଥା ପଞ୍ଚନଦୀର ପୁଣ୍ୟଭୂମି ପଞ୍ଜାବରେ ବସତି ସ୍ଥାପନ କରି କାଳକ୍ରମେ ଗାଙ୍ଗେୟ ଉପତ୍ୟକା ତଥା ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ବାସ କରିଥିଲେ । ପୂର୍ବରୁ ଆର୍ଯ୍ୟେତରଗଣ ନଗର ସଭ୍ୟତା ପ୍ରତିଷ୍ଠା କରିଥିଲାବେଳେ ଆଗନ୍ତୁକ ଆର୍ଯ୍ୟମାନେ ଗ୍ରାମୀଣ ସଭ୍ୟତାରେ ଅଭ୍ୟସ୍ତ ହୋଇଥିଲେ ।

 

ଏହିପରି ଆର୍ଯ୍ୟମାନଙ୍କର ଆଗମନ ପୂର୍ବରୁ ଭାରତବର୍ଷରେ ଏକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଥିଲା । ତା’ର ଅଧିବାସୀମାନଙ୍କୁ ଅଷ୍ଟ୍ରିକ ବା ଦ୍ରାବିଡ଼ ଗୋଷ୍ଠୀର ଅଧିବାସୀ କୁହାଯାଏ । ଆର୍ଯ୍ୟମାନଙ୍କ ସହିତ ସେମାନଙ୍କର ସଂଘର୍ଷ ଘଟିଥିବା ବିଷୟ ବେଦ ବିଶେଷତଃ ଋକବେଦର ବହୁ ସୂତ୍ରରେ ବର୍ଣ୍ଣିତ ହୋଇଛି । ଆର୍ଯ୍ୟ ସଂସ୍କୃତି ଦ୍ରାବିଡ଼ ବା ତଥାକଥିତ ଅନାର୍ଯ୍ୟ ବା ଆର୍ଯ୍ୟେତର ସଂସ୍କୃତି ଦ୍ୱାରା ବହୁ ଭାବରେ ପ୍ରଭାବିତ ହେବା ସ୍ୱାଭାବିକ । ଆର୍ଯ୍ୟମାନେ ପ୍ରାକୃତିକ ଶକ୍ତି ଯଥା ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ଆକାଶ, ନଦୀ, ସମୁଦ୍ର ଆଦିକୁ ପୂଜା କରୁଥିଲେ ଏବଂ ସେମାନଙ୍କର ସନ୍ତୋଷ ବିଧାନ ନିମିତ୍ତ ହୋମଯଜ୍ଞ କରୁଥିଲେ । ଆର୍ଯ୍ୟେତରମାନେ ଦେବମନ୍ଦିର, ପୂଜା ପାର୍ବଣ ଆଦି ପାଳନ କରୁଥିଲେ । ଫଳରେ ଉଭୟ ମଧ୍ୟରେ ଧର୍ମଧାରଣାରେ ଏକ ମହାମିଳନ ତଥା ମଧୁର ସମନ୍ୱୟ ସମ୍ଭବ ହୋଇଥିଲା । ଏହା ବ୍ୟତୀତ ଖାଦ୍ୟପେୟ, ବାସ, ପରିଧାନ, ଚାଲିଚଳନ ଆଦି ଜୀବନଯାତ୍ରାର ବିଭିନ୍ନ ବିଭାବରେ ପାରସ୍ପରିକ ମିଳନ ଓ ସଂସ୍ରବ ସଂଘଟିତ ହୋଇଥିଲା । ଏହିପରି ଉଭୟ ସଂସ୍କୃତି ମଧ୍ୟରେ ଏକ ପ୍ରକାର ସାଲିସ୍ ବା ସାର୍ଥକ ସଙ୍ଗମ ଘଟି ଏକ ନୂତନ ସଭ୍ୟତାର ଅଭ୍ୟୁଦୟ ଘଟିଥିଲା ।

 

ସିନ୍ଧୁନଦୀ ଉପତ୍ୟକାରେ ଯେଉଁ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଥିଲା, ତା’ର ଉତ୍କଳ ନମୁନା ହରପ୍ପା, ମହେଞ୍ଜୋଦାରୋରୁ ଉଦଖୋଦିତ ଧ୍ୱଂସାବଶେଷରୁ ପରିଲକ୍ଷିତ ହୋଇଥାଏ । ପ୍ରଖ୍ୟାତ ନୃତତ୍ତ୍ୱବିଦ୍ ଭନ ଆଇକ୍‍ଷ୍ଟେଟ ଆମ ଦେଶର ଆଦିବାସୀଗଣଙ୍କୁ ତିନୋଟି ମୁଖ୍ୟ ଗୋଷ୍ଠୀ ବା ଶ୍ରେଣୀରେ ବିଭକ୍ତ କରିଛନ୍ତି । ସେମାନେ ହେଲେ (କ) ଭେଜଏକ ଶ୍ରେଣୀ, (ଖ) ମେଲନିଅ ଶ୍ରେଣୀ (ଗ) ହିନ୍ଦୁ ଶ୍ରେଣୀ । ପ୍ରଥମୋକ୍ତ ଶ୍ରେଣୀ ହେଉଛନ୍ତି ଆଦିମ । ଭାରତୀୟ, ଦ୍ୱିତୀୟ ଶ୍ରେଣୀ ହେଉଛନ୍ତି କୃଷ୍ଣ ଭାରତୀୟ ଓ ତୃତୀୟ ଶ୍ରେଣୀ ହେଉଛନ୍ତି ଆଧୁନିକ ଭାରତୀୟ । ଆଉ କେତେକ ବିଶେଷଜ୍ଞ ଆଦିବାସୀମାନଙ୍କୁ ଦକ୍ଷିଣ ଭାରତୀୟ, ମଧ୍ୟ ଭାରତୀୟ ଓ ଉତ୍ତର-ପୂର୍ବ ଭାରତୀୟ, ଏହିପରି ତିନି ବର୍ଗରେ ବିଭକ୍ତ କରିଥାନ୍ତି । ଏମାନଙ୍କ ମଧ୍ୟରେ ଶାରୀରିକ ଗଠନ, ଭାଷା ଓ ସଂସ୍କୃତି ଦୃଷ୍ଟିରୁ ବହୁ ପାର୍ଥକ୍ୟ ପରିଦୃଷ୍ଟ ହୋଇଥାଏ । ଏହିସବୁ ପାର୍ଥକ୍ୟ ବିଚାରରେ ଆଦିବାସୀମାନଙ୍କ ମଧ୍ୟରେ ଦୁଇଶହରୁ ଅଧିକ ଉପଜାତି ତଥା ଉପବିଭାଗ ରହିଛି ବୋଲି କୁହାଯାଏ । ଭାରତ ସରକାର ସ୍ୱାଧୀନତା ପରେ ଏହି ଜାତି-ଉପଜାତିମାନଙ୍କୁ ତଫସିଲଭୁକ୍ତ କରିଛନ୍ତି ଏବଂ ସେମାନଙ୍କ ଆଶୁ ବିକାଶ ନିମିତ୍ତ ସ୍ଵତନ୍ତ୍ର ସୁବିଧାସୁଯୋଗ ଦେବାକୁ ଉଦ୍ୟମ କରି ଆସିଛନ୍ତି । ଏଥିପାଇଁ ଆମ ସମ୍ବିଧାନରେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ରହିଛି ।

 

ବହୁବିଧ ସୁବିଧା ସୁଯୋଗ ଦେବା ସତ୍ତ୍ୱେ ଓ ଶିକ୍ଷା ନିଯୁକ୍ତି ଆଦି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ରହିବା ସତ୍ତ୍ୱେ ଆଦିବାସୀ ଓ ହରିଜନମାନଙ୍କର ଅବସ୍ଥାରେ ଆଶାନୁରୂପ ବିକାଶ ସାଧିତ ହେଉନାହିଁ କାହିଁକି ? ସମ୍ଭବତଃ ଯୁଗଯୁଗର ଅଜ୍ଞତା ଓ ଅବହେଳା, ବିଚ୍ଛିନ୍ନତା ଓ ଘୃଣାଭାବ ସେମାନଙ୍କ ମନରେ ନ୍ୟୂନ ଓ ନିଶ୍ଚେଷ୍ଟତାର ଉଦ୍ରେକ କରିନଥିଲା, ତାହା କ୍ରମେ ଘନୀଭୂତ ହୋଇ ଯାଇଥିଲା । ତାକୁ ସଂପୂର୍ଣ୍ଣ ଭାବରେ ପୋଛିଦେବା ଏତେ ସହଜ ହୋଇନଥିଲା । ସୁପ୍ରତିଷ୍ଠିତ ସାହିତ୍ୟିକ ଓ ସମାଜବିଜ୍ଞାନୀ ଚିତ୍ତରଞ୍ଜନ ଦାସ ଯଥାର୍ଥରେ କହିଛନ୍ତି, – “ଆଦିବାସୀ ସମାଜକୁ ଅର୍ଥାନ୍ତରରେ ଆଦିମ ସମାଜ ବୋଲି କୁହାଯାଇଥାଏ । ମନୁଷ୍ୟ ସଭ୍ୟତାର ଇତିହାସରେ ଏହି ସମାଜ ଓ ସଭ୍ୟତାଗୁଡ଼ିକ ହେଉଛି ଆଦି ସମାଜ ଓ ଆଦି ସଭ୍ୟତା । ଅନେକ ସମୟରେ ଉନ୍ନତ ସମାଜର ଅନେକ ଏକାନ୍ତବାଦୀ ଆଲୋଚକ Primitive ଶବ୍ଦଟିକୁ ଏକ ଅନାଦର ସୂଚକ ବ୍ୟଞ୍ଜନା ସହିତ ଗ୍ରହଣ କରିଥାଆନ୍ତି । ପ୍ରକୃତ କଥା ହେଉଛି, ଆଦିବାସୀ ସମାଜ ଅପେକ୍ଷାକୃତ କମ୍ ଗତିଶୀଳତା ଯୁକ୍ତ ସମାଜ । ସମ୍ଭବତଃ ସେହି ଅର୍ଥରେ ହିଁ ଆମେ ତାହାଙ୍କୁ ଆଦିମ ସମାଜ ବା Primitive Society ବୋଲି କହି ପାରିବା । ଆଦିବାସୀ ସମାଜ ଅନେକ ଦୃଷ୍ଟିରୁ ଏକ ଆବଦ୍ଧ ସମାଜ ଓ ସ୍ପର୍ଶକାତରତା ପରିବର୍ତ୍ତନକାତରତା ଏକ ନାମ । ତଥାପି ଆପଣାର ଗଡ଼ବାଡ଼ ଭିତରେ ପ୍ରତ୍ୟେକ ଆଦିବାସୀ ସମାଜରେ ତା’ର ଆପଣାର ଏକ ଅର୍ଥନୀଚି ରହିଛି । ଏକ ପରିଶାସନ ତଥା ସମାଜ ସମ୍ବନ୍ଧଗତ ପରିବିଧ ମଧ୍ୟ ରହିଛି (୧୯୮୨ ପୃ. ୧-୨୬) ତାଙ୍କ ମତରେ ସେଥିପାଇଁ ତା’ର ଏକ ଉପାଙ୍ଗ ରୂପେ ଧର୍ମ, କର୍ମ, ପୂଜାପାଠ, ନୃତ୍ୟଗୀତ ଆଦି ରହିଛି । ଏଥିରେ ପୁଲକତା ପ୍ରମାଦ ମଧ୍ୟ ରହିଛି ।

 

ଆଦିବାସୀ ସମାଜ ଏକକ, ସୀମିତ ଓ କ୍ଷୁଦ୍ର । ଏଠାରେ ପାରସ୍ପରିକ ସମ୍ବନ୍ଧ, ଭାବବିନିମୟ ଓ କାର୍ଯ୍ୟକଳାପମାନ ଖୁବ୍ ଅନ୍ତରଙ୍ଗ ଓ ନିବିଡ଼ । ଆଦିବାସୀମାନଙ୍କର ସାମୂହିକ ଚଥା ଯୌଥ ଜୀବନରେ ବ୍ୟବହୃତ ହେଉଥିବା ସାଧନ ସାମଗ୍ରୀ ଓ କୌଶଳସବୁ ଅତ୍ୟନ୍ତ ପ୍ରାଥମିକ ସ୍ତରୀୟ । ଆର୍ଯ୍ୟ ସମାଜର ସରଳ କିମ୍ବା ଆଧୁନିକ ସମାଜର କଟିଳ ଶ୍ରମ ବିଭାଜନ ସେମାନଙ୍କ ମଧ୍ୟରେ ନଥାଏ । ପ୍ରାକୃତିକ ଭାବରେ ସେମାନଙ୍କର ଦୈନନ୍ଦିନ ଜୀବନଧାରା ସମତଳ ଅଞ୍ଚଳର ଶୀର୍ଣ୍ଣ ତଟିନୀଟିଏ ପରି ବୋହିଯାଏ ବା ପାହାଡ଼ୀ ଝରଣାଟି ପରି ଝରିଝରି ଯାଏ । ମାତ୍ର ଆଧୁନିକ ସଭ୍ୟ ସମାଜ ଜଙ୍ଗଲୀ ନଦୀ ପରି ଦ୍ରୁତଗତିରେ କଳକଳ ହୋଇ କିମ୍ବା ତୀବ୍ର ବନ୍ୟା ସ୍ରୋତ ପରି ଘୋର ଘର୍ଘର ଗର୍ଜନ କରି ବୋହିଯାଏ ନାହିଁ । ସ୍ୱଭାବତଃ ଆଦିବାସୀ ସମାଜରେ ପରିବର୍ତ୍ତନ ମନ୍ଥର ଓ ପ୍ରଗତି-ପରାହତ । ଶ୍ରୀଯୁକ୍ତ ଦାସ ତେଣୁ କହିଛନ୍ତି,- ‘‘ଆଦିବାସୀ ପରିବେଶକୁ ବଦଳାଏ ନାହିଁ, ପରିବେଶ ହିଁ ଆଦିବାସୀ ଜୀବନର ଯାବତୀୟ କରଣ ଓ ପ୍ରତିକରଣର ପ୍ରଦ୍ୟୋତକ ହୋଇ ରହିଥାଏ । ଆଦିବାସୀ ଆପଣାକୁ ତା’ ଚାରି ପାଖରେ ଘେରି ରହିଥିବା ପ୍ରକୃତିର ଏକ ଅଂଶ ବୋଲି ଗ୍ରହଣ କରି ନେଇଥାଏ । ତେଣୁ ଆଦିବାସୀ ପ୍ରକୃତିକୁ ଜୟ କରେନାହିଁ, ପ୍ରକୃତି ଭିତରେ ହିଁ ସିଏ ଆପଣ ଜୀବନର ଘରଟିକୁ ଅନୁକୂଳିତ କରି ରଖେ ଏବଂ ତାହାକୁ ହିଁ ବାସ୍ତବ ଜୀବନର ସଫଳତା ବୋଲି ମଣେ’’ (ତତ୍ରୈବ ପୃ. ୨) । ସୁତରାଂ ଆଦିବାସୀ ସମାଜ ଅପେକ୍ଷାକୃତ ସ୍ଥାଣୁ ଓ ଅଥର୍ବ, ମାତ୍ର ପ୍ରକୃତି କ୍ରୋଡ଼ରେ ତାହା ଲାଳିତ ପାଳିତ ଯତ୍ନରେ ଓ ନିବିଡ଼ ଭାବରେ ।

 

ପକ୍ଷାନ୍ତରରେ ଆଦିବାସୀ ସଂସ୍କୃତିବିଦ୍ ଡକ୍ଟର ସୀତାକାନ୍ତ ମହାପାତ୍ର କହନ୍ତି,- ‘‘ମନେ ରଖିବା ଉଚିତ ଯେ ଆଦିବାସୀ ସଂସ୍କୃତିର ସବୁ ଆଙ୍ଗିକ ବା ରୂପ, ପ୍ରଗତି ବା ଉନ୍ନୟନ ବିରୋଧୀ ନୁହେଁ । ସେ ସଂସ୍କୃତିରେ ଅନେକ ବିଭାବ ଅଛି, ଯାହା ପ୍ରଗତି ପାଇଁ ଅନୁକୂଳ । ପ୍ରଗତି ପରିପନ୍ଥୀ ନୁହେଁ’’ (୧୯୮୨) । ଏହି ପରିପ୍ରେକ୍ଷୀରେ ସେ ଆମ ଆଦିବାସୀ ସଂପ୍ରଦାୟକୁ ଆଫ୍ରିକାର ଆଦିବାସୀ ସମାଜ ସହିତ ତୁଳନା କରିଛନ୍ତି । ସେଠାର ଆଦିବାସୀମାନେ ସଂଖ୍ୟାଗରିଷ୍ଠ ଓ ଅର୍ଥନୀତିଠାରୁ ରାଜନୀତି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଅଥଚ ଏଠାରେ ଆମର ଅଣଆଦିବାସୀ ସମାଜର ମହାସମୁଦ୍ର ଭିତରେ ଆଦିବାସୀ ସମାଜ-ସଂସ୍କୃତି କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପ ସଦୃଶ’’, ହୁଏତ ଏହିପରି ପ୍ରତିକୂଳ ପରିସ୍ଥିତିରେ ସମସ୍ତ ସୁବିଧା ସୁଯୋଗ ସତ୍ତ୍ୱେ ଆମ ଆଦିବାସୀମାନଙ୍କ ମଧ୍ୟରେ ପର୍ଯ୍ୟାପ୍ତ ପ୍ରତ୍ୟୟ, ପ୍ରତିଷ୍ଠା ଓ ପ୍ରଗତି ସାଧିତ ହୋଇପାରୁନାହିଁ । ଅଧିକନ୍ତୁ ବହୁ ବର୍ଷପରେ ଆମେରିକା ଯୁକ୍ତରାଷ୍ଟ୍ରର ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ବୁଦ୍ଧିବୃତ୍ତିରେ ଶ୍ୱେତକାୟ ଓ କୃଷ୍ଣକାୟ (ନେଗ୍ରୋ) ପ୍ରାୟ ସମାନ ହେଲେହେଁ ଉତ୍ସାହ ଓ ଆକାଙ୍‍କ୍ଷା ଦିଗରେ ଶେଷୋକ୍ତ ଗୋଷ୍ଠୀ ଅଧିକ ପଶ୍ଚାତପଦ ଓ ନିମ୍ନସ୍ତରୀୟ । ସମ୍ଭବତଃ ସେହିପରି ଆମର ଏଠାରେ ଅଣଆଦିବାସୀମାନଙ୍କର ସଂଖ୍ୟାଗରିଷ୍ଠତା ମଧ୍ୟରେ ଆଦିବାସୀମାନେ ହୀନମନ୍ୟତାର ଶରବ୍ୟ ହୋଇ ଅପେକ୍ଷାକୃତ ନିରୁଦ୍ୟମୀ ଓ ନିରୁତ୍ସାହୀ ହୋଇପଡ଼ୁଛନ୍ତି । ଅବଶ୍ୟ ଯୁକ୍ତରାଷ୍ଟ୍ର ଆମେରିକା ପରି ଏଠାରେ ମଧ୍ୟ ଏହି ପରିସ୍ଥିତିରେ ପରିବର୍ତ୍ତନ ସଂଘଟିତ ହେଉଛି ।

 

ଡକ୍ଟର ମହାପାତ୍ର ଉପରୋକ୍ତ ପରିପ୍ରେକ୍ଷୀରେ ଆଦିବାସୀ ସମାଜ ତଥା ସଂସ୍କୃତିକୁ ବିଶ୍ଳେଷଣ କରି ଚାରୋଟି ବିଶେଷତ୍ୱ ସମ୍ପର୍କରେ ମାର୍ମିକ ଆଲୋଚନା କରିଛନ୍ତି । ତାଙ୍କ ମତରେ ଆଦିବାସୀ ତା’ର ଜୀବନକୁ ଖୁବ୍ ଭଲପାଏ । ତା’ର ପରିବେଶ- ବନପର୍ବତ, ଝରଣା, ଫୁଲ, ନାଚ, ଗୀଚ– ଏ ସବୁ ମିଶି ତା’ର ମେଦିନୀକୁ ମୋହାଚ୍ଛନ୍ନ କରେ; ଉପରେ ତା’ର ଆକାଶ ଦେବତା ଆଉ ତଳେ ତା’ର ମାଟିମା’ ତାକୁ ଆଦର ଓ ଆହ୍ଲାଦର ସହିତ କୋଳାଗ୍ରତ କରେ । ଜୀବନର ସବୁ ଯନ୍ତ୍ରଣା ଓ ଦୁଃଖକୁ ସେ ଭୁଲିଯାଏ; ସବୁ ଅଭାବ ଅସୁବିଧାକୁ ମୁଣ୍ଡପାତି ସହିନିଏ । ମଣିଷ ସମାଜର କଥାକଥିତ ‘‘ସଭ୍ୟ’’ ସଦସ୍ୟମାନେ ହିଂସ୍ର ଜନ୍ତୁ ପରି ତା ପ୍ରତି ନିଷ୍ଠୁର ଆଚରଣ କରନ୍ତି, ତା’ର ସୁଖର ସଂସାର ଦୁଃଖର ନରକରେ ପରିଣତ କରନ୍ତି, ସୁନାର ସଂସାରକୁ ଚୂନା କରି ବସନ୍ତି, ମାତ୍ର ସବୁ ଭିତରେ ସେ ତା’ର ଜୀବନକୁ ଉପଭୋଗ କରିଚାଲେ । ଡକ୍ଟର ମହାପାତ୍ର କାବ୍ୟିକ ଭାଷାରେ ପ୍ରକାଶ କରିଛନ୍ତି, “ପାହାଡ଼ ମଥାନରେ ଉଜ୍ଜ୍ୱଳ ଚାରାଟିଏ ପରି ଜୀବନର, ସମାଜର ସବୁ ଦୁଃଖ କ୍ଳେଶକୁ ବାତିଲ କରିଦେଇ ଜୀବନ ପ୍ରୀତି ଝଲସୁଥାଏ । ଅଥଚ ଆମ ସମାଜରେ ସତେ ଯେମିତି ସବୁ ଥାଇ କିଛି ନାହିଁ’’ (ତଥୈବ) । ଏହି ଜୀବନ ପରିଚର୍ଯ୍ୟା ତଥା ଜୀବନାନୁରାଗ ଆଦିବାସୀ ଜୀବନ ଓ ସଂସ୍କୃତିର ଏକ ଅନନ୍ୟ ଧର୍ମ ।

 

ଆଦିବାସୀ ସଂସ୍କୃତିର ଦ୍ୱିତୀୟ ଧର୍ମ ହେଲା କର୍ମ ଓ ବିଶ୍ରାମ, ସ୍ଵପ୍ନ ଓ ବାସ୍ତବତା, ସଂସ୍କୃତିର ସ୍ରଷ୍ଟା ଓ ଉପଭୋକ୍ତା ମଧ୍ୟରେ ଥିବା ଅଦ୍ୱୈତ ଓ ଅବିଚ୍ଛିନ୍ନ ଭାବ । ଆମେ କାର୍ଯ୍ୟ କରୁଥିଲା ବେଳେ ଆନନ୍ଦ ପାଉନାହିଁ, ଚିତ୍ତବିନୋଦନ କାର୍ଯ୍ୟ - ନୃତ୍ୟଗୀତ, ସିନେମା, ଥିଏଟର, କ୍ଲବ, ପାଟି ଆଦିରେ ହିଁ ଆନନ୍ଦ ପାଇବାକୁ ଉଦ୍ୟମ କରୁ । ଜୀବନକୁ ଉପଭୋଗ କରିବାକୁ ଆମେ ଆମ ଦୈନନ୍ଦିନ ଧନ୍ଦାରୁ ଦୂରେଇ ଯିବାକୁ ଚାହୁଁ । ସେଥିପାଇଁ ଆମର ପରିଭ୍ରମଣ, ବଣଭୋଜି, ପ୍ରଦର୍ଶନୀ ଇତ୍ୟାଦିକୁ ଯିବାକୁ ପଡ଼େ । ଅନ୍ୟମାନଙ୍କ କଳା, ଅଭିନୟ , ଗାନ, ନୃତ୍ୟ ଆଦିକୁ ଆମେ ପଇସା ଦେଇ ଆସ୍ୱାଦନ କରୁ । ମାତ୍ର ଆଦିବାସୀମାନେ ନିଜେ ସବୁ କଳା, ନୃତ୍ୟଗୀତ, ମେଳାମଉଚ୍ଛବରେ ଭାଗନିଅନ୍ତି, ଆନନ୍ଦ ଉପଭୋଗ କରନ୍ତି । ସଂକ୍ଷେପରେ କହିଲେ ସେମାନେ ନିଜେ ମାଳୀ, ନିଜେ ପୂଜାରୀ ।

 

ଆଦିବାସୀ ସଂସ୍କୃତିର ତୃତୀୟ ଧର୍ମ ହେଲା ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ଥିବା ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ଉଷ୍ଣ ସ୍ନେହଶ୍ରଦ୍ଧା । ଏହି ସମାଜରେ ବ୍ୟକ୍ତି ସାହାହୀନ ଭାବରେ ହଜିଯାଏ ନାହିଁ । ବ୍ୟକ୍ତିଟି ମଧ୍ୟ ଆମପରି ଖଣ୍ଡବିଖଣ୍ଡିତ ହୁଏନାହିଁ । ସମସ୍ତଙ୍କ ମଧ୍ୟରେ ସେ ଜଣେ, ଜଣଙ୍କ ସହିତ ଅନ୍ୟମାନେ । ସମସ୍ତେ ଯୋଡ଼ାଯୋଡ଼ି, କେହି କାହାର ଛଡ଼ାଛଡ଼ି ନୁହନ୍ତି । ‘‘ସତେ ଯେମିତି ସମାଜଟି ପରସ୍ପର ସୁଖଦୁଃଖରେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ପ୍ରତ୍ୟେକ ପରସ୍ପର ସହିତ କେଉଁ ଅଜଣା ପ୍ରାଚୀନ ଡୋରିରେ ଗ୍ରଥିତ’' (ତଥୈବ) । ଚିତ୍ତରଞ୍ଜନବାବୁ ଏହି ଚିନ୍ତାଧାରାକୁ ଆହୁରି ଉଗ୍ର, ଆହୁରି ତୀକ୍ଷ୍ମ ଭାବରେ ଧୋଇଛନ୍ତି, ‘‘ଆଦିବାସୀ ସମାଜ ଓ ସଂସ୍କୃତିରେ ବ୍ୟକ୍ତି ନାହିଁ, ବ୍ୟକ୍ତି ଜନ୍ମଲାଭ ହିଁ କରିନାହିଁ । ସର୍ବପ୍ରଧାନ ଏବଂ ସର୍ବନିୟାମକ ରୂପେ ଏହି ସମୂହ ହିଁ ରହିଛି । ମାତ୍ର ସେହି ସାମୂହିକତା ବାଦଗୁଡ଼ିକର ଉଗ୍ରତା ଏବଂ ଦୌରାତ୍ମ୍ୟଗୁଡ଼ିକୁ ଦେଖବାକୁ ପାଇବା ନାହିଁ ।’’ ବ୍ୟକ୍ତିସ୍ୱାତନ୍ତ୍ର୍ୟ ଏଠାରେ ସାମାଜିକତା ମଧ୍ୟରେ ଆତ୍ମଗୋପନ କରିଥାଏ । ବ୍ୟକ୍ତିତ୍ୱବୋଧ ଯେମିତି ଏଠାରେ ଲୋପ ପାଇଥାଏ । ବ୍ୟକ୍ତିଠାରୁ ସମାଜ ଅଲଗା ହେଲେ କେବଳ କୃତ୍ରିମତା ହିଁ ମିଳେ । ସ୍ଵାଭାବିକତା ଅପସରିଯାଏ । ଆଧୁନିକ ସମାଜର ବିଚ୍ଛିନ୍ନତା ଭାବକୁ ଆଦିବାସୀମାନେ ହୁଏତ ସାମାଜିକ ମୃତ୍ୟୁ ବୋଲି କହିବେ, ଯାହା ଶାରୀରିକ ମୃତ୍ୟୁଠାରୁ ଅଧକ ଅବାଞ୍ଚନୀୟ, ଅଧିକ ଅଶ୍ଳାଘ୍ୟ ।

 

ଆଦିବାସୀ ସମାଜର ଚତୁର୍ଥ ଧର୍ମ ହେଲା ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ଥିବା ନିଗୁଢ଼ ଓ ନିରବଚ୍ଛିନ୍ନ ସଂପର୍କ । ଆଦିବାସୀ ମଣିଷ ତା’ର ଚଉଦିଗର ବଣପାହାଡ଼, ନଦୀଝରଣା, ଗଛଲତା, ଫୁଲଫଳ ଆଦିକୁ ଭଲପାଏ । ପ୍ରକୃତି କୋଳରେ ସେ ଜନ୍ମନିଏ, ବଢ଼େ, ହସେ, ଖେଳେ, ନାଚେ, ଗାଏ ଆଉ ଶେଷରେ ମରିଯାଏ । ସଭ୍ୟ ସମାଜର ଧୂଳିଧୂଆଁ, ପୂତିଗନ୍ଧ ଓ ପ୍ରଦୂଷଣ ତାକୁ ଛୁଏଁ ନାହିଁ । ସେ ନିଷ୍ପାପ କମଳକଳିକାଟିଏ ପରି ହସିଖେଳି ଝଡ଼ିପଡ଼େ । ଅଭାବ ଅଜ୍ଞତାର ଅନ୍ଧାର ମଧ୍ୟରେ ସେ ଆଶାର ଆଲୋକ ଦେଖେ । ଜୀବନର ଆବେଗ ଉଚ୍ଛ୍ୱାସ, ଆନନ୍ଦ ବିଷାଦ ଆଦି ମଧ୍ୟରେ ସେ ହସି ହସି ଆଗକୁ ଆଗେଇଯାଏ । ଅନ୍ୟର ଦୁଃଖସୁଖକୁ ଆପଣାର କରେ ।

 

ଏହିସବୁ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଆଦିବାସୀ ସମାଜ ପ୍ରଗତିର ପରିପନ୍ଥୀ ନୁହେଁ । ସେମାନଙ୍କ ସାଂସ୍କୃତିକ ବୈଶିଷ୍ଟ୍ୟଗୁଡ଼ିକୁ ବିଚାରକୁ ନେଇ ପ୍ରଗତିର ପରିକଳ୍ପନା କଲେ ସେମାନଙ୍କ ଦ୍ଵାରା ଆଦୃତ ହୁଏ ଏବଂ ଏହାର ସାଫଲ୍ୟ ଅଧିକ ହୋଇଥାଏ । ଆଧୁନିକ ସମାଜର ଉତ୍ସାହ, ପ୍ରେରଣା, ଯୁକ୍ତିଯୁକ୍ତତା, କର୍ମନିଷ୍ଠା ସହିତ ଆଦିବାସୀ ସମାଜର ସାରଲ୍ୟ, ସୌହାର୍ଦ୍ଦ୍ୟ, ସହଯୋଗିତା ଓ ସମାଜ ସଚେତନତାର ମିଳନ ତଥା ସମନ୍ୱୟ ଘଟିଲେ ଆମ ସମାଜର ଦ୍ରୁତବିକାଶ ଘଟିବ ଏବଂ ଆଦିବାସୀ ଜୀବନରେ ସୁଖସମୃଦ୍ଧିର ଆଲୋକ ଝରିପଡ଼ିବ । ସେମାନେ ମଧ୍ୟ ଅନ୍ୟମାନଙ୍କ ପରି ଆତ୍ମବିଶ୍ଵାସ, ପ୍ରାଣପ୍ରାଚୁର୍ଯ୍ୟ, ଉଦ୍ୟମ ଓ ଅଧ୍ୟବସାୟକୁ ନିଜର ଅଗ୍ରଗତି ପଥରେ ପାଥେୟ କରି ଚାଲିବେ ଏବଂ ବୃହତ୍ତର ସମାଜର ସାମୂହିକତା ଓ ସାମଗ୍ରିକତା ମଧ୍ୟରେ ନିଜକୁ ସାମିଲ କରିନେବେ ।

 

ଆମ ସାଧାରଣ ସମାଜରେ ଯେଉଁ ଅଜ୍ଞତା ଓ ଦାରିଦ୍ର୍ୟ ଏ ପର୍ଯ୍ୟନ୍ତ ଆବୋରି ରହିଛି, ତାହା ଆଦିବାସୀ ସମାଜରେ ଆହୁରି ଘନୀଭୂତ ହୋଇ ରହିଛି । ଅଣଆଦିବାସୀମାନଙ୍କ ମଧ୍ୟରେ ଥିବା ବୈଷମ୍ୟ ଓ ବ୍ୟବଧାନର ମେଘନାଦ ପାଚିରୀ ସେମାନଙ୍କ ମଧ୍ୟରେ ନାହିଁ । ହେଲେ, ଏଇ ଦୁଇଟି ସମାଜ ମଧ୍ୟରେ ଅଭାବ ଅସୁବିଧାର ପାହାଡ଼ ଯେମିତି ମଥାଟେକି ରହିଛି, ଏହାକୁ ଦୂର କରିବାକୁ ହେବ । ସେହିପରି ଆଦିବାସୀମାନଙ୍କ ସରଳତାକୁ ଆମେ ଚତୁରତାର ଅଭାବ କହିବା ବିରାଟ ଭ୍ରମ, ସେମାନଙ୍କ ସହିଷ୍ଣୁତାକୁ ଆମେ ହୀନଦୃଷ୍ଟିରେ ଦେଖିବା ଆମର ଅଜ୍ଞତା । ଅବଶ୍ୟ ଏହା ନିଶ୍ଚୟ ଯେ ସେମାନେ ଅଳ୍ପରେ ସନ୍ତୁଷ୍ଟ, ପ୍ରକୃତିରୁ ଯାହା ପାଇଥାନ୍ତି, ସେଥିରେ ସେମାନଙ୍କ ଅଭାବ ଦୂର ହୋଇଥାଏ । ଯେମିତି ଆମର ତଥାକଥିତ ‘‘ସ୍ୱର୍ଗୀୟ ଅସନ୍ତୋଷ’’ (Divine discontent) ପ୍ରକୃତରେ ଆଦିବାସୀମାନଙ୍କ ପାଇଁ ‘‘ସ୍ଵର୍ଗୀୟ ସନ୍ତୋଷ’’ (Divine Content) I ଇଂରାଜିରେ ଯେଉଁ କଥା “Necessity is the mother of inventation’’ ବା ଆବଶ୍ୟକତା ଆବିଷ୍କାରର ଜନନୀ ତାହା ସେମାନଙ୍କ ଜୀବନରେ ସାକାର ହୋଇଥାଏ ପ୍ରତିକୂଳ ଭାବରେ । ଅସନ୍ତୋଷର ଅଗ୍ନି ବା ଅଭାବର ତାଡ଼ନା । ସେମାନଙ୍କ ପାଇଁ ନିର୍ବାପିତ ବା ନିରର୍ଥକ ହୋଇଥାଏ । ସେମାନେ ଉଦାସୀନ ଓ ନିରୁଦ୍ୟମୀ ହୋଇ ଅବହେଳାର ଶିକାର ହୁଅନ୍ତି, ଅଗ୍ରଗତି କରିବାରୁ ଅପସରି ଯା’ନ୍ତି । ସେମାନଙ୍କ ପୃଥିବୀର ଦିଗନ୍ତ ସୀମିତ ହୋଇଥାଏ । ଉପଯୁକ୍ତ ଅଭିପ୍ରେରଣା ହିଁ ସେମାନଙ୍କ ଦିଗବଳୟକୁ ପ୍ରସାରିତ କରିପାରିବ, ଦିଗ୍‌ଦର୍ଶନର ନୂତନ ଆଲୋକ ସେମାନଙ୍କ ଜୀବନକୁ ଉଦ୍ଭାସିତ କରିପାରିବ । ପାରସ୍ପରିକ ସ୍ନେହଶ୍ରଦ୍ଧା, ସହଯୋଗ ଓ ସୌହାର୍ଦ୍ଦ୍ୟ ହିଁ ସେମାନଙ୍କ ଜୀବନଧାରାକୁ ଜାତୀୟ ମହାସ୍ରୋତରେ ସମ୍ମିଳିତ କରାଇ ପାରିବ ।

 

ପୂର୍ବେ ଆମର ତଥାକଥିତ ‘‘ସଭ୍ୟ’’ ସଦସ୍ୟଗଣ ଆଦିବାସୀମାନଙ୍କ ସଂସ୍କୃତିର ବିଶେଷତ୍ଵ ଗୁଡ଼ିକୁ ହୃଦୟଙ୍ଗମ କରି ପାରୁନଥିଲେ । ବରଂ ନିଜର ସଂକୀର୍ଣ୍ଣ ସ୍ଵାର୍ଥଲିପ୍ନା ଚରିତାର୍ଥ କରିବାକୁ ସେମାନେ ଆଦିବାସୀ ସମାଜର ସାରଲ୍ୟ, ସହନଶୀଳତା ଓ ଅଜ୍ଞତାର ସୁଯୋଗ ନେବାକୁ ପଶ୍ଚାତ୍‌ପଦ ହେଉନଥିଲେ । ଏଥିଯୋଗୁଁ ଆଦିବାସୀ ସମାଜ ଶୋଷଣ, ପୀଡ଼ନ ଓ ନିର୍ଯ୍ୟାତନାର ଶିକାର ହୋଇ ଆମର ସଭ୍ୟ ସମାଜ ପ୍ରତି ସନ୍ଦେହ, ଅବିଶ୍ଵାସ ଓ ଘୃଣା ପୋଷଣ କରିଥିଲେ । ଫଳରେ ଦୁଇଟି ସମାଜ ମଧ୍ୟରେ ଥିବା ମେଘନାଦ ପାଚେରୀ ଠିଆ ହୋଇଥିଲା, ତାକୁ ଭାଙ୍ଗି ଦେବାକୁ ସଂପ୍ରତି ଉଦ୍ୟମ ହେଉଛି । ଏଥିପାଇଁ ରାଜ୍ୟ ଓ ଭାରତ ସରକାର ସାମାଜିକ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଶିକ୍ଷାର ପ୍ରସାର ଓ ନିଯୁକ୍ତି ଆଦିରେ ସଂରକ୍ଷଣ ଓ ବୃତ୍ତିଦାନର ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି । ସାମ୍ବିଧାନିକ ବ୍ୟବସ୍ଥାନୁସାରେ ଏହି ଅବହେଳିଚ ଗୋଷ୍ଠୀକୁ ସ୍ୱତନ୍ତ୍ର ସୁବିଧାମାନ ଦେବାସତ୍ତ୍ୱେ ଆଦିବାସୀମାନଙ୍କ ପ୍ରତି ସମଗ୍ର ସମାଜର ଦାୟିତ୍ୱବୋଧ, ସମ୍ବେଦନା ଓ ସାହାଯ୍ୟ ତଥା ସେବା ମନୋବୃତ୍ତି ଅଭାବରୁ, ଆମେ ଲକ୍ଷ୍ୟ ସାଧନରେ ସଫଳ ହୋଇପାରିନାହୁଁ । ଆମ ସର୍ବଭାରତୀୟ ସଂସ୍କୃତିର ବାଞ୍ଛିତ ଓ ଚିରନ୍ତନ ମୂଲ୍ୟବୋଧ ଓ ଆଦିବାସୀ ସଂସ୍କୃତିର ସରଳତା, ସହିଷ୍ଣୁତା ଓ ସହୃଦୟତା ଆଦି ସଦ୍‍ଗୁଣଗୁଡ଼ିକର ମହାମିଳନ ଘଟିଲେ ଏହି ମହାନ୍ ଜାତି ସୁଖ ଓ ସମୃଦ୍ଧି ପଥରେ ଆଗୁସାର ହୋଇପାରିବ ।

 

ସହାୟକ ପୁସ୍ତକ ଓ ପତ୍ର ପତ୍ରିକା

୧.

ଅଧ୍ୟାପକ ଚିତ୍ତରଞ୍ଜନ ଦାସ ‘‘ଆଦିବାସୀ ସଂସ୍କୃତିର ସ୍ଵରୂପ'' ଓଡ଼ିଶା ସାହିତ୍ୟ ଏକାଡେମୀ ରଜତ ଜୟନ୍ତୀ, ୧୯୮୨ ।

୨.

ଡକ୍ଟର ସୀତାକାନ୍ତ ମହାପାତ୍ର ‘‘ଆଦିବାସୀ ସମାଜ ଓ ସଂସ୍କୃତିରୁ ଆମର ଶିକ୍ଷା'' ଓଡ଼ିଶା ସାହିତ୍ୟ ଏକାଡେମୀ ରଜତ ଜୟନ୍ତୀ, ୧୯୮୨ ।

୩.

ଅଧ୍ୟାପକ ଜଗନ୍ନାଥ ମହାନ୍ତି, ‘‘ସଂସ୍କୃତି ଓ ସମାଜ’' ଉତ୍କଳ ସାହିତ୍ୟ ପ୍ରଥମ ବର୍ଷ, ତୃତୀୟ ସଂଖ୍ୟା ୧୯୭୪ ।

୪.

ଏଜନ - ‘‘ସଂସ୍କୃତିର ସ୍ଵରୂପ'' ଝଙ୍କାର ୨୫ଶ ବର୍ଷ ୯ମ ସଂଖ୍ୟା ।

୫.

ଏଜନ- ‘‘ଶିକ୍ଷା ଓ ସଂସ୍କୃତି'' ଝଙ୍କାର ୨୫ଶ ବର୍ଷ , ୧୨ଶ ସଂଖ୍ୟା।

୬.

ଡକ୍ଟର ଶ୍ରୀଶ ପଟେଲ, ସାହିତ୍ୟ ଓ ସଂସ୍କୃତି, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ୧୯୮୨, ।

 

 

୨୯୩୫, ଗୌରୀ ନଗର,

ଭୁବନେଶ୍ୱର-୨

 

***

 

ଏକାଡେମୀ ସମାଚାର

 

ବ୍ରଜନାଥ ବଡ଼ଜେନା ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ପରିଷଦ, ସନ୍ଧ୍ୟାତାରା ସାହିତ୍ୟ ସଂସଦ ଓ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦଙ୍କ ମିଳିତ ଆନୁକୂଲ୍ୟରେ କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ପାଳନ ଅବସରରେ ତା ୧୪.୪.୯୯ ରିଖ ମହାବିଷୁବ ସଙ୍କ୍ରାନ୍ତି ସଂଧ୍ୟାରେ ଢେଙ୍କାନାଳସ୍ଥ ଗୋପବନ୍ଧୁ ଟାଉନହଲ୍‌ଠାରେ ଏକ ସାରସ୍ୱତ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ଉପଲକ୍ଷେ ଏକାଡେମୀର ସଦସ୍ୟ ଶ୍ରୀ ହରମୋହନ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଗୋପୀନାଥ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସାରସ୍ୱତ ପୁରୁଷ କବି ବଡ଼ଜେନାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ । ଡକ୍ଟର ନଟବର ଶତପଥୀ ଏଥିରେ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି କବିଙ୍କ କାବ୍ୟିକ ଆବେଗ, ରସବୋଧ, ନିର୍ଭୀକ ସମାଲୋଚନାମୂଳକ ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ ଓ ବୈପ୍ଳବିକ ଚିନ୍ତାଧାରା ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀ ଶରତ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦାନ କରି ତାଙ୍କ ଭାଷଣ ପ୍ରସଙ୍ଗରେ କବି ବଡ଼ଜେନା ଓଡ଼ିଆ ସାହିତ୍ୟର ଇତିହାସରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସ୍ଥାନର ଅଧିକାରୀ ବୋଲି ମତବ୍ୟକ୍ତି କରିଥିଲେ । ଉକ୍ତ ଉତ୍ସବରେ ଶ୍ରୀ ପାର୍ଥସାରଥୀ ଅଜୟ ବାରିକ ଏବଂ ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ ।

 

କବି ଦୀନକୃଷ୍ଣ ଦାସ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦଙ୍କ ମିଳିତ ଆନୁକୂଲ୍ୟରେ କବି ଦୀନକୃଷ୍ଣଙ୍କ ଜୟନ୍ତୀ ପାଳନ ଅବସରରେ ତା ୨୪.୪.୯୯ ରିଖ ସଂଧ୍ୟାରେ ଜଳେଶ୍ଵର ହାଇସ୍କୁଲ ପରିସରରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ସାରସ୍ୱତ ଉତ୍ସବରେ ଶ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଆଇ.ଏ.ଏସ୍, ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶ୍ରୀ ବନମାଳୀ ସେନାପତି ଏବଂ ଶ୍ରୀ ଲକ୍ଷ୍ମୀନାରାୟଣ ରାୟସିଂ ଯଥାକ୍ରମେ ସମ୍ମାନିତ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କବି ଦୀନକୃଷ୍ଣ ଏକ ପ୍ରଚଣ୍ଡ ବିପ୍ଳବୀ ପ୍ରତିଭା ଥିଲେ ବୋଲି ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ । ଶ୍ରୀ ପ୍ରାର୍ଥସାରଥି ଅଜୟ ବାରିକ୍ ଏହି ସ୍ମୃତିସଭାରେ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ରୀତିଯୁଗୀୟ କବି ଦୀନକୃଷ୍ଣଙ୍କ ନୈସର୍ଗିକ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ କବି ଶ୍ରୀ ବ୍ରଜନାଥ ରଥ ଏଥିରେ ପୌରୋହିତ୍ୟ କରି ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ରୀତିଯୁଗର ଅନନ୍ୟ କବି ଦୀନକୃଷ୍ଣ ତାଙ୍କର ସାରସ୍ୱତ କୃତି ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଜାଗରଣ ଆଣିବାକୁ ଚେଷ୍ଟା କରିଥିଲେ । ଶେଷରେ ଦୀନକୃଷ୍ଣ ସ୍ମୃତି ପରିଷଦର ସମ୍ପାଦକ ପ୍ରାଧ୍ୟାପକ ଶ୍ରୀ ବିପିନ ବିହାରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସନ୍ଥକବି ଭୀମଭୋଇ ଜୟନ୍ତୀ

ସନ୍ଥକବି ଭୀମଭୋଇଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ, ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ଏବଂ ସନ୍ଥକବି ଭୀମଭୋଇ କଳା ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ୩୦.୪.୯୯ ତାରିଖ ସଂଧ୍ୟାରେ ରେଢ଼ାଖୋଲସ୍ଥ କଦମ୍ବ ପଡ଼ିଆଠାରେ ଏକ ସାରସ୍ୱତ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ସଭାରେ ଡକ୍ଟର ହାଡ଼ିବନ୍ଧୁ ମିର୍ଦ୍ଧା ମୁଖ୍ୟଅତିଥି, ଡକ୍ଟର ଉଦ୍ଧବ ଚରଣ ନାୟକ ଓ ଶ୍ରୀ ମହେନ୍ଦ୍ର କୁମାର ବିଶ୍ୱାଳ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି କବିଙ୍କ ଜଣାଣ ଭଜନ ଆଦିରେ ନିହିତ ସତ୍ୟନିଷ୍ଠ, ଆଦର୍ଶ ଜୀବନ ଦର୍ଶନ ଓ ଧର୍ମଧାରଣାର ନିଗୂଢ଼ ତତ୍ତ୍ୱାଳୀ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଏକାଡେମୀର ସଦସ୍ୟ ଡକ୍ଟର ଗୋପାଳକୃଷ୍ଣ ରଥ ଏଥିରେ ପୌରୋହିତ୍ୟ କରି ତାଙ୍କ ଭାଷଣ ପ୍ରସଙ୍ଗରେ ଭକ୍ତ କବି ଭୀମଭୋଇଙ୍କୁ ଏକାଧାରେ ଜଣେ ମହାନ୍ ସ୍ରଷ୍ଟା, ଦିବ୍ୟଦ୍ରଷ୍ଟା ଓ ସମାଜ ସଂସ୍କାରକ ରୂପେ ବର୍ଣ୍ଣନା କରିଥିଲେ । ପରିଶେଷରେ ଭୀମଭୋଇ କଳା ପରିଷଦର ସଭାପତି ଶ୍ରୀ ରଞ୍ଜିତ କୁମାର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

କବି ବିକ୍ରମଦେବ ବର୍ମା ଜୟନ୍ତୀ

ସାରସ୍ୱତ ସାଧକରାଜା ବିକ୍ରମଦେବ ବର୍ମାଙ୍କ ୧୩୦ତମ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ, କୋରାପୁଟଙ୍କ ମିଳିତ ଆନୁକୂଲ୍ୟରେ ଚା ୨୮.୬.୯୯ ତାରିଖ ସଂଧ୍ୟାରେ ଜୟପୁରସ୍ଥ ଲକ୍ଷ୍ମଣ ନାୟକ ମେମୋରିଆଲ ହଲ୍‌ରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ସାରସ୍ୱତ ସଭାରେ ଶ୍ରୀ ମଦନମୋହନ ମହାପାତ୍ର ମୁଖ୍ୟବକ୍ତା ଓ ଶ୍ରୀ ଶ୍ରୀନାଥ ମିଶ୍ର ସମ୍ମାନିତ ବକ୍ତାଭାବରେ ଯୋଗଦାନ କରିଥିଲେ । ଏକାଡେମୀର ସଦସ୍ୟ ଶ୍ରୀ ନରସିଂହ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ବିକ୍ରମଦେବଙ୍କ ଉଦାର ବ୍ୟକ୍ତିତ୍ୱ ଓ ସଂସ୍କୃତି, ଓଡ଼ିଆ ଓ ତେଲୁଗୁ କାବ୍ୟ, ବ୍ୟାକରଣ ଓ ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଜୟପୁରର ସାହିତ୍ୟପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ କୃପାସିନ୍ଧୁ ସ୍ମୃତି ସମିତିଙ୍କ ମିଳିତ ଆନୁକୂଲ୍ୟରେ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସାକ୍ଷୀଗୋପାଳ ଅନ୍ତର୍ଗତ ବୀରପ୍ରତାପପୁର ଶାସନସ୍ଥ କୃପାସିନ୍ଧୁ କ୍ଲବ ପ୍ରାଙ୍ଗଣରେ ତା ୨୭.୬.୯୯ ରିଖ ସଂଧ୍ୟାରେ ଏକ ସାରସ୍ୱତ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏହି ସ୍ମୃତିସଭାରେ ରାଜ୍ୟ ଆଇନ୍ ଆୟୋଗର ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କୃପାସିନ୍ଧୁଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରିଥିଲେ । ଏହି ସାରସ୍ୱତ ଉତ୍ସବରେ ଡକ୍ଟର ସୁଧୀର କୁମାର ଦାସ, ଡକ୍ଟର ବିକ୍ରମ ଦାସ ଏବଂ ଶ୍ରୀମତୀ ସୁଷମା ମିଶ୍ର ଯଥାକ୍ରମେ ସମ୍ମାନିତ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି କୃପାସିନ୍ଧୁଙ୍କ ଆଦର୍ଶ ଜୀବନ ସଂପର୍କରେ ଆଲୋଚନା କରିଥିଲେ । ଏକାଡେମୀର ସଦସ୍ୟ ଶ୍ରୀ ଶୁଭେନ୍ଦୁ ମୁଣ୍ଡ ଏଥିରେ ପୌରୋହିତ୍ୟ କରିଥିଲେ । କୃପାସିନ୍ଧୁପ୍ରେମୀ ଜନସାଧାରଣ ଏହି ସ୍ମୃତିସଭାରେ ବହୁ ସଂଖ୍ୟାରେ ଯୋଗଦେଇ ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

ସୁରେନ୍ଦ୍ର ମହାନ୍ତି ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାକକ୍ଷରେ ତା ୨୧.୬.୯୯ରିଖ ସଂଧ୍ୟାରେ ଏକ ସାରସ୍ୱତ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ବିଶିଷ୍ଟ କବି ତଥା ଏକାଡେମୀର ଉପସଭାପତି ଶ୍ରୀ ରବି ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ କାହ୍ନୁଚରଣ ମିଶ୍ର ମୁଖ୍ୟଅତିଥି ବିଶିଷ୍ଟ ସମାଲୋଚକ ଡକ୍ଟର ନଟବର ଶତପଥୀ ମୁଖ୍ୟବକ୍ତା ଏବଂ ସୁଲେଖିକା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ୱର୍ଗତ ମହାନ୍ତିଙ୍କ ଜୀବନଚର୍ଯ୍ୟା ଓ ବହୁମୁଖୀ ପ୍ରତିଭା ସଂପର୍କରେ ଏକ ଅନ୍ତରଙ୍ଗ ଆଲୋଚନା କରିଥିଲେ ।

 

ସାର୍ ବାସୁ ସୁଢ଼ଳଦେବ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ (ଦେବଗଡ଼)ଙ୍କ ମିଳିତ ଆନୁକୁଲ୍ୟରେ ସାର ବାସୁଦେବ ସୁଢ଼ଳ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୧୬.୫.୯୯ ରିଖ ସଂଧ୍ୟାରେ ଦେବଗଡ଼ସ୍ଥ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସାରସ୍ୱତ ସ୍ମୃତି ସଭାର ଆୟୋଜନ କରାଯାଇଥିଲା ।

 

ଏକାଡେମୀର ସଦସ୍ୟ ଶ୍ରୀ ମଧୁସୂଦନ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଦେବଗଡ଼ର ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମିଶ୍ର ମୁଖ୍ୟଅତିଥି, ଡକ୍ଟର ଆଦିକନ୍ଦ ସାହୁ ମୁଖ୍ୟବକ୍ତା, ଶ୍ରୀ ରାମଚନ୍ଦ୍ର ବ୍ରହ୍ମା ଓ ଡକ୍ଟର ବିଜୟାନନ୍ଦ ସିଂହ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି ବାମଣ୍ଡାଧୀଶ୍ୱର ବହୁ ପ୍ରତିଭାର ଅଧିକାରୀ ସାର ବାସୁଦେବ ସୁଢ଼ଳଦେବଙ୍କ ବ୍ୟକ୍ତତ୍ୱ ଉପରେ ସାରଗର୍ଭକ ଆଲୋଚନା କରିଥିଲେ ।

 

‘‘ଗଞ୍ଜାମଜିଲ୍ଲା କବି ସମ୍ମଳନ’’ ଓ ‘‘ଓଡ଼ିଆ ସାହିତ୍ୟକୁ ଗଞ୍ଜାମ ଜିଲ୍ଲାର ଅବଦାନ’’ ଶୀର୍ଷକ ଆଲୋଚନା-ଚକ୍ର

 

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା ୨୫.୪.୯୯ ରିଖରେ ବ୍ରହ୍ମପୁର ଟାଉନହଲ ସଭାକକ୍ଷରେ ‘‘ଗଞ୍ଜାମଜିଲ୍ଲା କବି ସମ୍ମେଳନ” ଓ “ଓଡ଼ିଆ ସାହିତ୍ୟକୁ ଗଞ୍ଜାମଜିଲ୍ଲାର ଅବଦାନ” ଶୀର୍ଷକ ଆଲୋଚନା-ଚକ୍ର ଆୟୋଜନ କରାଯାଇଥିଲା ।

 

ଏହି ଆଲୋଚନା-ଚକ୍ରରେ ଅଧ୍ୟକ୍ଷତା କରି ଏକାଡେମୀର ସଭାପତି ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ତତ୍‍କାଳୀନ କଳିଙ୍ଗର ଗୌରବମୟ ପରମ୍ପରା ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଗୌରୀକୁମାର ବ୍ରହ୍ମା ଭାଷଣ ପ୍ରସଙ୍ଗରେ ଗଞ୍ଜାମଜିଲ୍ଲା ଆମ ରାଜ୍ୟର ସାଂସ୍କୃତିକ ପ୍ରାଣକେନ୍ଦ୍ର ବୋଲି ଅଭିହିତ କରିଥିଲେ । ସମ୍ମାନିତ ବକ୍ତା ଡକ୍ଟର କୃଷ୍ଣଚନ୍ଦ୍ର ଜେନା ଓଡ଼ିଆ ସାହିତ୍ୟର ବିକାଶ ପଥରେ ଗଞ୍ଜାମ ଜିଲ୍ଲାର ସାହିତ୍ୟିକ ଓ ବିଦ୍ୱାନଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ । ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟନାୟକ ଏକାଡେମୀର ଆଭିମୁଖ୍ୟ ଓ ଓଡ଼ିଆ ଭାଷା ସାହିତ୍ୟର ବିକାଶ ତଥା ପ୍ରସାର ନିମନ୍ତେ ଏକାଡେମୀର ଅଙ୍ଗୀକାରବଦ୍ଧତା ସଂପର୍କରେ ସୂଚନା ଦେଇ । ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରେ ଅନୁରୂପ ସାହିତ୍ୟ ଆଲୋଚନା ଅନୁଷ୍ଠିତ ହେବ ବୋଲି କହିଥିଲେ ।

 

ପୂର୍ବାହ୍ନରେ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସତୁରୀ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ । ଏଥିରେ ଡକ୍ଟର ସୌଭାଗ୍ୟ କୁମାର ମିଶ୍ର, ଡକ୍ଟର ବାଉରୀବଂଧୁ କର ଯଥାକ୍ରମେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଶ୍ରୀ ଶାନ୍ତନୁ କୁମାର ରଥ ଓ ଡକ୍ଟର ବିଜୟାନନ୍ଦ ସିଂହ ଏହାକୁ ସଂଯୋଜନା କରିଥିଲେ ।

 

ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ଵତ ସମ୍ବର୍ଦ୍ଧନା ଉତ୍ସବ ତା ୨୧.୪.୯୯ ରିଖ ସଂଧ୍ୟାରେ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଆୟୋଜନ କରାଯାଇଥିଲା । ଏହି ମର୍ଯ୍ୟାଦାବନ୍ତ ସାରସ୍ୱତ ସମ୍ମାନ ପୁରସ୍କାର ୧୯୯୭ ଏବଂ ୧୯୯୮ ପାଇଁ ଯଥାକ୍ରମେ ବରିଷ୍ଠ ଔପନ୍ୟାସିକ ତଥା କବି ଶ୍ରୀ ଲକ୍ଷ୍ମୀଧର ନାୟକ ଏବଂ ବୟୋଜ୍ୟେଷ୍ଠ ସମାଲୋଚକ ତଥା ବାଗ୍ନୀ ପ୍ରଫେସର ଗୌରୀକୁମାର ବ୍ରହ୍ମାଙ୍କୁ ପ୍ରଦାନ କରାଯାଇଥିଲା । ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ସଭାରେ ପୌରୋହିତ୍ୟ କରିଥିଲେ । ମାନ୍ୟବର ରାଜ୍ୟପାଳ ସି. ରଙ୍ଗରାଜନ ଅତିଥି ଭାବେ ଯୋଗଦେଇ ଏହି ମର୍ଯ୍ୟାଦାବନ୍ତ ପୁରସ୍କାର ପ୍ରଦାନ କରିଥିଲେ । ଏଣୁ ସହିତ ସାହିତ୍ୟ ଏକାଡେମୀ ପକ୍ଷରୁ ୧୯୯୭ ଏବଂ ୧୯୯୮ ବର୍ଷ ପାଇଁ ପାଇବାକୁ ଥିବା ମୋଟ ସତର ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ / ସାଧିକାଙ୍କୁ ସଂବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରସାଦ ହରିଚନ୍ଦନ ଯୋଗ ଦେଇଥିଲେ ।

 

୧୯୯୭ ଓ ୧୯୯୮ ବର୍ଷରେ ସମ୍ବର୍ଦ୍ଧିତ ହୋଇଥିବା ସାରସ୍ୱତ ସାଧକ-ସାଧିକାଗଣଙ୍କ ନାମ ନିମ୍ନରେ ପ୍ରଦାନ କରାଗଲା ।

 

୧୯୯୭

୧୯୯୮

ଶ୍ରୀ ହୃଦାନନ୍ଦ ରାୟ

ଡକ୍ଟର ହରିହର ରଥ

ଶ୍ରୀ ମନମୋହନ ମହାପାତ୍ର

ଡକ୍ଟର ପବିତ୍ରମୋହନ ନାୟକ

ଡକ୍ଟର କୁଳମଣି ମହାପାତ୍ର

ଡକ୍ଟର ରେଖା ମହାନ୍ତି

ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି

ଶ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ

ଶ୍ରୀ ରାମଚନ୍ଦ୍ର ବ୍ରହ୍ମା

ରାଜା ଶ୍ରୀ ଗୋବିନ୍ଦଚନ୍ଦ୍ର ହରିଚନ୍ଦନ ଜଗଦେବ

ଶ୍ରୀ ନରସିଂହ ମିଶ୍ର

ଶ୍ରୀ ଅର୍ଜୁନ ନାଲ୍ଲା

ଶ୍ରୀ ଅମିୟ ବସୁ

ଶ୍ରୀ ରାଜାରାମ ମେହେର

ଶ୍ରୀମତୀ ଗୀତା ହୋତା

ଶ୍ରୀ ମୁରଲୀଧର ମଲ୍ଲିକ

 

ପଣ୍ଡିତ ପ୍ରହ୍ଲାଦ ମିଶ୍ର